Unknown

 

 

 

 

 

 

 

 

 

 

 

ମୋରାଭିଆଙ୍କ ବଡ଼ ଗଳ୍ପ

ଉମାଶଙ୍କର ପଣ୍ଡା

 

ସୂଚୀପତ୍ର

 

୧.

ସୂର୍ଯ୍ୟସ୍ନାନ

୨.

ତୃତୀୟ ଅରଣ୍ୟ

୩.

ତମସାର ତୃଷ୍ଣା

୪.

ସେଇ ସେବିକାଟି

୫.

ରମଣୀର ମନ

Image

 

ଏଇ ଲେଖକଙ୍କର ଅନ୍ୟାନ୍ୟ ଗ୍ରନ୍ଥ

 

୧.

ଆଦିମ ଅରଣ୍ୟ

୨.

ସ୍ୱପ୍ନ ସଂଗିନୀ

୩.

ଦୁଇ ନାରୀ

୪.

ପିଙ୍ଗଳା

୫.

ମନ ଅରଣ୍ୟ

୬.

କାଗଜ ଫୁଲ

୭.

ଋଷ ଓ ଚୀନର ଶ୍ରେଷ୍ଠଗଳ୍ପ

୮.

ଅସତୀ କନ୍ୟାର କାହାଣୀ

୯.

ଅନ୍ନଦାତା

୧୦.

ସ୍ଥାବର ଜଙ୍ଗମ

୧୧.

ରୋମାଣ୍ଟିକ କବିତା

୧୨.

ଇମନ୍‌ କଲ୍ୟାଣ

୧୩.

କେକା କୁହୁ କାକଳି

୧୪.

ନଦୀ ଉପନଦୀ

Image

 

ସୂର୍ଯ୍ୟସ୍ନାନ

 

ସେମାନେ ଯେତେବେଳେ ପାଇନ୍‌ ବଣର ସୀମନ୍ତରେ ଆସି ପହଞ୍ଚିଲେ ସେତେବେଳେ ବିରାଟ ଗମ୍ବୂଜ ଓ ସୁବୃହତ୍‌ ଅଟ୍ଟାଳିକାର ଖିଲାଣ ଭଳି ଗହନ ବୃକ୍ଷର ଛାୟାରେ ସେମାନଙ୍କର ଆଖିରେ ପଡ଼ିଲା ଗୋଟାଏ ବଡ଼ ଧରଣର ସାମରିକ ଛାଉଣି । ସର୍ବତ୍ର, ପାଇନ୍‌ଗଛ ନିକଟରେ, ଅନାବନା ବୁଦା ଓ ଲତାର ଅଭ୍ୟନ୍ତରରେ ମିଲିଟାରୀ ଗାଡ଼ିଗୁଡ଼ିକ ରଖାହୋଇଛି । ଗାଡ଼ି ଗୁଡ଼ିକର ସବୁଜ ଦେହରେ ଅଙ୍କିତ ଧଳା ତାରକାର ଚିହ୍ନ । ସେଗୁଡ଼ିକ ଆମେରିକାନ୍‌ମାନଙ୍କର । ସ୍ଥାନେ ସ୍ଥାନେ ସୈନ୍ୟମାନେ ଖବରକାଗଜ ପକେଇ ଖାଉଛନ୍ତି କିମ୍ବା ଗ୍ରାମ୍‌ଫୋନ ବଜେଇ ଶୁଣୁଛନ୍ତି । ସମଗ୍ର ସ୍ଥାନଟା ପୂରିଯାଇଛି ଖାଲି ଟିଣ, ବିୟର ବୋତଲ ଓ ଛିଣ୍ଡା କାଗଜରେ । ଚାରିଆଡ଼େ ବିଛୁଡ଼ି ହୋଇ ପଡ଼ିଛି ଅଦ୍ଭୁକ୍ତ ଖାଦ୍ୟ ପଦାର୍ଥ । କେହି କେହି ବୁଲୁଛନ୍ତି କିମ୍ବା ଶୋଇ ରହିଛନ୍ତି; ଦୁଇଜଣ ସୈନ୍ୟ ଗଛଗୁଡ଼ିକ ମଝିରେ ଥିବା ଖୋଲା ଜାଗାରେ ମୁଣ୍ଡରେ ଟୋପି ଓ ହାତରେ ଚମଡ଼ାର ଗ୍ଲୋଭସ୍‌ ପରିଧାନ କରି ବଲ୍‌ ଫିଙ୍ଗାଫିଙ୍ଗି କରୁଛନ୍ତି । କେସିମୋ ଅସହିଷ୍ଣୁ ଭାବରେ କହି ଉଠିଲା ‘‘ଖୁବ୍‌ ଭିଡ଼ ! ଗାଧୋଇବା ଜାଗାକୁ ଯିବା ଅସମ୍ଭବ । ଆମକୁ ଅନ୍ୟ କେଉଁଠିକି ଯିବା ପାଇଁ ପଡ଼ିବ-।’’ କିନ୍ତୁ ଏହି କ୍ୟାମ୍ପଟିରେ ଭିଡ଼ ଦେଖି ସେ ପ୍ରକୃତରେ ଖୁସି ହୋଇ ପଡ଼ିଥିଲା । କାରଣ ଏହାଫଳରେ ଅନ୍ୟ କୌଣସି ନିର୍ଜନ ସ୍ଥାନକୁ ସେ କୋରାକୁ ନେଇଯାଇ ପାରିବ, ସାଧାରଣ ସ୍ନାନାଗାରଠାରୁ ବହୁଦୂରକୁ, ଯେଉଁଠି ସେ ଆଉ କୋରା ବ୍ୟତୀତ କେହି ନ ଥିବେ । କୋରା ଉତ୍ତର ଦେଲା ସୈନ୍ୟମାନେ ରହିଲେ ବି ଆମର କିଛି ଯାଏ ଆସେନା । କେସିମା ବାଧାଦେଇ କହିଲା ‘‘କିନ୍ତୁ ମୋ ପକ୍ଷରେ ଏହା ଅସହ୍ୟ; ଏତକ କହି ସେ ଗାଡ଼ିଟାକୁ ଅନ୍ୟ ରାସ୍ତାରେ ବୁଲେଇ ନେଲା-। ‘‘ବେଶ୍‌ ତାହାହେଲେ ଚାଲ.....କିନ୍ତୁ’’ ମୁହୂର୍ତ୍ତ ନୀରବ ରହି କୋରା କେସିମୋକୁ ସାବଧାନ କରିଦେଇ କହିଲା ‘‘ତୁମକୁ ଶପଥ କରିବା ପାଇଁ ହେବ ଯେମିତି ମୋ ସହିତ କୌଣସି ପ୍ରକାର ଦୁଷ୍ଟାମି ନ କର ।’’ କେସିମୋ କୌଣସି ଉତ୍ତର ଦେଲା ନାହିଁ ।

 

ତାପରେ ସର୍ପିଳ ଓ ଈଷତ୍‌ ନିର୍ଜନ ବଣ ଭିତରେ ଥିବା ରାସ୍ତାରେ ସେମାନେ ଆଗେଇ ଯିବାକୁ ଲାଗିଲେ । ଶେଷରେ ଆସି ପହଞ୍ଚିଲେ ଗୋଟାଏ ଖୋଲା ଜାଗାରେ ଯେଉଁଠୁ ନୀଳସାଗର ଆଡ଼କୁ ଲମ୍ବିଯାଇଛି ଗୋଟାଏ ରାସ୍ତା । କେସିମୋ ସେମାନଙ୍କର ସନ୍ତରଣ ପୋଷାକ ଏବଂ ମଧ୍ୟାହ୍ନ ଭୋଜନ ରଖା ହୋଇଥିବା ଥଳିଟିକୁ ଗାଡ଼ିରୁ ବାହାର କରି, ନିଜେ ଓହ୍ଲେଇ ପଡ଼ି କୋରାକୁ ଓହ୍ଲେଇବା ପାଇଁ ସାହାଯ୍ୟ କରିବାକୁ ଲାଗିଲା । କୋରା ପାଦ ଯୋଡ଼ିକୁ ତଳକୁ ବଢ଼େଇ ଦେବାବେଳକୁ ତା’ର ହଳଦି ରଙ୍ଗର ଲିନେନ୍‌ ସ୍କାର୍ଟଟି ଅପସାରିତ ହୋଇଯାଇ ତାରି ଭିତରୁ ଭାସି ଉଠିଲା ତା’ର ନିଟୋଳ ଜଘନର କିୟଦାଂଶ । କୋରାର ସ୍କାର୍ଟ ତଳେ କୌଣସି ଅନ୍ତର୍ବାସ ନଥିବାର ଦେଖି କେସିମୋ ଖୁସି ହୋଇପଡ଼ିଲା, ତା’ର ଯେମିତି ମନେହେଲା ସେ ଗୋଟାଏ ସରଳ ଓ ଗଭୀର ଅଭିଯାନ କରିବାକୁ ଯାଉଛି । କୌଣସି କଥାବାର୍ତ୍ତା ନ କରି ସେ କୋରା ସହିତ ସମୁଦ୍ର ଆଡ଼କୁ ଆଗେଇ ଯିବାକୁ ଲାଗିଲା ।

 

ସବୁଜ ଘାସରେ ଆବୃତ ପଥ ଉପରେ ପାଇନ୍‌ ଗଛଗୁଡ଼ିକ ନଇଁ ପଡ଼ିଥିଲା । ଅଳ୍ପଦୂର ଆଗେଇ ଯିବା ମାତ୍ରକେ ପାଇନ୍‌ ବଣଟା ଝାପ୍‌ସା ଦେଖାଗଲା ଏବଂ ତାରି ସ୍ଥାନରେ ଜାଗିଉଠିଲା ଛୋଟଛୋଟ କଣ୍ଟକାଜୀର୍ଣ୍ଣ ଗୁଳ୍ମ । ଲମ୍ବା ଲମ୍ବା ଘାସ ଭିତରୁ ଦେଖାଯାଉଥିଲା ବାଲିର ପ୍ରଥମ ଜିହ୍ୱା । ତା’ପରେ ସେ ଦୁହେଁ ଦେଖିବାକୁ ପାଇଲେ ଦିଗନ୍ତପ୍ରସାରୀ ଅସୀମ ସମୁଦ୍ର: ସୂର୍ଯ୍ୟର କାଞ୍ଚନ ରଶ୍ମୀରେ ଆଲୋକିତ, ନୀଳ ଓ ସ୍ଥିର । କୋରା ଆଗ୍ରହ ସହକାରେ କହିଲା—‘‘ମୁଁ ଆଉ ଅପେକ୍ଷା କରି ପାରୁନାହିଁ ।’’

 

ତା’ର ପୋଷାକ ତଳେ ବାହୁମୂଳ ଯୋଡ଼ିକ ଘର୍ମାକ୍ତ ହୋଇପଡ଼ିଥିଲା ଏବଂ ପ୍ରତିଟି ପଦକ୍ଷେପରେ ତା’ର ସ୍କାର୍ଟଟି ଫାଙ୍କ ହୋଇଯାଇ ପାଦଯୋଡ଼ିକ ଏମିତି ଭାବରେ ଆଗକୁ ବଢ଼ି ଯାଉଥିଲା ମନେହେବ ଯେମିତି ଏହି ବନ୍ଧନରୁ ସେ ସମଗ୍ର ଦେହ ବଲ୍ଲରୀକୁ ମୁକ୍ତି ଦେବା ପାଇଁ ଅତିଶୟ ବ୍ୟଗ୍ର ଓ ବ୍ୟାକୁଳ । ବାଲିରେ କୋରା ଓ କେସିମୋ ଉଭୟେ ଚାଲିବା ପାଇଁ କଷ୍ଟ ଅନୁଭବ କରୁଥିଲେ । ଶେଷରେ ବାଲିର ବିରାଟ ପାହାଡ଼ ପାରିହୋଇ ସେମାନେ ସମୁଦ୍ର କିନାରାରେ ଚାଲିବାକୁ ଲାଗିଲେ ଯେଉଁଠି ଢେଉଗୁଡ଼ିକ ଚକ୍‌ ଚକ୍‌ ରୂପେଲି ବାଲି ଉପରେ ଟାଣିଦେଇଥିଲା ଏକ ମସିମେୟ କୃଷ୍ଣ ରେଖା ।

 

ସର୍ବସାଧାରଣ ଗାଧୋଇବା ସ୍ଥାନରୁ କେସିମୋ କୋରାକୁ ବହୁଦୂରକୁ ନେଇଯିବା ପାଇଁ ଚାହୁଁଥିଲା । ସତ କହିବାକୁ ଗଲେ ସମୁଦ୍ର କୂଳଟି ଥିଲା ସଂପୂର୍ଣ୍ଣ ନିର୍ଜନ । ଶୁଖିଲା ବାଲିଉପରେ କେତୋଟି ନୌକା ବ୍ୟତୀତ ଆଉ କିଛି ନ ଥିଲା । ବାଲୁକା ପାହାଡ଼ର ପଛପଟେ କଳା ହୋଇ ପଡ଼ିଥିବା କୋଣାକୃତି କୁଟୀରର ଚୂଡ଼ାରୁ ସ୍ପଷ୍ଟ ହୋଇ ବାରି ହେଉଥିଲା କେଉଁ ଏକ ଗ୍ରାମର ଅବସ୍ଥିତି । ଉପକୂଳର ଶେଷାଂଶରେ ପଡ଼ି ରହିଥିଲା ଗୋଟାଏ ପୋତର ଧ୍ୱଂସାବଶେଷ । କୋରା ନୀରବରେ ପାଦରୁ ଯୋତା ଯୋଡ଼ିକ କାଢ଼ି ପକେଇ ଓଦା ବାଲିରେ ଖାଲି ପାଦରେ କେସିମୋର ଆଗେ ଆଗେ ଚାଲୁଥିଲା । ଏହାରି ଫଳରେ ସେ ଅନୁଭବ କରୁଥିଲା ଏକ ବିଚିତ୍ର ସ୍ୱାଦ; ରତିଲଗ୍ନା ନାରୀ ସେହି ଚରମ ମୁହୂର୍ତ୍ତରେ ଯେଉଁ ଇନ୍ଦ୍ରିୟାନୁଭୂତି ଲାଭକରେ ସେହି ସୁଖକର ତୃଷ୍ଣାର ତୃପ୍ତିରେ ତା’ର ସର୍ବାଙ୍ଗ ରୋମାଞ୍ଚିତ ହୋଇ ପଡ଼ୁଥିଲା ।

 

କୋରାର ସ୍ୱାଚ୍ଛନ୍ଦ୍ୟଗତିକୁ ଉପଭୋଗ କରିବା ପାଇଁ କେସିମୋ ଜାଣିଶୁଣି ପଛେଇ ରହୁଥିଲା । କୋରାର ଦେହରେ ଊଣେଇଶଟି ବସନ୍ତ ତା’ର ମଧୁର ମାଦକତା ବୋଳିଦେଇ ଫେରି ଯାଇଥିଲା..., କୋରା ଥିଲା ଅସାଧାରଣ ସୁନ୍ଦରୀ । ପଚିଶ ବର୍ଷ ବୟସରେ ତା’ର ଦେହ ବଲ୍ଲରୀ ଯେ ଆହୁରି ପୁଷ୍ପିତ ଓ ସୁରଭିତ ହୋଇଉଠିବ ତା’ର ସ୍ପଷ୍ଟ ସୂଚନା ଦେଉଥିଲା ଲାବଣ୍ୟମୟୀ କୋରା । ନିଜର ବାସନାକୁ ସମାଧି ଦେଇ ଅନ୍ୟ ଯୁବତୀମାନଙ୍କ ସହିତ କୋରାର ତୁଳନା କେସିମୋ କରୁଥିଲା । ସେ ଭାବୁଥିଲା କୋରାର ଦେହଟା ଠିକ୍‌ ଗୋଟାଏ ବୋତଲ ପରି, ନିତମ୍ବ ଦେଶ ସ୍ଥୂଳ, ଗଳା ଓ ପାଦଦେଶ ସରୁ । ତା’ର ଗୋଲ ଓ ବୃହତ୍‌ ନିତମ୍ବର ବହିଃରେଖା ଦେଖି ମନେ ହେଉଥିଲା ତା’ର ସ୍କାର୍ଟଟା ଯେମିତି ଶୂନ୍ୟରେ, ପ୍ରତି ପଦକ୍ଷେପରେ କ୍ରିନୋଲିନ୍‌ ଭଳି ସରୁ ଅଣ୍ଟା ଓ ଦୁଇ ଜାନୁଦେଶ ମଝିରେ ଝୁଲୁଛି । କଟି ଉପରକୁ କୋରାର ପିଠିଟି ଥିଲା ବେଶ୍‌ ସରୁ, ହାତଯୋଡ଼ିକ ଶୀର୍ଣ୍ଣ, ଆଣ୍ଠୁତଳକୁ ଗୋଡ଼ଯୋଡ଼ିକ ଲମ୍ବା ଓ ସୁନ୍ଦର । ପାଦ ଯୋଡ଼ିକ ଛୋଟ । କେସିମୋ କିନ୍ତୁ ଜାଣିଥିଲା ନାରୀମାନଙ୍କ ଦୈହିକ ସୌନ୍ଦର୍ଯ୍ୟ ପିଠିରେ ନୁହେଁ ପେଟରେ ନିହିତ । କୋରାର ଚେହେରା ଥିଲା ପୌରାଣିକ ପ୍ରତିମୂର୍ତ୍ତି ଭଳି । ଦେହର ଉପର ଅଂଶଟି ସରୁ; କିନ୍ତୁ ଶିଶୁମାନଙ୍କ ଅଜ୍ଞାନତା ଭଳି ପେଟଟି ବେଶ୍‌ ପୁଷ୍ଟ, ଶକ୍ତି ଓ ସାମର୍ଥ୍ୟର ପରିବାହକ । ଦୁଧ ଅଳତା ରଙ୍ଗର ମାଂସ ଭିତରେ ନାଭିମଣ୍ଡଳ ବୁଡ଼ିଯାଇ ଅଦୃଶ୍ୟ ହୋଇଯାଇଥିଲା । ତା’ର ଏହି ଉଦରାଂଶ ହିଁ ଯୁବକମାଙ୍କର ହୃଦୟରେ ଦେହଭୋଗର ଏକ ଅଦମ୍ୟ ବାସନା ଉଦ୍ରେକ କରୁଥିଲା; କିନ୍ତୁ ଅପର ପକ୍ଷରେ କେସିମୋ ଦୁଃଖିତ ହେଉଥିଲା ଯେ କୋରା ଏକାବେଳକେ ଥିଲା ନିର୍ଜୀବ ଓ ନିର୍ଲପ୍ତ । କୋରା ଥିଲା ଜଣେ ଟାଇପିଷ୍ଟ, ତେଣୁ ସେ ଥିଲା ନମ୍ର, ଅଜ୍ଞାନ ଓ ଭଦ୍ର । ସେ ମୋଟେ ଭାବପ୍ରବଣ ନଥିଲା ଏବଂ ଚିନ୍ତାରେ ନିଜେ ସର୍ବଦା ନିମଗ୍ନ ରହୁଥିଲା । କୋରାର ଦେହରେ କାମନା ଉଦ୍ରେକ କରିବା ପାଇଁ କେସିମୋ କହୁଥିଲା ଯେ ଦଶୋଟି ସନ୍ତାନର ଜନନୀ ଓ ସ୍ଥୂଳକାୟା ହେବା ତା’ର ଭାଗ୍ୟରେ ରହିଛି । କୋରା କେସିମୋର ଏହି ଶ୍ଲେଷୋକ୍ତିରେ ପ୍ରତିବାଦ କରୁ ନଥିଲା ।

 

ସେହି ଭଙ୍ଗା ପୋତଟି ପାଖରେ ପହଞ୍ଚି ସେମାନେ ପୁଣି ଉଠି ଆସିଲେ ବାଲି ପାହାଡ଼ ଉପରକୁ । କେସିମୋ ମାଟି ଉପରେ ଥଳିଟି ଫିଙ୍ଗିଦେଇ ବସି ପଡ଼ି ନିଜର ଯୋତା ଖୋଲିବାକୁ ଆରମ୍ଭ କଲା । କୋରା ଆଣ୍ଠୁମାଡ଼ି ବସିପଡ଼ି ଥଳିରୁ ଦୁଇଟି ଧଳା କମ୍ବଳ ବାହାର କରି ତା’ର ସେହି ଜଡ଼ିତ ଓ ଶାନ୍ତ କଣ୍ଠରେ କହିଲା ‘‘ଏଥର ମୁଁ ପୋଷାକ ଖୋଲିବି, ତୁମେ ଅନ୍ୟଆଡ଼କୁ ମୁହଁ ବୁଲାଅ-। କିନ୍ତୁ ଯଦି ମୁହଁ ନ ବୁଲେଇବା ପାଇଁ ଭାବୁଥାଅ ତେବେ ମୋତେ କହି ଦିଅ ମୁଁ ବୁଦା ପଛପଟକୁ ଯାଇ ପୋଷାକ ଖୋଲିବି ।’’ କେସିମୋ ଏହି କଥାରେ ବିରକ୍ତ ହୋଇପଡ଼ିଲା । ତା’ର ଏହି କ୍ରୋଧ କୋରାର ଶ୍ଲିଳତା ରକ୍ଷାର ପ୍ରଚେଷ୍ଟା ପାଇଁ ନୁହେଁ ବରଂ ଉଦ୍ରେକ ହୋଇଥିଲା ତା’ର ଛଳନାହୀନ, ସୌହାର୍ଦ୍ଦ୍ୟଜନକ କର୍କଶ କଣ୍ଠସ୍ୱର ପାଇଁ । ସେ ଶୁଷ୍କ କଣ୍ଠରେ ଉତ୍ତର ଦେଲା ‘ତୁମେ ନିଶ୍ଚିତ ରୁହ ଯେ ମୁଁ ମୋଟେ ଫେରି ଚାହିଁବି ନାହିଁ ।’’

 

କୋରା ନୀରବ ହୋଇଗଲା ଏବଂ କେସିମୋ ସାଗରକୁ ଚାହିଁ ରହି କୋରାର ପୋଷାକ ପରିବର୍ତ୍ତନ କରିନେବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଲା । ତା’ର ଇଚ୍ଛା ହେଉଥିଲା ସେ ଚିତ୍କାର କରି କହନ୍ତା ‘‘ତୁମର ନଗ୍ନଦେହର ଶୋଭାକୁ ମୋତେ ଉପଭୋଗ କରିବାକୁ ଦିଅ । ତୁମେ ପ୍ରକୃତରେ ଖୁବ୍‌ ସୁନ୍ଦରୀ’’ କିନ୍ତୁ ସେ ତା’ର ଲୋଭକୁ ସମ୍ବରଣ କରି ବସିରହିଲା । ତାପରେ ତା’ କାନରେ ସେହି ଭଦ୍ର ଓ ନିଃସୃହ ସ୍ୱରଟି ଶୁଣାଗଲା ‘‘ମୋର କାମ ଶେଷ ହୋଇଯାଇଛି, ଏଥର ତୁମେ ମୁହଁ ବୁଲେଇ ପାର ।’’ କେସିମୋ ମୁହଁ ବୁଲେଇ ଚାହିଁ ଦେଖିଲା କୋରା ତା’ ଆଗରେ ଠିଆ ହୋଇଛି । ଉନ୍ନତ ଦୁଇସ୍ତନ ଉପରେ ବନ୍ଧା ହୋଇଛି ରଙ୍ଗୀନ ଛିଟକନାର ଗୋଟାଏ ବକ୍ଷବାସ । ନାଭିମଣ୍ଡଳ ଓ ଜାନୁର ଊର୍ଦ୍ଧ୍ୱାଂଶରେ ରହିଛି ତ୍ରିକୋଣାକୃତି ଏକ ଛୋଟ ପରିଚ୍ଛଦ । ପରିଚ୍ଛଦଟି କେବଳ କେତୋଟି ବୋତାମ ସାହାଯ୍ୟରେ ଲାଖି ରହିଛି । ପାଦ ଯୋଡ଼ିକ ଏକତ୍ରିତ କରି ବାହୁ ଉପରକୁ ଟେକି ସେ ଗାଧୁଆ ଟୋପିଟି ଭିତରେ ତା’ର କେଶଗୁଚ୍ଛ ବିନ୍ୟସ୍ତ କରି ପକେଇଲା । ତା’ର ଗୋଲାକୃତି କଳାଆଖି ଯୋଡ଼ିକରେ, ଲମ୍ବା ନାକ ଆଉ କଠିଣ ଓଠ ଦୁଇଟିରେ ଓ ମୁହଁରେ ଜାଗି ଉଠୁଥିଲା ଏକ ସରଳ ଅଥଚ ଗମ୍ଭୀର ଭାବ । କୋରା କହିଲା ‘‘ଏଥର ମୁଁ ସନ୍ତରଣ କରିବି ।’’ ପାଦ ଯୋଡ଼ିକ ଦୋହଲେଇ କାନ୍ଧ ଓ ବାହୁଯୋଡ଼ିକ ଝୁଲେଇ ସେ ଆଗେଇବାକୁ ଲାଗିଲା । କେସିମୋ ସହଳ ନଜର କସ୍‌ଟ୍ୟୁମ୍‌ଟି ପିନ୍ଧିନେଇ ତା’ ସହିତ ଯୋଗଦେବାକୁ ସମୁଦ୍ର ବେଳାରେ ଆଗେଇଯାଇ ତା’ର ହାତଧରି ପକେଇ କହିଲା ‘‘ଚାଲ ସାଙ୍ଗ ହୋଇ ଯିବା ।’’ କୋରା କିନ୍ତୁ ସହଳ ଆଗେଇ ଯିବାକୁ ଲାଗିଲା । ଯେତେବେଳେ ସେମାନେ ସମୁଦ୍ରକୂଳରେ ପହଞ୍ଚିଲେ କୋରା ତା’ର ହାତ ଛଡ଼େଇ ନେଇ ସମୁଦ୍ରରେ ଲମ୍ଫ ପ୍ରଦାନ କଲା, ତା’ର ସୁନ୍ଦର ପାଦ ଯୋଡ଼ିକ ମିଳେଇଗଲା ନୀଳଜଳର ଆସ୍ତରଣ ଭିତରେ । କିଛି ଦୂର ଯାଇ ସେ ପୁଣି ଭାସି ଉଠିଲା ଓ ଖୁବ୍‌ ଜୋରରେ ସନ୍ତରଣ କରିବାକୁ ଲାଗିଲା । କେସିମୋ କୋରାର ଏହି ବ୍ୟବହାରରେ ହତାଶ ହୋଇପଡ଼ିଲା । ସେ ନିଜେ ସନ୍ତରଣ କରିବାକୁ ଭଲପାଉ ନଥିବାରୁ କୂଳରେ ଅନତି ଦୂରରେ ସନ୍ତରଣ କରିବାକୁ ଲାଗିଲା ।

 

କୋରା ଦୂର ସମୁଦ୍ରକୁ ସନ୍ତରଣ କରିଯାଇ ଉପଭୋଗ କରିବାକୁ ଲାଗିଲା । ତାକୁ ଦେଖିଲେ ମନେ ହେଉଥିଲା ସେ ଯେମିତି ତା’ର ସଙ୍ଗୀଟିକୁ ସମ୍ପୂର୍ଣ୍ଣ ବିସ୍ମରଣ ହୋଇଯାଇଛି । ଶେଷରେ ସେ ପାଣିରେ ଚାଲି ଚାଲି ଫେରି ଆସିଲା କୂଳକୁ । ଯେତେବେଳେ ପାଣି ତା’ର ଜାନୁଦେଶ ଅବଧି ହୋଇ ଆସିଲା ସେ ଠିଆ ହୋଇପଡ଼ି ମୁଣ୍ଡର ଟୋପିଟି ଖୋଲିନେଲା । ତା’ର ବ୍ରାଉନ ରଙ୍ଗର ଉଦର ଯେମିତି ଗୋଟାଏ ଚକଚକିଆ ଭୂମି ଉପରେ ସ୍ଥାପିତ । ନାଭିକେନ୍ଦ୍ରର ଚାରିପାଖରେ ଅସଂଖ୍ୟ ଜଳବିନ୍ଦୁ ଲାଗିରହି ମନେ ହେଉଥିଲା ଯେମିତି ତା’ର ଉଦରଟି କାମନାର ଉତ୍ତାପରେ ଘର୍ମାକ୍ତ ହୋଇପଡ଼ିଛି । ତାକୁ ଦେଖିଲେ ମନେ ପଡ଼ୁଥିଲା ଯେମିତି ଗୋଟାଏ କାରୁକାର୍ଯ୍ୟ ଖଚିତ ପାତ୍ର ସୂର୍ଯ୍ୟର ଆଲୋକରେ ରକ୍ଷିତ । ପୁନରାୟ କେସିମୋ ବାସନାରେ ଜର୍ଜରିତ ହୋଇ ଉଠିଲା । କୋରା ତା’ର ଟୋପି ତଳେ ଚାପି ରଖିଥିବା କେଶଗୁଚ୍ଛକୁ ଉନ୍ମୁକ୍ତ କରି କହି ଉଠିଲା ‘‘କିଛି ଖାଇନେଲେ କେମିତି ହୁଅନ୍ତା ? ମୁଁ ଭୀଷଣ କ୍ଷୁଧିତ ।’’ କେସିମୋ ନିଜ ଓଠ ଦୁଇଟିକୁ ଖୁବ୍‌ ଜୋରରେ କାମୁଡ଼ିବାକୁ ଲାଗିଲା । କୋରାର ପ୍ରତି କଥାରେ ତା’ର କାମନା ମିଳେଇଯାଇ ଜାଗି ଉଠୁଥିଲା ଅସୀମ ଘୃଣା ।

 

ସେମାନେ ସମୁଦ୍ରକୂଳରୁ ଥଳିଟି ରଖିଥିବା ବାଲି ପାହାଡ଼ ଆଡ଼କୁ ଆଗେଇ ଗଲେ । କୋରା ଆଣ୍ଠୁମାଡ଼ି ବସି ଖାଦ୍ୟପଦାର୍ଥ ବନ୍ଧା ହୋଇଥିବା ପ୍ୟାକେଟଟି ଖୋଲିବାକୁ ଲାଗିଲା । ମନେହେଲା ଯେମିତି ସେ ଅନାହାର କ୍ଲିଷ୍ଟ । ଭଲଭାବରେ ନ ବସି ସେ ଖାଇବା ଆରମ୍ଭ କରି ଦେଇଥିଲା । ଅନ୍ୟ ପକ୍ଷରେ କେସିମୋର କ୍ଷୁଧା କାମନାର ବହ୍ନିରେ ସଂପୂର୍ଣ୍ଣ ବିଲୁପ୍ତ ହୋଇ ଯାଇଥିଲା । ସେ ଖୁବ୍‌ ଧିରେ ଧିରେ ଖାଇବାକୁ ଲାଗିଲା । କୋରା ଖାଉ ଖାଉ ମୁଖରା ତରୁଣୀମାନଙ୍କ ଭଳି ଅନର୍ଗଳ କଥାବର୍ତ୍ତା କରିବାକୁ ଲାଗିଲା । କେସିମୋ ଚାହୁଁଥିଲା ସେ ନୀରବରେ ବସିରହୁ । କାରଣ ତା’ର ଏହି କଥାବାର୍ତ୍ତା ଫଳରେ କୋରାର ଦୈହିକ ସୌନ୍ଦର୍ଯ୍ୟରେ କେସିମୋର ସକଳ ଅନୁଭୂତି ମିଳେଇ ଯାଉଥିଲା ଏବଂ ତା’ର ମନେହେଉଥିଲା କୋରା ଅତିମାତ୍ରାରେ ନିଷ୍କାମ । କୋରା କେସିମୋକୁ କହୁଥିଲା ତଦାନିନ୍ତନ ଘଟିଥିବା ଏକ ସାଧାରଣ ଘଟଣାର କଥା । ମିତ୍ରପକ୍ଷ ସେଇ ମାତ୍ର ରୋମରେ ପ୍ରବେଶ କରି ରୋମର ପ୍ରତିଟି ଯୁବତୀମାନଙ୍କୁ କେମିତି ତାଙ୍କର କାମନାର ପରିତୃପ୍ତି ପାଇଁ ବ୍ୟବହାର କରୁଥିଲେ । କୋରା କହି ଚାଲିଥାଏ ‘‘ଅଫିସରଟି ମୋତେ ଖୁବ୍‌ ଭଲ ଲାଗିଥିଲା...ବେଶ୍‌ ଏତିକି...କିଛିଦିନ ପୂର୍ବେ ସେ ମୋତେ ତା’ର ଅଫିସରେ ଦେଖା କରିବାକୁ କହିଥିଲା ଏବଂ ପ୍ରତିଶ୍ରୂତି ଦେଇଥିଲା ମୋ ପାଇଁ ଗୋଟାଏ ଚାକିରୀ ଯୋଗାଡ଼ କରିଦେବ । ତେଣୁ ସେଠିକି ଯାଇଥିଲି ଏବଂ ପହଞ୍ଚିବା ମାତ୍ରକେ ଘଟଣାଟି ଠଉରେଇ ନେଲି...ଆମେରିକାନ୍‌ମାନଙ୍କୁ ଦେଖିଲେ ସତରେ ସବୁ ବୁଝିହୁଏ । ମୁଁ ଗଲାବେଳକୁ ଡେସ୍କ ଆଗରେ ସେ ବସିଥିଲା...ମୋତେ ଦେଖିବା ମାତ୍ରକେ ମୋ ସମ୍ବନ୍ଧରେ କେତେକ ମନ୍ତବ୍ୟ କରି ମୋର ହାତ ଦୁଇଟିକୁ ନିବିଡ଼ ଭାବରେ ଧରି ପକେଇଲା । ମୋର କଥାର ଇଙ୍ଗିତ ତୁମେ ନିଶ୍ଚୟ ବୁଝି ପାରିଥିବ-? ତେଣୁ ମୁଁ ତାକୁ କହିଲି ପ୍ରଥମେ ହାତଯୋଡ଼ିକି ଛାଡ଼ନ୍ତୁ...ମୋତେ ଯଦି ଟାଇପିଷ୍ଟ ହିସାବରେ ଚାହାନ୍ତି ଭଲ କଥା; କିନ୍ତୁ ଆପଣ ଚାହାନ୍ତି ଆଉ କିଛି । ଭିୟାଭେନେଟାରେ ଅନେକ ଝିଅ ଅଛନ୍ତି ଯେଉଁମାନେ ବିଶେଷ କିଛି ଚାହାଁନ୍ତି ନାହିଁ...ଯାଆନ୍ତୁ ସେମାନଙ୍କୁ ନେଇ ଆସିବେ । ସେ ମୋ କଥା ବୁଝିପାରୁ ନଥିବାର ଛଳନା କଲା; କିନ୍ତୁ ସେ ଖୁବ୍‌ ଭଲଭାବରେ ସବୁକିଛି ବୁଝି ପାରିଥିଲା, ତେଣୁ ମୋତେ ସର୍ଟହ୍ୟାଣ୍ଡ ଜଣା ନାହିଁ କହି ବିଦାୟ କରିଦେଲା ।’’

 

ବେଶ୍‌ ପରିହାସମିଶ୍ରିତ କଣ୍ଠରେ କେସିମୋ କହିଲା ‘‘ଅଫିସରଟି ତା’ର ଦେହ ଭୋଗର ବାସନାକୁ ଚରିତାର୍ଥ କରିବା ପାଇଁ ଚାହୁଁଥିଲା ଏକଥା ସିଧା କହି ପାରୁନା ?’’

 

ଆଉ ଗୋଟାଏ ସ୍ୟାଣ୍ଡଉଇଚ କାମୁଡ଼ି ନେଇ କୋରା କହିଲା ‘‘ମୁଁ ଚାହେଁ ଲୋକେ ମୋତେ ସମ୍ମାନ କରନ୍ତୁ...ମୁଁ ଦେଖିବାକୁ ଚାହେଁ ସେମାନେ ନିଜ ଦେଶର ତରୁଣୀମାନଙ୍କ ସହ କେମିତି ବ୍ୟବହାର କରୁଛନ୍ତି । ଆଉ ମୋର ଧାରଣା ସେମାନେ ନିଶ୍ଚୟ ଏହି ରକମର ଅଭଦ୍ର ବ୍ୟବହାର କରନ୍ତି ନାହିଁ ।’’

 

କେସିମୋ ଭାବୁଥିଲା ଏହି ନୈତିକତା ପ୍ରଭାବରେ କୋରା ନୀରସ ହୋଇ ପଡ଼ିଛି; କିନ୍ତୁ ତା’ର ଏହି ନିର୍ଲିପ୍ତତା ଏତେ ଗଭୀର ଥିଲା ଯେ ମଝିରେ ମଝିରେ ସେ ଭୀଷଣ ରହସ୍ୟମୟୀ ମନେହେଉଥିଲା । କେସିମୋ କହିଲା ସେ ଅଫିସରଟି ସ୍ଥାନରେ ମୁଁ ଥିଲେ ବି ଠିକ୍‌ ଏମିତି ବ୍ୟବହାର କରିଥାନ୍ତି । କୋରା କହିଲା ‘‘ନାରୀର ଯୌନ ସଂପର୍କରେ ସବୁପୁରୁଷ ପ୍ରାୟ ସମାନ ।’’

 

କେସିମୋ ତା’ର ସ୍ୟାଣ୍ଡଉଇଚଟି କାଗଜ ଉପରେ ଥୋଇଦେଇ କୋରା ଆଡ଼କୁ ଆଗେଇ ଯାଇ କହିଲା ‘‘ମୋତେ ଗୋଟାଏ ଚୁମ୍ବନ ଦିଅନା !’’

 

‘‘ନା...ଚୁମ୍ବନ ଦେବାର କୌଣସି ପ୍ରୟୋଜନ ନାହିଁ ।’’

 

‘‘ମୋତେ ଗୋଟାଏ ଚୁମା ଦିଅନା, ସୁନାଟା ପରା ।’’

 

କୋରା ନଇଁପଡ଼ି କେସିମୋର କପାଳରେ ଗୋଟାଏ ଚୁମ୍ବନ ଆଙ୍କି ଦେଲା । ‘‘ଏଇଠି !’’ କେସିମୋ ହସିହସି ତାକୁ ଆଲିଙ୍ଗନ କରି ଗୋଟାଏ ଚୁମ୍ବନ ଆଙ୍କି ଦେଲା ଠିକ୍‌ କଟିତଳକୁ ଉତ୍ତପ୍ତ ନରମ ଓ ଶିକ୍ତ ମାଂସ ଉପରେ ନିଜର ମୁହଁକୁ ଚାପିଧରି । କୋରା ଡେଇଁପଡ଼ି କହିଲା ‘‘ଇୟେ ପୁଣି କି ସୟତାନୀ ଆରମ୍ଭ ହେଲା ? ଓଃ ତୁମେ ବଡ଼ ଦୁଷ୍ଟ !’’

 

କେସିମୋ ଆତ୍ମ ସମର୍ପଣର ଭଙ୍ଗିରେ କହିଲା ‘‘ସେ କିଛି ନୁହେଁ...କିଛି ନୁହେଁ, ସତରେ ମୁଁ ଦୁଃଖିତ ।’’

 

ନିଃଶବ୍ଦରେ ସେମାନେ ଆହାର ସମାପନ କରିନେଲେ । କେସିମୋ କ୍ରୁଧିତ ହୋଇପଡ଼ିଲା, କୋରାକୁ ଦେଖିଲେ କିନ୍ତୁ ମନେହେବ ସେ କେବଳ କ୍ଷୁଦାର୍ଥ । କୋରା ଅତି ସହଜରେ ଭୁଲି ଯାଉଥିଲା ଏସବୁ ବିରକ୍ତିକର ଘଟଣା ଏବଂ ଏଥିରୁ ପ୍ରମାଣିତ ହେଉଥିଲା ତା’ର ଚରିତ୍ରର ଚଞ୍ଚଳତାର ଅଭାବ । ଯେତେବେଳେ ସେମାନେ ବାକି ଜିନିଷ ଗୁଡ଼ିକ ବାଲିଉପରୁ ଗୋଟେଇବାରେ ବ୍ୟସ୍ତ, ସେତେବେଳେ ସେମାନଙ୍କ ମଝିରେ ଆସିପଡ଼ିଲା ଗୋଟାଏ କଳାଛାୟା; ଆଉ ଭାସି ଆସିଲା ଗୋଟାଏ କଣ୍ଠସ୍ୱର ‘‘ମାସେଲ୍‌ସ ମାଛ ନେବେ ?’’

 

ସେ ଦୁହେଁ ମୁହଁ ଉଠେଇ ଚାହିଁଲେ । ସେମାନଙ୍କ ଆଗରେ ଠିଆ ହୋଇଥିଲା ଗୋଟାଏ ନୋଳିଆ ଯିଏ ବାଲି ଉପରେ ନିଃଶବ୍ଦରେ ଆଗେଇ ଆସିଥିଲା । ବାଙ୍ଗରା, ରୁଗ୍‌ଣ ଓ ଜୀପ୍‌ସୀମାନଙ୍କ ଭଳି ବୁଢ଼ା ମୁହଁଟା ଥିଲା ନିପଟ କଳା; ମାତ୍ର ତା’ର କେଶଗୁଚ୍ଛ ଥିଲା ସାମୁଦ୍ରିକ ଉଦ୍ଭିଦ ଭଳି ଘନକ୍ୟଷ୍ଣ ଓ ଉଜ୍ଜ୍ୱଳ । ତା’ର ଉଜ୍ଜ୍ୱଳ ଚକ୍ଷୁତାରକା ଉପରେ ବିଛେଇ ହୋଇ ପଡ଼ିଥିଲା ସେ କେଶଗୁଚ୍ଛ । ହସହସ ମୁହଁରେ ସେ ମାଛ ଭର୍ତ୍ତି ଖାଳେଇଟା ଖୋଲି ଧଇଲା । ତା’ର ପରିଧାନରେ ଥିଲା ମୋଟା ଗେରୁ ରଙ୍ଗର ଇଜେର୍‌; ଇଜେର୍‌ର ଗୋଟାଏ ପାଖ ଛିଣ୍ଡିଯାଇ ଥିବାରୁ ତା’ର ସରୁ ବ୍ରାଉନ୍‌ ରଙ୍ଗର ପାଦଯୋଡ଼ିକ ପୂରାପୂରି ଦେଖାଯାଉଥିଲା । ମନେ ହେଉଥିଲା ପାଦ ଯୋଡ଼ିକ ଯେମିତି ବ୍ରୋନ୍‌ଜରେ ତିଆରି । କଟିଯାଏ ନଗ୍ନ, ବୁକୁ ଉପର ଲୋମଗୁଡ଼ିକ ଦେଖାଯାଉଥିଲା ଈଷତ୍‌ ଶୁଭ୍ର । ବେଲଟ୍‌ରେ ଝୁଲୁଥିଲା କାଠୁରିଆମାନଙ୍କର କୁଠାର ଆଉ କାନ୍ଧ ଉପରେ ଥିଲା ମାଛଧରା ସରଞ୍ଜାମ । କେସିମୋ କହିଲା ‘‘ନା...ଧନ୍ୟବାଦ ।’’

 

କୋରା ନୋଳିଆଟି ଆଡ଼କୁ ଦୃଷ୍ଟିପାତ ନ କରି କହିଲା ‘‘ଏହି ମାଛ ଖାଇଲେ ଟାୟେଫଏଡ଼ ହେବାର ଭୟ ଅଛି ।’’

 

ବୁଢ଼ା ନୋଳିଆଟି ତା’ର ଦନ୍ତହୀନ ମାଢ଼ି ବାହାର କରି କହିଲା ‘‘ନା...ନା ଆମେ ତ ସବୁ ସମୟରେ ଖାଉ ।’’ ବାଲିପାହାଡ଼ ପଛରେ ଥିବା ନଡ଼ା ଘର ଗୁଡ଼ିକ ପ୍ରତି ସେ ଇଙ୍ଗିତ କରି କହିଲା ।

 

କେସିମୋ ତାକୁ ଗ୍ଲାସେ ମଦ ପିଇବା ପାଇଁ ଅନୁରୋଧ କଲା । ବୁଢ଼ା ଗ୍ଲାସଟି ଉଠେଇ ନେଇ ଏକା ନିଶ୍ୱାସରେ ସବୁତକ ନିଃଶେଷ କରିଦେଇ ହାତ ପଛ ପଟରେ ମୁହଁଟା ପୋଛି ନେଲା । ପୁଣି କହିଲା ‘‘ତାହାହେଲେ ଏ ମାଛ ନେବେ ନାହିଁ ?’’ ଉତ୍ତରକୁ ଅପେକ୍ଷା ନକରି ସ ମନ୍ଥର ଗତିରେ କୁଡ଼ିଆ ଘରଗୁଡ଼ିକ ଆଡ଼କୁ ଆଗେଇଗଲା ।

 

କେସିମୋ ପ୍ରଶ୍ନ କଲା ‘‘ଲୋକଟାର ସ୍ୱାସ୍ଥ୍ୟ କି ରକମ ଦେଖୁଛ ?’’ ସେ ତା’ର ସଙ୍ଗିନୀର ଅଜ୍ଞନତା ଓ ବୋଧଶକ୍ତିହୀନତାର କଥା ସମ୍ପୂର୍ଣ୍ଣ ବିସ୍ମରଣ ହୋଇ ପଡ଼ିଥିଲା ।

 

କୋରା ଓଠ ଦୁଇଟିକୁ ଈଷତ୍‌ ବକ୍ରକରି କହିଲା ‘‘ସିଏତ ବୁଢ଼ାଟାଏ ।’’ ସେମାନଙ୍କ ଭୋଜନ ଶେଷ ହୋଇଯିବା ପରେ କୋରା ଭୁକ୍ତାବଶିଷ୍ଟ ବାଲିପାହାଡ଼ର ପଛପଟକୁ ଫିଙ୍ଗିଦେଲା । ତା’ପରେ ସେ ବାଲି ଉପରେ ମୁହଁମାଡ଼ି ଅର୍ଦ୍ଧଶାୟିତ ଅବସ୍ଥାରେ କହିଲା ‘‘ବର୍ତ୍ତମାନ ମୁଁ ସୂର୍ଯ୍ୟସ୍ନାନ କରିବି । ମୋତେ ମୋଟେ ବିରକ୍ତ କର ନାହିଁ ।’’ ବକ୍ଷ ବନ୍ଧନୀର ପଛପଟ ବୋତାମ ଗୁଡ଼ିକ ସେ ଖୋଲିଦେଲା । ତା’ପରେ ବାଲି ଭିତରେ ପୋତ ପକେଇଲା ତା’ର ଶଙ୍ଖମର୍ମର ଦୁଇସ୍ତନ । କଟିଦେଶର ପରିଧେୟଟାକୁ ଏମିତି ଭାବରେ ସଙ୍କୁଚିତ କରି ଆଣିଲା ଯେ ଶେଷରେ ତାହା ପରିଣତ ହୋଇପଡ଼ିଲା ଏକ କ୍ଷୁଦ୍ର ତ୍ରିଭୁଜରେ । ଏଭଳି ମୁହଁମାଡ଼ି ଶୋଇଥିବାବେଳେ ତା’ର ଦୁଇ ଜାନୁଦେଶ ଈଷତ୍‌ ବିଭକ୍ତ ହୋଇପଡ଼ିଲା ଏବଂ ତା’ର ଉଦର ବାଲି ଭିତରେ ଅର୍ଦ୍ଧ ସମାହିତ ହୋଇଗଲା । କେସିମୋ ବ୍ୟଙ୍ଗ କରି କହିଲା ‘‘ସବୁକିଛି ଖୋଲିଦେଇ ଉଲଗ୍ନ ହୋଇ ପଡ଼ିଲ ନାହିଁ କାହିଁକି ?’’

 

କୋରା ବେଶ୍‌ ଗମ୍ଭୀର ଭାବରେ ଉତ୍ତର ଦେଲା, ‘‘କିଛିଦିନ ପୂର୍ବେ କାଷ୍ଟେନ ଫୁସନୋର ସମୁଦ୍ର ଉପକୂଳରେ ସୂର୍ଯ୍ୟରଶ୍ମିରେ ମୁଁ ସମ୍ପୂର୍ଣ୍ଣ ଉଲଗ୍ନ ହୋଇପଡ଼ି ଶୋଇଥିଲି...ସେଇଠି କେହି ନଥିଲେ...ତମେ ହୁଏତ ବିଶ୍ୱାସ କରି ପାରିବ ନାହିଁ ଯେ ଗୋଟାଏ ଏରୋପ୍ଲେନ ଆକାଶରେ ଉଡ଼ୁ ଉଡ଼ୁ ମୋତେ ଦେଖିବାକୁ ପାଇଥିଲା ଏବଂ ସମୁଦ୍ର କୂଳକୁ ଓହ୍ଲେଇ ଆସି ପୁନରାୟ ଉପରକୁ ଉଠି ଯାଉଥିଲା ବାରମ୍ବାର । ଶେଷରେ ବାଧ୍ୟ ହୋଇ ମୋତେ ଉଠି ଆସିବାକୁ ହେଲା ।’’

 

ସୂର୍ଯ୍ୟର ପ୍ରଖରତା କ୍ରମେ କ୍ରମେ ବଢ଼ିବାକୁ ଲାଗିଲା । କେସିମୋ ଏତେ ଅବାକ୍‌ ହୋଇପଡ଼ିଥିଲା ଯେ କ’ଣ କହିବ ବୁଝିପାରିଲା ନାହିଁ; କିନ୍ତୁ ସେ ବୁଝି ପାରିଥିଲା ଯେ ଅସହ୍ୟ ଉତ୍ତାପ, ସମୁଦ୍ର ସ୍ନାନ ଓ ଭୋଜନ କୋରାର ନିସ୍ପୃହତା ଉପରେ ବୁଲେଇ ଦେଇଛି ତା’ର ଶେଷ ତୁଳୀ ଏବଂ ତାକୁ ଆହୁରି ବାହ୍ୟଜ୍ଞାନଶୂନ୍ୟ ଓ ନିର୍ଲିପ୍ତ କରି ତୋଳିଛି । ସେ ଯାହାହେଉ ସ୍ପନ୍ଦନହୀନ କୋରା ପାଖରେ ସେ ଲମ୍ବ ହୋଇ ଶୋଇଗଲା । କୋରାର ଦୁଇହାତ ଉପରେ ମୁହଁଟି ରଖି କୋରାର ନାଁ ଧରି ଡାକିଲା । କୋରା ଚମକି ପଡ଼ିଲା, ହୁଏତ ସେ ଶୋଇ ଯାଇଥିଲା । ଗୋଟାଏ ହାତରେ ଆଖି ଉପରୁ ସାଉଁଟି ନେଲା ବାଳକୋରାକ । କେସିମୋ ବୋକାଙ୍କ ଭଳି କହିଲା ‘‘ମୋତେ ଥରେ ମାତ୍ର ଚୁମ୍ବନ କର କୋରା । କେବଳ ଥରେ ମାତ୍ର ।’’ ତୁମେ ଓ ତୁମ୍ଭର ଏହି ଚୁମ୍ବନର ଅନୁରୋଧ ବଡ଼ ବିରକ୍ତିକର । ତୁମେ ମୋତେ କଥା ଦେଇଥିଲ ଯେ ବିରକ୍ତି କରିବ ନାହିଁ ।

 

‘‘ଅନେକ କିଛି ତ ଦିଆଯାଇପାରେ । କଥା ଆଉ... ।’’

 

‘‘ମୁଁ ଯଦି ଏକଥା ଆଗରୁ ଜାଣିଥାନ୍ତି ତେବେ ଏଠିକି ନ ଆସି ସାଧାରଣ ସ୍ନାନାଗାରକୁ ଯାଇଥାନ୍ତି ।’’ କୋରା କହିଲା ।

 

‘‘ଏହି ସୈନ୍ୟମାନଙ୍କ ମଧ୍ୟରେ ?’’

 

‘‘ତହିଁରେ କ’ଣ ବା କ୍ଷତି ହୁଅନ୍ତା ? କିନ୍ତୁ ତୁମେ ଅନ୍ତତଃ ମୋତେ ବିରକ୍ତ କରିବାକୁ ସୁଯୋଗ ପାଇ ନଥାନ୍ତ ।’’ ବେଶ୍‌ ସରଳ ଭାବରେ କହିଲେ ମଧ୍ୟ କୋରାର କଥାଗୁଡ଼ିକ ଶୁଣାଗଲା ଅତିରୂଢ଼ । କେସିମୋ ନିଜର ନୈରାଶ୍ୟକୁ ଲୁକ୍‌କାୟିତ କରିବାପାଇଁ ଶୋଇ ପଡ଼ିବାର ଛଳନା କଲା-। କିଛି ସମୟ ସେ ଚୁପ୍‍କରି ଶୋଇରହି ଭୀଷଣ ବିରକ୍ତ ହୋଇ ପଡ଼ିଲା । ଆଉ ଯେତେବେଳେ ଅଳ୍ପ ଛାଇନିଦ ଲାଗିଛି ଠିକ୍‌ ସେତେବେଳେ କୋରାର ରୂଢ଼ କଣ୍ଠର ଆବାଜ ଭାସି ଆସିଲା ‘‘ତୁମେ ମୋତେ ଶାନ୍ତିରେ ରହିବାକୁ ଦେବ କି ନା ?’’

 

କେସିମୋ ନିଜର ମନକୁମନ ଆବାକ୍‍ ହୋଇଯାଇ କହିଲା ‘‘ଆଉ ପୁଣି ଏମିତି କ’ଣ ଘଟିଲା’’ । ସେ ଭାବିଲା ଠିକ୍‌ କୋରାର ଭାଷାରେ ଏକ ରୂଢ଼ ଉତ୍ତର ଦେବ; କିନ୍ତୁ ଆଖିଟା ଖୋଲି ଦେଖିଲା କୋରାର କାନ୍ଧ ଉପରେ ଲାଇନଖବାଲା ଗୋଟାଏ ହାତ । ତା’ର ହୃଦୟଟା ହଠାତ୍‌ କମ୍ପି ଉଠିଲା, ସେ ଶୁଣିବାକୁ ପାଇଲା ଗୋଟାଏ ଶାନ୍ତ କଣ୍ଠସ୍ୱର କାମନା ଜର୍ଜରିତ ହୋଇ ବେଶ୍‌ ସାନୁନୟ ସ୍ୱରରେ କହୁଛି ‘ସିରୋରିନା... ।’’

 

ଇତ୍ୟବସରରେ କୋରା ନିଜର ଭ୍ରମ ବୁଝି ପାରିଲା ଏବଂ କେସିମୋ ସହିତ ଡେଇଁପଡ଼ି ବସିଲା । ସେମାନେ ଦେଖିଲେ ପାଖରେ ନଇଁପଡ଼ି ବସିଛି ସାମରିକ ପୋଷାକ ପରିହତ ଜଣେ ନିଗ୍ରୋ । ତା’ର ପ୍ରଶସ୍ତ ବୃଷସ୍କନ୍ଧ ଓ ବଳିଷ୍ଠ ପାଦଦୁଇଟିରୁ ସହଜରେ ଅନୁମିତ ହୁଏ ନିଗ୍ରୋଟି ଖୁବ୍‌ ଉଚ୍ଚ । ସେ ଅସମ୍ଭବ କଳା, ଝାଳରେ ତା’ର ମୁହଁଟା ଚକ ଚକ କରୁଥିଲା । ତା’ର ମୁଣ୍ଡ ଚାରିପଟ କ୍ଷୌର କରାହୋଇଥିଲା ପରିଷ୍କାର ଭାବରେ ଏବଂ ଛାତି ଖୋଲା ସାର୍ଟତଳୁ ବାହାରି ଆସିଥିବା ପେଶିଯୁକ୍ତ ଗଳାଟିକି ଦେଖିଲେ ମନେହେବ ସେ ଆରଣ୍ୟକ ପଶୁଭଳି କ୍ଷମତାଶୀଳ ଓ ବଳଶାଳୀ ।

 

କୋରା ସେହି ଅବସ୍ଥାରେ ବାଲି ଉପରେ ଅଳ୍ପ ଘୁଞ୍ଚି ଆସିଲା । କେସିମୋ ନିଗ୍ରୋଟିକ ପ୍ରଶ୍ନ କଲା ‘ତୁମେ କ’ଣ ଚାହଁ ?’ ନିଗ୍ରୋଟି କୋରା ଆଡ଼କୁ ଫେରିପଡ଼ି ବେଶ୍‌ ଆକୁଳ ଭାବରେ କହିଲା ‘‘ସିନୋରିନା ମୋ ସାଥିରେ ଆର ପାଖକୁ ଚାଲନ୍ତୁ ।’’ ହାତର ଇଙ୍ଗିତରେ ସେ ଦୂର ସମୁଦ୍ର ପାରିର ନିର୍ଦ୍ଦେଶ କଲା ।

 

କେସିମୋର ମନେହେଲା ତା’ର ଯେପରି ଶ୍ୱାସରୁଦ୍ଧ ହୋଇ ଆସୁଛି ଏବଂ ସେ ଜାଣେ ଯେ ସେ ବିବର୍ଣ୍ଣ ହୋଇ ପଡ଼ିଛି । ଯାହାହେଉ ସେ କହିଲା ‘‘ତୁମ କ’ଣ ପାଗଳ ହୋଇଯାଇଛ ?’’ ନିଗ୍ରୋଟି ତା’ଆଡ଼କୁ ଦୃଷ୍ଟିପାତ ନକରି କୋରାର ହାତଟି ଧରି ପୁନରକ୍ତି କଲା ‘‘ଆସନ୍ତୁ ସିନୋରିନା...ଆସନ୍ତୁ...ମୋ ସହିତ ଆସନ୍ତୁ ।’’

 

କେସିମୋ ଚିତ୍କାର କରି କହିଲା ‘‘ବାହାରି ଯାଅ ।’’ ନିଗ୍ରୋଟି ଅବାକ୍‌ ହୋଇ ଚାହିଁଲା ଏବଂ ତା’ପରେ ଉଠି ଠିଆ ହେଲା । ସତରେ ସେ ବିପୁଳକାୟ । କେସିମୋ ଭାବିଥିଲା ହୁଏତ ନିଗ୍ରୋଟି ଚାଲିଯିବ ଏବ ଅତି ସହଜରେ ସେ ନିସ୍ତାର ପାଇଯିବ । କିନ୍ତୁ ସେ ଅବାକ୍‌ ହୋଇ ପଡ଼ିଲା ଯେତେବେଳେ ନିଗ୍ରୋଟି ତିଳେହେଲେ ଘୁଞ୍ଚିଲା ନାହିଁ । ସେ ଚାରିଆଡ଼େ ଆଖି ବୁଲେଇ ଆଣିଲା ଏବଂ ନଇଁପଡ଼ି ଗୋଟାଏ ଷଢ଼ା କାଠର ଲାଠିନେଇ କେସିମୋର ମୁହଁ ପାଖରେ ମାଡ଼ିଧରି କହିଲା ‘ଚାଲିଯାଓ...ତୁମେ ପଳାଅ । ’ ସେ କ’ଣ କହୁଛି ବୁଝିବା ଆଗରୁ କେସିମୋ ଦେଖିଲା ଯେ ସେ ଦୌଡ଼ୁଛି । ଅଳ୍ପ ଦୂରକୁ ଯାଇ ଠିଆ ହୋଇଛି ଏବଂ ଦଣ୍ଡାୟମାନା କୋରାର ହାତଟାକୁ ଖୁବ୍‌ ଜୋରରେ ଚାପି ଧରିଛି । ହଠାତ୍‌ ଦ୍ରୁତ ହୃତ୍‌କମ୍ପନ ଫଳରେ ସେ ବାଲିପାହାଡ଼ ପଛପାଖରେ ଚିତ୍‌ ହୋଇ ଶୋଇ ପଡ଼ିଲା ।

 

ନିଗ୍ରୋଟି ଯେମିତି କ’ଣ କହିଲା ଏବଂ ସେ ଓ କୋରା ଉପକୂଳ ପାରି ହୋଇ ସମୁଦ୍ରଆଡ଼କୁ ଆଗେଇ ଯିବାକୁ ଲାଗିଲେ । ନିଗ୍ରୋଟି କୋରାର ହାତଟି ଧରି ରଖି ଏବଂ ତା’ର ଲଣ୍ଡିତ ମୁଣ୍ଡଟି ଭଦ୍ର ଭାବରେ ବଢ଼େଇ କ’ଣ ଯେମିତି କହୁଥିଲା । ନିଗ୍ରୋଟିର ବିଶାଳ ଶରୀର ନିକଟରେ କୋରା ଖୁବ୍‌ ଛୋଟ ଦେଖାଯାଉଥିଲା ଏବଂ ଏଭଳିକି କୋରାର ଯେଉଁ ଯୁଗ୍ନନିତମ୍ବ ଅଳ୍ପସମୟ ପୂର୍ବରୁ କେସିମୋର ଆଖିରେ ବିରାଟ ବୋଲି ମନେ ହେଉଥିଲା ବର୍ତ୍ତମାନ ତାହା ମନେହେଲା ରୁଗ୍‌ଣ ଓ ଶୀର୍ଣ୍ଣ । ଯେତେବେଳେ ସେମାନେ ସମୁଦ୍ରର ଖୁବ୍‌ ନିକଟକୁ ପହଞ୍ଚିଗଲେ, ଦୂରରେ ଅବସ୍ଥିତ ଗୋଟାଏ ବାଲିପାହାଡ଼ ଆଡ଼କୁ ଯିବାପାଇଁ ପାଖାପାଖି ଚାଲିବାକୁ ଲାଗିଲେ । କୋରା ସ୍ୱାଭାବିକ ଭାବରେ ପୃଷ୍ଠଦେଶ ଆନ୍ଦୋଳିତ କରି ବେଶ୍‌ ନମ୍ର ଭାବରେ ଚାଲୁଥାଏ । ନିଗ୍ରୋଟି ସେତେବେଳକୁ ତା’ର ହାତଟି ଛାଡ଼ି ଦେଇଥିଲା ଏବଂ କୋରା ତାହାରି ପାଖରେ ଚାଲୁଥିଲା । କେସିମୋ ହତାଶ ହୋଇ ଭାବିଲା ଏ ଦୃଶ୍ୟ ଦେଖିଲେ କେହି ମନେକରିବ ନାହିଁ ଯେ କୋରାକୁ ବର୍ବର ନିଗ୍ରୋଟା ଜୋର୍‌ କରି ଧରିନେଉଛି । ମନେହେବ ସେମାନେ ଦୁଇବନ୍ଧୁ–ଦୁଇଜଣ ପ୍ରଣୟୀ ସାଙ୍ଗହୋଇ ଭ୍ରମଣରେ ବାହାରିଛନ୍ତି । ତା’ର ମନେହେଲା ଝିଅଟି ତା’ର ବିପଦ ସମ୍ବନ୍ଧରେ ମୋଟେ ଚିନ୍ତିତ ବା ସଚେତନ ନୁହେଁ । ତା’ର ମନେପଡ଼ିଲା କୌଣସି କୌଣସି ଶ୍ୱେତାଙ୍ଗିନୀ ତରୁଣୀମାନନଙ୍କ ନିକଟରେ ନିଗ୍ରୋମାନେ ବେଶ୍‌ ଆକର୍ଷଣୀୟ ଆଉ କୋରା ହୁଏତ ସେମାନଙ୍କ ଭିତରୁ ଜଣେ । ଏହାଭିତରେ ସେମାନେ ଆହୁରି ଆଗେଇ ଯାଇଥିଲେ ଏବଂ ନିଗ୍ରୋଟି ପୁଣି କୋରାର ହାତ ଚାପି ଧରିଥିଲା; କିନ୍ତୁ ଏଥର ମନେ ହେଉନଥିଲା ଯେ ସେ କୋରାକୁ ଧରି ରଖିବା ପାଇଁ ତା’ର ହାତଟି ଧରିଛି । ଏଥିରୁ ସ୍ପଷ୍ଟ ଭାବରେ ବୁଝାପଡ଼ୁ ଥିଲା ଯେ କୋରାର ଦେହକୁ ଉପଭୋଗ କରିବାର କାମନା ନିଗ୍ରୋଟିର ଥିଲା ଅତି ନିବିଡ଼ । ‘‘ମୁଁ ଦେହରେ ହାତ ଦେଇ ଦେଲେ ସମ୍ମାନ ଚାଲିଯାଏ; କିନ୍ତୁ ନିଗ୍ରୋର ସ୍ପର୍ଶରେ ସତୀତ୍ୱ ଆଉ ଯାଉ ନାହିଁ ।’’ ସେମାନେ ସେ ଯାଏ ଚାଲୁଥିଲେ ଏବଂ ପ୍ରତିଟି ମୁହୂର୍ତ୍ତରେ କେସିମୋ ଭୟ କରୁଥିଲା ଏଇ ବୋଧହୁଏ ସେମାନେ ବାଲିପାହାଡ଼ ପଛରେ ଅନ୍ତର୍ହିତ ହୋଇଯିବେ ।

 

ସେମାନଙ୍କୁ ସେ ଯେତେବେଳେ ଚାହିଁଲା ସେତେବେଳେ ସେମାନଙ୍କ ପାଖରେ ସମୁଦ୍ର ଭିତରେ ନୋଳିଆଟି ମାଛ ମାରୁଥିବାର ଦେଖାଗଲା । କେସିମୋଠାରୁ ସେମାନେ ଥିଲେ ବହୁଦୂରରେ । ତିନି ଜଣ ରୌଦ୍ରତପ୍ତ ପବନର କୋଳାବୃତ, ପଛରେ ସୂର୍ଯ୍ୟକରୋଜ୍ଜଳ ସାଗର । କେସିମୋ କୋରାକୁ ଗାଳିଦେବାକୁ ଲାଗିଲା ଏବଂ ତା’ର ଆଖିରୁ ନିଗତ ହେବାକୁ ଲାଗିଲା ବେଦନାଶ୍ରୁ । ତା’ପରେ ହଠାତ୍‌ ଏମିତି ଏକ ଘଟଣା ଘଟିଲା ଯାହା ସେ ଆଶା କରି ନଥିଲା । କୋରା ନିଗ୍ରୋଟିର ହାତ ଛଡ଼େଇ ପାଣିରେ ନୋଳିଆଟିର ପଛକୁ ଯାଇ ତା’ର କାନ୍ଧରେ ହାତଦେଇ ଠିଆ ହୋଇ ରହିଲା ।

 

ନିଗ୍ରୋଟି ଠିଆ ହୋଇପଡ଼ିଲା । ନୋଳିଆଟି ଶାନ୍ତ ଭାବରେ ପାଣିରୁ ବାହାରିଆସି ନିଗ୍ରୋଟି ଆଗରେ ଆସି ଠିଆହେଲା । ତା’ପରେ ସୂର୍ଯ୍ୟର ଆଲୋକରେ ଚକ୍‌ ଚକ୍‌ କରି ଉଠିଲା ଗୋଟାଏ ଅସ୍ତ୍ର । କେସିମୋ ବୁଝିପାରିଲା ଅସ୍ତ୍ରଟି ହେଉଛି ମାଛଶିକାର କରିବାର ତେଣ୍ଟା । ନୋଳିଆଟି ସେହି ତେଣ୍ଟା ହାତରେ ଧରି ନିଗ୍ରୋଟା ସହିତ କଥାବାର୍ତ୍ତା କରିବାକୁ ଲାଗିଲା ଏବଂ ତା’ର ଭାବଭଙ୍ଗୀ ଦେଖି ମନେହେଲା ଭୟ ପ୍ରଦର୍ଶନ କରିବା ଅପେକ୍ଷା ସେ ଯେମିତି ନିଗ୍ରୋଟିକୁ ଅନ୍ୟ କିଛି ବୁଝେଇବାର ଚେଷ୍ଟା କରୁଥିଲା ଏବଂ ନିଗ୍ରୋଟା ମନଦେଇ ଶୁଣୁଥିଲା । ତା’ପରେ ନିଗ୍ରୋଟା ସମୁଦ୍ରର କୂଳେ କୂଳେ ଧୀର ପଦକ୍ଷେପରେ ବାହାରିଗଲା । ବୃଦ୍ଧଟି ସେଯାଏ ସେଇଠି ଠିଆ ହୋଇଥିଲା ଏବଂ ତା’ର ହାତର ମାଛମରା ତେଣ୍ଟାଟା ଚକ୍‌ଚକ୍‌ କରୁଥିଲା । ନିଗ୍ରୋଟା ସିଧା କୂଳରୁ ଉଠି ବାଲି ପାହାଡ଼ର ପଛପଟରେ ଅଦୃଶ୍ୟ ହୋଇଗଲା ।

 

ତା’ପରେ ବୃଦ୍ଧଟି କୋରାଙ୍କୁ ଫେରିଚାହିଁଲା—ସେ ଯାଏ ସେ ପାଣି ଭିତରେ ଠିଆ ହୋଇଥିଲା । ତେଣ୍ଟାଟାରେ ସେ ଯେମିତି ଇଙ୍ଗିତ କରି କହୁଥିଲା ‘‘ସବୁ ପରିଷ୍କାର, ନିଷ୍କଣ୍ଟକ ।’’ କୋରା ପାଣିରୁ ବାହାରି ଆସି ସମୁଦ୍ର କିନାରାରେ ଆଗେଇ ଆସିଲା । ବୃଦ୍ଧଟି ବାଲି ପାହାଡ଼ ଆଡ଼କୁ ଫେରି ଚିତ୍କାର କରି କ’ଣ କହିଲା, ତା’ପରେ ପୁଣି ଫେରିଗଲା ସମୁଦ୍ରକୁ । କୋରା କେସିମୋ ସହିତ ଯୋଗଦେବା ପାଇଁ ଦୌଡ଼ିବାକୁ ଲାଗିଲା; କେସିମୋ ଇତ୍ୟବସରରେ ତା’ର ଲୁଚିଥିବା ଜାଗାରୁ ବାହାରି ଆସି ସାରିଥିଲା ।

 

ନିଜର ଭୀରୁତାକୁ ସମର୍ଥନ କଲାଭଳି କାରଣ ଦେଖାଇବା ପାଇଁ ସେ ଅତିମାତ୍ରାରେ ନିର୍ଭାସ ହୋଇ ପଡ଼ିଥିଲା । ସେମାନେ ପୁଣି ମିଳିତ ହେବାପରେ କେସିମୋ କୋରାକୁ କହିଲା ‘‘ମୁଁ ଦୁଃଖିତ...ମୁଁ ବଡ଼ ଲଜ୍ଜିତ ।’’

 

କୋରା କିନ୍ତୁ ସହଜ ଭାବରେ ଉତ୍ତର ଦେଲା ‘‘କାହିଁକି...ତମେ ବା ଆଉ କ’ଣ କରି ପାରିଥାନ୍ତ ? ...ଏହି ଲୋକଟାର ବିରାଟ ଚେହେରା...ମୁଁ ଯାହା ଭୀତତ୍ରସ୍ତ ହୋଇ ପଡ଼ିଥିଲି...ଭାଗ୍ୟକୁ ବୁଢ଼ାଟା ତା’ର ତେଣ୍ଟାଟା ଧରି ଏଇଠି ଉପସ୍ଥିତ ଥିଲା । ନିଗ୍ରୋ ଓ ଅନ୍ୟ ସୈନ୍ୟମାନଙ୍କ ସମ୍ବନ୍ଧରେ ତା’ର ଅନେକ କିଛି କହିବାର ଥିଲା; କିନ୍ତୁ ସହଳ ସେମାନେ ପୋଷାକପତ୍ର ଗୋଟେଇବାରେ ବ୍ୟସ୍ତ ହୋଇପଡ଼ିଲେ ।

 

ତା’ପରେ ସେମାନେ ଫେରିଲେ । ନୋଳିଆଟି ସେ ଯାଏ ଅନେକ ଦୂର ସମୁଦ୍ର ଭିତରେ ଠିଆ ହୋଇ ରହିଥିଲା । ସୂର୍ଯ୍ୟର ଉତ୍ତପ୍ତ ଆଲୋକରେ ସେ ଦେଖା ଯାଉଥିଲା କ୍ଷୁଦ୍ର ଓ କଳା । କେସିମୋ କହିଲା ‘‘ମୁଁ ଫେରିଯାଇ ତାକୁ କିଛି ଉପହାର ଦେଇ ଆସେ । କୋରା ବେଶ୍‌ ଉପହାସର ଭଙ୍ଗୀରେ କହିଲା ‘‘ମୋର ମନେହୁଏ ଏଇୟା ତୁମର କରିବା ଉଚିତ ।’’

 

କିନ୍ତୁ ଗାଡ଼ିରେ ଯାତ୍ରାରମ୍ଭ କରିବା ପୂର୍ବରୁ କୋରା ହଠାତ୍‌ କେସିମୋର ଗଳାବେଷ୍ଟନ କରି ତା’ର ମୁହଁରେ ଗୋଟାଏ ଦୀର୍ଘ ଓ ଗଭୀର ଚୁମ୍ବନ ଆଙ୍କି ଦେଲା । ସେହି ଚୁମ୍ବନର ଉଷ୍ଣତା ଓ ମଧୁରତା ପ୍ରଥମଥର ପାଇଁ ଅନୁଭବ କଲା କେସିମୋ । ସେ ବୁଝିପାରିଲା କୋରାର ନିର୍ଲିପ୍ତତା କଟିଯାଇ ଏହି ଭାବ ଜାଗ୍ରତ ହୋଇପଡ଼ିଛି ନିଗ୍ରୋର ଲାଳସାସିକ୍ତ ଭଗ୍ନ କଣ୍ଠସ୍ୱର ଓ ନୋଳିଆର ମାଛଧରା ତେଣ୍ଟାରୁ, ଆଉ ତା’ ସହିତ ଅନୁଭବ କଲା ଅନୁତାପ ଓ ହିଂସାର ଏକ ଭୀଷଣ ଜ୍ୱାଳା ।

Image

 

ତୃତୀୟ ଅରଣ୍ୟ

 

ଗ୍ରୀଷ୍ମର ପ୍ରଥମଭାଗରେ ଗିୟାକୋମା ହଠାତ୍‌ ଅନୁଭବ କଲା ଯେ ସେ ନିଃସଙ୍ଗ, ଏକାକୀ । ସୁଦୂର ନୀଳଆକାଶ, ସୀମାହୀନ ଶୂନ୍ୟତା ଭିତରେ ତା’ର ସ୍ଥିତି ଯେମିତି ଏକ ନିର୍ଜନ ତାରା ଭଳି । ଗିୟାକୋମାର ବନ୍ଧୁ ବାନ୍ଧବୀଙ୍କ ସଂଖ୍ୟା ଥିଲା ଅଗଣନ ଓ ଅନେକ ସୁନ୍ଦରୀ ତରୁଣୀମାନଙ୍କ ସହିତ ମିଳାମିଶା କରୁଥିଲା । ସେହି ପରିଚୟର ପରିସର ଭିତରେ ତା’ର ଜୀବନର ଯେମିତି ଲାଗି ରହିଥିଲା ଅନେକ ରଙ୍ଗ, ଅନେକ ସୁରଭୀ; କିନ୍ତୁ ଅଳ୍ପ କେଇଜଣଙ୍କର ଅନୁପସ୍ଥିତିରେ ତା’ର ଚାରିପାଖରେ ଦେଖାଦେଲା ମରୁଭୂମିର ଧୂ...ଧୂ... ଶୂନ୍ୟତା । କିଏ ଯେମିତି ଜୀବନର କ୍ୟାନଭାସ ଉପରୁ ପୋଛିଦେଲା ଇନ୍ଦ୍ରଧନୁର ବର୍ଣ୍ଣାଢ଼୍ୟ ସମାରୋହ, ହଠାତ୍‌ ନୀରବ ହୋଇପଡ଼ିଲା ଅନେକ ଅନେକ ତରୁଣୀ କଣ୍ଠର କାକଳି । ଗିୟାକୋମା ଅନ୍ୟମାନଙ୍କ ଭଳି କେବଳ ଅଳ୍ପ କେଇଜଣଙ୍କ ସହିତ ଘନିଷ୍ଠ ଭାବରେ ମିଶୁଥିଲା । ତେଣୁ ସେ ଚିନ୍ତା କରିବାକୁ ଲାଗିଲା ଶେଷ ବୟସରେ ତା’ର ଏହି ବନ୍ଧୁ ବାନ୍ଧବମାନଙ୍କ ନିରୁଦ୍ଦେଶ ଯାତ୍ରା ତା’ର ଜୀବନରେ ନେଇ ଆସିବ ଏକ ସମ୍ପୂର୍ଣ୍ଣ, ଦୂରୁହ ଓ ଚରମ ନିର୍ଜନତା...ଯେଉଁ ଶୂନ୍ୟତା କେବଳ ବେଦନାଦାୟକ...ଯେଉଁ ଏକାକୀତ୍ୱ ଦୁଃସହ ।

 

ସକାଳୁ ଡେରିରେ ଶଯ୍ୟାତ୍ୟାଗ କରିବା ଥିଲା ଗିୟାକୋମାର ଚିରାଚରିତ ଅଭ୍ୟାସ । ତା’ପରେ ବୋର୍ଡ଼ିହାଉସରେ ସେ ମଧ୍ୟାହ୍ନଭୋଜନ ପର୍ଯ୍ୟନ୍ତ ରହୁଥିଲା । ମଧ୍ୟାନ୍ତରର ଏହି ଅଳସ ମୁହୂର୍ତ୍ତଗୁଡ଼ିକ ସେ କଟେଇ ଦେଉଥିଲା ସିଗାରେଟର ନୀଳାଭ ଧୂମ୍ରକୁଣ୍ଡଳ ଭିତରେ । ନ ହେଲେ ସେ ଆରାମକେଦାରାରେ ବସି ବସି ବହି ପଢ଼ୁଥିଲା । ମଧ୍ୟାହ୍ନ ଭୋଜନ ପରେ ଅଳ୍ପସମୟ ବାହାରୁ ବୁଲି ଆସି ଶୋଇବାଘରେ ପୁଣି ବସି ବସି ବହି ପଢ଼ୁଥିଲା । କେବେ କେମିତି ଗରମ ବା କ୍ଲାନ୍ତ ଅନୁଭବ କଲେ ଅଳ୍ପ ସମୟ ପାଇଁ ବିଶ୍ରାମ କରିବା ଥିଲା ତା’ର ବିଳାସ । ଅପରାହ୍ନର ପ୍ରଥମ ପ୍ରହରରେ ମୁହଁହାତ ଧୋଇ, ପରିଚ୍ଛନ୍ନ ଭାବରେ କେଶ ବିନ୍ୟାସ କରି ଦେହରେ ଦାମୀ ଓ ସୁନ୍ଦର ପରିଚ୍ଛଦ ପରିଧାନ କରି ସେ ବୋର୍ଡ଼ିହାଉସରୁ ବାହାରି ଯାଉଥିଲେ ।

 

ସହରର ସବୁଠୁ ନିର୍ଜନ ଓ ପରିଚ୍ଛନ୍ନ ଅଞ୍ଚଳର କୌଣସି କାଫେରେ ଯାଇ ସେ ବସୁଥିଲା-। ଏହି ସମସ୍ତ କାଫେମାନଙ୍କରେ ପାନକରିବା ପାଇଁ ମିଳୁଥିଲା ଜର୍ମାନ ବିୟାର । ସେହି ଜର୍ମାନ ବିୟାର ପ୍ରତି ଗିୟାକୋମାର ଥିଲା ପ୍ରଚୁର ଆକର୍ଷଣ । ଏହି ପାନୀୟକୁ ସେ ଆପ୍ରାଣ ଭଲ ପାଉଥିଲା । ଥଣ୍ଡା ବିୟର ଧୀରେ ଧୀରେ ଶୋଷିନେଇ ତା’ ପାଖଦେଇ ଯାତାୟତ କରୁଥିବା ବା ଅନ୍ୟ ଟେବୁଲରେ ବସିଥିବା ଲୋକଙ୍କୁ ସେ ନିରୀକ୍ଷଣ କରୁଥିଲା । ସହରର ବେକାର ଲୋକ, ସୁବେଶ ଯୁବକ ଓ ସୁନ୍ଦରୀ ଯୁବତୀମାନଙ୍କର ମିଳନ ସ୍ଥଳ ଥିଲା ଫୁଟ୍‍ପାଥ୍‌ ଉପରେ ଏହି ଅଂଶଟିରେ ପଡ଼ିଥିବା ଟେବୁଲ ଗୁଡ଼ିକ । ଅନେକେ କାଫେଟିରେ ଝରକା ପାଖରେ ଠିଆହୋଇ କଥାବର୍ତ୍ତା କରିବାର ଛଳନା କରୁଥିଲେ; କିନ୍ତୁ ବାସ୍ତବରେ ଝରକାଆଡ଼କୁ ଚାହିଁଲେ ଯେ କେହି ବୁଝି ପାରିବ ଯେ କଥା ଛଳରେ ସେମାନେ ଫୁଟ୍‍ପାଥ୍‌ ଉପରେ ଯାଉଥିବା ଓ ଟେବୁଲ ଉପରେ ବସିରହିଥିବା ତରୁଣୀମାନଙ୍କୁ କଣେଇ କଣେଇ ଚାହୁଁଥିଲେ । ଦୂରନ୍ତ ବନ୍ୟାପ୍ଲାବିତ ନଦୀ ଯେମିତି କୂଳ ଲଙ୍ଘନ କରେ ସେହିଭଳି ଯୌବନର ଉର୍ଦ୍ଦାମ ଲାବଣ୍ୟରେ ପ୍ରାଣୋଚ୍ଛଳ ତରୁଣୀଗଣ ହାତରେ ସିଗାରେଟ ନେଇ ନିଜ ଟେବୁଲରୁ ଅପର ଟେବୁଲକୁ ଯାଇ ସଶବ୍ଦରେ ହସୁଥିଲେ ବା ଉଚ୍ଚସ୍ୱରରେ କଥାବାର୍ତ୍ତା କରୁଥିଲେ । ସେମାନଙ୍କ ଉପସ୍ଥିତି ଅନ୍ୟମାନଙ୍କ ପାଖରେ ଜାହିର କରି ପୁରୁଷମାନଙ୍କ ଦୃଷ୍ଟି ଆକର୍ଷଣ କରିବା ଥିଲା ଏହାର ଉଦ୍ଦେଶ୍ୟ । ୱେଟାରମାନେ ନିଜ ନିଜ ଭିତରେ ଥଟ୍ଟା ପରିହାସ କରି ଦ୍ୱିଧାହୀନ ଭାବରେ କଥାର ସୁଅରେ ଭାସି ଯାଉଥିଲେ । ଏହି କାଫେରେ ଏମିତି ଏକ ଆତ୍ମପ୍ରତିଷ୍ଠ ଅକ୍ଲାନ୍ତ ଗୁଞ୍ଜନ ଧ୍ୱନି ଉଠୁଥିଲା ଯାହା କେବଳ ନିଜସ୍ୱ ଡ୍ରଇଂ ରୁମ୍‌ରେ ସମ୍ଭବ, ରାସ୍ତାର ଫୁଟ୍‌ଫାଥ୍‌ରେ ନୁହେ । ବାସ୍ତବିକ କୌଣସି ଛିନ୍ନବସ୍ତ୍ର ପରିହିତ ଦରିଦ୍ର ବ୍ୟକ୍ତି କିମ୍ବା ଗିୟାକୋମା ଭଳି ନିଃସଙ୍ଗ କେହି ହଠାତ୍‌ ଏଠାକୁ ଆସିଲେ ଅନୁଭବ କରିବ ଯେ ସେ ଅନାହୂତ ଭାବରେ କୌଣସି ଗୃହରେ ପହଞ୍ଚିଯାଇଛି । ଟେବୁଲରେ ବସିଥିବା ଓ ଯାତାୟାତ କରୁଥିବା ଲୋକଙ୍କର ଏହା ଯେମିତି ନିଜସ୍ୱ ବ୍ୟାପାର । ଏ ସବୁ ଘଟୁଥିଲା ଗୋଟାଏ ଗଛ ତଳେ, ଆଉ ତା’ର ପୁରାତନ ଶାଖା ପ୍ରଶାଖା ଛାଇ ଆଲୁଅର ଏକ ଚିତ୍ର ଆଙ୍କି ଯାଉଥିଲା ଟେବୁଲ, ଗ୍ଲାସ ଲୋକଙ୍କ ଶରୀର ଓ ପରିଚ୍ଛଦ ଉପରେ । ସେହି ଆର୍ଦ୍ରତା ବିହୀନ ଗରମ ଦିନରେ ମଧ୍ୟ ଆକାଶଟା ବେଶ୍‌ ପରିଷ୍କାର ଓ ନିର୍ମଳ ରହୁଥିଲା । ଗୋଧୂଳି ନଇଁ ଆସିବା ମାତ୍ରକେ ସମସ୍ତେ ଫେରୁଥିଲେ ନିଜ ନିଜ ଘରକୁ । ହଠାତ୍‌ ଆସର ମଉଳି ପଡ଼ୁଥିଲା । ୱେଟରଗଣ ଟେବୁଲ ଚେୟାର ଉଠେଇ ନେଉଥିଲେ ।

 

ପ୍ରଥମ ବୋତଲ ବିୟର ପାନ କରିସାରି ଗିୟାକୋମା ଦ୍ୱିତୀୟ ବୋତଲଟି ଶେଷ କରୁ କରୁ ସୂର୍ଯ୍ୟ ଅସ୍ତାଚଳରେ ଢଳିପଡ଼ିଲେ । ତା’ପରେ ଗିୟାକୋମା ଉଠିପଡ଼ି ଅଳସ ଗତିରେ ନିଜ ଘରଆଡ଼କୁ ପାଦ ବଢ଼େଇଲା । ସନ୍ଧ୍ୟାପରେ ସେ ପୁନରାୟ କାଫେଟିକୁ ଫେରିଆସିଲା । ପୁଣି ସେହି ପୁରାତନ ଦୃଶ୍ୟ–ସମାନ ଆଡ଼ମ୍ବର, ଦ୍ୱିପ୍ରହର ଭଳି ସେହି ପୁରାତନ ସାମାଜିକ ରାଜନୀତିର ପୁନରାବୃତ୍ତି ହେଉଥିଲା ହାଲୁକା ଭାବରେ ରାସ୍ତାର ଉଜ୍ଜ୍ୱଳ ଆଲୋକ ତଳେ । ସେହି ପ୍ରସସ୍ତ ରାସ୍ତାଟା ରାତିରେ ବେଶ୍‌ ମନୋରମ ହୋଇପଡ଼ିଥିଲା ଏବଂ ସର୍ପିଳ ଗତିରେ ଲମ୍ବି ଯାଇଥିଲା ସୁଉଚ୍ଚ ଅଟ୍ଟାଳିକା ଆଉ ଉଦ୍ୟାନ ଗୁଡ଼ିକ ମଝିରେ । ଗହଳ ପତ୍ର ସନ୍ଧିରେ ଶାନ୍ତବତାଶ ଦେଇ ଯାଉଥିଲା ତା’ର ମୁଗ୍‌ଧ ମଧୁର ସ୍ପର୍ଶ ଆଉ ସେହି ଶ୍ରାନ୍ତ, କ୍ଲାନ୍ତ ବତାଶରେ କଣ୍ଠସ୍ୱର ଗୁଡ଼ିକ ବେଶ୍‌ ସ୍ପଷ୍ଟ ଓ ଆନନ୍ଦୋଚ୍ଛଳ ମନେ ହେଉଥିଲା । ଛାଇଆଲୁଅ ଭିତରେ ତରୁଣୀମାନଙ୍କ ମୁହଁ ମନେ ହେଉଥିଲା ରହସ୍ୟବୃତ୍ତ । ଦିବସ ଅପେକ୍ଷା ଲୋକମାନଙ୍କ ଯାତାୟାତ କମ ଯାଇଥିବାରୁ ନିଖୁଣ ଭାବରେ ବହୁ ସମୟ ଧରି ସେମାନଙ୍କୁ ଲକ୍ଷ୍ୟ କରିବାର ଅବାଧ ସୁଯୋଗ ରହିଥିଲା । ଗିୟାକୋମା ଗ୍ଲାସରେ ବରଫ ଦେଇ ଧୀରେ ଧୀରେ କାୟଦା କରି ପିଉଥିଲା ଯେମିତି । ଏମିତି ଭାବରେ ପିଇବା ଓ ଲୋକଙ୍କୁ ନିରୀକ୍ଷଣ କରିବା ପାଇଁ ସେ ପଇସା ଦେଇଛି ।

 

ତା’ର ମନେ ହେଉଥିଲା ସେ ନିଷ୍କ୍ରିୟ ଓ ଶୂନ୍ୟ । ସେ କେତେ କେତେବେଳେ ଏହା ଭାବି ନିଜକୁ ପ୍ରତାରଣା କରୁଥିଲା ଯେ ତା’ର ଏହି ନିଃସଙ୍ଗ ଓ ପରିତ୍ୟକ୍ତ ଅବସ୍ଥାକୁ ସେ ଯଥେଷ୍ଟ ଭାବରେ ନିୟନ୍ତ୍ରଣ କରିପାରିଛି, କିନ୍ତୁ ସବୁବେଳେ ଗୋଟାଏ ଦୁଃସହ ବେଦନା ମନର ଅନ୍ତରାଳରୁ ଉଙ୍କିମାରି ଅପ୍ରତ୍ୟାଶିତ ଭାବରେ ତା’ର ହୃଦୟକୁ ଚାପି ଧରିଥିଲା । ବିୟର ଓ ବରଫର ଆକାଂକ୍ଷା କେତେ କେତେବେଳେ ତାକୁ ହତାଶ କରି ତୋଳୁଥିଲା, ଯେମିତି ଗୋଟାଏ ନୀଚ୍ଚ ବୈଶିଷ୍ଟ, ଜୀବନରୁ ଏହି ବ୍ୟାହିକ ଆନନ୍ଦ ବ୍ୟତୀତ ଆଉ କିଛି ଗ୍ରହଣ କରିବାରେ ଯେମିତି ସେ ଅକ୍ଷମ । ପୁନରାୟ ଗୋଟାଏ ଅପରିଚିତ ପଥଚାରୀର ଅଙ୍ଗଭଙ୍ଗୀ ବା ଦୃଷ୍ଟି ତାକୁ ବୁଝେଇ ଦେଉଥିଲା ଯେ ତା’ ଅପେକ୍ଷା ଅନ୍ୟମାନଙ୍କ ଜୀବନ ଅନେକ ବିତ୍ତଶାଳୀ । ତା’ପରେ ସେ ଅନୁଭବ କରୁଥିଲା ଏକ ଅସ୍ପଷ୍ଟ ବେଦନା ଏବଂ ବୁଝି ପାରୁଥିଲା ଯେ ଗ୍ରୀଷ୍ମ ଋତୁଟି ଶେଷ ହେବା ଆଗରୁ ଏମିତି ଗୋଟାଏ କିଛି କରିବାପାଇଁ ହେବ, ଯାହା ଫଳରେ ନିଜର ସ୍ୱାଧୀନତା ବଜାୟ ରଖି ପାରିବ । କାରଣ ଏହି ସମୟରେ ତା’ର ମନେ ହେଉଥିଲା ଯେ ସେ ମୋଟେ ସ୍ୱାଧୀନ ନୁହେଁ । ଅପର ପକ୍ଷରେ ସେ ଆବଦ୍ଧ ଓ ପୌରୁଷହୀନ, ଏକାକୀତ୍ୱର ଦାସ...ଯାହା ସେ ହେବାପାଇଁ ଚାହୁଁ ନ ଥିଲା ଏବଂ ଯାହା ତା’ର ଇଚ୍ଛା ଉପରେ ନିର୍ଭରଶୀଳ ନ ଥିଲା । ଦିନେ ରାତିରେ ଅଭ୍ୟାସ ମୁତାବକ କାଫେରେ କେତୋଟି ଘଣ୍ଟା କଟେଇବା ପରେ ସେ ଘରକୁ ଫେରି ଆସୁଥିବାବେଳେ ଦେଖବାକୁ ପାଇଲା ରାସ୍ତା କଡ଼ରେ ଗୋଟାଏ ନାଇଟ କ୍ଲବର ତଳ ବଖରାର ଝରକା ଦେଇ ଚେନାଏ ଉଜ୍ଜ୍ୱଳ ଆଲୋକରେଖା ଦେଖାଯାଉଛି । ତା’ର ମନେ ପଡ଼ିଲା ଶୀତ ରାତିର ଶୀତଳତାକୁ ଏକ ଅଭିନବ ରତିକ୍ରୀଡ଼ାରେ ବିତେଇ ଦେବାପାଇଁ କୌଣସି କୌଣସି ସ୍ତ୍ରୀ ଲୋକ ଏମିତି ନାଇଟ କ୍ଲବରେ ଶୀକାରର ସନ୍ଧାନ କରନ୍ତି...ଅନ୍ତତଃ ଏହି କଥା ଗିୟାକୋମା ଶୁଣିଥିଲା । ସେ ଦେଖବାକୁ ଚାହିଁଲା ଗ୍ରୀଷ୍ମ ଋତୁରେ ଏସବୁ ଘଟେ କି ନାହିଁ । ରାତିକପାଇଁ ଜଣେ ସଙ୍ଗିନୀ ବି ହୁଏତ ମିଳି ଯାଇପାରେ । କେତୋଟି ପାହାଚ ପାରେଇ, କାଚ ଦରଜା ଠେଲି ଭିତରେ ପ୍ରବେଶ କରିବା ମାତ୍ରକେ ସେ ନିଜକୁ ଗୋଟାଏ ବାର୍‌ ଭିତରେ ଆବିଷ୍କାର କଲା । ଭିତରେ ଥିବା ଆଲୋକଗୁଡ଼ିକ ପୂରା ଶେଡ଼୍‌ର ଢାଙ୍କୁଣିରେ ଦେଖା ଯାଉଥିଲା ନିଃଷ୍ପ୍ରଭ । ଗ୍ରୀଷ୍ମକାଳର ଶ୍ୱାସରୁଦ୍ଧକାରୀ ଗରମ ସହିତ ଅତି କଦର୍ଯ୍ୟ ଭାବରେ ମିଶି ରହିଥିଲା ଶୀତର ପରିତ୍ୟକ୍ତ ଧୂଆଁର ଗନ୍ଧ । ସେଲଫ ଭର୍ତ୍ତି ମଦ ବୋତଲ ସମ୍ମୁଖରେ ନିଃଷ୍ପ୍ରଭ ଆଲୋକରେ ବାରମ୍ୟାନ୍‌ର ମୁହଁଟି ଉତ୍ତାପରେ କଳା ଦେଖା ଯାଉଥିଲା । ଯେମିତି ସନ୍ନ୍ୟାସ ରୋଗାକ୍ରାନ୍ତ ରୋଗୀର ମୁଖମଣ୍ଡଳରେ ଦେହର ସମସ୍ତ ରକ୍ତ ଆସି ଜମାଟ ବାନ୍ଧିଛି । ଗିୟାକୋମା ପଥମରୁ ଗୋଟାଏ ଉଚ୍ଚ ଟୁଲ ଉପରେ ବସି ବାରମ୍ୟାନକୁ ପାନୀୟ ପାଇଁ ଅର୍ଡ଼ର ଦେଲା ।

 

ଯେତେବେଳେ ସେ ସୁସ୍ଥ ଭାବରେ ନୀଚ ଛାତତଳେ ବସି ଘର୍ମାକ୍ତ ହୋଇପଡ଼ିଲା, ସେତେବେଳେ ସେ ବୁଝି ପାରିଲା ଯେ ସେ ‘ବାର୍‌’ରେ କିଛି ଖୋଜୁନାହିଁ ଖୋଜୁଛି ‘ବାର୍‌’ ସଂଲଗ୍ନ ଛୋଟ ଛୋଟ ଘର ଗୁଡ଼ିକରେ । ସେଇଠି ଜନ ପାଖିପାଖି ଛୋଟ ଛୋଟ ଘରଗୁଡ଼ିକରୁ ଶେଷଯାଏ ସେ ଦେଖିନେଲା; ପ୍ରତ୍ୟେକଟି ଘରେ ରହିଥିଲା ଛୋଟ ଛୋଟ ଟେବୁଲ ଏବଂ ଝରକାର ଖିଳାଣରେ ସଂଯୁକ୍ତ ଆସନ । ସେତେବେଳକୁ ଘରଗୁଡ଼ିକ ପ୍ରାୟ ଖାଲି ହୋଇ ପଡ଼ିଥିଲା...କେବଳ ମାତ୍ର ଦୁଇଜଣ ତରୁଣୀ ସୋଫାରେ ବସି ରହିଥିଲେ ।

 

କିଛି ସମୟ ଧରି ସେ ସେମାନଙ୍କୁ ଲକ୍ଷ୍ୟକଲା, କିନ୍ତୁ ବୁଝିପାରିଲା ନାହିଁ ସେମାନେ କି ଧରଣର ମହିଳା । ସେମାନଙ୍କର ଦେହରେ ଥିଲା ସମ୍ଭ୍ରାନ୍ତକର ସୁନ୍ଦର ପୋଷାକ, ମାତ୍ର କୌଣସି ପ୍ରକାର ପୁରୁଷ ଆକର୍ଷଣକାରୀ ଭଙ୍ଗୀମା ନ ଥିଲା । ଦୁହିଁଙ୍କ ଦେହରେ ବର୍ଣ୍ଣ ଥିଲା ବରଫ ଭଳି ସଫେଦ୍‌ ଓ ଉଜ୍ଜ୍ୱଳ । ସେମାନଙ୍କ ଭିତରୁ ଜଣକର ବୟସ ଥିଲା ଅପର ଜଣକ ଅପେକ୍ଷା ପ୍ରାୟ ସାତ ଆଠ ବର୍ଷ ଛୋଟ । ଛୋଟ ତରୁଣାଟିର ଉନ୍ମୁକ୍ତ କେଶରାଶି ତା’ର ନିତମ୍ବ ସ୍ପର୍ଶ କରୁଥିଲା । ମୁହଁରେ କୌଣସି ରକମର ମେକଅପ୍‌ ନ ଥିଲା । ତା’ର ବଡ଼ ବଡ଼ ସୁଗୋଲ ଆଖି ଦୁଇଟିରେ ଫୁଟି ଉଠୁଥିଲା ନୀଳ ଆଉ ସବୁଜର ଏକ ମିଶ୍ରିତ ସୁଷମା । ଖଣ୍ଡାଧାର ନାକତଳେ ଓଠଯୋଡ଼ିକ ଦେଖାଯାଉଥିଲା ପକ୍ୱ ବିମ୍ବ ଭଳି ଲାଲ । ତା’ର ମୁଣ୍ଡରେ ଟୋପି ନ ଥିଲା, କିନ୍ତୁ ଦେହରେ ଥିଲା ସହରୀ ପୋଷାକ । ସେ ତା’ର ଜ୍ୟାକେଟ୍‌ଟି ଖୋଲି ଚେୟାର ଉପରେ ଫିଙ୍ଗି ଦେଇଥିଲା–ବେକ ଓ ହାତ ପୁରାପୁରି ଖୋଲା । ଦେହରେ ଥିଲା କେବଳ ଖଣ୍ଡେ ମାତ୍ର ବ୍ଲାଉଜ୍‌ । ବୟସ୍କା ତରୁଣୀଟି ବେଶ୍‌ ଯତ୍ନ ସହକାରେ କେଶଶୃଙ୍ଗାର କରିଥିଲା ଏବଂ ସାବଧାନତା ସହକାରେ ଏକ ବଙ୍କିମ ଭଙ୍ଗୀରେ ତା’ ଉପରେ ଟୋପିଟି ମଡ଼େଇ ଦେଇଥିଲା । ତା’ର ଚକ୍ଷୁ ଦୁଇଟିର ରଙ୍ଗଥିଲା ଈଷତ୍‌ ହାଲୁକା, କିନ୍ତୁ ତା’ର ସରୁ ଭ୍ରୂଲତା ଓ ଫୁଲାଫୁଲା ଆଖିପତା ବେଶ୍‍‌ ଆକର୍ଷଣୀୟ ମନେ ହେଉଥିଲା ଏବଂ ସମଗ୍ର ଚେହେରାଟି ହୋଇପଡ଼ିଥିଲା କୁଟିଳ ଓ ଛଳନା ମୟୀ । ଗଣ୍ଡ ଓ ମୁହଁଟି ଭଳି ତା’ର ଆଖିଯୋଡ଼ିକ ମଧ୍ୟ ମେକଅପ୍‌ କରା ହୋଇଥିଲା । କଜ୍ୱଳର ଗୋଟାଏ ସୂକ୍ଷ୍ମରେଖା ତୀର୍ଯ୍ୟକ ଗତିରେ କର୍ଣ୍ଣମୂଳଯାଏ ପ୍ରସାରିତ ହୋଇ ପଡ଼ିଥିଲା, ଦେଖିଲେ ମନେହେବ ଠିକ୍‌ ଯେମିତି ମଦନର ପୁଷ୍ପଧନୁରୁ ତମାଳର ନୀଳଶର ପୁରୁଷ ହୃଦୟକୁ ବିଦ୍ଧ କରିବା ପାଇଁ ଉଦ୍ୟତ । ତା’ର ସଙ୍ଗିନୀଠାରୁ ବି ତା’ର ପୋଷାକ ପରିଚ୍ଛଦ ଥିଲା ସୁନ୍ଦର, ଆଉ ତା’ ଭିତରେ ଫୁଟି ଉଠୁଥିଲା ସହରୀ ଭାବଭଙ୍ଗୀ । ପ୍ରଥମ ଦୃଷ୍ଟିରେ ମନେହେବ ଦୁହିଁଙ୍କ ଭିତରେ ସେ ହିଁ ସୁନ୍ଦରୀ କିନ୍ତୁ ଦ୍ୱିତୀୟ ଦୃଷ୍ଟିରେ ଗିୟାକୋମାରେ ମନେହେଲା ଛୋଟ ଝିଅଟାକୁ ହିଁ ପସନ୍ଦ କରିବା ଉଚିତ୍‌, କାରଣ ତା’ର ସଙ୍ଗିନୀ ଭଳି ସହରୀ କୃତ୍ରିମତାର ପ୍ରଲେପ ତା’ ଦେହରେ ଟିକିଏ ହେଲେ ନାହିଁ ।

 

କୌଣସି ବାକ୍ୟାଳାପ ନ କରି ଦୁହେଁ ନୀରବରେ ବସି ରହିଥିଲେ । ଗିୟାକୋମା ଜଣକର ପୂରା ମୁହଁ ଓ ଅପରଜଣକର ମୁହଁର ଏକାଂଶ ଦେଖି ପାରୁଥିଲା । ହଠାତ୍‌ ତା’ର ଧାରଣା ହେଲା ଯେ ତରୁଣୀ ଦୁହେଁ ବେଶ୍ୟା । ଦେହ ବ୍ୟବସାୟିନୀମାନଙ୍କର ଭାବଭଙ୍ଗୀ ସ୍ପଷ୍ଟ ଭାବରେ ଫୁଟି ଉଠୁଥିଲା ସେମାନଙ୍କ ପ୍ରତିଟି ହସ ଓ ବ୍ୟବହାରରେ । ବୟସ୍କା ମହିଳାଟି ଥିଲା ଅତି ଦାମ୍ଭୀକ ଓ ସଂଭ୍ରାନ୍ତ । ତା’ର ଆଚାର ବ୍ୟବହାର କିନ୍ତୁ ଏହି ଜାଗା ପକ୍ଷରେ ଥିଲା ପୁରାପୁରି ଅନୁପଯୁକ୍ତ; ଏପରିକି ଟେବୁଲ ଉପରେ ରଖିଥିବା ତା’ର କଳା ଓ ଅସୁନ୍ଦର ହାତଯୋଡ଼ିକ ଓ ନେଲପଲିସରେ ଗଭୀର ଲାଲ ଦେଖାଯାଉଥିବା ନଖ ଗୁଡ଼ିକ ସେ ପରିବେଶରେ ମୋଟେ ଖାପ ଖାଉ ନଥିଲା । ବାରମ୍ୟାନଟି ହଠାତ୍‌ ତା’ର ସମ୍ମୁଖର କାଉଣ୍ଟରଟିରେ ଗୋଟିଏ ଛୋଟ ଗ୍ଲାସ ରଖିଦେଇ କହିଲା ‘‘ଏଇ ନିଅନ୍ତୁ !’’ ଅନ୍ୟ ସମୟ ହୋଇଥିଲେ ଗିୟାକୋମା ତରୁଣୀ ଦୁହିଁଙ୍କ ସମ୍ବନ୍ଧରେ ବାରମ୍ୟାନ୍‌କୁ କୌଣସି ପ୍ରଶ୍ନ କରିବା ପାଇଁ ସାହସ କରି ନ ଥାନ୍ତା କିନ୍ତୁ ସେ ନିଜକୁ ଗୋଟାଏ ଏମିତି ଅବାସ୍ତବ ଅବସ୍ଥାରେ ଅବସ୍ଥିତ ବୋଲି ମନେକଲା ଯେ ଲଜ୍ଜା ବଦଳରେ ତା’ର ହୃଦୟରେ ଜାଗି ଉଠିଲା ଦୁଃସାହସିକତା ।

 

ସେ ହଠାତ୍‌ ପ୍ରଶ୍ନକଲା ‘‘ଏ ମାନେ କିଏ ?’’

 

ବାରମ୍ୟାନ୍‌ଟି ଗୋଟାଏ ମଳିଚିଆ କମ୍ବଳର ଛିନ୍ନାଂଶରେ କାଉଣ୍ଟରଟିକୁ ପରିଷ୍କାର କରୁ କରୁ ମୁହଁରେ କୌଣସି ପ୍ରକାର କୌତୂହଳ ପ୍ରକାଶ ନ କରି କହିଲା ‘‘ମୁଁ ଜାଣେ ନା । ତେବେ ଗତକାଲି ସନ୍ଧ୍ୟାରେ ମଧ୍ୟ ଏମାନେ ଏଠିକି ଆସିଥିଲେ—ତା’ ପୂର୍ବରୁ ଏମାନଙ୍କୁ ମୁଁ ଏଠି କେବେ ଦେଖିନାହିଁ ।’’ କିନ୍ତୁ ସେ କଥାଟା ଏମିତି ଗୋଟାଏ ସୁରରେ କହି ଯାଉଥିଲା ଯେ ଗିୟାକୋମା ବୁଝିପାରିଲା ତା’ର ଧାରଣା ଆଭ୍ରାନ୍ତ...ତରୁଣୀ ଯୋଡ଼ିକ ରାତ୍ରିଚାରିଣୀ ସୋସାଇଟି ଗାର୍ଲ ।

 

ଗିୟାକୋମା ଅନୁରୋଧ କଲା ‘ତୁମେ ଦୟାକରି ମୋର ଗ୍ଲାସଟି ସେହି ଟେବୁଲରେ ଦେଇଆସ ।’’

 

ଟୁଲଟି ପରିତ୍ୟାଗ କରି ସେ ତରୁଣୀ ଦୁହିଁଙ୍କ ପାଖରେ ଯାଇ ବସିଲା । ସେ ସେତେବେଳେ ମଧ୍ୟ ପୂର୍ବପରି ଛୋଟ ଜଣକର ମୁହଁର ଏକାଂଶ ଓ ଅନ୍ୟ ଜଣକର ସମ୍ପୂର୍ଣ୍ଣ ମୁହଁଟି ସ୍ପଷ୍ଟ ଭାବରେ ଦେଖି ପାରୁଥିଲା । ବୟସ୍କା ମହିଳାଟି ଗିୟାକୋମାକୁ ଏଡ଼େଇ ନ ପାରି ଆଖିଯୋଡ଼ିକ ତଳକୁ ନୁଆଁଇ ନେଲା । ଛୋଟ ଜଣକ ଯଦିଓ ଉପସ୍ଥିତିକୁ ଏଡ଼େଇ ଦେଇ ପାରିଥା’ନ୍ତା । ତଥାପି ତାକୁ ଏକ ବିଚିତ୍ର ଓ ତୀର୍ଯ୍ୟକ ଭଂଗୀରେ ଚାହିଁ ରହିଲା—ତା’ର ଘନ ସବୁଜ ଆଖି ଦୁଇଟିରେ ଭରି ରହିଥିଲା ଆନନ୍ଦମୟ ପ୍ରାଣ ପ୍ରାଚୁର୍ଯ୍ୟର ଉଜ୍ଜ୍ୱଳତା । ଗିୟାକୋମାର ମନେହେଲା ଟୋପି ପରିହିତା ତରୁଣୀଟି ତା’ର ସହଚରୀର ଏହି ଦୃଷ୍ଟିର ଆହ୍ୱାନ ବୁଝିପାରି ତହିଁରେ ଅସମ୍ମତି ପ୍ରକାଶ କଲା ।

 

ବାରମ୍ୟାନ୍‌ ଟି ଆସି ଟେବୁଲଉପରେ ତା’ର ଗ୍ଲାସଟି ରଖିଦେଇ ଫେରିଗଲା । ସେହି ଛୋଟ କୋଠରୀଟି ଭିତରେ ସେହି ତିନିଜଣଙ୍କ ବ୍ୟତୀତ ଆଉ କେହି ନ ଥିଲେ । ସାନଜଣକ ହଠାତ୍‌ ଉଚ୍ଚକଣ୍ଠରେ କହିଉଠିଲା ‘‘ତୁମର ବନ୍ଧୁଟି ଆଉ ଆସିବ ବୋଲି ମନେ ହେଉନାହିଁ—ଲୋକଟି ବଡ଼ କଦର୍ଯ୍ୟ—ସମୟଜ୍ଞାନ ତ ଆଦୌ ନାହିଁ ।’’

 

ବୟସ୍କା ଜଣକ ବିରକ୍ତ ହୋଇ କହିଲା ‘‘ଇ...ସ...ସ ।’’

 

ସାନ ଜଣକ ପଚାରିଲା ‘‘ମୁଁ କ’ଣ ବର୍ତ୍ତମାନ କୌଣସି କଥା କହି ପାରିବି ନାହିଁ । ମୁଁ ଏହା ଆଗରୁ ଯାହା କହିଛି ଠିକ୍‌ ସେୟା କହିବି । ଯଦି ନ ଆସେ ଲୋକଟା ପୁରାପୁରି ଅଭଦ୍ର ।’’

 

ବୟସ୍କା ତରୁଣୀଟି ସିଧାହୋଇ ବସିଲା, ଯେମିତି ଟିକିଏ ହଲଚଲ ହେଲେ ମୁଣ୍ଡର ଟୋପିଟା ଖସିପଡ଼ିବ । ସେ କହିଲା—‘‘ଖୁବ୍‌ ଭଲକଥା—ତେବେ ଏତେ ପାଟିକରି କହୁଛୁ କାହିଁକି-?’’

 

‘‘କିଏ ପାଟି କରୁଛି ?’’

 

‘‘ତୁ ନିଜେ ।’’

 

‘‘ଠିକ୍‌ ଅଛି, ତେବେ ତୋର କୌଣସି କଥାର ଉତ୍ତର ମୁଁ ଆଉ ଦେବିନାହିଁ ।’’ କିନ୍ତୁ ଏହିସବୁ କଥାବାର୍ତ୍ତା ଭିତରେ ପ୍ରକୃତ କ୍ରୋଧର ଚିହ୍ନ ଟିକିଏ ହେଲେ ନଥିଲା ବରଂ ତା’ ଭିତରେ ଲୁକ୍‌କାୟିତ ହୋଇ ରହିଥିଲା ଆନନ୍ଦର ଏକ ପ୍ରଚ୍ଛନ୍ନ ଧାରା । ଗିୟାକୋମାର ମନେହେଲା ସମ୍ଭବତ–ତା’ର ମନୋଯୋଗ ଆକର୍ଷଣ କରିବା ପାଇଁ ଦୁହେଁ ଚେଷ୍ଟା କରୁଛନ୍ତି । ‘‘ବର୍ତ୍ତମାନ ମୋତେ ଖଣ୍ଡିଏ ସିଗାରେଟ୍‌ ଦେ ।’’

 

ଗିୟାକୋମା ତା’ର ଗ୍ଲାସ ପାଖରେ ରଖିଥିବା ସିଗାରେଟ୍‌ କେସ୍‌ଟାକୁ ଆଗେଇଆସି ସେମାନଙ୍କ ଆଗରେ ନଇଁପଡ଼ି ଖୋଲିଧରିବା ପାଇଁ ସଦାସର୍ବଦା ପ୍ରସ୍ତୁତ ହୋଇ ରହିଥିଲା । ଅନ୍ୟପକ୍ଷରେ ତରୁଣୀଟି ମଧ୍ୟ ତା’ଠାରୁ ସିଗାରେଟ୍‌ ଗ୍ରହଣ କରିବାପାଇଁ କମ୍‌ ଇଚ୍ଛୁକ ନ ଥିଲା । ତରୁଣୀଟି ଗିୟାକୋମାକୁ ଧନ୍ୟବାଦ ଜଣାଇ ବେଶ୍‌ ଶାନ୍ତଭାବରେ କେସ୍‌ଟିକୁ ଉଠେଇନେଲା ଏବଂ ଅନ୍ୟ ତଣୁଣୀଟି ଆଗରେ ଖୋଲିଧରି ପ୍ରଶ୍ନ କଲା ସେ ଧୂମ୍ରପାନ କରିବାକୁ ଇଚ୍ଛୂକ କି ନୁହେଁ । ଗ୍ରହଣ କରିବା ବାସନା ଓ ତରୁଣୀଟିର ଭଙ୍ଗୀମାରେ ତା’ର ଯେଉଁ କ୍ରୋଧ ସଂଚାରିତ ହେଲା ତାହାରି ସଂଘାତରେ ବୟସ୍କା ତରୁଣୀଟି ଦ୍ୱିଧାଗ୍ରସ୍ତ ହୋଇ ପଡ଼ିଲା ।

 

ସେ ବେଶ୍‌ ଦୁଃଖିତ ଭାବରେ ମନ୍ତବ୍ୟ କଲା—‘‘ଏତେ ସହଳ ଜଣେ ଅପରିଚିତ ଭଦ୍ରବ୍ୟକ୍ତିଙ୍କ ପାଖରୁ ସିଗାରେଟ୍‌ ଖାଇବା ମୋଟେ ଉଚିତ ନୁହେଁ ।’’ କିନ୍ତୁ ସେ ନିଜେ ମଧ୍ୟ ସିଗାରେଟ୍‌ ଟାଏ ନେଇ ସେ ଖଣ୍ଡକ ଓଠରେ ଦେବା ଆଗରୁ ନାଁ ପଢ଼ିନେଇ, ବିଦୁଷୀନାରୀମାନଙ୍କ ଭଳି ଛୋଟ ଗୋଟାଏ ଭଙ୍ଗୀମାରେ ସେ ଅଗ୍ନି ସଂଯୋଗ କରିନେଲା । ଅପର ତରୁଣୀଟି ସେତେବେଳକୁ ନିଜ ସିଗାରେଟ୍‌ଟିରେ ଅଗ୍ନି ସଂଯୋଗ କରିନେଇ ଧୂମ୍ର ଉଦ୍‌ଗୀରଣ କରିବାରେ ଲାଗିଥିଲା ।

 

ଦୁହିଁଙ୍କ ମଧ୍ୟରୁ ବୟସ୍କା ତରୁଣୀଟି ସେଯାଏ ଗିୟାକୋମା ପ୍ରତି ବିରୁଦ୍ଧ ମନୋଭାବାପନ୍ନ ଥିବାରୁ ଗିୟାକୋମା ତା’ ଆଡ଼କୁ ଚାହିଁ କହିଲା—‘‘ଭୀଷଣଗରମ !’’

 

ରୀତିଗତ ପ୍ରଶ୍ନ ରେ ତା’ର ମନେହେଲା ଯେ ତାକୁ ଯେମିତି ଅସଙ୍ଗତ ସମ୍ମାନ ପ୍ରଦର୍ଶନ କରାଯାଉଛି । ସେ ଏକ ସ୍ୱାତନ୍ତ୍ର୍ୟ ଓ ଆଭିଜାତ୍ୟପୂର୍ଣ୍ଣ ସ୍ୱରରେ କହିଲା—‘‘କଦର୍ଯ୍ୟ ।’’ କଳେ ଧୂଆଁ ଟାଣିନେଇ ତାକୁ ଛାଡ଼ୁ ଛାଡ଼ୁ ନିଆଁକୁ ଚାହିଁ କହିଲା—‘‘ଏଭଳି ଗରମ କଥା ମୋର ଆଦୌ ମନେ ପଡ଼ୁନାହିଁ ।’’

 

ଛୋଟ ଜଣକ ହସିହସି କହିଲା—‘‘ମୁଁ ଝାଳରେ ଓଦାହୋଇ ପଡ଼ିଛି ।’’ ତା’ପରେ ହାତଯୋଡ଼ାକ ଟେକି ଘର୍ମାକ୍ତ ବାହୁମୂଳ ଦେଖାଇଲା । ‘‘ଏହି ଅଙ୍ଗଭଙ୍ଗୀ ଫଳରେ ତା’ର ସିଲ୍‌କ୍‌ ବ୍ଲାଉଜ ଟି ଟାଣି ହୋଇପଡ଼ିବା ଫଳରେ ଆୟତନ ଅପେକ୍ଷା ସ୍ତନ ଦୁଇଟିର ଓଜନ ପ୍ରକାଶିତ ହୋଇପଡ଼ିଲା । ଏହି ବିବର ଭିତରେ ବସି ନିଶ୍ୱାସ ନେବାକୁ ବି ଯେମିତି କଷ୍ଟ ହେଉଛି ।’’ ବୟସ୍କା ତରୁଣୀଟି ଯେମିତି ଏହି ଭଙ୍ଗୀମାଟିକୁ ବିଶେଷ ସମର୍ଥନ କଲାନାହିଁ । ଏବଂ ବିରକ୍ତିପୂର୍ଣ୍ଣ ଦୃଷ୍ଟିରେ ସଙ୍ଗିନୀଟି ଆଡ଼କୁ ଚାହିଁଲା । ତା’ପରେ ଗିୟାକୋମା ଆଡ଼କୁ ଫେରି କହିଲା—‘‘ଏଇ ଜାଗାଟି ଶୀତକାଳ ପାଇଁ ବେଶ୍‌ ଭଲ; ନୁହେଁ କି ? ଗ୍ରୀଷ୍ମ କାଳରେ ମୁକ୍ତାକାଶ ତଳିର କାଫେ ଗୁଡ଼ିକ ପ୍ରକୃତରେ ସୁନ୍ଦର ।’’

 

ଗିୟାକୋମା ମନକୁମନ କହିଲା ‘‘ତାକୁ ସେମାନଙ୍କ ଟେବୁଲରେ ବସିବାକୁ ଦେଇ ମଧ୍ୟ ବଡ଼ ତରୁଣୀଟି ମଧ୍ୟବିତ୍ତଲୋକଙ୍କ ଭଳି କଥାବର୍ତ୍ତା କରିବାକୁ ଚାହେଁ ।’’

 

ଗିୟାକୋମା ଉତ୍ତର ଦେଲା—‘‘ହଁ, ଖୋଲା ଜାଗାର କାଫେଗୁଡ଼ିକ ଅନେକ ଭଲ, ବିଶେଷ ଭାବରେ ଯେଉଁଗୁଡ଼ିକ ଉଦ୍ୟାନ ଭିତରେ ଅବସ୍ଥିତ ।’’

 

ମହିଳାଟି କହିଲା ‘‘ଆମେ ପ୍ରାୟ ସେିଠିକି ଯାଉ ?’’

 

ଅପର ତରୁଣୀଟି ପ୍ରଶ୍ନ କଲା—‘‘ପୁଣି କେବେ ସେଠିକି ଯିବାର ସୁଯୋଗ ମିଳିଲା ।’’

 

ବଡ଼ଜଣକ ସିଗାରେଟରୁ ପାଉଁଶ ଝାଡ଼ିନେଇ ବସି କହିଲା ‘‘ସବୁ ସମୟରେ, ଆଜି କେବଳ ହଠାତ୍‌ ଆମେ ଏଠିକି ଆସିଯାଇଛୁ, କାରଣ ଆମର ଜଣେ ବନ୍ଧୁଙ୍କର ଆସିବାର ଅଛି ।’’

 

ଗିୟାକୋମା ଲକ୍ଷ୍ୟକଲା ଛୋଟ ଜଣକ ହସୁଛି, ତା’ପରେ କହିଲା ‘‘ଏମିତି ବନ୍ଧୁ ଯେ ତା’ର ନାଁ ପର୍ଯ୍ୟନ୍ତ ଆମର ଜଣାନାହିଁ ।’’

 

ଅନ୍ୟଜଣକ ବିରକ୍ତିମିଶ୍ରିତ କଣ୍ଠରେ କହିଲା—‘‘ତା’ର ଅର୍ଥ ? ବନ୍ଧୁ ଜଣକର ନାଁ...କେତୋଟି ମୁହୂର୍ତ୍ତ ଇତସ୍ତତଃ କରି ସେ ପୁଣି କହିଲା—ତା’ର ନାଁ ମେନୁସି ।’’

 

ଛୋଟ ଜଣକ ପୁଣି ହସିଲା ‘‘କିନ୍ତୁ ମେନୁସି ତ ଆମର ଘର ମାଲିକର ନାଁ ତା’ ସହିତ ଏହାର କି ସଂପର୍କ !’’

 

ବଡଜଣକ ଗିୟାକୋମାକୁ ଚାହିଁ କହିଲା—‘‘ନା...ନା, ଏହା ମୋଟେ ପରିହାସ ନୁହେଁ । ଲୋକଟି କୌଣସି ଦିନ ଆମର ବନ୍ଧୁ ନଥିଲା...ମୋର ତ ମୋଟେ ନୁହେଁ । ରାସ୍ତାରେ ଆମ ସହିତ ତା’ର ଆଳାପ...ଏହା ସ୍ପଷ୍ଟକଥା ।’’ ମନେହେଲା ଯେମିତି ଏହି ସତ୍ୟକଥନ ଭିତରେ ଛୋଟଜଣକ ଗୋଟାଏ ଧରଣର ଇନ୍ଦ୍ରିୟପରତାନ୍ତ୍ର ନିଷ୍ଠୁରତା ଫୁଟେଇ ତୋଳୁଛି । ପ୍ରତିହିଂସାରେ ତା’ର ଚକ୍ଷୁଯୋଡ଼ିକ ଜ୍ୱଳଜ୍ୱଳ କରି ଉଠିଲା...ନାଶାରନ୍ଧ୍ର ଯୋଡ଼ିକ ଥରିବାକୁ ଲାଗିଲା ।

 

ବଡ଼ଜଣକ ଗିୟାକୋମାର ଆଡ଼କୁ ଫେରିପଡ଼ି କହିଲା—‘‘ଯେମିତି ସିଏ ହିଁ ତାକୁ ବୁଝିପାରିବ, ଯାହାହେଉ ଏହା ଗୋଟାଏ କାଫେ, ଏବଂ ସେ ବେଶ୍‌ ଭଦ୍ରଭାବରେ ଆମର ସଙ୍ଗକାମନା କରେ...ଠିକ୍‌ ଆପଣ ଯେମିତି ଚାହାଁନ୍ତି ।’’ ନିଜର ଭଉଣୀକୁ ଚାହିଁ ଶେଷକଲା ‘‘ତୁ ଯଦି ଏମିତି ଭାବରେ କଥାବାର୍ତ୍ତା କରୁ ତେବେ ଭଦ୍ରଲୋକ ଆମ ସମ୍ବନ୍ଧରେ କି ଧାରଣା କରିବେ ଭଗବାନ ଜାଣନ୍ତି ।’’

 

କିନ୍ତୁ ଛୋଟଜଣକ ନିଜ ସିଟ୍‌ରେ ବସି ହସିବାକୁ ଲାଗିଲା । ତା’ର ସୁନ୍ଦର ମୁହଁଟି ଅସଦୟ ଆନନ୍ଦରେ ଉଦ୍‌ଭାସିତ ହୋଇଉଠିଲା । ‘‘ସେ ଯାହା ଭାବିବାର କଥା ଭାବି ସାରିଛନ୍ତି—ତୁ ଚିନ୍ତା କରନା । ତା’ ହୋଇ ନ ଥିଲେ ଏ ଧରଣର ମୁହଁର ଭାବ ପ୍ରକାଶ କରି ସେ ଆମପାଖକୁ ଆସି ନ ଥାନ୍ତେ । ସେଇୟା ନୁହେଁ ମିଛ...ହଁ ଆପଣଙ୍କ ନାଁଟା ? ଗତକାଲି ସେହି ଭଦ୍ରଲୋକଙ୍କ ନାଁ ଟା ପଚରା ହୋଇନାହିଁ...ଆଉ ଦେଖୁଛନ୍ତି ତ ବର୍ତ୍ତମାନର ଅବସ୍ଥା ।’’

 

ଯୁବକଟି କହିଲା—‘‘ମୋର ନାଁ ଗିୟାକୋମା ।’’ ତରୁଣୀଟିର କଥାରେ ଅଳ୍ପ ବିରକ୍ତି ଓ କୌତୁକ ଅନୁଭବ କରି କହିଲା ‘‘ହଁ ଆପଣମାନେ ଯାହା ଭାବିଛନ୍ତି ସେହି କାରଣରେ ହିଁ ଆପଣଙ୍କ ଟେବୁଲକୁ ଆସିଛି । ମୋର କିନ୍ତୁ ଭୁଲ ବି ତ ହୋଇପାରେ... ।’’

 

ଛୋଟ ଜଣକ ହସି ହସି କହିଲା—‘‘ମୋଟେ ନୁହଁ...ଆପଣ ମୋଟେ ଭୁଲ୍‌ କରି ନାହାନ୍ତି-।’’

 

ବଡ଼ଜଣକ ବେଶ୍‌ ଗମ୍ଭୀର ଭାବରେ ସେମାନଙ୍କ କଥାବାର୍ତ୍ତା ମଝିରେ କହିଲା—‘‘ମୋର ନାଁ ରିନା, ଆଉ ଇୟେ ମୋର ଭଉଣୀ ଲୋରି ।’’

 

ତା’ର ଭଉଣୀ ପୁନରାୟ ହସିବାକୁ ଲାଗିଲା । ’ ତୋର ନାଁ ରିନା ନୁହେଁ, ଟେରେସା ଓ ମୋର ନାଁ ମଧ୍ୟ ଲୋରି ନୁହେଁ ଗିୟୋଭାନା ।’’

 

ବଡ଼ଜଣକ ଉତ୍ତର ଦେଲା ‘‘ରିନା ଓ ଲୋରି ନାଁ ଯୋଡ଼ାକ ମୋର ଅତିପ୍ରିୟ ନାଁ ଯୋଡ଼ାକ ବେଶ୍‌ ଛୋଟ... । ଲୋରି ଦୟାକରି ତୁ ହସିବା ବନ୍ଦକର ।’’

 

‘‘ମୁଁ କ’ଣ ହସି ବି ପାରିବି ନାହିଁ ?’’

 

‘‘ତୁ, ବଡ଼ ଅସଭ୍ୟ !’’

 

ଲୋରି କହିଲା—‘‘ମୁଁ ମୋଟେ ଅସଭ୍ୟ ନୁହେଁ ।’’ ତଥାପି ସେ ଗମ୍ଭୀର ହୋଇପଡ଼ିଲା ଯେମିତି ତା’ର ଭଉଣୀର କଥାରେ ସେ ଆହତ ।

 

ଗିୟାକୋମା ପଶ୍ନକଲା—‘‘ଆପଣଙ୍କର ପଦବୀ କ’ଣ ?’’

 

ରିନା ଲଜ୍ଜା ଓ ଅନୁଶୋଚନାରେ ଆଖିଯୋଡ଼ିକ ନୁଆଁଇ କହିଲା—‘‘ପାନିଗାତ୍ତି ।’’ ତା’ର ଏହି ଲଜ୍ଜିତ ଭାବ ଦେଖି ଗିୟାକୋମା କୌତୁକ ଅନୁଭବ କରି କହିଲା—‘‘ସିସିଲିରେ କାନକାତ୍ତି ନାମକ ଗୋଟାଏ ସ୍ଥାନ ଅଛି ।’’

 

‘‘ନା ଆମର ପଦବୀ ପାନଗାତ୍ତି, ତା’ ବ୍ୟତୀତ ଆମେ ସିସିଲିର ଅଧିବାସୀ ନୋହୁ ।’’

 

‘‘ତେବେ ଆପଣମାନେ କେଉଁ ଦେଶର ବାସିନ୍ଦା ?’’

 

ରିନା ଉତ୍ତର ଦେଲା—‘‘ଆମେ ଭେରେନାର ଅଧିବାସୀ ।’’ ଏହି କଥାରେ ଲୋରି ପ୍ରତିହିଂସାରେ ଜର୍ଜରିତ ହୋଇ ମନ୍ତବ୍ୟ କଲା—‘‘ଆମେ ମିଇଲୋର ଅଧିବାସୀ—ନାଁଟା ଶୁଣିବାକୁ ବିଲେଇର ସ୍ୱରଭଳି ହୋଇଥିବାରୁ ତାହା ତା’ର ପସନ୍ଦ ନୁହେଁ ।’’

 

ଗିୟାକୋମା ପଚାରିଲା— ‘‘ଆପଣମାନେ କିଛି ପିଇବେ ?’’

 

ଲୋରି ଉତ୍ସାହର ଅତିଶଯ୍ୟାରେ କହି ଉଠିଲା—‘‘ହଁ...ହଁ...ସ୍ୟାମ୍ପେନ୍‌ ସ୍ୟାମ୍ପେନ... ।’’

 

ରିନା ଟେବୁଲ ଉପରୁ ଗ୍ଲୋଭସ ଯୋଡ଼ାକ ଉଠେଇ ନେଇ ହାତରେ ପିନ୍ଧୁ ପିନ୍ଧୁ କହିଲା–‘ମୋର ମନେ ହେଉଛି ଅନ୍ୟ କେଉଁଠିକି ଗଲେ ଭଲ ହୁଅନ୍ତା...ଆପଣଙ୍କ ମତ କ’ଣ-?’’

 

ଗିୟାକୋମା ପଚାରିଲା—‘‘ଆପଣଙ୍କର ବନ୍ଧୁ ମେନୁସିର କ’ଣ ହେବ ?’’

 

ରିନା ଗିୟାକୋମାକୁ ଚାହିଁ କହିଲା–‘‘ସେ ଆଉ ଆସିବେ ବୋଲି ମନେ ହେଉନାହିଁ ।’’ କିନ୍ତୁ ଲୋରି କହି ଉଠିଲା—‘ଓଃ...ଆମ ସହିତ ହୁଏତ ଆଉ ତା’ର ଦେଖି ବି ହେବନାହିଁ । ମୋର ମନେହେଉଛି ଲୋକଟି ଖସି ପଳେଇଛି ।’’

 

ସେମାନେ ତିନିହେଁ ଉଠିପଡ଼ି ଦରଜା ଆଡ଼କୁ ଆଗେଇ ଗଲେ । ‘ବାର୍‌’ ପାଖକୁ ଯାଇ ଗିୟାକୋମା ବିଲ୍‌ଟି ମାଗିଲା ।

 

ବାରମ୍ୟାନ୍‌ଟି ପଚାରିଲା—‘‘ଆପଣ କ’ଣ ତିନୋଟିଯାକ ମଦର ଦାମ୍‌ ଦେବେ ?’’

 

‘‘ହଁ...ଆଉ ଗୋଟାଏ ପ୍ୟାକେଟ୍‌ ଇଜିପ୍‌ ସିୟାନ୍‌ ସିଗାରେଟ୍‌ ।’’

 

‘‘ସବୁ ମିଶି ଷାଠିଏ ଲିରା ।’’

 

ଗିୟାକୋମା ସିଗାରେଟ୍‌ ପ୍ୟାକେଟଟି ନେଇ ବିଲ୍‌ଟି ବୁଝେଇ ଦେଲା ।

 

ବାରମ୍ୟାନ୍‌ କାଉଣ୍ଟର ପଛରେ ନଇଁପଡ଼ି ତାକୁ ଅଭିବାଦନ କରି ଶୁଭରାତ୍ରି କାମନା କଲା ।

 

ଲମ୍ବା ଗଛତଳେ ବିବିଡ଼ ଭାବରେ ବସା ଯାଇଥିବା ଚଉଡ଼ା ଫୁଟପାଥ୍‌ ଉପରକୁ ସେମାନେ ବାହାରି ଆସିଲେ । ପୂର୍ଣ୍ଣିମାର ଚନ୍ଦ୍ର, ବୃକ୍ଷାନ୍ତରାଳରୁ ଅ୍ୟାସଫଲ୍‌ଟର ରାସ୍ତା ଓ ଫୁଲର କିଆରି ଗୁଡ଼ିକୁ ଆଲୋକିତ କରି ତୋଳିଥିଲା । ସେହି ଆଲୋକର ସବୁଜ, ନାଲି, ହଳଦୀ ଓ ନୀଳ ରଙ୍ଗର ଫୁଲ ଗୁଡ଼ିକ ମନେ ହେଉଥିଲା ଅବାସ୍ତବ ଓ ଅଦ୍ଭୁତ ।

 

ଗିୟାକୋମା ପଚାରିଲା— ‘‘ଆମେ ବର୍ତ୍ତମାନ କେଉଁଠିକି ଯିବା ?’’

 

ଲୋରି ଉତ୍ତର ଦେଲା— ‘‘ଯେଉଁଠି କିଛି ପାନ କରାଯାଇ ପାରିବ । ମୁଁ ଅନେକ ସମୟ ହେଲା ଶୁଖିଲା ମୁହଁରେ ବସି ରହିଛି—ମୋତେ ଭୀଷଣ ଶୋଷ ହେଉଛି ।’’

 

ରିନା କହିଲା— ‘‘ମୋର ମନେହୁଏ ‘ସ୍ପେଲନ୍‌ଡ଼ିଡ଼’ ର ‘ବାର୍‌’କୁ ଗଲେ ଭଲହେବ ।’’

 

ଲୋରି ପ୍ରତିବାଦ କରି କହିଲା—‘‘ଭଗବାନଙ୍କ ରାଣ—ସେଠିକି ନୁହେଁ,...ସେଇଠି ବି ଶ୍ୱାସରୁଦ୍ଧ ହୋଇପଡ଼େ ।’’

 

ଗିୟାକୋମା କହିଲା–—‘‘ତେବେ ଆଙ୍କାସ ମାର୍କିୟୁସ ଗୁହାକୁ ଚାଲନ୍ତୁ ।’’

 

ଜାଗାଟା ପାଖରେ ଥିଲା । କାଫେଟି ମାଟିତଳେ ରୋମାନ ମଦ୍ୟପାତ୍ର, କବରର ଫଳକ ଓ ଧ୍ୱଂସ ସ୍ତୂପରେ ସଜ୍ଜିତ ହୋଇଥିଲା । ଛୋଟ ଛୋଟ ଘର ଓ ବିଶ୍ରାମ ନେବା ପାଇଁ ଅନେକ ଜାଗା ପଥର କାଟି ତିଆରି କରାହୋଇ ଦେବାଲ ସାହାଯ୍ୟରେ ଆଢ଼ୁଆଳ କରା ହୋଇଥିଲା, ଯେଉଁଠି ଲୋକେ ନିରୁପଦ୍ରବ ଭାବରେ ଆଳାପ ଆଲୋଚନା କରି ପାରିବେ । ଜାଗାଟା ବିଶେଷ ସମ୍ଭ୍ରାନ୍ତକର ନ ଥିବାରୁ ରିନା ଆଦୌ ପସନ୍ଦ କରୁ ନ ଥିଲା । ଲୋରି କିନ୍ତୁ ଗିୟାକୋମାର ବାହୁଟି ବେଶ୍‌ ଆଗ୍ରହ ସହିତ ଚାପି ଧରିଥିଲା ।

 

ସେ କହିଲା–‘‘ହଁ...ହଁ...ସେଇଠିକି ଚାଲନ୍ତୁ । ଆଚ୍ଛା ଆଙ୍କସ ମାର୍କିୟୁସ କ’ଣ ଥିଲେ ?’’

 

‘‘ରୋମର ଜଣେ ରାଜା ।’’

 

ସେମାନେ ପ୍ରଶସ୍ତ ନିର୍ଜନ ଫୁଟ୍‌ପାଥ୍‌ରେ ମନ୍ଥରଗତିରେ ଚାଲି ଗୁହା ଆଗରେ ପହଞ୍ଚିଲେ-। ମାଟି ତଳକୁ ଓହ୍ଲେଇବା ପାଇଁ ଥିଲା ଗୋଟାଏ ଲାଲ ଇଟାରେ ତିଆରି ସିଡ଼ି । ପ୍ରବେଶ ପଥରେ ଅଙ୍ଗସଜ୍ଜା ସ୍ୱରୂପ ଯୋଡ଼ାଏ ବିରାଟ ମଦର ଭେସ ବସାଯାଇଥିଲା । ଗୋଟାଏ କଳାରଙ୍ଗର କ୍ଷୟ ହୋଇଯାଇଥିବା ପପଥର ସ୍ଲାବ୍ ପାଖରେ ଆଗେଇ ଯାଉ ଯାଉ ସେମାନେ ତମାଖୁ ଓ ମଦର ମିଶ୍ରିତ ଆଇଁସିଆ ଗନ୍ଧ ପାଇଲେ ଏବଂ ଶୂନ୍ୟ କଣ୍ଠସ୍ୱର ଓ ସଙ୍ଗୀତର ଶବ୍ଦ ସେମାନଙ୍କୁ ଯେମିତି ଅଭିବାଦନ ଜଣାଇଲା । ଗୁହାଟି ବିରାଟ ବଡ଼ ଓ ସର୍ପିଳ । ସିଡ଼ିତଳ ପାହାଚରୁ ବଙ୍କି ନୀଚ୍ଚା ଛାତ ତଳର ସଜ୍ଜିତ ହୋଇଥିଲା ବଡ଼ବଡ଼ ଟେବୁଲ, ଆଉ ତା’ ଉପରେ ଖଚିତ ହୋଇଥିଲା ମଦ୍ୟପାତ୍ର-। ଟେବୁଲର ଚାରିପାଖରେ ବସି ରହୁଥିଲେ ଦଳ ଦଳ ହୋଇ ସ୍ତ୍ରୀ ଓ ପୁରୁଷ-। ମନେହେଲା ଖିଲାଣ, ପାହାଚ, ଚତୁଷ୍କୋଣ ସ୍ତମ୍ଭ ଓ ପୋସ୍ତାରେ ଜାଗାଟି ଯେମିତି ମାଟିତଳେ ପ୍ରାଚୀନ ହଲଘରର ଅନୁକରଣ କରିଛି ।

 

ଆନନ୍ଦରେ ତାଳି ଦେଇ ଲୋରି କହି ଉଠିଲା—‘‘ବାଃ...ଚମତ୍କାର ! ଏହା ଖୁବ୍‌ ପୁରାତନ, ନୁହେଁ ? ଏହା ପୂର୍ବକାଳରେ ମାଟିତଳେ ଖ୍ରୀଷ୍ଟିୟାନମାନେ ଯେୁଁ ସବୁ ସ୍ଥାନରେ ମିଳିତ ହେଉଥିଲେ ଠିକ୍‌ ସେହିପରି ସେ ଜାଗାଗୁଡ଼ିକୁ କ’ଣ କୁହାଯାଏ ଟି ?’’

 

ଗିୟାକୋମା ଉତ୍ତର ଦେଲା–‘‘କ୍ୟାଟାକୁମ୍ଭସ୍‌ ।’’

 

‘‘ଠିକ୍‌–ଠିକ୍ କ୍ୟାଟାକୁମ୍ଭସ ! ତୁ କିନ୍ତୁ ମୋତେ କେବେ ଏମିତି ସ୍ଥାନକୁ ଆଣିନୁ ।’’

 

ତା’ର ଭଉଣୀ କହିଲା–‘‘ସତ କହିବାକୁ ଗଲେ ଏସବୁ ସ୍ଥାନ ସମ୍ବନ୍ଧରେ ମୋର ମୋଟେ ଖିୟାଲ ହିଁ ନ ଥିଲା ।’’

 

ଟେବୁଲରେ ବସି ରହିଥିବା ଲୋକଗୁଡ଼ିକ ସେମାନଙ୍କୁ ଅବାକ୍‌ ହୋଇ ଚାହିଁ ରହିଲେ । ଲୋରି ଦେଖିଲା ଅଧିକାଂଶ ସାଧାରଣ ସ୍ତରର ପୁରୁଷ ସେମାନଙ୍କର ତରୁଣୀ ବନ୍ଧୁମାନଙ୍କୁ ନେଇ ଆସିଛନ୍ତି । କେତେଗୁଡ଼ିଏ ବଡ଼ ବଡ଼ ଦଳ ବସି ରହି ମଦ୍ୟପାନ କରୁଛନ୍ତି । ସେମାନଙ୍କ ହାସ ପରିହାସର ଶବ୍ଦ ସେ ଭିତରେ ପ୍ରତିଧ୍ୱନି ସୃଷ୍ଟି କରୁଛି । ଶେଷଆଡ଼କୁ ଅଳ୍ପ ଦୂରରେ ଗୋଟାଏ ଛୋଟ ପ୍ଲାଟଫର୍ମ ଉପରେ ତିନି କି ଚାରି ଜଣ ବାସ ଓ ବେହେଲା ବାଦକ ନିଜ ଯତ୍ନରେ ସୂର ସଂଯୋଗ କରୁଛନ୍ତି ।

 

ଗିୟାକୋମା କହିଲା–‘‘ଚାଲନ୍ତୁ...ସେ ଆଡ଼କୁ ଯିବା ।’’ ଟେବୁଲ ଗୁଡ଼ିକ ବୁଲି ପ୍ରଥମ କୋଠରୀଟି ପାରି ହୋଇ ସେମାନେ ଲାଲ ଇଟାର କାନ୍ଥ ଦେଇ ଗୋଟାଏ ସରୁ କୋରିଡ଼ରରେ ଉପସ୍ଥିତ ହେଲେ ଏବଂ ଉକ୍ତ କୋରିଡ଼ର ପାରେଇ ସେମାନେ ଫପିୟା ଅମଳର ଗୋଟାଏ ଛୋଟ ଘରେ ପହଞ୍ଚିଲେ । ଏହି ଘରର କାନ୍ଥମାନଙ୍କରେ ଅଙ୍କିତ ହୋଇଥିଲା କ୍ୟୁପିଡ଼, ବନଦେବତା ଓ ନଗ୍ନ ତରୁଣୀ ମାନଙ୍କର ଛବି । ସେ ଗୁଡ଼ିକ ଜଣେ ବିଶେଷଜ୍ଞ ଦ୍ୱାରା ସୁରକ୍ଷିତ, ଅତୀତ ଶିଳ୍ପକଳାର ପରିଚୟ ଦେଉଥିଲା; କିନ୍ତୁ କ୍ରେତାଗଣ ତାକୁ ବିକୃତ କରି ତା’ ଉପରେ ପେନ୍‌ସିଲରେ ନିଜର ନାଁ ସ୍ୱାକ୍ଷର କରିଥିଲେ । ଛାତରୁ ଝୁଲୁଥିବା ଗୋଟାଏ ଲୁହାର ଦୀପଦାନୀ । ସମସ୍ତ ଘରଟିକୁ ଆବୋରି ବସିଥିଲା ଗୋଟାଏ ବଡ଼ ଟେବୁଲ ଓ କେତେ ଗୁଡ଼ିଏ ଚେୟାର । ଗିୟାକୋମା ଟେବୁଲର ଶେଷ ମୁଣ୍ଡରେ ଯାଇ ବସିଲା, ତା’ର ଡାହାଣ ପାଖରେ ବସିଲା ରିନା ଓ ବାଁ ପାଖରେ ଲୋରି ।

 

‘‘ଆପଣମାନେ କ’ଣ ପାନ କରିବେ ?’’

 

ଲୋରି କହିଲା–‘‘ଆପଣଙ୍କ ଯାହା ଇଚ୍ଛା...ଭଲ ହେଲେ ହେଲା ।’’

 

ଗିୟାକୋମା ପାନୀୟ ପାଇଁ ଅର୍ଡ଼ର ଦେଇ କଥାର ଖିଅ ଧରି ସେମାନଙ୍କର ପୂର୍ବର କଥାବାର୍ତ୍ତାକୁ ଫେରିଗଲା । କହିଲା—‘‘ତାହାହେଲେ ଆପଣମାନେ ସିଇଲୋର ଆସିଛନ୍ତି ।’’

 

ଲୋରି ଉତ୍ତର ଦେଲା—‘‘ହଁ, କିନ୍ତୁ ମୁଁ ରୁହେ ମିଲାନରେ, ଆଉ ମୋର ବଡ଼ ଭଉଣୀ ଏଇଠି ରୁହେ । ଆମେ ପ୍ରାପ୍ତ ଦୁହେଁ ଦୁହିଁଙ୍କ ପାଖକୁ ଯାଇଥାଉଁ ।’’

 

ରିନା କହିଲା—‘‘ମୋତେ ମିଲାନ ମୋଟେ ଭଲ ଲାଗେନା । ଶୀତକାଳରେ ସେଇଠି ଭୀଷଣ ଥଣ୍ଡା...ଥଣ୍ଡାରେ ମୁଁ ଅସୁସ୍ଥ ହୋଇପଡ଼େ । ତେଣୁ ମୋତେ ଗରମ ଜାଗା ଭଲଲାଗେ ।’’ ଗିୟାକୋମା ପ୍ରଶ୍ନକଲା—‘‘ଆପଣଙ୍କ କି ଧରଣର ଅସୁସ୍ଥତା ଜାଣିପାରେ କି ?’’

 

ନିଜର ବୁକୁ ଉପରେ ଗୋଟାଏ ହାତ ରଖି ସେ କହିଲା—‘‘ମୁଁ ବଡ଼ ରୁଗ୍‌ଣ ।’’

 

ଗିୟାକୋମା ଲକ୍ଷ୍ୟ କରି ଦେଖିଲା ତା’ର ବୁକୁଟି ରୁଗ୍‌ଣ ଓ ଚେପ୍‌ଟା, କିନ୍ତୁ ତା’ର ମୁହଁ ଫୁଲାଫୁଲା ଆଖିପତାରେ ଏମିତି ଏକ ଭାବ ପ୍ରକାଶ ପାଉଥିଲା ଯାହାଫଳରେ ଗିୟାକୋମା କୌତୁହଳୀ ହୋଇ ଉଠିଲା ।

 

ଲୋରି କହିଲା—‘‘ଏହା ମୋଟେ ସତ ନୁହେଁ, ଅସଲ କାରଣ ତା’ର ଏଠି ଜଣେ ବନ୍ଧୁ ରହିଛନ୍ତି ।’’

 

‘‘ସେ କ’ଣ କରନ୍ତି ?’’ ଗିୟାକୋମା ପ୍ରଶ୍ନକଲା । ରିନା ଲଜ୍ଜିତ ଭାବରେ ଉତ୍ତର ଦେଲା–‘‘ବ୍ୟବସାୟ ।’’

 

ଲୋରି ହସି ହସି ନିଜର ନାକ ଘସିବାକୁ ଲାଗିଲା, ଯେମିତି ରିନା ପ୍ରଣୟୀର ନାଁରୁ ବି ଗୋଟାଏ ଅଶ୍ଲୀଳ ଗନ୍ଧ ସେ ଅନୁଭବ କରୁଛି । ତା’ପରେ କୌତୁକ କରି କହିଲା–‘‘ସେ ଫଳମୂଳ ବିକ୍ରିକରେ ।’’ ୱେଟର ପାନୀୟ ଆଣି ହାଜର ହେଲା । କର୍କଟି ଖୋଲିଦେଇ ଗିୟାକୋମା ‘ଆଲିୟାଟିକୋ’ ମଧ୍ୟ ବଡ଼ ବଡ଼ ସବୁଜ ଗ୍ଲାସରେ ଢାଳିନେଲା । ଗିୟାକୋୱମାକୁ ଚାହିଁ ଲୋରି କହିଲା—‘‘ବେଶ୍‌ ଭଲ...ଦାମିକା ଜିନିଷ ।’’

 

ତା’ର ଭଉଣୀ ତାକୁ ଇଙ୍ଗିତ ଦେଇ କହିଲା—‘‘ଆଲିୟାଟିକୋ’’ । ଗିୟାକୋମା ଏକା ନିଶ୍ୱାସରେ ପ୍ରଥମ ଗ୍ଲାସଟି ଶେଷ କରିଦେଇ ଦ୍ୱିତୀୟଥର ପାଇଁ ଢାଳିନେଲା । ରିନା ଓ ଲୋରି ବି ସେମାନଙ୍କର ଗ୍ଲାସ ଗୁଡ଼ିକ ନିଃଶେଷ କରିଦେଲେ । ଗିୟାକୋମା ଶୂନ୍ୟପାତ୍ର ଗୁଡ଼ିକରେ ପୁନରାୟ ଭର୍ତ୍ତି କରିଦେଲା ପାନୀୟ । ତା’ପରେ ୱେଟରକୁ ଡାକି ଆଉ ଗୋଟାଏ ବୋତଲ ଆଣିବା ପାଇଁ ଆଦେଶ ଦେଲା । ଗିୟାକୋମା ପରିହାସ ଛଳରେ ରିନାକୁ ପଚାରିଲା—‘‘ଆପଣଙ୍କ ବନ୍ଧୁ ବର୍ତ୍ତମାନ କେଉଁଠି ଅଛନ୍ତି ?’’

 

—‘‘ବିଦେଶରେ ।’’

 

ଲୋରି ହସି ହସି କହିଲା—‘‘ହଠାତ୍‌ ଆସିଯିବାର କୌଣସି ଭୟ ନାହିଁ, କାରଣ ସେ ଆସିବା ପୂର୍ବରୁ ଟେଲିଗ୍ରାମ ବା ଟେଲିଫୋନ କରେ । ଲୋକଟିର ବ୍ୟବହାର ବେଶ୍‌ ଭଦ୍ର । ନୁହେଁ ଲୋ ?’’ ସେହି ହସ ଆଉ ପ୍ରଶ୍ନ ଭିତରେ ଏକ ପ୍ରଚ୍ଛନ୍ନ ବ୍ୟଙ୍ଗ ଲୁକ୍‌କାୟିତ ହୋଇ ରହିଥିଲା ।

 

ବିନା ବିରକ୍ତ ଭାବରେ କହିଲା—‘ଲୋରି ! ତା ସମ୍ବନ୍ଧରେ ଏଭଳି ଦାୟିତ୍ୱହୀନ ଭାବରେ ତୁ ମନ୍ତବ୍ୟ ଦେ’ନା, ତୁ ତାକୁ ମୋଟେ ଭଲ ଭାବରେ ଚିହ୍ନିନୁ ।’’

 

ଲୋରି ହଠାତ୍‌ କହିଲା—‘‘ତୁ ତାକୁ ଯେତେଟା ଭଲ ବୋଲି କହୁ ସେ ସେତେଟା ସତ୍‌ ନୁହେଁ । ତା’ ସହିତ ପ୍ରତାରଣା କରି ତୁ ଠିକ୍‌ କରିଛୁ । ଏଥିପାଇଁ ମୁଁ ତୋତେ ଆଦୌ ଦୋଷ ଦେଉନାହିଁ ।’’ ରିନା ଆଉ କୌଣସି କଥା କହିଲା ନାହିଁ । ଗିୟାକୋମା ଭାବିଲା ତାକୁ ରିନାକୁ ହିଁ ଜୟ କରିବାକୁ ହେବ, କିମ୍ବା ଅନ୍ତତପକ୍ଷେ ତାକୁ ହାତ କରିବାକୁ ପଡ଼ିବ । ନିଜର ଇଚ୍ଛାକୁ ପ୍ରକାଶ ନ କରି ସେ ଟେବୁଲ ତଳେ ହାତ କରିବାକୁ ପଡ଼ିବ । ନିଜର ଇଚ୍ଛାକୁ ପ୍ରକାଶ ନ କରି ସେ ଟେବୁଲ ତଳେ ହାତ ବଢ଼େଇ ରିନାର ଆଣ୍ଠୂ ଉପରେ ରଖିଲା । ରିନା ତାକୁ କପଟାଚାରୀର ଦୃଷ୍ଟିରେ ଚାହିଁ ପ୍ରଶ୍ନକଲା—‘‘ଆଉ ଆପଣ ? ଆପଣ କେଉଁ ଦେଶର ଲୋକ ?’’

 

ଗିୟାକୋମା ଉତ୍ତର ଦେଲା—‘‘ଆନ୍‌କୋନା ।’’

 

ପରିଚ୍ଛଦଟି ଅପସାରଣ କରି ଗିୟାକୋମାର ହାତ ରିନାର ଆଣ୍ଠୂ ଉପରୁ ଉରୁଦେଶ ପର୍ଯ୍ୟନ୍ତ ଉଠିଗଲା । ଦେଖିଲା ରିନା ଖୁବ୍‌ ଜୋରରେ କସିନେଇ ଗାର୍ଟରଟାକୁ ପିନ୍ଧିଛି । ଗାର୍ଟର ଉପର ମାଂସପେଶି ଏମିତି ଭାବରେ ଫୁଲିଉଠିଛି ଯେମିତି ସ୍ପର୍ଷ ମାତ୍ରକେ ଫାଟି ପଡ଼ିବ । ସ୍କାର୍ଟତଳର ବସ୍ତ୍ର ସୁନ୍ଦର ଭାବରେ ପରିହିତ । ସିଲ୍‌କର ବୋତାମ ଓ ଲେସଲଗା ଜଙ୍ଘିଆଟି ଜଟିଳ ଧରଣର । ମୋଟେ ହଲଚଲ ନ ହୋଇ ବା ଗିୟାକୋମାର ହାତଟି ଅପସାରଣ ନ କରି ସେ କହିଲା—‘‘ଆନ୍‌କୋନା, ବେଶ୍‌ ଭଲ ଜାଗା ।’’ କୌଣସି ପ୍ରକାର ଈର୍ଷାର ଭାବ ମୁହଁରେ ନ ଆଣି ଲୋରି ଚିତ୍କାର କରି କହି ଉଠିଲା—‘‘ତୁମେ ଦୁହେଁ ବୋଧହୁଏ ଭାବୁଛ ମୁଁ କିଛି ଦେଖି ପାରୁନାହିଁ । ବେଶ୍‌ବେଶ୍‌ ଚଳେଇନିଅ, ମୋ କଥା ଚିନ୍ତା କରିବାର ପ୍ରୟୋଜନ ନାହିଁ ।’’

 

ଗିୟାକୋମା ତା’ର ହାତଟି ଅପସାରଣ କରିନେଲା । ସେ ଭାବିଲା ରିନା ଯାହା ଚାହେଁ ସେ ଠିକ୍‌ ସେୟା କରୁଛି । ତା’ର ଗୋଡ଼ର ମୁକ୍ତ ମାଂସପେଶି ଉପରେ ପୁଣି ହାତଟା ରଖିଲା ଏବଂ ନିରପେକ୍ଷତା ପ୍ରଦର୍ଶନ କରିବାକୁ ଆର ହାତରେ ସେ ଲୋରୀର କଟୀବେଷ୍ଟନ କଲା । ମଦ୍ୟପାତ୍ରଟି ଓଠ ପାଖକୁ ନେଇ ଲୋରି ତା’ର ବଡ଼ ବଡ଼ ଦୁଷ୍ଟାମୀ ଭରା ଦୁଇ ଆଖିରେ ଗିୟାକୋମାକୁ ଚାହିଁ ହସିଲା । ଗିୟାକୋମା ଆଗକୁ ନଇଁପଡ଼ି ଲୋରିର ଗଳାରେ ଚୁମ୍ବନ କଲା ।

 

ରିନା ଗିୟାକୋମାର ହାତଟି ଅପସାରଣ କରିଦେଇ ସ୍କାର୍ଟଟି ତଳକୁ ଖସେଇ ଦେଲା । ସେ ଈର୍ଷାରେ ଏମିତି କଲାବୋଲି ଗିୟାକୋମାର ମନେ ହେଲାନାହିଁ—କିୟତ୍‌ ସୌଜନ୍ୟତାର ଭାବ ଥିଲା ତା’ର ଭଙ୍ଗୀରେ । ଠିକ୍‌ ସେତିକିବେଳେ ଘରର ମଉ ଗୋଟାଏ ଦିଗରୁ କେତେଜଣ ବ୍ୟକ୍ତି ଚାଲିଗଲେ । ଗିୟାକୋମା ଲୋରିକୁ ପ୍ରଶ୍ନକଲା—‘‘ତୁମେ ମିଲାନରେ କ’ଣ କର ?’’

 

ସେ ହସି ହସି କହିଲା—‘‘ମୁଁ କ’ଣ କରେ ?’’

 

ରିନା ବେଶ୍‌ ଗର୍ବିତ ଭାବରେ କହିଲା—‘‘ସେ ମଡ଼େଲ ହେବାର କାମ କରେ ।’’ ଲୋରି ପ୍ରତିବାଦ କରି ଅତୀତ ଉପରେ ଜୋର ଦେଇ କହିଲା—‘‘ମୁଁ ମଡ଼େଲ ହେବାର କାମ କରୁଥିଲି; କିନ୍ତୁ ବର୍ତ୍ତମାନ ଏଠି ରିନା ଯାହା କରେ ମୁଁ ସେଠି ଠିକ୍‌ ସେୟା କରେ ।’’

 

ରିନା ବିରକ୍ତ ହୋଇ କହିଲା–‘‘ତୁ କହିଁକି କଥା କହୁଛୁ ? ତୁ ସବୁବେଳେ ନିଜକୁ ଅନ୍ୟ ରୂପରେ ଦେଖେଇବା ପାଇଁ ଚେଷ୍ଟା କରୁଛୁ ।’’

 

ଅବାକ୍‌ ହେବାର ଛଳନା କରି ଲୋରି କହିଲା–‘‘କଥା ଶୁଣ !’’ ସେତେବେଳକୁ ତା’ର ଅବସ୍ଥା ଅଣାୟତ୍ତ...ତା’ର ମଦମତ୍ତ ଆଖି ଯୋଡ଼ିକରେ ଫୁଟିଉଠୁଥିଲା ଅଦ୍ଭୁତ ଭଙ୍ଗୀମା । ‘‘ଶୁଣ କଥା–‘‘ମୁଁ କିଛି ଅସତ୍‌ କାର୍ଯ୍ୟ କରୁନାହିଁ । ମୁଁ ଭଦ୍ରଘରର କନ୍ୟା, ମୁଁ ମୋର ଇଚ୍ଛାନୁସାରେ ଚଳେଁ ।’’

 

‘‘କଥା ଶୁଣ ! ବେଶ୍‌ ମୁଁ ବି ତ ସେୟାକରେ । ମୁଁ ବି ଭଦ୍ରଗୃହସ୍ଥର କନ୍ୟା–ସନ୍ଧ୍ୟାରେ ମୁଣ୍ଡରେ ଟୋପିଟି ଦେଇ କୌଣସି ରେସ୍ତୋରାଁକୁ ଯାଏ କିମ୍ବା କୌଣସି କାଫେରେ ବସି ଆମନ୍ତ୍ରିତ ହେବାପାଇଁ ଅପେକ୍ଷା କରେ ।’’

 

ରିନା ନୀରବରେ ଲୋରିକୁ ଘୃଣିତ ଦୃଷ୍ଟିରେ ଚାହିଁରହିଲା । ପରିଶେଷରେ ସେ ଗିୟାକୋମାକୁ ସାବଧାନ କରି ଦେଇ କହିଲା–’’ତୁମେ ଯଦି ତାକୁ ଏମିତି ଲଗାମ୍‌ଛଡ଼ା ଭାବରେ ପାଇବାପାଇଁ ଦିଅ ତେବେ ଶୀଘ୍ର ତା’ର ଅସଲ ସ୍ୱରୂପ ଦେଖି ପାରିବ ।’’

 

ଲୋରି ରାଗିଯାଇ ଚିତ୍କାର କରି କହିଲା–‘‘ପ୍ରଥମ କଥା ମୁଁ ମାତାଲ ହୋଇନାହିଁ । ଆଉ ସିନୋରା ଗିୟାକୋମୋ ତୋ ଭଳି ସମ୍ଭ୍ରାନ୍ତ ଭାବଭଙ୍ଗୀ ପ୍ରଦର୍ଶନ କରୁ ନାହାନ୍ତି ।’’

 

ଲୋରିର ଆଣ୍ଠୁ ଉପରେ ହାତରଖି ଗିୟାକୋମୋ କହିଲା–‘‘ଠିକ୍‌ ଅଛି ଠିକ୍‌ ଅଛି ।’’ ସେ ଗିୟାକୋମୋ ଉପରେ କୌଣସି ଗୁରୁତ୍ୱ ଦେଲାନାହିଁ । ସେହି ସୁଯୋଗରେ ଗିୟାକୋମୋ ଲୋରିର ଜାନୁଦେଶରେ ହାତଟା ରଖିଲା । ଲୋରି ଖୁବ୍‌ ନିକଟରେ ବସିଥିଲେହେଁ ଗିୟାକୋମୋ ଅନେକଦୂର ଆଗେଇ ନେଲା ହାତଟା.....କିନ୍ତୁ ତା’ର ହାତରେ ମୋଜା, ଗାର୍ଟର, ସେମିଜି ବା ଅନ୍ୟ କିଛିର ସ୍ପର୍ଶ ସେ ଅନୁଭବ କରି ପାରିଲା ନାହିଁ । ତା’ର ଶୀତଳ ବଳିଷ୍ଠ ଉରୁଦେଶରୁ–ଯାହା ତା’ର ଭଉଣୀ ଠାରୁ ତଫାତ୍‌,–ଗିୟାକୋମା କ୍ରମେ ହାତଟି ଜାନୁଦେଶର ଶେଷସୀମାନ୍ତ ପର୍ଯ୍ୟନ୍ତ ନେଇଗଲା ଏବଂ ତା’ର ହାତଟି ବିନାବାଧାରେ ଲୋରିର ତଳିପେଟ ପର୍ଯ୍ୟନ୍ତ ପହଞ୍ଚିଗଲା । ଲୋରି ଆଗକୁ ନଇଁପଡ଼ି ବସିଥିବାରୁ ତା’ର ପେଟଟି ମନେହେଲା ବେଶ୍‌ ସୁଗୋଲ ଓ ନିଟୋଳ । ତା’ର ପରିଚ୍ଛଦ ତଳେ ସେ ବିନା ଉଦ୍ଦେଶ୍ୟରେ ସଂପୂର୍ଣ୍ଣ ଭାବରେ ଅଜ୍ଞାନଙ୍କ ଭଳି ନଗ୍ନ, କାରଣ ସେତେବେଳେ ବେଶ୍‌ ଗରମ ଅନୁଭବ ହେଉଥିଲା ଏବଂ ଗରମରେ କୌଣସି ଅର୍ନ୍ତବାସ ପରିଧାନ କରିବାକୁ ଭଲ ଲାଗୁ ନ ଥିଲା । ଲୋରି ସେତେବେଳକୁ ଗିୟାକୋମାର ଅନୁସନ୍ଧାନ ପ୍ରତି ବିଶେଷ ନଜର ନ ଦେଇ ରିନାକୁ ଚିତ୍କାର କରି କହୁଥିଲା–‘‘ମୁଁ ସ୍ପଷ୍ଟ କରି କହୁଛି–କୌଣସି ପୁରୁଷର ରକ୍ଷିତା ହୋଇ ରହିଥିବାର ଛଳନା କରି ପ୍ରତି ରାତିରେ ଅନ୍ୟ କୌଣସି ନାଗରକୁ ଘରକୁ ଆଣୁନାହିଁ ।’’

 

ରିନା ଅପଲକ ଦୃଷ୍ଟିରେ ଲୋରିକୁ ଚାହିଁ ରହିଲା ନୀରବରେ । ତା’ର ଛୋଟ ଟୋପିଟି ନଇଁ ଆସିଥିଲା ସରୁ ଆଖିଯୋଡ଼ିକ ଉପରକୁ ।

 

ଲୋରି ପୁନରକ୍ତି କଲା–‘‘ମୁଁ ଖୋଲାଖୋଲି କହେ ।’’ କିନ୍ତୁ ତା’ର କଣ୍ଠ ସ୍ୱରର ବିରକ୍ତି ଅନେକ ପରିମାଣରେ କମି ଯାଇଥିଲା; ତାକୁ ଦେଖି ମନେହେଲା ତା’ର ଏ ହିଂସୋନ୍ନତ୍ତତା ପାଇଁ ସେ ଯେମିତି ଦୁଃଖିତ । ହଠାତ୍‌ ଗିୟାକୋମାକୁ ଚାହିଁ ଆଦେଶ କଲା–‘‘ତୁମେ ତୁମର ହାତ ଅପସାରଣ କରିନିଅ ।’’ ରିନା କହିଲା–‘‘ମୁଁ ତୁମକୁ ତାକୁ ଅତ୍ୟଧିକ ପାନୀୟ ଦେବାକୁ ମନା କରିଥିଲି ।’’ ଗିୟାକୋମୋର ଅବସ୍ଥା ମଧ୍ୟ ସେତେବେଳକୁ ପୁରାପୁରି ଅଣାୟତ, ତା’ ଉପରେ ଲୋରିର ଯୌବନ ପରିପୁଷ୍ଟ ଦେହର ନଗ୍ନତା ତାକୁ ଆହୁରି ଉତ୍ତେଜିତ କରି ତୋଳୁଥିଲା । ଏହି ଉନ୍ନତ୍ତତା ଓ ଉତ୍ତେଜନାର ସେ ସଂପୂର୍ଣ୍ଣ ଧୈର୍ଯ୍ୟଚ୍ୟୁତ ହୋଇପଡ଼ିଲା । ରିନା ଯେତେବେଳେ ତା’ର ଲମ୍ବା ସିଗାରେଟ ହୋଳଡ଼େରରେ ସିଗାରେଟ ଲଗାଇବା ପାଇଁ ବ୍ୟସ୍ତ, ସେତେବେଳେ ଗିୟାକୋମୋ ଲୋରିର କାନରେ ସ୍ଖଳିତ କଣ୍ଠରେ କହିଲା—‘‘ରିନାକୁ ଏକାକୀ ରଖିଦେଇ ଦୁହେଁ ଅନ୍ୟ କେଉଁଠିକି ଚାଲିଗଲେ କେମିତି ହୁଅନ୍ତା ?’’

 

କିନ୍ତୁ ଗିୟାକୋମୋ ଅବାକ୍‌ ହୋଇ ଦେଖିଲା ଏ ବ୍ୟାପାରରେ ଲୋରିର ରିନା ପ୍ରତି ଅଦ୍ଭୁତ ଆନୁଗତ୍ୟ ରହିଛି । ସେ ଉତ୍ତର ଦେଲା—‘‘ତୁମେ ତାକୁ କୁହ; ତା’ ସହିତ ଯେତେବେଳେ ରହିଛି ସିଏ ହିଁ ସବୁ ସ୍ଥିର କରିବ !’’

 

ଅଳ୍ପ ଅବାକ୍‌ ହୋଇ ଗିୟାକୋମୋ ରିନାକୁ ଚାହିଁ ନିମ୍ନକଣ୍ଠରେ କହିଲା—‘‘ମୋର ମନେହୁଏ ମୁଁ ଯଦି ଆଜି ଚାଳିଯାଏଁ...କିମ୍ବା ତୁମ ଭିତରୁ ଜଣେ କେହି ଯିବା ଉଚିତ...ତୁମ ଭିତରୁ ଜଣକୁ ନେଇ ଅବଶ୍ୟ... ।’’ ରିନା ସଙ୍ଗେ ସଙ୍ଗେ ଉତ୍ତର ଦେଲା–‘‘ଜଣକୁ ନୁହେଁ...ଦୁହିଁଙ୍କୁ...କିମ୍ବା କାହାକୁ ନୁହେଁ ।’’

 

–‘‘କାହିଁକି ?’’

 

–‘‘କାହିଁକି ? କାରଣ ଆମେ ଦୁହେଁ ତାହା ସ୍ଥିର କରି ବାହାରିଛୁ ।’’ ଗିୟାକୋମୋ ନିଜ ମନରେ ଅବାକ୍‌ ହୋଇ ପ୍ରଶ୍ନକଲା–‘‘ଦୁହିଁଙ୍କୁ ନେଇ ମୁଁ କ’ଣ କରିବି ?’’ ସେମାନେ ଯେ ଦୁଇ ଭଉଣୀ ଏକଥା ଭାବିଲା ମାତ୍ରକେ ଆଦ୍ଭୁତ ମନେହେଲା । ‘‘ଆଉ ତୁମ ଦୁହିଁଙ୍କ ପାଇଁ କେତେ ଦେବାକୁ ପଡ଼ିବ ?’’

 

‘‘ପାଞ୍ଚଶହ ଲିରା । ପ୍ରତ୍ୟେକଙ୍କୁ ଦୁଇଶହ ପଚାଶ ଲେଖାଏଁ ।’’ ଗିୟାକୋମୋ ସ୍ୱର୍ଗତୋକ୍ତି ଭଳି ନିଜକୁ ନିଜେ ନ କହି ରହିପାରିଲା ନାହିଁ । ‘‘ଦାବୀର ପରିମାଣଟା ଅତ୍ୟଧିକ ।’’ କିନ୍ତୁ ରିନାର କଣ୍ଠସ୍ୱରରେ ଦର କଷା–କଷିର କୌଣସି ଆଭାସ ମିଳିଲା ନହିଁ । ସେ କହିଲା–‘‘ଠିକ୍‌ ଅଛି; କିନ୍ତୁ ଆମେ କେଉଁଠିକି ଯିବା ।’’

 

ରିନା ଉତ୍ତର ଦେଲା—‘ତୁମ ସହିତ ତୁମର ବସାକୁ ।’’

 

ଗିୟାକୋମା କହିଲା—‘‘ମୋର କୌଣସି ସ୍ୱତନ୍ତ୍ର ବସା ନାହିଁ । ମୁଁ ଗୋଟାଏ ବୋର୍ଡ଼ିଂ ହାଉସରେ ରୁହେ ।’’

 

ରିନା ଇତସ୍ତତଃ ଭାବରେ କହିଲା—‘‘ତାହାହେଲେ ମୁଁ କହି ପାରୁନାହିଁ ।’’

 

—‘‘ତୁମ ବସାକୁ କ’ଣ ଯାଇ ହେବନାହିଁ ?’’

 

ରିନା ଧୀରେ ଧୀର; ବେଶ୍‌ ରୁକ୍ଷଭାବରେ ଉତ୍ତର ଦେଲା—‘‘ଘର...ଘର ବଡ଼ ପବିତ୍ର ସ୍ଥାନ-।’’

 

ଲୋରି ପଚାରିଲା—‘‘ମୁଁ କେଉଁ କଥାଟା ବିଶ୍ୱାସ କରିବି ?’’ ମସ୍ତବଡ଼ ଗୋଟାଏ ଭୁଲ୍‌ କରି ପକେଇଥିବା ଭଳି ସେ ଅନୁନୟ କରି କହିଲା ‘‘କେବଳ ଥରକ ପାଇଁ...କେବଳ ଏଇଥର ପାଇଁ ।’’ ଏତକ କହିଲାବେଳେ ସେ ରିନାର ହାତଟା ଚାପି ଧଇଲା ।

 

ରିନା ମୁଣ୍ଡ ହଲେଇ କହିଲା—‘‘ନା...ନା..ଘରେ ନୁହେଁ...ଅସମ୍ଭବ ।’’

 

—‘‘କାହିଁକି ?’’

 

—‘‘ତାହା ଅସମ୍ଭବ ।’’

 

ଗିୟାକୋମୋ ଦେଖିଲା ଯେ ତାକୁ ନୂତନ କୌଣସି ପ୍ରସ୍ତାବ କରିବାପାଇଁ ପଡ଼ିବ । ତେଣୁ ସେ କହିଲା–‘‘ତାହାହେଲେ କୌଣସି ହୋଟେଲକୁ ଚାଲନ୍ତୁ ।’’

 

‘‘ମୁଁ ସ୍ୱପ୍ନରେ ବି ସେଠିକି ଯିବା କଥା ଭାବି ପାରୁନାହିଁ । ସେଠି ପୁଣି ପରିଚୟପତ୍ର ଦେଖିବାକୁ ଚାହିଁବେ ।’’

 

ଲୋରି ବିଭ୍ରାନ୍ତ ହୋଇପଡ଼ି କଣ୍ଠସ୍ୱରରେ କୌତୁହଳ ମିଶେଇ ଚିତ୍କାର କରି କହିଲା–‘‘କିଛିଦିନ ପୂର୍ବେ ଆମେ ଯେଉଁ ହୋଟେଲକୁ ଯାଇଥିଲେ...ତା’ର ନାଁଟି କ’ଣ କି ? ସେହି ଲୋକଟା ସହିତ...ହୋଟେଲ କରୋନା, ନା ଏମିତି କିଛି ?’’

 

ଗିୟାକୋମୋ ବିରକ୍ତ ହୋଇ କହିଲା–‘‘ତାହାହେଲେ ବେଶ୍‌, ଆଉ କେତେ ମିନିଟ୍‌ ପରେ ତୁମ ପାଖରୁ ମୋତେ ବିଦାୟ ନେବାପାଇଁ ପଡ଼ିବ ।’’ ସମସ୍ତେ ନୀରବ ହୋଇଗଲେ । ରିନା ରହସ୍ୟଜନକ ପରିଚ୍ଛନ୍ନ ଓ ଇଙ୍ଗିତପୂର୍ଣ୍ଣ ଭାବରେ ସିଗାରେଟ ଟାଣିବାକୁ ଲାଗିଲା ଓ ତା’ର ଫୁଲାଫୁଲା ହୃଦ୍ୟତାପୂର୍ଣ୍ଣ ଦୁଇଆଖିରେ ଗିୟାକୋମାକୁ ଚାହିଁରହିଲା । ପରିଶେଷରେ ସେ ପଚାରିଲା–‘‘ତିନିଜଣ ସକାଶେ ହୋଟେଲରେ ତୁମକୁ କେତେ ଖର୍ଚ୍ଚ କରିବା ପାଇଁ ପଡ଼ିବ ବୋଲି ମନେ କରୁଛ ?’’

 

—‘‘ଠିକ୍‌ କହି ପାରିବି ନାହିଁ...ତେବେ ପଚାଶ ବା ଷାଠିଏ ଲିରାରୁ କମ୍‌ ନୁହେଁ ।’’

 

—‘‘ତା’ଠାରୁ ବି ବେଶୀ, କାରଣ ତୁମକୁ ଦୁଇଟି କୋଠରୀ ନେବା ପାଇଁ ପଡ଼ିବ, ତା’ ଭିତରୁ ପୁଣି ଗୋଟାଏ ଦୁଇଜଣଙ୍କ ରହିବା ଭଳ କୋଠରୀ...ତୁମକୁ ଖୁବ୍‌ କମ୍‌ ରେ ଶହେଟି ଲିରା ଖର୍ଚ୍ଚ କରିବା ପାଇଁ ପଡ଼ିବ ।’’

 

—‘‘କାହିଁକି...ତା’ର ଅର୍ଥ ?’’

—‘‘ତୁମେ ଯଦି କୌଣସି ଗଣ୍ଡଗୋଳ ନ କରିବା ପାଇଁ ପ୍ରତିଜ୍ଞା କର... ! ତେବେ ତୁମକୁ ହୋଟେଲରେ ଯେଉଁ ଶହେଟି ଲିରା ଦେବାପାଇଁ ପଡ଼ିବ ତାହା ଆମକୁ ଦିଅ...ପ୍ରତ୍ୟେକଙ୍କୁ ପଚାଶ ଲିରା ଲେଖାଁଏ... । ତାହାହେଲେ ତୁମେ ଆମ ଘରକୁ ଆସିପାରିବ ।’’

ଗିୟାକୋମୋ କହିଲା—‘‘ବେଶ୍‌ ଭଲକଥା...ଏହିକ୍ଷଣି ଚାଲନ୍ତୁ ।’’

—‘‘ଚାଲ ।’’

ସେମାନେ ତିନିହେଁ ଉଠିଲେ । ରିନା ଖୁବ୍‌ ବ୍ୟସ୍ତତାର ଭାବ ପ୍ରଦର୍ଶନ କରି ଦୁହିଁଙ୍କ ଆଗେ ଆଗେ ଯାଇ ସବୁ ଖିଲାଣ ଓ ପାହାଚଗୁଡ଼ିକ ଭିତରେ ଅଦୃଶ୍ୟ ହୋଇଗଲା । ଗିୟାକୋମୋ ଆଗେଇ ଆସିଲା ଲୋରି ପାଖକୁ । ଲୋରି ତାକୁ ଏମିତି ଭାବରେ ବାଧା ଦେବାକୁ ଲାଗିଲା, ଯେମିତି ତା’ର ବଡ଼ ଭଉଣୀ ଏଇନେ ଦେଖି ପକେଇବ, ତା’ପରେ ଗୋଟାଏ ଚୁମ୍ବନ କରିବାକୁ ଗିୟାକୋମୋକୁ ସୁଯୋଗ ଦେଲା । ସେମାନେ ଛଡ଼ାଛଡ଼ି ହୋଇଯିବା ପରେ ସେ ହସି ହସି କହିଲା–‘‘ମଝିରେ ମଝିରେ ଗୋଟାଏ ଲେଖାଏଁ ଚୁମ୍ବନ...ବେଶ୍‌ ରୋମାଣ୍ଟିକ...ନୁହେଁ କି ?’’

—‘‘ନିଶ୍ଚୟ...ଖୁବ୍‌ ରୋମାଣ୍ଟିକ୍‌ ।’’

ସେମାନେ ତିନିହେଁ ଟେବୁଲ ଓ ଭୂଗର୍ଭସ୍ଥ ପ୍ରମୋଦସ୍ଥଳୀ ପାରେଇ ଆସିଲେ । ନିକା ଛାତ ତଳଟା ଗୁଲତାନୀ, ଗ୍ରାସ ଆଉ ସଙ୍ଗୀତର ଝଙ୍କାରରେ ପ୍ରତିଧ୍ୱନିତ ହୋଇ ପଡ଼ୁଥିଲା । ଗିୟାକୋମୋର ମନେହେଲା ସିଏ ବି ଯେମିତି ମାତ୍ରାତିରକ୍ତ ପାନକରିଛି । ରାସ୍ତାଟି ତାକୁ ଗୁହା ଅପେକ୍ଷା ବି ବେଶୀ ଗରମ ବୋଧହେଲା । ଲମ୍ବାଲମ୍ବା ଗଛଗୁଡ଼ିକ ତଳେ ପବନର ଗତି ସ୍ଥିର; ରାସ୍ତାର ଆଲେକରେ ପ୍ରତିଫଳିତ ସେମାନଙ୍କର ଅସଂଖ୍ୟ ପତ୍ରାବଳୀ ନିଥର ।

ସାଧାରଣ ଅଭ୍ୟର୍ଥନା କିମ୍ବା ଆମୋଦପ୍ରମୋଦରୁ ନିଷ୍କ୍ରାନ୍ତ ସଂଭ୍ରାନ୍ତ ମହିଳାମାନଙ୍କ ଭଳି ରିନା କହିଲା—‘‘ଆମେ ଗୋଟାଏ ଟ୍ୟାକ୍‌ସି ନେବା ଉଚିତ୍‌ ।’’ ଟ୍ୟାକ୍‌ସି ଉଦ୍ଦେଶ୍ୟରେ ସେମାନେ ଛକ ଉପରକୁ ଗଲେ; କିନ୍ତୁ କୌଣସି ଟ୍ୟାକ୍‌ସି ଦେଖିବାକୁ ମିଳିଲା ନାହିଁ ।

ଗିୟାକୋମୋ ଉତ୍କଣ୍ଠିତ ଭାବରେ ପଚାରିଲା—‘‘ତୁମ ଘରଟି କେଉଁ ରାସ୍ତାରେ ?’’ ସେ ସେତେବେଳକୁ ଦୁହିଁଙ୍କର ବାହୁ ଧରି ଚାଲୁଥିଲା ଏବଂ ରିନା ଓ ଲୋରି ତାକୁ ରାସ୍ତା ଦେଖେଇ ନେଇ ଯାଉଥିଲେ ।

ଲୋରି ହସି ହସି କହିଲା—‘‘ଆମର ଘରଟି ବଡ଼ ପବିତ୍ର ସ୍ଥାନ ।’’

ରିନା ଯେଉଁ ରାସ୍ତାଟିର ନାଁ କହିଲା ତାହା ଖୁବ୍‌ ଦୂରରେ ।

ଗିୟାକୋମୋ ପ୍ରସ୍ତାବ କଲେ—‘‘ବର୍ତ୍ତମାନ ବସ୍‌ ଧରିବା ବ୍ୟତୀତ ଆମର ଆଉ କୌଣସି ଉପାୟ ନାହିଁ । ତା’ପରେ ଟ୍ରାମ ଧଇଲେ ଚଳିବ ।’’

ଏହା ହିଁ ତାଙ୍କ ପକ୍ଷରେ ଥିଲା ଏକମାତ୍ର ନିର୍ଦ୍ଧାରିତ ଉପାୟ । ସୌଭାଗ୍ୟକ୍ରମେ କିଛି ସମୟ ପରେ ଗୋଟାଏ ବସ୍‌ ଆସି ପଡ଼ିଲା ଏବଂ ସେମାନେ ବସ୍‌ରେ ଉଠି ପଡ଼ିଲେ । ଗିୟାକୋମୋ ତିନୋଟି ଟିକେଟ କାଟିଲା । ବସ୍‌ଟାରେ ବିଶେଷ ଭିଡ଼ ନ ଥିଲା । ରିନା ସବା ଆଗ ସିଟ୍‌ଟାରେ ଯାଇ ବସିଲା । ତା’ ପଛ ସିଟ୍‌ରେ ବସିଲେ ଲୋରି ଓ ଗିୟାକୋମୋ ।

 

ବସ୍‌ଟି ଚାଲିବାକୁ ଆରମ୍ଭ କଲା ମାତ୍ରକେ ଲୋରି ବେଶ୍‌ ଚିତ୍କାର କରି କହିଲା–‘‘ଆମପକ୍ଷରେ କୌଣସି ହୋଟେଲକୁ ଯିବା ଉଚିତ୍‌ ଥିଲା, କାରଣ ଆମକୁ ସାରା ରାସ୍ତା ଚାଲିବା ପାଇଁ ପଡ଼ିବ, କିନ୍ତୁ ଏଠାକାର ହୋଟେଲମାନଙ୍କରେ ବଡ଼ ଝାମେଲା । ମିଲାନରେ ମୁଁ ଗୋଟାଏ ହୋଟେଲ ଜାଣେ, ଯେଉଁଠି ସେମାନେ ବିଶେଷ କିଛି ଜିଜ୍ଞାସା କରନ୍ତି ନାହିଁ ଏବଂ ଆଗରୁ ଟଙ୍କା ବି ଅଗ୍ରୀମ ଚାହାଁନ୍ତି ନାହିଁ ।’’

 

ସାମନା ସିଟ୍‌ରେ ବସିଥିବା ଜଣେ ଦୁଇଜଣ ଯାତ୍ରୀ ଗିୟାକୋମୋ ଓ ତା’ର ସଙ୍ଗିନୀଟିକୁ ଚାହିଁଲେ; କିନ୍ତୁ କାହାରି ମୁହଁରେ ହସ ନ ଥିଲା । ସେତେବେଳେ ରାତ୍ରି ହୋଇ ଯାଇଥିବାରୁ ମନେହେଲା ସମସ୍ତେ କ୍ଲାନ୍ତ ହୋଇ ପଡ଼ିଥିଲେ । ସରୁ ରାସ୍ତାଟି ଉପରେ ବସ୍‌ଟି ସଶବ୍ଦରେ ଆଗେଇ ଯାଉଥିଲା । ରିନା ପଛକୁ ମୁହଁ ବୁଲେଇ ଗିୟାକୋମୋକୁ ଲକ୍ଷ୍ୟ କରି କହିଲା—‘‘ଏଥର ବେଶୀ ଦିନ ରହିବ ତ ? ତୁମର ସ୍ତ୍ରୀ ଖୁବ୍‌ ଖୁସିହେବେ । ତୁମକୁ ବାହାରେ ବେଶୀ ବୁଲିବା ପାଇଁ ପଡ଼ୁଥିବାରୁ ନିଶ୍ଚୟ ତୁମେ ତାଙ୍କ ସହିତ ବେଶୀଦିନ ରହି ପାରୁ ନ ଥିବ ।’’

 

ଲୋରି ହସି ହସି କହିଲା—‘‘ଏହାଙ୍କ ସ୍ତ୍ରୀ ! ଏହାଙ୍କର ସ୍ତ୍ରୀ ସହିତ ତୋର ପରିଚୟ ଅଛି କି ? ତୁମେ କ’ଣ ବିବାହିତ ?’’

 

ଗିୟାକୋମୋ ତା’ର ହାତଟି ଉଠେଇ ନେଇ ହସି ହସି କହିଲା–‘‘ହଁ...ତୁମ ପାଖରେ-।’’

 

ଲୋରି କିନ୍ତୁ ହାତଟି ଛଡ଼େଇନେଇ ମିଷ୍ଟକଠୋର କଣ୍ଠରେ କହିଲା—‘‘ସାବଧାନ...ରିନା ଲକ୍ଷ୍ୟ କରୁଛି-।’’

 

ଗିୟାକୋମୋ ପରିହାସ କରି କହିଲା—‘‘ଘର ବଡ଼ ପବିତ୍ର ସ୍ଥାନ ।’’

 

—‘‘ନିଶ୍ଚୟ—ଗୃହସ୍ଥଳୀ ବଡ଼ ପବିତ୍ର ।’’

 

ଜଣେ ଦୁଇଜଣ କୌତୂହଳୀ ଆଖିରେ ସେମାନଙ୍କୁ ଚାହିଁଲେ । ରିନା ଫେରିପଡ଼ି ପ୍ରଶ୍ନ କଲା—‘‘କିଛି ସମୟ ପାଇଁ ଚୁପ୍‌ଚାପ୍‌ ବସି ପାରୁନା ?’’

 

ଲୋରି ଉତ୍ତର ଦେଲା—‘‘ଯେତେ ଇଚ୍ଛା କଥାବାର୍ତ୍ତା କରିବୁ ।’’

 

ଏଇ ଉତ୍ତର ଶୁଣି ରିନା ନିଜର ସଂଭ୍ରମ ରକ୍ଷା କରି ସେମାନଙ୍କୁ ପଛ କରି ବସି ରହିଲା-। ବେଶ୍‌ ସ୍ପଷ୍ଟ ଭାବରେ ବୁଝା ପଡ଼ୁଥିଲା ଯେ ବସ୍‌ର ଅନ୍ୟ ସହଯାତ୍ରୀମାନଙ୍କୁ ସେ ଧାରଣା ଦେବାପାଇଁ ଚାହୁଁ ଥିଲା ପଛରେ ବସିଥିବା ଯୁବକ ଯୁବତୀ ଦୁହିଁଙ୍କ ସହିତ ତା’ର କୌଣସି ସମ୍ପର୍କ ନାହିଁ । ସେ ବ୍ୟାଗ ଖୋଲି ମୁହଁରେ ପାଉଡ଼ର ପଫ୍‌ କରିବାକୁ ଲାଗିଲା । ଛୋଟ ପାଉଡ଼ର କେସଟିର ଦର୍ପଣ ଭିତରେ ଗିୟାକୋମୋ ତା’ର ଆଖି ଯୋଡ଼ିକି ଦେଖିବାକୁ ପାଇଲା—ବେଶ୍‌ କଠୋର ଓ ବିରକ୍ତି ମିଶ୍ରିତ ।

 

ବସ୍‌ଟି ତା’ଣ ଶେଷ ଷ୍ଟପେଜ୍‌ରେ ପହଞ୍ଚି ଗୋଟାଏ ଅନ୍ଧକାର ମୋଡ଼ରେ ଆସି ଠିଆହେଲା । ବସ୍‌ରୁ ଓହ୍ଲାଇବା ମାତ୍ରକେ ଗୋଟାଏ ସାଧାରଣ ପାର୍କର ଅନ୍ଧକାରଚ୍ଛନ୍ନ ପାମ୍‌ଗଛର ପତ୍ର ଉପରେ ସେମାନେ ଦେଖିବାକୁ ପାଇଲେ ଟ୍ରାମର ହଳଦୀ ରଙ୍ଗର ଗୋଲାକାର ଆଲୋକ ।

 

ରିନା ସହଳ ଆଗେଇ ଯାଉଯାଉ କହିଲା—‘‘ଏହା ଆମ ଟ୍ରାମ ।’’

 

ଟ୍ରାମଟା ସେତେବେଳେ ପୂରାପୂରି ଭର୍ତ୍ତି । ଯାହାହେଉ ସୌଭାଗ୍ୟ ବଶତଃ ସେମାନେ ତିନୋଟି ଜାଗା ପାଇଗଲେ । ବସରେ ଯେମିତି ବସିଥିଲେ ଠିକ୍‌ ସେମିତି ଆଗପଛ ହୋଇ ସେମାନେ ବସିଲେ—ରିନା ବସିଲା ଆଉ ସିଟ୍‌ରେ, ଗିୟାକୋମୋ ଓ ଲୋରି ପଛ ସିଟ୍‌ରେ । ତା’ ପର ଷ୍ଟପେଜ୍‌ରେ ଆହୁରି କେତେଜଣ ଉଠିଲେ । ସେମାନଙ୍କ ଭିତରେ ଥିଲେ ପଳିତକେଶ ଉପରେ କଳାଟୋପି ଦେଇଥିବା ଜଣେ ବୃଦ୍ଧ । ତାଙ୍କରି ପରିଧାନରେ ଥିଲା କଳାରଙ୍ଗର ସୁଟ୍‌, ଧଳାସାର୍ଟ ର କଲର ଦେହରେ କଳାଟାଇ ଓ ସୁନେଲି ଟାଇପିନ୍‌ । ତୀକ୍ଷ୍‌ଣ ଓ ଲମ୍ବା ନାସାଗ୍ରଟି ଲାଲ ଦେଖା ଯାଉଥିବା ଫଳରେ ତା’ର ଶେତା ମୁହଁଟି ମନେ ହେଉଥିଲା କାଠରେ ତିଆରି । ଲୋକଟି ଶଙ୍କିତ ଭାବରେ ଯାଇ ରିନା ପାଖରେ ବସିଲା ଏବଂ କେତୋଟି ମୁହୂର୍ତ୍ତ ପାଇଁ ଟୋପି ଉଠେଇ ତାକୁ ଅଭିବାଦନ ଜଣାଇଲା ।

 

ଗିୟାକୋମୋ ଲୋରିକ୍ତ ପ୍ରଶ୍ନକଲା—‘‘ତାହାହେଲେ ତୁମେ କେବେ ମିଲାନ୍‌କୁ ଫେରୁଛ-?’’

 

ଲୋରି କହିଲା—‘‘ଏତେ ସହଳ ନୁହେଁ...ଏଠି କିଛିଦିନ ମୁଁ ଫୁର୍ତ୍ତିରେ କଟେଇବା ପାଇଁ ଚାହେଁ । ରିନା ମୋତେ ଦର୍ଶନୀୟ ସ୍ଥାନମାନଙ୍କୁ ନେଇଯାଉଛି ଆଉ ସେଠି କାଲିକାର ଭଦ୍ରଲୋକଙ୍କ ଭଳି ଭଦ୍ରଲୋକମାନଙ୍କ ସହିତ ପରିଚୟ ହେଉଛି, ଯେଉଁମାନେ କଥା ଦେଇ ବି ରକ୍ଷା କରି ପାରୁ ନାହାନ୍ତି । ବଡ଼ ବଡ଼ ବ୍ୟବସାୟୀମାନେ ଯାଉଥିବା ରେସ୍ତୋରାଁ ଗୁଡ଼ିକୁ ଯିବାପାଇଁ ମୁଁ ଖୁବ୍‌ ପସନ୍ଦ କରେ । ମୁଁ ଶୁଣିଛି ଏଠି ଗୋଟାଏ ନାମୀ ରେସ୍ତୋରାଁ ଅଛି; ଖୁବ୍‌ ଚମତ୍କାର ଜାଗା ।’’

 

ତା’ର ଭଉଣୀ ସିଟ୍‌ ଉପରେ ଇତସ୍ତତଃ କରୁଥିଲେ ହେଁ ମୁହଁ ବୁଲୋଉ ନ ଥିଲା ।

 

ଗିୟାକୋମୋ କହିଲା—‘‘ହଁ, ହୋଟେଲଟିର ମେନ୍ୟୁ ସର୍ବୋତ୍କୃଷ୍ଟ ।’’

 

ଲୋରି କହି ଚାଲିଥାଏ—‘‘ମୋତେ ଖୁବ୍‌ ଭଲ ଲାଗେ...ସେ ଜାଗାଟା କ’ଣ କି ଯେଉଁଠି ପ୍ରତିଦିନ ନାଚ ଆଉ ବିଭିନ୍ନ ଧରଣର ଅନୁଷ୍ଠାନ ହୁଏ ।’’

 

ଗିୟାକୋମୋ କହିଲା—‘‘ଦି ଇଡ଼େନ୍‌ ।’’

 

‘‘କିଛିଦିନ ପୂର୍ବେ ସେଠିକି ଜଣେ ଲୋକ ସାଥିରେ ଯାଇଥିଲି । ଲୋକଟି ଦକ୍ଷିଣ ଦେଶୀୟ ହେଲେ ହେଁ କେମିତି ଭାବରେ ଅର୍ଥ ବ୍ୟୟ କରାଯାଏ ତାହା ଜାଣେ । ସେଠିକି ଦିନେ ଗଲେ କେମିତି ହୁଅନ୍ତା ?’’

 

—‘‘ନିଶ୍ଚୟ...ବେଶ୍‌ ଭଲ ହୁଅନ୍ତା ।’’

 

—‘‘ଏସବୁ ସ୍ଥାନ ଗୁଡ଼ିକ ମୋତେ ଭୀଷଣ ଭାବରେ ଭଲ ଲାଗେ । ତୁମେ ଯଦି କେବେ ମିଲାନ୍‌କୁ ଆସ, ତେବେ ନିଶ୍ଚୟ ମୋ ସହିତ ସାକ୍ଷାତ କରିବ: କରିବନି ?’’

 

—‘‘ତୁମେ କେଉଁଠି ରୁହ ?’’

 

ମଦୋନ୍ମତ୍ତ ଭଳି ଗିୟାକୋମୋକୁ ସେ ଆନନ୍ଦରେ ଚାହିଁ କହିଲା—‘‘ତୁମକୁ ଠିକଣା ଦେବି, ଯେତେବେଳେ ଇଚ୍ଛା ମୋ ବସାକୁ ତୁମେ ଯାଇପାର । ମୋର ଘରଟି କିନ୍ତୁ ପବିତ୍ର ସ୍ଥାନ ନୁହେଁ ।’’

 

କଳାଟୋପି ପରିତ ବୃଦ୍ଧ ଭଦ୍ରଲୋକ ଜଣକ ମୁହଁ ବୁଲେଇ ଅନେକ ସମୟ ଧରି ଲୋରି ଓ ଗିୟାକୋମୋକୁ ଲକ୍ଷ୍ୟ କରୁଥିଲେ । ରିନା ଏମିତି ଭାବରେ ବସିଥିଲା ଯେ ଟ୍ରାମର ଦୋଳନ ସତ୍ତ୍ୱେ ତା’ର ମୁହଁ ଟିକିଏ ବି ଆନ୍ଦୋଳିତ ହେଉ ନଥିଲା ।

 

ଅଳ୍ପସମୟ ପରେ ଲୋରି ପୁନରାୟ କହିବାକୁ ଲାଗିଲା—‘‘ତୁମେ ଯେଉଁ ପାନୀୟ ଅଫର୍‌ କରିଛ ତାହା ମାର ମସ୍ତିଷ୍କକୁ ପୂରାପୂରି କାବୁ କରି ଦେଇଛି । ତେବେ ପାନୀୟଟା ବେଶ୍‌ ଦାମୀକା ଓ ସୁସ୍ୱାଦୁ ।’’

 

ଟ୍ରାମଟି ଅଟକି ଗଲା । ରିନା ଉଠିପଡ଼ି ନୀରବରେ ଦରଜା ଆଡ଼କୁ ଆଗେଇ ଗଲା । କଳାଟୋପି ପରିହିତ ସେହି ବୃଦ୍ଧ ଜଣକ ବି ଉଠି ପଡ଼ିଲେ । ଟୋପିଟି ମୁଣ୍ଡରୁ କାଢ଼ି ସେ ରିନାକୁ ଅଭିବାଦନ ଜଣାଇଲେ । ରିନା ବି ସଂଭ୍ରମ ସୂଚକ ଭଙ୍ଗୀମାରେ ତାଙ୍କୁ ପ୍ରତ୍ୟାଭିବାଦନ ଜଣାଇଲା । ତା’ର ଭଉଣୀର ଅଭଦ୍ର ଆଚରଣ ଦେଖି ସାରିବା ପରେ ବି ଯେମିତି ଏ ଭଦ୍ରତା ପ୍ରଦର୍ଶନ ପାଇଁ ସେ କୃତଜ୍ଞ । ଲୋରି ବୁଲିପଡ଼ି ଠିଆ ହୋଇଯାଇ କହିଲା— ‘‘ଆରେ ! କୁଆଡ଼େ ଚାଲିଲୁ; ଆମର ଷ୍ଟପେଜ ଆସିଯାଇଛି ନା କ’ଣ ?’’

 

ସେମାନଙ୍କୁ କୌଣସି କଥା ନ କହି ରିନା ଟ୍ରାମରୁ ଓହ୍ଲେଇ ପଡ଼ିଲା । ଗିୟାକୋମୋ ଓ ଲୋରି ମଧ୍ୟ ତା’ ପଛେ ପଛେ ଓହ୍ଲେଇଗଲେ । ଟ୍ରାମ୍‌ଟି ପୁଣି ଗତିକଲା । କେବଳ ସେମାନେ ତିନିହେଁ ଚକ୍‌ଚକ୍‌ ଅ୍ୟାସପୋଷ୍ଟ ଉପରେ ଠିଆ ହୋଇ ରହିଲେ । ଏହି ଆକାର ବିହୀନ ପ୍ରାନ୍ତରଟିର ତିନି ପାଖର ପ୍ରାନ୍ତସୀମାରେ ସୁଉଚ୍ଚ ଗୁଡ଼ାଏ ଘର ଏବଂ ଝରକାରେ ଇତସ୍ତତଃ ବିକ୍ଷିପ୍ତ ଆଲୋକରେଖା ଦୃଷ୍ଟିଗୋଚର ହେଉଥିଲା । ସେମାନଙ୍କ ସମ୍ମୁଖରେ ପରିତ୍ୟକ୍ତ ଓ ଉଜ୍ଜ୍ୱଳ ପରିପ୍ରେକ୍ଷୀଟି ଯେମିତି ଆଖିର ସୀମାଭିତରେ ପ୍ରହରୀ ଭଳି ଦଣ୍ଡାୟମାନ । ଧାଡ଼ିଧାଡ଼ି ଆଲୋକସ୍ତମ୍ଭ ସଂପୂର୍ଣ୍ଣ ରୂପେ ରାସ୍ତାଟିକୁ ଗୃହଶୂନ୍ୟ କରି ଭଲଭାବରେ ପିଟି ସମାନ କରି ଦେଇଥିଲା ।

 

ଚାରିଆଡ଼କୁ ଚାହିଁ ଲୋରି କହିଲା—‘‘ଆମେ କ’ଣ ଠିକ୍‌ ଜାଗାକୁ ଆସିଛୁ ? ମୋର ସବୁ ସମୟରେ ରାସ୍ତାଟି ଭୁଲ୍‌ ହୋଇଯାଏ... ।’’

 

ତାଙ୍କ ସହିତ ଓହ୍ଲେଇଥିବା ବୃଦ୍ଧଜଣକ ଅଦୃଶ୍ୟ ହୋଇ ନ ଯିବା ଯାଏ ରିନା କୌଣସି କଥା କହିଲା ନାହିଁ । ତା’ପରେ ସେ ଭୀଷଣ ରାଗିଯାଇ କହିଲା—‘‘ହଁ ଆମେ ଠିକ୍‌ ଜାଗାକୁ ଆସିଛୁ...,ଥର ଚାଲ । ଏଇ ଶେଷଥର ପାଇଁ ମୋ ଘରେ ରହିବା ପାଇଁ ତୋତେ ଅନୁମତି ଦେଉଛି-।’’

 

—‘‘କାହିଁକି...କ’ଣ ହେଲା ?’’

 

ରିନା କହିବାକୁ ଲାଗିଲା—‘‘ବାରମ୍ବାର କହିଛି’’—ସେ ଯେତେ କହୁଥାଏ ସେତେ ରାଗି ଉଠୁଥାଏ । ‘‘ଅନ୍ତତଃ ଯେଉଁ ଜାଗାରେ ମୁଁ ରହିଛି, ଯାହା ଚଢ଼ି ମୁଁ ପ୍ରତ୍ୟହ ଯାତାୟତ କରେ...ମୁଁ ତୋତେ ଏମିତି ଭାବରେ କଥାବାର୍ତ୍ତା କରିବା ପାଇଁ ମନାକରିଛି । କିନ୍ତୁ ତାହା କାନରେ ନ ଦେଇ ବୋକାଙ୍କ ଭଳି ଯାହା ମନକୁ ଆସିଲା ବିକି ଯାଉଛୁ ।’’

 

—‘‘କିନ୍ତୁ ମୁଁ ଏମିତି କ’ଣ ବା କହିଛି ।’’

 

—‘‘ଟ୍ରାମର ପ୍ରତ୍ୟେକଟି ଲୋକ ମୋର ପରିଚିତ । ସେମାନେ ମୋତେ କ’ଣ ଭାବିବେ-। ମୋ ପାଖରେ ବସିଥିବା ଲୋକଟିକୁ ତୁ ନିଶ୍ଚୟ ଦେଖିଛୁ । ତା’ର ନା ପିଚିଓ...ଜଣେ ଆଇନଜୀବୀ...ଆମେ ଏକାଘରେ ରହୁ ତା’ କୋଠରୀର ଦରଜା ଠିକ୍‌ ମୋ ଦରଜା ଆଗରେ...ବର୍ତ୍ତମାନ ମୋ ସମୃଦ୍ଧରେ ତା’ର କି ଧାରଣା ହେବ ! ମୋର ଭଉଣୀ ଗୋଟାଏ ବେଶ୍ୟା...ମୁଁ ଘରକୁ ନାଗର ଆଣେ... ।’’

 

—‘‘ତହିଁରେ ତୋର କ୍ଷତି ?’’

 

— ‘‘ମୋର ଅନେକ କ୍ଷତି, ମୁଁ ଚାହେଁନା ମୋ ପଛରେ ଲୋକେ ମୋ ସମ୍ବନ୍ଧରେ କିଛି କହନ୍ତୁ ।’’

 

ଲୋରି ଭୀଷଣ ରାଗିଯାଇ ବେଶ୍‌ କଳି କରିବା ଭଙ୍ଗୀରେ କହିଲା—‘‘ତେବେ ଶୁଣ, ତୋର ଏହିସବୁ ବାଜେ କଥା ମୋତେ ଭଲ ଲାଗେନା । ତୋର ଘର ଅନ୍ୟ ଭଡ଼ାଟିଆ କ’ଣ ଭାବିବେ, କ’ଣ କହିବେ ମୋର ସେଥିରେ କ’ଣ ଯାଏ ଆସେ । ଯଦି ମୁଁ ଯାହା ତାହା କହିଥାଏ...ଚୁଲିରେ ଯାଉ ।’’ ସେ ଗିୟାକୋମୋ ପାଖରେ ଯାଇ ଠିଆ ହେଲା ।

 

ରିନା କହିଲା—‘‘ତେବେ ଶେଷଥର ପାଇଁ ତୋତେ ମୋ ସହିତ ରହିବାକୁ ଦେଲି ।’’

 

କିଛି ସମୟ ସେମାନେ ନୀରବରେ ଚାଲିଲେ । ତା’ପରେ ରିନା ଗୃହର ପ୍ରଧାନ ଦୁଆର ଆଡ଼କୁ ଆଗେଇ ଗଲା । ଦରଜାରେ ଚାବିଟା ଲଗାଉ ଲଗାଉ ଗିୟାକୋମୋକୁ କହିଲା–‘‘ଦୟାକରି ଚୁପ୍‌ଚାପ ଥାଅ ।’’

 

ତା’ପରେ ସେମାନେ ଯେଉଁ ଦଲାଣଟିରେ ପ୍ରବେଶ କଲେ ସେଇଠି ଲାଲ ମାର୍ବଲ ପଥରର ଗୋଟାଏ ‘ଡାଡ଼ୋ’ ରହିଥିଲା । ତାରକାକୃତି କାଚର ଶେଡ଼ ଭିତର ଦେଇ କାନ୍ଥରେ ନାନା ପ୍ରତିଛବିର ସୃଷ୍ଟି ହେଉଥିଲା । ଦଲାଣରୁ ସେମାନେ ହଲ୍‌ ଘରେ ପ୍ରବେଶ କଲେ । ସେଠୁ ଗୋଟାଏ ସିଡ଼ି ଉପରକୁ ଉଠି ଯାଇଛି । ଲିଫ୍‌ଟଟି ବୁଲିପଡ଼ି ଶେଷରେ ରିନା ଦରଜା ଆଗରେ ଯାଇ ଠିଆହେଲା ଏବଂ ପୁନରାୟ ସେମାନଙ୍କୁ ସାବଧାନ କରିଦେଇ କହିଲା–‘‘କୌଣସି ଶବ୍ଦ କରନାହିଁ-।’’

 

ସେମାନେ ଭିତରକୁ ପ୍ରବେଶ କଲେ । ରିନା ଗୋଟାଏ ତ୍ରିକୋଣାକୃତି ଶେଡ଼ରେ ଆଲୁଅ ଜାଳିଦେଲା । ଦେଖିଲେ ମନେହେବ ଫ୍ଲାଟଟି ଖୁବ୍‌ ଆଧୁନିକ ଓ ରୁଚି ସମ୍ମତି ଭାବରେ ସଜ୍ଜିତ । ଆଲୁଅ ଗୁଡ଼ିକରେ କ୍ରୋମିୟମ ପ୍ଲେଟ କରା ହୋଇଥିଲା । ସୁସଜ୍ଜିତ ଭାବରେ ପଡ଼ିଥିଲା କାଚ ଟେବୁଲ ଓ ଟିଉବର ଚେୟାର । ରିନା ଗିୟାକୋମୋକୁ ଗୋଟାଏ ସରୁ ଲେନ୍‌ ଦେଇ ଗୋଟାଏ ରୁଦ୍ଧ ଦରଜା ପାଖକୁ ନେଇଯାଇ କହିଲା—କୌଣସି ଶବ୍ଦ କରନା । ଚାଲ ଶୋଇବା କୋଠରୀକୁ ଚାଲ ।’’

 

କୋଠରୀଟି ଦୈର୍ଘ୍ୟରେ ଛୋଟ ହେଲେ ମଧ୍ୟ ବେଶ୍‌ ପ୍ରଶସ୍ଥ ଥିଲା । ସାରା ଚଟାଣଟାକୁ ଆବୃତ୍ତ କରି ଗୋଟାଏ ଡବଲବେଡ଼ ପଡ଼ି ରହିଥିଲା । ତା’ ଉପରେ ଡଙ୍କା ହୋଇଥିଲା ନୀଳ, ବାଇଗଣୀ, ଲାଲ ଓ ବ୍ରାଉନ୍‌ ରଙ୍ଗର ଗୋଟାଏ ଚେକ ଚାଦର । ଏହି କପଡ଼ାରେ ଛୋଟ ଚେୟାର ଓ ଆର୍ମଚେୟାର ଗୁଡ଼ିକର କଭର ମଧ୍ୟ ତିଆରି ହୋଇଥିଲା । ପଲଙ୍କରୁ ଅଳ୍ପ ଛଡ଼ାରେ ପଡ଼ିଥିଲା ଗୋଟାଏ କପ୍‌ବୋର୍ଡ଼, ତା’ ଉପରେ ବସା ହେଇଥିଲା ଗୋଟାଏ ଛୋଟ ଦର୍ପଣ । ଖଟପାଖ ଛୋଟ ଟେବୁଲଟିରେ ଲଗା ହୋଇଥିଲା ଗୋଟାଏ ଗୋଲାକୃତି ଲ୍ୟାମ୍ପ । ପ୍ରତ୍ୟେକଟି ପଦାର୍ଥ ବେଶ୍‌ ପରିଚ୍ଛନ୍ନ ଏବଂ ବେଡ଼୍‌ କଭରଟିର ଉଜ୍ଜ୍ୱଳ ଓ ବର୍ଣ୍ଣାଢ଼୍ୟ ରଙ୍ଗ ସତ୍ୱେ ପରିବେଶଟି ଯେମିତି ଆଡ଼ମ୍ବରହୀନ କୌଣସି ହୋଟେଲର ବିଷନ୍ନ ଓ ନିରାନନ୍ଦ ପ୍ରକୋଷ୍ଠ ଭଳି ମନେ ହେଉଥିଲା । ରିନା ଖୁବ୍‌ ସାବଧାନତା ସହକାରେ ଟୋପିଟା ଖୋଲି କପ୍‌ବୋଡ଼ ଉପରେ ରଖିଲା । ତା’ପରେ ଘରର ଗୋଟାଏ କୋଣକୁ ଯାଇ ମୁଣ୍ଡ ଉପର ଦେଇ ନିଜର ପରିଚ୍ଛଦଟି ଖୋଲି ପକେଇଲା । ପରିଚ୍ଛଦ ଖୋଲିବା ମାତ୍ରକେ ତା’ର ଅନ୍ତର୍ବାସଟି ଗିୟାକୋମୋର ଆଖିରେ ପଡ଼ିଲା । ଗିୟାକୋମୋ ଲକ୍ଷ୍ୟକଲା, ରିନାର ବୁକୁଟି ସମତଳ ହେଲେ ହେଁ ଅଙ୍ଗଲତା ଅତୀବ ସୁନ୍ଦର । ପ୍ରଶସ୍ଥ ପୃଷ୍ଠଦେଶ, ଲମ୍ବା ଲମ୍ବା ପାଦ ଓ ଗୋଡ଼ ଯୋଡ଼ାକ ବେଶ୍‌ ପେଶିବହୁଳ । ଗିୟାକୋମୋ କ’ଣ କରିବ ବୁଝି ପାରିଲା ନାହିଁ; ଯେତେବେଳେ ରିନା ତା’ର ହାତପାହାନ୍ତାରେ ପହଞ୍ଚିଲା ସେ ତା’ର କଟୀବେଷ୍ଟନ କଲା । ରିନା କହିଲା–‘‘ମୋତେ ବିଛଣାଟି ଠିକ୍‌ କରିବାପାଇଁ ଦିଅ । ତୁମେ ଯଦି ଚାହଁ ବାଥରୁମ୍‌କୁ ଯାଇ ପୋଷାକପତ୍ର ପରିତ୍ୟାଗ କରି ଆସିପାର ।’’

 

ବିଛଣାର କଭରଟି ଖୋଲିବା ପାଇଁ ରିନା ବିଛଣା ଉପରେ ନଇଁପଡ଼ିଲା ବେଳକୁ ତା’ର ସିଲ୍‌କ ମୋଜା ପରିହତ ପାଦଯୋଡ଼ାକ ଉପରକୁ ଉଠେଇଲା, ତା’ ଫଳରେ ଗର୍ଟରଟିର ଶକ୍ତି ଚାପରେ ତା’ର ଫୁଲି ଉଠିଥିବା ଉରୁଦେଶ ଦେଖାଯାଉଥିଲା । ରିନା କଭରଟାକୁ କାଢ଼ି ଚାଦରଟିକୁ ଭଲଭାବରେ ବିଛେଇ ଦେଲା । ଚାଦରଟି ଖୁବ୍‌ ପରିଷ୍କାର ଦେଖାଯାଉଥିଲା ଯେମିତି ସଦ୍ୟ ଧୋବାଘରୁ ଆସିଛି । ସ୍ପଷ୍ଟତଃ ରିନା ଯେତେବେଳେ ଘରଟି ପବିତ୍ର ସ୍ଥାନ ବୋଲି ଜୋର ଦେଇ କହୁଥିଲା ସେତେବେଳେ ତା’ ପାଖରେ କଥାଟି ଏକାବେଳକେ ଅର୍ଥହୀନ ନ ଥିଲା । ଗିୟାକୋମୋ ପୋଷାକପତ୍ର ଖୋଲିବ କି ନାହିଁ ଚିନ୍ତା କରିବାକୁ ଲାଗିଲା, କାରଣ ସେହି ବିରାଟ ବିଛଣାର ଏକାକୀ ଉଲଗ୍ନ ଶୋଇବାକୁ ତା’ର ଲଜ୍ଜାହେଲା । ରିନା ବିଛଣାଟିର ଗୋଟାଏ ପାଖରେ ତାକୁ ପଛ କରି ବସି ସେତେବେଳକୁ ପାଦରୁ ମାଜାହଳକ ଖୋଲିବାରେ ବ୍ୟସ୍ତ । ଇତ୍ୟବସରରେ ଲୋରି କେଉଁଠିକି ଉଭାନ ହୋଇ ଯାଇଥିଲା, ବାଥ୍‌ରୁମର ଅର୍ଦ୍ଧୋନ୍ମୁକ୍ତ ଦରଜା ଭିତରୁ ତା’ର ଶବ୍ଦ ଶୁଣା ଯାଉଥିଲା । ଗିୟାକୋମୋ ରିନାକୁ ପ୍ରଶ୍ନକଲା—ଝରକାଟା ଖୋଲଯାଇ ପାରେ କି ନା, କାରଣ ଘର ଭିତରେ ସେ ବିଶେଷ ଗରମ ବୋଧ କରୁଛି ।’’

 

ରିନା ଉତ୍ତର ଦେଲା—‘‘ଲାଇଟ୍‌ଟା ନିର୍ବାପିତ କରିଦେବା ପରେ ଝରକାଟା ଖୋଲିନେବା, ନ ହେଲେ ଲୋକେ ଆମକୁ ଦେଖି ପାରିବେ ।’’

 

ହଠାତ୍‌ ଲୋରି ବାଥ୍‌ ରୁମ୍‌ରୁ ବାହାରି ଆସି ୱାଡ଼୍‌ରୋବର ଦର୍ପଣ ଆଗରେ ଠିଆହେଲା-। ଗିୟାକୋମୋ ଦେଖିଲା ସେ ନିଜକୁ କୌତୂହଳୋଦ୍ଦୀପକ ମନୋଯୋଗ ସହିତ ଲକ୍ଷ୍ୟ କରୁଛି । ଦର୍ପଣଭିତରେ ନିଜକୁ ଚାହିଁରହି କ’ଣ ଭାବି ସେ ଧୀରେ ଧୀରେ ନିଜର ବ୍ଲାଉଜ୍‌ ବୋତାମ ଗୁଡ଼ିକ ଖୋଲିବାକୁ ଲାଗିଲା । ସମସ୍ତ ବୋତାମ ଖୋଲି ପକେଇ ସେ ଇତସ୍ତତଃ ଭାବରେ କଟୀଦେଶ ପର୍ଯ୍ୟନ୍ତ ଉଲଗ୍ନ ହୋଇପଡ଼ି ଠିଆହୋଇ ରହିଲା । ତା’ର ପ୍ରଶସ୍ଥ ଓ ମାଂସଳ ବୁକୁ ଉପରେ କୁଚଯୁଗଳ ଉର୍ଦ୍ଧ୍ୱମୂଖୀ ହୋଇ ରହିଥିଲା । ତା’ର ପ୍ରତ୍ୟେକଟି ଦେହ ଉଙ୍ଗୀମା ସହିତ ସ୍ତନଯୋଡ଼ିକ ଏମିତିଭାବରେ ଥରି ଉଠୁଥିଲା ଯାହାଫଳରେ ମନେହେଉଥିଲା ତା’ର ଏହି ବୁକୁର ଗଠନ ଗୋଟାଏ ଦୈହିକ ବୈଶିଷ୍ଟ୍ୟ ଅକାଳପକ୍ୱତା କିମ୍ବା କ୍ଲାନ୍ତିର ଫଳ ନୁହେ । ଗିୟାକୋମୋର ପାଖ ଦେଇ ସେ ଚେୟାର ଉପରେ ବ୍ଲାଉଜ୍‌ଟି ରଖିବାପାଇଁ ଗଲା ଏବଂ ଘରକୋଣରେ ଥୁଆ ହୋଇଥିବା ଗ୍ରାମଫୋନ ପାଖକୁ ଆଗେଇ ଯାଇ କହିଲା—‘‘ଅଳ୍ପ ଗୀତ ଶୁଣାଯାଉ ।’’

 

ଗ୍ରାମଫୋନ୍‌ରେ ଚାବି ଘୂରେଇବା ପାଇଁ ନଇଁପଡ଼ି ତା’ର କପାଳ ଉପରେ ଝୁଲି ପଡ଼ିଥିବା କେଶରାଶି ଭିତର ଦେଇ ବେଶ୍‌ ଚପଳ ଦୃଷ୍ଟିରେ ଯେ ଗିୟାକୋମୋକୁ ଚାହିଁ ରହିଲା । ଚାବି ବୁଲେଇବା ବେଳକୁ ତା’ର ସ୍ତନଗୁଡ଼ିକ କମ୍ପି ଉଠୁଥିଲା । ଚାବି ଘୂରେଇବା ପାଇଁ ବେଶ୍‌ ଶକ୍ତିର ପ୍ରୟୋଜନ ଏବଂ ଗିୟାକୋମୋ ବେଶ୍‌ ଅବାକ୍‌ ହୋଇ ଦେଖିଲା, କେବଳ ତା’ର ସ୍ତନ ନୁହେଁ ସମଗ୍ର ଦେହବଲ୍ଲରୀ ଏହାଫଳରେ ଥରି ଉଠୁଥିଲା । ନୃତ୍ୟବାଦ୍ୟର ପ୍ରଥମ ସ୍ୱରଟି ବାଜି ଉଠିଲା ଏବଂ ଲୋରି ତା’ର ହାତ ଦୁଇଟି ଗିୟାକୋମୋ ଆଡ଼କୁ ବଢ଼େଇ ଦେଇ କହିଲା—‘‘ଆସ ନାଚିବା-।’’

 

ସେମାନେ ଧୀରେ ଧୀରେ ଘୁରିବାକୁ ଲାଗିଲେ ଏବଂ ବାଦ୍ୟଯନ୍ତ୍ରଟି ଜୋରରେ ବାଜି ଉଠିଲା । ରିନା ଡ୍ରେସିଂ ଟେବୁଲ ଆଗରେ ବସିରହି କହିଲା—‘‘ଗ୍ରାମଫୋନ୍‌ଟି ବନ୍ଦ କରିଦେ ।’’

 

ତା’ର କଥା ନ ଶୁଣି ଗିୟାକୋମୋ ଓ ଲୋରି ଘୂରିଘୂରି ଆଗେଇଗଲେ । ଗିୟାକୋମୋ ଏମିତିଭାବରେ ତା’ର ସକଳ ଲଜ୍ଜ୍ୟାକୁ ମୁକ୍ତିଲାଭ କରି ଯେଉଁ ଆନନ୍ଦ ଅଭିଯାନର ସମ୍ମୁଖୀନ ହେବାକୁ ଚାଲିଥିଲା ତା’ର ଶେଷପର୍ଯ୍ୟନ୍ତ ତାକୁ ଯିବାକୁ ହିଁ ପଡ଼ିବ । ରିନା ଶୀଘ୍ର ତା’ର ପରିଚ୍ଛଦ ମୁକ୍ତ ହୋଇପଡ଼ିବ, ଲୋରି ପ୍ରାୟ ତା’ର ସମସ୍ତ ବସ୍ତ୍ର ଉନ୍ମୁକ୍ତ କରି ଦେଇଛି; ସେ ନିଜେ ମଧ୍ୟ ତା’ର ସମସ୍ତ ପୋଷାକ ତ୍ୟାଗ କରିବ ଏବଂ ସେମାନେ ତିନିହେଁ ଡବଲ ବେଡ଼ରେ ଯାଇ ଏକାସାଥିରେ ଶୋଇବେ ।

 

ଏହି ଚିନ୍ତାରେ ସେ ଏତେ ବେଶୀ ଗଭୀର ଆନନ୍ଦର ଅନୁପ୍ରେରଣା ଲାଭକଲା ଯେ, ତା’ର ସମ୍ଭୋଗ ଆନନ୍ଦର ଅଧୈର୍ଯ୍ୟତା କଟିଗଲା । ସେମାନେ ଯେତେବେଳେ ଏକାକୀ ହୋଇ ପଡ଼ୁଥିଲେ, ଲୋରିର ନିବିଡ଼ ଭାବରେ ଆଲିଙ୍ଗନ କରିବାକୁ ତା’ର ଇଚ୍ଛା ହେଉଥିଲା, କାରଣ ରିନାର ସମ୍ମୁଖରେ ସେ ଲୋରିକୁ ଆଲିଙ୍ଗନ କରିବା ପାଇଁ ଲଜ୍ଜାବୋଧ କରୁଥିଲା । କିନ୍ତୁ ଠିକ ସେହି ମୁହୂର୍ତ୍ତରେ ଯେତେବେଳେ ନୃତ୍ୟର ପଦକ୍ଷେପ ପରିବର୍ତ୍ତନ କରିବେ ଆଲିଙ୍ଗନରେ, ବାଦ୍ୟଟି ବନ୍ଦ ହୋଇଗଲା । ‘‘ଏଇ ବୋକା ରିନାଟା’’ ଲୋରି ଏତକ କହି ଗିୟାକୋମୋକୁ ପରିତ୍ୟାଗ କରି ଝଡ଼ ବେଗରେ ଶୟନକକ୍ଷ ଭିତରକୁ ପଶିଗଲା ।

 

ସେ ଚିତ୍କାର କରି ତା’ର ଭଉଣୀକୁ କହିଲା—‘‘ତୁ ଗ୍ରାମଫୋନ୍‌ଟା କାହିଁକି ବନ୍ଦ କରିଦେଲୁ-? ଆମେ ନାଚୁଥିଲୁ ।’’

 

ରିନା ଉତ୍ତର ଦେଲା—‘‘ମୁଁ ତୋତେ ଆଗରୁ କହିଛି, ମୁଁ କୌଣସି ଗୋଲମାଲ ପସନ୍ଦ କରେନା । ତୁ ଟ୍ରାମରେ ଅନେକ ବାଜେକଥା କହିଛୁ । ତୁ ଆଇନ୍‌ଜୀବୀ ପିଚିଓ ଆଗରେ ମୋର ସମ୍ମାନ ନଷ୍ଟ କରିଛୁ, ମୁଁ ବର୍ତ୍ତମାନ ତା’ ମୁହଁକୁ ଆଉ ଚାହିଁ ପାରିବି ନାହିଁ ।’’

 

ଦୁଇ ଭଉଣୀ ମୂହାଁମୂହିଁ ଠିଆ ହୋଇଥିଲେ—ମଝିରେ ଥିଲା ଗ୍ରାମଫୋନ୍‌ଟା । ଜଣେ ପ୍ରାୟ ଅର୍ଦ୍ଧନଗ୍ନ, ଆଉ ଜଣକ ଦେହରେ ଥିଲା କେବଳ ଅନ୍ତର୍ବାସ । ଲୋରି ଚିତ୍କାର କରି କହିଲା–‘‘ପିଚିଓକୁ ମୁଁ ଖାତିର କରେନା । ତା’ ବ୍ୟତୀତ ସେ ଯାହା ଜାଣିଛ ତାହା ସତ୍ୟ–ତୁ ନାଗର ଖୋଜି ବୁଲୁ ସେଥିରେ କାର କ’ଣ ଯାଏ ଆସେ ।’’

 

—‘‘ଅନେକ କ୍ଷତିର ସମ୍ଭାବନା ରହିଛି...ତା’ ଛଡ଼ା ଏସବୁ ସତ ନୁହେଁ । ତୁ ମିଲାନରେ ନାଗର ଖୋଜିବୁଲୁ ?’’

 

‘‘ସତରେ...ଆଉ ତୁ କ’ଣ କରୁ ?’’

 

‘‘ମୁଁ କ’ଣ କରେ ସେ ନେଇ ପୋଷକ ଚିନ୍ତା କରିବାକୁ ପଡ଼ିବ ନାହିଁର; କିନ୍ତୁ ମନେରଖ ମୋ ଘରେ ଥିବା ପର୍ଯ୍ୟନ୍ତ ତୋତେ ଭଲଭାବରେ ଚଳିବାକୁ ପଡ଼ିବ । ମୋତେ ତୁ ଯଥେଷ୍ଟ ଲଜ୍ଜାରେ ପକେଇଛୁ... । ଏସବୁ ତୁ ମୋର ନିଜ ଘରେ କରିବୁ, ଏଇଠି ନୁହେଁ ।’’

 

ଲୋରି ହସିଉଠି କହିଲା—‘‘ଘରଟା ବଡ଼ ପବିତ୍ର ସ୍ଥାନ, ନୁହେଁ ?’’ ତା’ ପରେ କ୍ରୋଧରେ ହଠାତ୍‌ ତା’ର ମୁହଁଟା ଲାଲ ହୋଇପଡ଼ିଲା । ‘‘ତୋର ଏହି କଦର୍ଯ୍ୟ ଘରର ମୁଁ ପରବାୟ କରେନା...ମୁଁ ବର୍ତ୍ତମାନ ଚାଲି ଯାଇ ପାରେ...ଦେଖିବୁ ?’’

 

—‘‘ବେଶ୍‌...ସେୟାକର...ମୁଁ ଖୁସିହେବି’’ ରିନା କହିଲା । ଯଦିଓ ତା’ର କଣ୍ଠସ୍ୱରରେ କଠୋରତା ଅପେକ୍ଷା ଭୟର ସ୍ପର୍ଶ ଥିଲା ବେଶୀ ।

 

ଲୋରି ଭୀଷଣ ରାଗି ଉଠିଲା—‘‘ହଁ...ମୁଁ ଚାଲିଯିବି ।’’ ସେ ଚେୟାରରୁ ବ୍ଲାଉଜ ଖଣ୍ଡକ ଟାଣି ନେଇ ଦେହରେ ଦେଇ ବୋତାମ ଲଗେଇବାକୁ ଲାଗିଲା ।

 

ରିନା ପୁନରୁକ୍ତି କଲା—‘‘ବେଶ୍‌ ଯା...ଚାଲିଯା ।’’ କିନ୍ତୁ ସ୍ପଷ୍ଟ ବୁଝା ପଡ଼ୁଥିଲା ଲୋରିର ନିଷ୍ପତ୍ତିରେ ସେ ଦୁଃଖିତ ।

 

—‘‘ହଁ...ମୁଁ ଯାଉଛି । ଆଉ କୌଣସି ଦିନ ତୁ ମୋତେ ଦେଖି ପାରିବୁ ନାହିଁ ।’’ ତମତମ ହୋଇ ୱାର୍ଡ଼ରୋବ ପଛପଟକୁ ଲୋରି ଚମଡ଼ା କୋଣ ବନ୍ଧା ଗୋଟିଏ ଚମଡ଼ାର ସୁଟକେଶ ବାହାର କଲା । ତା’ପରେ ଗୋଟାଏ ଆଲମିରା ଖୋଲି ତା’ ଭିତରକୁ ଜିନିଷପତ୍ର ଫିଙ୍ଗିବାକୁ ଲାଗିଲା । ଗିୟାକୋମୋ ତାକୁ ବୁଝେଇବା ପାଇଁ ତା’ ପାଖକୁ ଯାଇ କହିବାକୁ ଲାଗିଲା—‘‘ଯାହା ହେବାର ହେଲା...ଏଥର... ।’’

 

ଲୋରି ତାକୁ ଠେଲି ଦେଇ କହିଲା—‘‘ମୋତେ ଛାଡ଼ିଦିଅ ।’’

 

ରିନା ପୁଣି କହିଲା— ‘‘ତୁ ଯାଇପାରୁ ।’’ ସେ ସେଯାଏ ଗ୍ରାମଫୋନ ପାଖରେ ଠିଆ ହୋଇଥିଲା...ତା’ର ମୁହଁରେ ଫୁଟି ଉଠିଥିଲା ଗୋଟାଏ ନିର୍ଲିପ୍ତ ଭାବ ।

 

—‘‘ତୋର କଦର୍ଯ୍ୟ ଘର ପରିତ୍ୟାଗ କରି ମୁଁ ଚାଲିଲି ।’’

 

ରିନା ବେଶ୍‌ ଦୁଃଖିତ ଭାବରେ କହିଲା—‘‘ଯା...ଯେତେ ଶୀଘ୍ର ପାରୁ ବାହାରି ଯା ?’’

 

ଲୋରି ଏଥର ଆଉ କୌଣସି ଉତ୍ତର ଦେଲାନାହିଁ । ସୁଟକେଶଟି ବନ୍ଦ କରି ତଡ଼ିତ୍‌ ବେଗରେ ରିନା ଓ ଗିୟାକୋମୋର ମଝିରେ ଯାଇ ଆଲନାରୁ ଟୋପିଟା ନେଇ ବାହାରି ଗଲା ।

 

ରିନା ହଠାତ୍‌ ରୁଦ୍ଧ କଣ୍ଠରେ ଡାକି ଉଠିଲା—‘‘ଲୋରି !’’ ଏବଂ ଏମିତି ଏକ ଭାବାବେଗ ପ୍ରକାଶ କଲା ଯାହା ଚପେଇ ରଖିବା ଖୁବ୍‌ କଷ୍ଟକର । କୌଣସି ଉତ୍ତର ଆସିଲା ନାହିଁ । କିଛି ସମୟ ପରେ ଦରଜା ବନ୍ଦ କରିବାର ପ୍ରଚଣ୍ଡ ଶବ୍ଦରେ ଫ୍ଲାଟଟି କମ୍ପି ଉଠିଲା । ରିନା ବିଛଣା ଉପରେ ବସିପଡ଼ି ଦୁଇ ହାତରେ ମୁହଁଟାକୁ ଢାଙ୍କି ପକେଇଲା ।

 

ସବୁ କିଛି ଏତେ ତଡ଼ିତ୍‌ ବେଗରେ ଘଟିଗଲା ଯେ ତା’ର ସେହି ଆଗତ ଅଭିଯାନ ଶେଷପର୍ଯ୍ୟନ୍ତ ସହଜସାଧ୍ୟ ହେବ ଏବଂ ସେଥିରୁ କୌଣସି କ୍ରମରେ ବିଚ୍ୟୁତ ହେବନାହିଁ, ଏହି ଧାରଣା ଗିୟାକୋମୋ ମନରୁ ଅପସାରଣ କରି ପାରିଲା ନାହିଁ । ସେ ସେଯାଏ ଗୋଟାଏ ଗଭୀର ଓ ସୁଖକର ଚିନ୍ତାରେ ଅଭିଭୂତ ହୋଇ ପଡ଼ିଥିଲା, ଯଦିଓ ତା’ର ପ୍ରତ୍ୟାଶିତ ଆନନ୍ଦଦାୟକ ଅଭିଯାନଟି ସେତେବେଳକୁ ପୂରାପୂରି ମିଳେଇଯାଇ ସାରିଥିଲା ।

ତା’ ପରେ ସେ ଗୋଟାଏ ଭୀଷଣ ହତାଶାର ଶୀକାର ହୋଇପଡ଼ିଲା । ଏହି ଉଦ୍ଦେଶ୍ୟହୀନତା ତାକୁ ବ୍ୟଥିତ ଓ ବିବ୍ରତ କରି ତୋଳିଲା ।

ବିନା ପ୍ରୟୋଜନରେ ପ୍ରସ୍ତୁତ ଫାଁକଫାଁକ ଅନ୍ତର୍ବାସଟି ପିନ୍ଧି ବିଛଣା କଡ଼ରେ ବସି ରହିଥିବା ସ୍ତ୍ରୀ ଲୋକଟିକୁ ସେ ଚାହିଁଲା...ସେଯାଏ ରିନା ହାତପାପୁଲିରେ ମୁହଁ ଢାଙ୍କି ଫୂଲିଫୂଲି କାନ୍ଦୁଥିଲା ।

କ୍ରନ୍ଦନର ଆବେଗରେ ଭାଙ୍ଗିପଡ଼ିଥିବା ଅସ୍ଥିର କଣ୍ଠସ୍ୱରରେ ସେ କହିଲା—‘‘ଏହାରି ପାଇଁ ମୁଁ କ’ଣ କରିନାହିଁ....କେତେ ତ୍ୟାଗ ସ୍ୱୀକାର କରିଛି । ଯେତେବେଳେ ସେ ଶିଶୁ, ମୋର ବୟସ ମାତ୍ର ଷୋହଳ ବର୍ଷ, ମୁଁ ତାକୁ ବଞ୍ଚେଇ ରଖିଛି । ମୁଁ ନ ଥିଲେ ତା’ର କ’ଣ ହୋଇଥା’ନ୍ତା ଭାଗବାନଙ୍କୁ ଜଣା । ବୁଲାଚଲା, ପୋଷାକ ପରିଚ୍ଛଦର ଖର୍ଚ୍ଚ ସବୁ ମୁଁ ତୁଲେଇଛି । ସେ ବଡ଼ହୋଇ ଯିବାପରେ ଜଣେ ପୋଷାକ ପ୍ରସ୍ତୁତକାରକ ଦୋକାନରେ ମଡ଼େଲ ହେବାର ତା’ର କର୍ମସଂସ୍ଥାନ ବି କରି ଦେଇଥିଲି... । କେତେଦିନ ଭୋକଉପାସରେ ରହି ମୁଁ ତାକୁ ଟଙ୍କା ପଠେଇଛି । ବର୍ତ୍ତମାନ ତୁମେ ନିଜେ ଦେଖ ସେ ମୋ ସହିତ କେମିତି ବ୍ୟବହାର କରୁଛି ।’’ ସେ ତା’ର ଅଶ୍ରୂପୂର୍ଣ୍ଣ ଆଖିଯୋଡ଼ିକ ଟେକି ଗିୟାକୋମୋକୁ ଚାହିଁଲା ।

ଗିୟାକୋମୋ ତା’ ପାଖରେ ବସି ତା’ର ଗୋଟାଏ ହାତ ତୋଳିଧରି କହିଲା–‘‘ବର୍ତ୍ତମାନ ତୁନିରୁହ...ସେ ଫେରି ଆସିବ ଯେ ।’’

—‘‘ନା...ସେ ଆଉ ଆସିବ ନାହିଁ...ମୁଁ ତାକୁ ଜାଣେ । ଏତେ ଶୀଘ୍ର ସେ ଫେରି ଆସିବ ନାହିଁ ।’’ କଥାଗୁଡ଼ିକ ସେ ସଜେଇ ସଜେଇ କହୁଥିଲା । ତା’ପରେ ତକିଆତଳୁ ରୁମାଲଟାଏ ବାହାର କରି ନାକ ପୋଛିବାକୁ ଲାଗିଲା ।

ଗିୟାକୋମୋ ତାକୁ ସାନ୍ତ୍ୱନା ଦେବେ କି ନାହିଁ ଭାବିବାକୁ ଲାଗିଲା । ଯେମିତି କିଛି ଘଟିନାହିଁ ସେହିମିତି ସେମାନେ ଦୁହେଁ ଆମୋଦ କରନ୍ତୁ ଏବଂ ଯିଏ ଯାହାର ପଥରେ ବାହାରି ଯିବେ ଏହି ପ୍ରସ୍ତାବ ଦେବାକୁ ସେ ଠିକ୍‌ କଲା ।

ସେ ଭାବିଲା ହୁଏତ ଏହି ଅଶ୍ୱସ୍ତିକର ପରିସ୍ଥିତିରେ ରିନା ତା’ର ପ୍ରସ୍ତାବରେ ସମ୍ମତି ଜ୍ଞାପନ କରିବ, ଆଉ ସଂଭୋଗରେ ଅଂଶୀଦାର ହିସାବରେ ସେ ହୁଏତ ଖୁବ୍‌ ବେଶୀ କଳ୍ପନା ବିଳାସୀ ।

ତେଣୁ ଗିୟାକୋମୋ ଉଠିପଡ଼ି କହିଲା—‘‘ମୁଁ ମନେ କରୁଛି ବର୍ତ୍ତମାନ ମୋର ଚାଲିଯିବା ଉଚିତ ।’’

ରିନା ବି ଠିଆ ହୋଇଯାଇ କହିଲା—‘‘ମୁଁ ବି ତୁମକୁ ରହିବା ପାଇଁ ଆଉ କହି ପାରୁନାହିଁ-। ମୋତେ ଆଦୌ ଭଲ ଲାଗୁନାହିଁ । ତା’ ବ୍ୟତୀତ ତୁମେ ତ ଦେଖିଲ...ମୋ ସହିତ ସିଏ କେମିତି ବ୍ୟବହାର କଲା... । କେତେ ନିର୍ଦ୍ଦୟ, କେତେ ଅକୃତଜ୍ଞ ।’’

 

ଏତିକି କହି ସେ ହଲ୍‌ ଘରୁ ବାହାରିଆସିଲା । ସେମାନେ ଯେତେବେଳେ ଦରଜା ପାଖରେ ପହଞ୍ଚିଲେ ଗିୟାକୋମୋ ତାକୁ ଆଲିଙ୍ଗନ କରି ଚୁମ୍ବନକଲା । ରିନା ବି କୃତଜ୍ଞତା ବ୍ୟଞ୍ଜକ ଗୋଟାଏ ଚୁମ୍ବନ ଆଙ୍କି ଦେଲା ଏହାର ପ୍ରତିଦାନରେ, ଆଉ କହିଲା—‘‘ମୁଁ ଦୁଃଖିତ ।’’

 

ଗିୟାକୋମୋ କହିଲା—‘‘ଠିକ୍‌ ଅଛି ।’’ ସେ ବାହାରି ଆସି କ୍ରୂଧତା ଲୋରି ସହିତ କାଳେ ସାକ୍ଷାତ ହୋଇ ଯାଇପାରେ ଏହି ଆଶାରେ ଚାରିଆଡ଼କୁ ଚାହିଁଲା; କିନ୍ତୁ ପ୍ରଶସ୍ତ କଳା ହ୍ରଦଭଳି ଓ୍ୟାସଫଲ୍‌ଟର ରାସ୍ତା ଦୁଇ କଡ଼ରେ ଧାଡ଼ିବନ୍ଧା ଲ୍ୟାମ୍ଫପୋଷ୍ଟ ଏବଂ ଲମ୍ବା ଆଲୋକବିହୀନ ଘରଗୁଡ଼ିକ ଛଡ଼ା ଆଉ କିଛି ଆଖିରେ ପଡ଼ିଲା ନାହିଁ । ସେ ନିଜକୁ ନିଜେ ବିରକ୍ତଭାବରେ କହିଲା—‘‘ଆହୁରି ଗୋଟାଏ ଦିନ ନିସ୍ଫଳ ଭାବରେ କଟିଗଲା ।’’

Image

 

Unknown

ତମସାର ତୃଷ୍ଣା

 

ଦିନଟା ଥିଲା ଅତିମାତ୍ରାରେ ଗରମ...ମଝିରେ ମଝିରେ ଝିପିର୍‌ ଝିପିର୍‌ ବର୍ଷା । ଘରୁ ପଦାକୁ ଗୋଡ଼କାଢ଼ିବା ମାତ୍ରକେ ସାରଜିଓ ନିଜର ଭୁଲ୍‌ ବୁଝିପାରିଲା । ଦେହରେ ତା’ର ଶୀତକାଳିନ ପୋଷାକ । ଏହି ଉଷ୍ଣ ଆବହାୱାରେ ତା’ର ପରିଧାନ କରିବା ଉଚିତ ଥିଲା ବସନ୍ତସମୟର ପତଳା ସୁଟ୍‌ । ତା’ ଉପରେ ପୁଣି ଦେହରେ ଦେଇଥିଲା ଡବଲ୍‌ ବ୍ରେଷ୍ଟଡ଼ ଓଭରକୋଟ, ଯାହାଫଳରେ ତା’ର ବୁକୁ ଓ ଉଦର ପ୍ରାୟ ଓଭରକୋଟ ତଳେ ଚାପା ପଡ଼ିଯାଇଥିଲା । ଏତଦ୍‌ ବ୍ୟତୀତ ସାର୍ଟ ତଳେ ଥିଲା ପଶମର ଗେଞ୍ଜି, ପାଦରେ ପଶମର ମୋଜା ଓ ଗାରେ ପଶମର ସ୍କାର୍ଫ । ତା’ର ଗୋଟାଏ ହାତରେ ଥିଲା ଛତା ଓ ଆରହାତରେ ଗ୍ଲୋଭସ । କେଇପାଦ ଆଗେଇଯିବା ମାତ୍ରକେ ତା’ର ମନେହେଲା ସେ ଯେମିତି ମଧ୍ୟଯୁଗୀୟ ଯୋଦ୍ଧମାନଙ୍କ ଭଳି ଦେଖାଯାଉଛି । ସେ ଭାବିଲା ତା’ର ଏ ଅବସ୍ଥା ପାଇଁ ଦାୟୀ ଆକାଶରେ ଜମାଟ ବାନ୍ଧଥିବା ପୁଞ୍ଜିଭୂତ କଦର୍ଯ୍ୟ କଳାମେଘ ଓ ତା’ର ମା’ । ସେ ଯେତେବେଳେ ପୋଷକପତ୍ର ପରିଧାନ କରୁଥିଲା ସେ ଆସି ଗରମପୋଷାକ ପିନ୍ଧି ବାହାରିବା ପାଇଁ ବିଶେଷଭାବରେ ଅନୁରୋଧ କରିଥିଲେ । ପ୍ରଥମେ ସେ ଭାବିଲା ଫେରିଯାଇ ପୋଷାକପରିଚ୍ଛଦର ବୋଝଟା ଅଳ୍ପ ହାଲୁକା କରିଦେଇ ଆସିବ; କିନ୍ତୁ ପୁନରାୟ ହଠାତ୍‌ ସେହି ପରତ୍ୟାଗ କଲା । ସେମାନେ ଘରର ସବା ଉପର ମହଲାରେ ରହୁଥିଲେ ଏବଂ ଲିଫ୍‌ଟ୍‌ଟା ବି ଖରାପ ହୋଇ ଯାଇଥିଲା; ତେଣୁ ଏ ବୋଝ ବହନ କରି ଉପରକୁ ଉଠିବା କଥା ସ୍ମରଣ ହେବା ମାତ୍ରକେ ସେ ପୀଡ଼ା ଅନୁଭବ କଲା । ସେ ଯାହାହେଉ ଜନବହୁଳ ରାସ୍ତାଟିରେ ସେ ଯେତେ ଆଗେଇବାକୁ ଲାଗିଲା ସେତିକି ତା’ର ଅଶ୍ୱସ୍ତି ବଢ଼ିବାକୁ ଲାଗିଲା । ବାହାରରେ ଗରମ ସହିତ ପୋଷାକର ଉତ୍ତାପ ମିଶି ତା’ର ମିଜାଜ୍‌ଟାକୁ ବି ଉତପ୍ତ କରି ଦେଇଥିଲା । ସେତେବେଳ ପର୍ଯ୍ୟନ୍ତ ବର୍ଷାର ଧାରାପାତ ଥମିଯାଇ ନ ଥିଲେ ହେଁ ଛତା ଖୋଲିବାର ଆବଶ୍ୟକତା ସେ ଅନୁଭବ କରି ନ ଥିଲା । ଫୁଟପାଥ୍‌ ଉପରେ ଶିଶିରବିନ୍ଦୁ ଭଳି ବର୍ଷାବିନ୍ଦୁ ଜମିରହି ତାକୁ ଓଦା କରି ଦେଇଥିଲା ଯେଉଁଠି ପାଦଖସି ପଡ଼ିଯିବାର ପ୍ରଚୁର ସମ୍ଭବନା ଥିଲା । ବର୍ଷାରେ ପବନର ଗତି ସ୍ଥିର ହୋଇ ପଡ଼ିଥିଲା । ଯତେବେଳେ ସେ ରାସ୍ତାର ମୋଡ଼ରେ ପହଞ୍ଚିଲା ସେତେବେଳେ ସେ ବୁଝିପାରିଲା ଯେ ତା’ର ସମଗ୍ର ଦେହ ଘର୍ମାକ୍ତ ହୋଇପଡ଼ିଛି ।

 

ଅଳ୍ପସମୟ ପାଇଁ ସେ ବୁଲିବାକୁ ବାହାରିଥିଲା; କିନ୍ତୁ ଯେତେବେଳେ ଦେଖିଲା ଯେ ପୋଷାକପରିଚ୍ଛଦର ବିରାଟ ବୋଝରେ ସେ ମୋଟେ ସ୍ଥିର ଭାବରେ ଚାଲିପାରୁ ନାହିଁ ବରଂ ଆପାଦମସ୍ତକ ଗୋଟାଏ ଅସ୍ୱାସ୍ଥ୍ୟକର ଉତ୍ତାପରେ ବନ୍ଦୀ ହୋଇପଡ଼ିଛି, ସେତେବେଳେ ତା’ର କ୍ରୂଧିତ ଆଖିଯୋଡ଼ିକ ସହରର ଅପରିଷ୍କୃତ ଓ ଜଘନ୍ୟ ବସ୍ତୁଗୁଡ଼ିକ ଅବଲୋକନ କରିବାକୁ ଲାଗିଲା; ଯେମିତି ସେହି ବସ୍ତୁଗୁଡ଼ିକ ସେ ପ୍ରଥମ କରି ଦେଖୁଛି । ଦୋକାନର ସୋକେସ୍‌ ଗୁଡ଼ିକ କଦର୍ଯ୍ୟ, ସରୁସରୁ ସର୍ପିଳ ଗଳିଗୁଡ଼ିକ ଜଞ୍ଜାଳପୂର୍ଣ୍ଣ, ତିମିରାଚ୍ଛନ୍ନ ଓ ମାର୍ଜାରମାନଙ୍କ ଦ୍ୱାରା ପରିପୂର୍ଣ୍ଣ । ତରୁଣୀ ଦେହର ଆବିଳତା, ଶିଶୁମାନଙ୍କ ପରିଚ୍ଛଦର ଦାରିଦ୍ର୍ୟତା ଏବଂ ରାସ୍ତା ଅନ୍ଧକାର ଭିତରୁ ମଣିଷଗୁଡ଼ିକ ଯେମିତି ସେମାନଙ୍କ ଘର୍ମାକ୍ତ, ତୈଳାକ୍ତ ଓ ବସିଯାଇଥିବା ମୁହଁଗୁଡ଼ିକ ନେଇ ତା’ ଆଡ଼କୁ ଆଗେଇ ଆସି ପୁଣି ମିଳେଇ ଯାଉଛନ୍ତି । ଯେଉଁ ସହରଟାକୁ ସେ ଭଲପାଉଥିଲା ସେହି ମୁହୂର୍ତ୍ତରେ ତା’ର ମନେହେଲା ଗୋଟାଏ ଆବର୍ଜନାର ସ୍ତୁପ । ଯେଉଁ ମଣିଷ ଓ ବସ୍ତୁଗୁଡ଼ିକ ବିଚ୍ଛିନ୍ନ ଭାବରେ ରହିଲେ ନିଜର ନିର୍ମଳତା ଓ ବୈଶିଷ୍ଟ ବଂଚେଇ ରଖିପାରନ୍ତେ ବର୍ତ୍ତମାନ ପୂତିଗନ୍ଧମୟ ଓ ପଙ୍କିଳ ହୋଇ ପଡ଼ିଛନ୍ତି ।

 

ଏହାରି ଭିତରେ ଘନେଇ ଆସିଲା ଅନ୍ଧକାର । ସାରଜିଓ କ’ଣ କରିବ ବୁଝି ନ ପାରି ଗୋଟାଏ ସିଗାରେଟ ଦୋକାନର ସୋ କେସ୍‌ ଆଗରେ ଠିଆ ହୋଇପଡ଼ିଲା । ସବୁଠୁ ତା’ର ବେଶୀ ଅସୁବିଧା ମନେହେଉଥିଲା ପଶମର ମୋଜା ଯୋଡ଼ିକ । ଯୋତାଭିତରେ ଗୋଇଠି ଯୋଡ଼ାକ ଏମିତି ଭାବରେ ଲାଗି ରହିଥିଲା ଯେମିତି ତରଳା ମହମବତୀ । କେହି ଜଣେ ଦୋକାନରୁ ବାହାରିବା ବେଳେ ତା’ ଉପରେ ହାମୁଡ଼େଇ ପଡ଼ିଲା, ମୁହଁ ଟେକି ଚାହିଁ ଦେଖିଲା ଲୁସିୟାନେ । ଦିନେ ସେ ଦୁହିଁଙ୍କ ଭିତରେ ଥିଲା ଅଭେଦ୍ୟ ବନ୍ଧୁତ୍ୱ ।

 

ସେ ଲୁସିୟାନୋକୁ ବିଶେଷ ପସନ୍ଦ କରୁ ନ ଥିଲା । ଲୁସିୟାନୋ ଥିଲା ତା’ର ସ୍କୁଲସାଥୀ । ବିଗତ ଦଶବର୍ଷ ଭିତରେ ତା’ ସହିତ କେବଳମାତ୍ର ଥରେ ବା ଦୁଇଥର ସାକ୍ଷାତ ହୋଇଛି । ଯଦିଓ ସେ ଲୁସିୟାନୋକୁ ପସନ୍ଦ କରୁ ନ ଥିଲା କିମ୍ବା ତା’ ସହିତ ସାକ୍ଷାତ କରିବାର କୌଣସି ବାସନା ମଧ୍ୟ ନ ଥିଲା । ତଥାପି ଏହି ଅବାସ୍ତବ ଓ ଶିଥିଳ ସଂପର୍କକୁ ସେ ଛିନ୍ନକରି ପାରି ନ ଥିଲା, ବାସ୍ତବରେ ସେ ଲୁସିୟାନୋ ଭିତରେ ନିଜର ଗୋଟାଏ ନିଷିଦ୍ଧ ଅଂଶର ଜାନ୍ତବରୂପ ଅନୁଭବ କରୁଥିଲା । ଯାହା ସେ ସର୍ବାନ୍ତକରଣରେ ଘୃଣା କରୁଥିଲା ଏବଂ ପାରୁପର୍ଯ୍ୟନ୍ତ ଏଡ଼େଇ ଯିବାପାଇଁ ଚାହୁଁଥିଲା । ସେ ଦୁହିଁଙ୍କ ଚେହେରାରେ ଥିଲା ଅଦ୍‌ଭୁତ ସାମଞ୍ଜସ୍ୟ, ଦୁହେଁ ଥିଲେ କଳା ଓ ବାଙ୍ଗରା, ଦେହଗଠଣର ସୌଷ୍ଠବରକ୍ଷା ପାଇଁ ଦୁହେଁ ଉତ୍ତମ ପୋଷାକ ପରିଧାନ କରୁଥିଲେ; କିନ୍ତୁ ଲୁସିୟାନୋର ମୁଖମଣ୍ଡଳରେ ଥିଲା ଅମିତାଚାରୀ ଲଂପଟ ଜୀବନଯାପନର ସ୍ୱାକ୍ଷର ଆଉ ସାରିଜିଓର ମୁହଁଟି ଥିଲା ଭଦ୍ର ଓ ବିଷର୍ଣ୍ଣ ଭାବମଣ୍ଡିତ । ଲୁସିୟାନୋର ପ୍ରାୟ ବିଦର୍ଣ୍ଣ ଗ୍ରେ ରଙ୍ଗର ମୁହଁରେ ପ୍ରଶସ୍ତ କପାଳ ଓ ଆଖିଯୋଡ଼ିକ ନିଷ୍ପ୍ରାଣ ଓ ଭାବଲେଶହୀନ ଦେଖାଯାଉଥିଲା । ଅନ୍ୟପକ୍ଷରେ ସାରଜିଓର ମୁହଁଟି ଥିଲା ନିର୍ମଳ, ମୁଣ୍ଡରେ ଘନ ସୁନ୍ଦର କେଶରାଶି ଓ ଆଖି ଦୁଇଟିରେ ଭରି ରହିଥିଲା ପ୍ରାଣପ୍ରାଚୁର୍ଯ୍ୟର ଲକ୍ଷଣ । ସେମାନଙ୍କ କଥାନୁସାରେ ଦୁହେଁ ଥିଲେ ସଦ୍‌ବଂଶଜ । ସାରଜିଓ ନିଜ ପିତାମାତାଙ୍କ ସହିତ ବାସକରୁଥିଲା ଏବଂ ତା’ର ପିତାଙ୍କର ଅଫିସରେ ଆଇନ୍‌ଜୀବୀ ଭାବରେ କାର୍ଯ୍ୟକରୁଥିଲା । ଲୁସିୟାନୋ କିନ୍ତୁ ଗୋଟାଏ ସୁସଜ୍ଜିତ ଘରେ ଏକାକୀ ରହୁଥିଲା ଏବଂ ନାନାରକମର ଅଭିନେତ୍ରୀ, ପେସାଦାର, ଜୁଆଡ଼ୀ ଓ ବେକାର ଯୁବକମାନଙ୍କ ସହିତ ସମୟ ଅତିବାହିତ କରୁଥିଲା । ସାରଜିଓ ଚେହେରାନୁସାରେ ତା’ର ସ୍କୁଲସଙ୍ଗୀଟିର ଏ ପ୍ରକାର ଜୀବନଯାପନ ଥିଲା ଅତି ଘୃଣ୍ୟ । କିନ୍ତୁ କୌଣସି ଅଜ୍ଞାତ କାରଣରୁ ସାରଜିଓ ନିକଟରେ ଲୁସିୟାନୋର ଏହି ଜଗତ୍‌ ଥିଲା ଅତୀବ ଆକର୍ଷଣୀୟ ଏବଂ ବହୁଦିନ ପରେ ହେଲେ ମଧ୍ୟ ସେ କେବେହେଲେ ତା’ର ବନ୍ଧୁକୁ ଏଡ଼େଇ ଦେଇପାରୁ ନ ଥିଲା । ସାକ୍ଷାତହେଲେ ଦୁହେଁ ଗୋଟାଏ ସନ୍ଧ୍ୟା କିମ୍ବା ଗୋଟାଏ ରାତ୍ରୀ ଏକତ୍ର ଭୋଜନ ଓ ଆମୋଦ ପ୍ରମୋଦ କରୁଥିଲେ । ପରେ ତା’ର ଘୃଣିତ ବନ୍ଧୁ ସହିତ ରାତ୍ରୀଯାପନ କରୁଥିବାରୁ ସାରଜିଓ ଲଜ୍ଜିତ ହୋଇ ପଡ଼ୁଥିଲା ଏବଂ ପ୍ରତିଜ୍ଞା କରୁଥିଲା ଆଉ କେବେହେଲେ ଏମିତି ଭାବରେ ଫୂର୍ତ୍ତିକର ସମୟ ନଷ୍ଟକରିବ ନାହିଁ ।

 

ଲୁସିୟାନୋକୁ ଦେଖିବାମାତ୍ରକେ ତାକୁ ଏଡ଼େଇ ଯିବା ପାଇଁ ସାରଜିଓର ଇଚ୍ଛା ହେଲା; କିନ୍ତୁ ତାକୁ ଦେଖି ତା’ର ବନ୍ଧୁଟି ହସିଲା ଏବଂ ତା ପାଖକୁ ଆଗେଇ ଆସିଲା । କରମର୍ଦନ କରି ସେ ଦୁହେଁ ରାସ୍ତାରେ ଆଗେଇ ଗଲେ । ଲୁସିୟାନୋ ସିଗାରେଟ୍‌ ଦୋକାନରୁ ସିଗାରେଟ କିଣି ସାରଜିଓକୁ ଗୋଟାଏ ସିଗାରେଟ ଦେଲା । ସାରଜିଓ ପ୍ରତ୍ୟାଖ୍ୟାନ କରିବାକୁ ଚାହୁଁଥିଲେ ହେଁ ଶେଷ ପର୍ଯ୍ୟନ୍ତ ଗ୍ରହଣ କରିନେଲା । କିଛିକ୍ଷଣପରେ ଲୁସିୟାନୋ ପଚାରିଲା ‘‘ତମେ କେମିତି ଅଛ ?’’

 

ସାରଜିଓ କର୍କଶ କଣ୍ଠରେ କହିଲା, ‘‘ବେଶ୍‌ ଭଲ ଅଛି ।’’

 

‘‘ଘରର ସମସ୍ତେ କୁଶଳରେ ଅଛନ୍ତିତ ?’’

 

‘‘ହଁ...... ।’’

 

‘‘ତୁମେ ଏ ଯାଏ ଆଇନ୍‌ ବ୍ୟବସାୟୀ ଅଫିସରେ କାମ କରୁଛ ?’’

 

ବୋଧହେଲା ଲୁସିୟାନୋର ମିଜାଜ୍‌ ଅତ୍ୟନ୍ତ ଖରାପ ହୋଇପଡ଼ିଛି ଏବଂ ସାରଜିଓର ସନ୍ଦେହ ହେଲା ଯେ ସେ ହୁଏତ ତା’ର ଅଭିପ୍ରେତ ଏଡ଼େଇ ଯିବାର ଭଙ୍ଗୀମାକୁ ଲକ୍ଷ୍ୟ କରିଛ, ତେଣୁ ସେ ଭଦ୍ରଭାବରେ ତା’ର ନିକଟାତ୍ମୀୟ କାହାରି ଖବର ଅବଗତ ହେବାର ଆଗ୍ରହ ପ୍ରକାଶ କଲା । କିନ୍ତୁ ଲୁସିୟାନୋ ପରିବାରର କାହାକୁ ଜାଣି ନ ଥିବାରୁ ତା’ର ରକ୍ଷିତାର ଖବର ବ୍ୟତୀତ ସେ ଆଉ କିଛି ଖୋଜି ପାଉ ନ ଥିଲା । ଅବଶ୍ୟ ସେ ତାକୁ ଛ’ମାସ ପୂର୍ବେ ଲୁସିୟାନୋ ସହିତ ଦେଖିଥିଲା, ଯେତେଦୂର ମନେହୁଏ ସ୍ତ୍ରୀ ଲୋକଟି ଯୁବତୀ, କୁତ୍ସିତ ନ ହେଲେ ହେ ସାରଜିଓର ଆଖିରେ ସେ ଅତି ସାଧାରଣ । ଯୁବତୀଟିର ଦେହର ଆକର୍ଷଣ ଓ ବିଭତ୍ସତାର ସଂମିଶ୍ରଣର ଗୋଟାଏ ସ୍ମୃତି ବ୍ୟତୀତ ତା’ରି ସଂପର୍କରେ ତା’ର ଆଉ କିଛି ମନେ ନାହିଁ । ଏପରିକି ଅନେକ ସ୍ମୃତି ଚାରଣ ପରେ ତା’ର ନା’ଟା ଆଲବିନା ବୋଲି ମନେପକେଇଲେ ହେଁ ନିଶ୍ଚିତ ହୋଇ ପାରିଲା ନାହିଁ-। ଯାହାହେଉ ସେ ପ୍ରଶ୍ନକଲା—‘‘ଆଲବିନା କେମିତି ଅଛି ?’’

 

ଲୁସିୟାନୋ ତା’ର ନିର୍ବାପିତ ସିଗାରେଟଟାରେ ପୁନରାୟ ଅଗ୍ନି ସଂଯୋଗ କରିବାକୁ ଠିଆ ହୋଇପଡ଼ିଲା । ଲାଇଟରର ଆଲୋକରେ ସାରଜିଓ ଦେଖିବାକୁ ପାଇଲା ଲୁସିୟାନୋର ମୁହଁରେ ଏମିତି ଏକ ଭାବ ଫୁଟି ଉଠିଛି ଯାହା ବ୍ୟାଖ୍ୟା କରିବା ମୋଟେ ସହଜ ନୁହେଁ । ‘‘ଓଃ.......ଆଲବିନା ! ତୁମେ ତାକୁ ମନେ ରଖିଛ ?’’ ବେଶ୍‌ ବିଦ୍ରୂପାତ୍ମକ କଣ୍ଠରେ ପଚାରିଲା—ଲୁସିୟାନୋ ।—‘‘ତମେ ହୁଏତ ଶୁଣି ଖୁସି ହେବ ଯେ କେବଳ ମାତ୍ର ଆଜି ତା’ ସହିତ ସମସ୍ତ ସଂପର୍କ ଛିନ୍ନ କରିଦେଇଛି ।’’

 

ସାରଜିଓ ଅବାକ୍‌ ହୋଇ ପ୍ରଶ୍ନ କଲା—‘‘ମୋର ଏଥିରେ ଖୁସି ହେବାର କ’ଣ ଅଛି ?’’

 

ଲୁସିୟାନୋ କହିବାକୁ ଲାଗିଲା—‘‘ଆଲବିନା ଗୋଟାଏ...... । ଏମିତି ପଦେ ଅଶ୍ଳିଳ କଥା ଲୁସିୟାନୋ ଉଚ୍ଚାରଣ କଲା ଯାଫଳରେ ସାରଜିଓ ଚମକି ପଡ଼ିଲା, କାରଣ ନାରୀମାନଙ୍କ ବିରୁଦ୍ଧରେ ଏଭଳି ମନ୍ତବ୍ୟ ସେ ସହ୍ୟ କରି ପାରୁ ନ ଥିଲା ।

 

—‘‘ମୁଁ ତା’ ଉପରେ ଖୁବ୍‌ ବିରକ୍ତ ହୋଇଉଠିଛି......ତେଣୁ ତାକୁ ବିଦାୟ ନେବା ପାଇଁ କହିଛି । ଏଥିରେ ତୁମେ ବିଶେଷ ଖୁସି ହୋଇପଡ଼ିଛି ନୁହେଁ ?’’

 

ସାରଜିଓ ଅପ୍ରସ୍ତୁତ ହୋଇ କହିଲା—‘‘ଏଥିରେ ମୁଁ ତିଳେମାତ୍ର ଖୁସି ନୁହେଁ, ବରଂ ଦୁଃଖିତ.... ।’’

 

ଲୁସିୟାନୋ ଠିଆ ହୋଇପଡ଼ି ବିଦୃପାତ୍ମକ ଭଙ୍ଗୀରେ ସାରଜିଓର ଆପାଦମସ୍ତକ ନିରିକ୍ଷଣ କରି କହିଲା–‘‘ଦେଖୁଛି, ତୁମେ ଗୋଟାଏ ଅଦ୍ଭୁତ ଜୀବ । ‘ତୁମେ ଦୁଃଖିତ ହୋଇ ପଡ଼ିଛ ନୁହେଁ, କଥାଟା ଆଉଥରେ କୁହତ ?’’

 

—‘‘ସତରେ ମୁଁ ଦୁଃଖିତ ।’’

 

—‘‘ତୁମେ ଗୋଟାଏ ନିର୍ଲଜ ।’’

 

‘‘ମୁଁ....କିନ୍ତୁ..... ।’’

 

—‘‘ତୁମେ ଆଲବିନାକୁ ଖୁବ୍‌ ଭଲପାଅ....ଆଉ ବର୍ତ୍ତମାନ ମୋ ସହିତ ତା’ର ସମସ୍ତ ସମ୍ପର୍କ ଛିନ୍ନ ।’’ ଲୁସିୟାନୋ ଅଳ୍ପ ସମୟ ପାଇଁ ନୀରବ ରହିଲା । ନିଜର ବିଦ୍ରୁପରେ ସେ ବେଶ୍‌ ଆତ୍ମସନ୍ତୋଷ ଲାଭକଲା । ତା’ପରେ ଘୃଣା ମିଶ୍ରିତ କଣ୍ଠରେ କହିଲା–‘‘ଉତ୍ତମ ବନ୍ଧୁ...ଅବଶ୍ୟ ସବୁବନ୍ଧୁ ସମାନ, ସମସ୍ତେ ବନ୍ଧୁ ପତ୍ନୀର ପ୍ରେମ ପାଇଁ ଲାଳାୟିତ ।’’ ସାରଜିଓ ଅବାକ୍‌ ହୋଇପଡ଼ିଲା । ଲୁସିୟାନୋ ସାଥିରେ ସେ ଥରେ ଦୁଇଥର ଆଲବିନାକୁ ଦେଖିଛି । ସେ ପ୍ରକୃତରେ ଆକର୍ଷଣୀୟ କି ନୁହେଁ ସାରଜିଓର ମନେ ନାହିଁ । ଆଲବିନା ମଧ୍ୟ ତା’ ପ୍ରତି ଆକୃଷ୍ଟ ଏକଥା ତା’ର ମନେ ପଡ଼ୁନାହିଁ । ଯାହାହେଉ ସେ ଅଳ୍ପ ନର୍ଭସ ହୋଇ କହିଲା—‘‘ମୁଁ କିନ୍ତୁ ତୁମକୁ.... ।’’

 

ତାର ବନ୍ଧୁ ବାଧାଦେଇ କହିଲା—‘‘ତୁମେ କ’ଣ ଭାବୁଛ ଆମେ ଯେଉଁଦିନ ରେସକୋର୍ସକୁ ଯାଉଁ ବା ରାତ୍ରୀଭୋଜନରେ ମିଳିତ ହେଉଁ ସେଦିନ ମୁଁ ତୁମକୁ ଲକ୍ଷ୍ୟ କରିନାହିଁ ? ତୁମର ମନେ ରଖିବା ଉଚିତ ମୁଁ ଅନ୍ଧ ନୁହେଁ...ଯାହାହେଉ, ମଣିଷ ମାତ୍ରକେ ଦୁର୍ବଳ ।’’

 

‘‘କିନ୍ତୁ ସେଦିନ.....ସତକରି..... ।’’

 

ଲୁସିୟାନୋ ଗୋଟାଏ ଛୋଟ ଦରଜା ପାଖରେ ଠିଆ ହୋଇପଡ଼ି କହିଲା—‘‘ଏଇଠି ଆଲବିନା—ରୁହେ । ମୁଁ ଏହି ଗ୍ଲୋଭସ୍‌ ଯୋଡ଼ାକ ଫେରେଇଦେବା ପାଇଁ ଆସିଛି...କିନ୍ତୁ ତୁମେ ଏ ଯୋଡ଼ାକ ତାକୁ ଦେଇ କୁହ ତା’ ସହିତ ମୋର ଆଉ କୌଣସି ସମ୍ପର୍କ ନାହିଁ । ଅନ୍ୟବ୍ୟକ୍ତି ସହଜରେ ଯେମିତି ମୋର ଶୂନ୍ୟ ଆସନ ଗ୍ରହଣ କରେ । ଉପକୁଳ ପୂରାପୂରି ଶୂନ୍ୟ । ଯାଅ ତୁମେ ସୁଯୋଗ ନିଅ । ସେ ଖୁବ୍‌ ଖୁସି ହେବ....ସେ ଏୟା ହିଁ ଚାହେଁ ।’’

 

‘‘କିନ୍ତୁ ମୁଁ..... ।’’

 

ବର୍ତ୍ତମାନ ପର୍ଯ୍ୟନ୍ତ ଠିଆ ହୋଇ ରହିଛି । ଯାଅ, ଲୁସିୟାନୋ ତାକୁ ଅସଭ୍ୟମାନଙ୍କ ଭଳି ଠେଲିଦେଲା ଯାହାଫଳରେ ସେ ଦରଜା ଦେଇ ଭିତରକୁ ପଶିଗଲା । ‘‘ଯାଅ ତୁମେ ଯେ ଖୁସି ହେବ ତାହା ତୁମେ ବି ଜାଣ । ଠିକଣା ଖୋଜିବା ପାଇଁ ତୁମକୁ ଆଉ କଷ୍ଟ କରିବା ପାଇଁ ପଡ଼ିବ ନାହିଁ...ତୁମକୁ ସିଧା ଦୁଆର ଆଗରେ ପହଞ୍ଚେଇ ଦେଇଛି...ତୁମେ କ’ଣ ଚାହଁ ତୁମର ପୋଷାକ ପରିଚ୍ଛଦ ଖୋଲି ଦେଇ ଆସିବ ।’’

 

‘‘କିନ୍ତୁ ଲୁସିୟାନୋ....... ।’

 

ଅନ୍ୟଜଣକ ତା’ କଥାରେ ବିଶେଷ ମନୋଯୋଗ ନ ଦେଇ କହିଲା–‘‘ତାହାହେଲେ ଏହି କଥା ରହିଲା । ତା’ ସହିତ ଭଲ ବ୍ୟବହାର କରି, ତାକୁ ନେଇ କେଉଁ ହୋଟେଲରେ ଡ଼ିନର ଖାଇନେଇ ଆସ.....ତୁମରି ସୌଭାଗ୍ୟ କାମନା କରୁଛି ।’’ ହାତ ହଲେଇ ସାରଜିଓକୁ ଅଭିବାଦନ ଜଣାଇ ଅଦୃଶ୍ୟ ହୋଇଗଲା ।

 

ବର୍ତ୍ତମାନ ନିଃସଙ୍ଗ ହୋଇ ପଡିବାରୁ ପୂର୍ବାପେକ୍ଷା ସେ ଆହୁରି ଘର୍ମାକ୍ତ ହୋଇ ପଡ଼ିଲା । ଉତ୍ତାପ ସହିତ ଆସି ମିଶ୍ରିତ ହୋଇ ପଡ଼ିଲା ଏକ ଅଶ୍ୱସ୍ତିକର ମିଥ୍ୟା ପରିସ୍ଥିତିର ଅନୁଭାବନା । ନିଜର ଅବସ୍ଥାଟାକୁ ମନେହେଲା ଯେମିତି ଏକ ଅଚିନ୍ତିତ ଘଟଣା । ନିଜ ଅବସ୍ଥାଠାରୁ ବି ଲୁସିୟାନୋ ଏବଂ ତା’ର ମନର ଅବସ୍ଥା ଆହୁରି ଅସମ୍ଭବ ମନେହେଲା । ଅସମ୍ଭବକୁ ହୁଏତ ଏଭଳି ବ୍ୟାଖ୍ୟା କରାଯାଇପାରେ–ପ୍ରଥମତ ଲୁସିୟାନୋ ହୁଏତ ବିନାକାରଣରେ ତାକୁ ହିଂସାକରେ । କିମ୍ୱା ଆଲବିନା ତା’ର ନାଁ କହି ତା’ର ପ୍ରଣୟକୁ ହିଂସ୍ର କରିତୋଳିଛି । ଗୋଟାଏ ଦିଗରେ ତା’ର ବନ୍ଧୁର ଶାନ୍ତ ଘୃଣା–ସେ ଯେମିତି ତା’ ପରିବର୍ତ୍ତେ ଆଲବିନାର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ ଏବଂ ଅନ୍ୟ ଦିଗରେ ଏହି ବିଶ୍ୱାସଘାତକର ଭୂମିକା ଗ୍ରହଣ କରିବାକୁ ତା’ର ଆଗ୍ରହ ଯେମିତି ତାକୁ ବାନ୍ଧି ରଖିଛି.....ଏ ସମ୍ୱନ୍ଧରେ ସେ ଚିନ୍ତା କରିବାକୁ ଲାଗିଲା । ସାରଜିଓ ନିଜ ସମ୍ୱନ୍ଧରେ ଗୋଟାଏ ଅତି ଉଚ୍ଚ ଧାରଣା ପୋଷଣ କରୁଥିଲା । ବର୍ତ୍ତମାନ ଲୁସିୟାନୋର ଭାନ୍ତିରେ ତା’ ମନରେ ଯେଉଁ ଲୋଭ ମୁଣ୍ଡଟେକି ଉଠିଲା ସେଥିପାଇଁ ତା’ର ନିଜଉପରେ ସନ୍ଦେହ ହେଲା । ସେ ଭାବିଲା–‘‘ସେ ଆଲବିନାର ଫ୍ଳାଟକୁ ନ ଯାଇ ଘରକୁ ଫେରିଗଲେ ଲୁସିୟାନୋ ତା’ର ଭୁଲ ବୁଝିପାରିବ ।’’ କିନ୍ତ ସେ ଲକ୍ଷ୍ୟକଲା ଯେ ଏହାରି ଭିତରେ ସେ ପ୍ୟାସେଜ୍‌ରେ କେତେପାଦ ଆଗେଇ ଆସିଛି । ଘରଟି ଖୁବ୍‌ ପୁରାତନ ଓ ଅପରିଷ୍କୃତ ପ୍ୟାସେଜ୍‌ଟି ଅନ୍ଧକାର, ସନ୍ତସନ୍ତିଆ ଓ ଆଇଁସିଆ ଗନ୍ଧରେ ପୂର୍ଣ୍ଣ । ତା’ସତ୍ତ୍ୱେ ଅପରିଜ୍ଞାତ, ଜରାଜୀର୍ଣ୍ଣ, ଦୂଷୀତ ଗନ୍ଧ ଓ ଅନ୍ଧକାର ଯେମିତି ତାକୁ ଆକର୍ଷିତ ଓ ଉତ୍ତେଜିତ କରି ତୋଳିଲା । ତା’ର ହୃତ୍‌ସ୍ପନ୍ଦନ ଦ୍ରୁତ ହୋଇପଡ଼ିଲା ଏବଂ ଶ୍ୱାସପ୍ରଶ୍ୱାସ ନେବାକୁ ସେ କଷ୍ଟ ଅନୁଭବ କଲା । ‘‘ତାକୁ ଗ୍ଳୋଭସ୍‌ ଯୋଡ଼ାକ ଦେଇ ମୁଁ ବାହାରି ଯିବି ।’’ ମନକୁ ମନ ଏତକ କହି ସେ ପ୍ୟାସେଜ୍‌ର ଶେଷ ଆଡ଼କୁ ଆଗେଇବାକୁ ଲାଗିଲା ।

 

ଏକା ଡିଆଁ କେ ଦୁଇ ତିନୋଟି କରି ପାହାଚ ଡ଼େଇଁ ସେ ଉପରକୁ ଉଠିବାକୁ ଲାଗିଲା । ଆଗ୍ରହ ଓ ହତାଶାର ଏକ ମିଶ୍ରିତ ବେଦନା ତା’ର ସମଗ୍ର ମନକୁ ଆଚ୍ଛନ୍ନ କରି ପକେଇଲା । ନିଃସ୍ପ୍ରଭ ଆଲୋକରେ କଳାରଙ୍ଗର ଗୋଟାଏ ଦରଜା ଆଗରେ ଠିଆହୋଇ ସେ କଲିଂବେଲଟି ଟିପିଲା । ଅବିନ୍ୟସ୍ତ କେଶା ଗୋଟାଏ ପୃଥୁଳକାୟା ମହିଳା ଆସି ଦରଜାଟି ଖୋଲିଦେଲା । ତା’ ଦେହରେ ଥିଲା ଆପ୍ରନ ଓ କୋଳରେ ଗୋଟାଏ ଶିଶୁ । ଆଲବିନାର ନାଁ କହିବା ମାତ୍ରକେ ବାରଣ୍ଡାର ଶେଷଭାଗରେ ଥିବା ଏକ ପ୍ରକୋଷ୍ଠକୁ ଇଙ୍ଗୀତରେ ନିର୍ଦ୍ଦେଶକଲା । ସାରଜିଓ ଗୋଟାଏ ହାତରେ ଛତା ଓ ଆରହାତରେ ଟୋପି ଧରିଥିବାରୁ ଅଶ୍ୱସ୍ତିବୋଧ କରୁଥିଲା । ଶେଷରେ ଏକ ଶୂନ୍ୟ ହଲଘର ପାରିହୋଇ ସେ ନିର୍ଦ୍ଦିଷ୍ଟ ଦୁଆରରେ ଯାଇ କରାଘାତ କଲା ।

 

ଭିତରକୁ ଯିବା ପାଇଁ ଏକ ସ୍ତ୍ରୀ କଣ୍ଠର ଆମନ୍ତ୍ରଣ ଭାସି ଆସିଲା । ଦରଜା ଠେଲି ଭିତରକୁ ପଶି ସେ ଦେଖିଲା ଗୋଟାଏ ଛୋଟଘର । ବାରଣ୍ଡାରେ ଗୋଟାଏ କାନ୍ଥ ଦିଆଯାଇ ଯେମିତି ଘରଟା ତିଆରି କରାଯାଇଛି । ଗୋଟାଏ ପାଖରେ ସମାନ୍ତରାଳ ଭାବରେ ସଜ୍ଜିତ ଏକ ଓ୍ୟାଡ଼୍ରୋବ ଛିନ୍ନ ବସ୍ତାବୃତ୍ତ ଏକ ସୋଫା, ଗୋଟାଏ ଛୋଟ ଟେବୁଲ ଓ ଚୌକି ଏବଂ ଅନ୍ୟ ପାଖରେ କେବଳ ଜଣେ ମଣିଷ ଚଳପ୍ରଚଳ ହେବା ଭଳି ଖୋଲା ଜାଗା । ଘର ଶେଷରେ ଝରକା ପାଖରେ ଡ଼୍ରେସିଂ ଟେବୁଲଟିଏ । ଆଲବିନା ତା’ରି ସାମନାରେ ବସି ରହିଥିଲା । ସେ ଯେଉଁ ଟୁଲଟି ଉପରେ ଉପବେଶନ କରିଥିଲା ସେଥିରୁ ତା’ର ଯୌବନପୁଷ୍ଠ ଯୁଗ୍ମ ନିତମ୍ୱ ତଳକୁ ଓହଳି ପଡ଼ିଥିଲା । ଦେହରେ ଥିଲା କେବଳ ଖଣ୍ଡେ ସବୁଜ ରଙ୍ଗର ଅନ୍ତର୍ବାସ । ସେ ସେତେବେଳକୁ କେଶ ପ୍ରସାଧନରେ ବ୍ୟସ୍ତ । ମୁଣ୍ଡଟି ରହିଛି ଇସତ୍‌ ବଙ୍କିମ ଭଙ୍ଗୀରେ ପରିଚ୍ଛଦ ବିହୀନ ହାତଟିରେ ବ୍ରାସଟିକୁ ଧରିରଖିଛି । ସେ ବେଶ୍‌ ଶାନ୍ତ ସ୍ୱରରେ କହିଲା ‘‘ଲୁସିୟାନୋ ।’’

 

ସାରଜିଓ ସ୍ୱାଗୋତୋକ୍ତି କଲା—‘‘ମୁଁ ଏହାକୁ ଗ୍ଳୋଭସ୍‌ ଯୋଡ଼ାକ ଦେଇ ଫେରିଯିବି ।’’ ସେ ଉତ୍ତର ଦେଲା—ନା, ମୁଁ ସାରଜିଓ ।’’ ଆଲବିନା ହଠାତ୍‌ ବୁଲିପଡ଼ିଲା । ଦେହର ଏହି ଘୂର୍ଣ୍ଣନ ସହିତ ତା’ର ବର୍ତ୍ତୁଳ ପୀନ ସ୍ତନ ଯୋଡ଼ିକ ସେମିଜର ଲେସ୍‌ ଭିତରେ ଅତି ଉଗ୍ରଭାବରେ ଆତ୍ମପ୍ରକାଶକଲା । ସାରଜିଓ ତା’ ଆଡ଼କୁ ଆଗେଇ ଯାଉଯାଉ କହିଲା—‘‘ହୁଏତ ଆପଣ ମୋତେ ମନେରଖି ନାହାନ୍ତି ଏବଂ ଲୁସିୟାନୋ ପରିବର୍ତ୍ତେ ମୋର ଉପସ୍ଥିତିରେ ଆପଣ ବିଶେଷ ଅବାକ୍‌ ହୋଇ ପଡ଼ିଛନ୍ତି.....ମୁଁ ଦୁଃଖିତ ଯେ ମୋତେ ଗୋଟାଏ ଅଶୁଭସମ୍ୱାଦ ବହନ କରି ଆଣିବାକୁ ପଡ଼ିଛି । କେଇ ମିନିଟ ଆଗେ ଲୁସିୟାନୋ ଆପଣଙ୍କୁ ଜଣାଇ ଦେବା ପାଇଁ ଅନୁରୋଧ କରିଛି ଯେ, ସେ ଆଉ ଆସିବ ନାହିଁ କିମ୍ୱା ଆପଣଙ୍କ ସହିତ ସାକ୍ଷାତ କରିବ ନାହିଁ......ଆଉ ଏହି ଗ୍ଳୋଭସ ଯୋଡ଼ାକ ସେ ଫେରସ୍ତ କରିଦେଇଛି ।’’

 

ଆଶା କରାଯାଉଥିଲା ଲୁସିୟାନୋର ଏହି ବ୍ୟବହାର ଫଳରେ ଆଲବିନା କୌଣସି ନା କୌଣସି ମନ୍ତବ୍ୟ ପ୍ରକାଶ କରିବ; କିନ୍ତୁ ଆଲବିନା ଚୁପ୍‌ଚାପ୍‌ କୌତୁହଳୀ ଦୃଷ୍ଟିରେ ସାରଜିଓ ଆଡ଼କୁ ଚାହିଁ ରହିଲା । ସାରଜିଓ ତା’ ଆଡ଼କୁ ଚାହିଁ ଦୁଃଖର ସହିତ ଲକ୍ଷ୍ୟକଲା ଯେ ସତରେ ଆଲବିନା ସୁନ୍ଦରୀ ଓ ତା’ ପ୍ରତି ଆକୃଷ୍ଟ । ଆଲବିନାର ଛୋଟ ମୁଣ୍ଡ, ଗୋଲାକାର କଳାକଳା ଆଖି, ଲମ୍ୱା ନାକ ଏବଂ ସୂକ୍ଷ୍ମ ମୁଖ ଗହ୍ୱରଟି ଥିଲା ପକ୍ଷୀଭଳି ସୌନ୍ଦର୍ଯ୍ୟଶାଳିନୀ । ଦେହର ବ୍ରାଉନ୍‌ ରଙ୍ଗ ସହିତ ମୋଟା ବେକ ଓ ପରିପୁଷ୍ଟ ସ୍ତନଯୁଗ୍ମ ଦେଖାଯାଉଥିଲା ଅତୀବ ଆକର୍ଷଣୀୟ । ସବୁଜ ଅନ୍ତର୍ବାସ ଓ ଅପରିଷ୍କୃତ ବାହୁମୂଳ ଯୋଡ଼ିକ ଏକ ବିଶୃଙ୍ଖଳ ଭାବପ୍ରକାଶ କରୁଥିଲା; କିନ୍ତୁ ତା’ ସତ୍ତ୍ୱେ ସାରଜିଓକୁ ଖରାପ ଲାଗୁ ନ ଥିଲା । ଚକିତ ଭାବରେ ଓ ଇଚ୍ଛା ବିରୁଦ୍ଧରେ ସେ କହିଲା–‘‘ଆପଣ ଯଦି ଚାହାନ୍ତି ଓ ଆପଣଙ୍କର କୌଣସି ବିଶେଷ କାମ ନ ଥାଏ ଆମେ ସାଥିହୋଇ ଭୋଜନ ପାଇଁ ଯାଇପାରୁ ।’’

 

ଏହି ଧରଣର ଆମନ୍ତ୍ରଣ କରିବା ଫଳରେ ସେ ହଠାତ୍‌ ଦୁଃଖିତ ହୋଇ ପଡ଼ିଲା ଏବଂ ଆଶାକରିବାକୁ ଲାଗିଲା ଆଲୁବିନାର ପ୍ରତ୍ୟାଖ୍ୟାନ । ଆଲବିନା ଧୀରେ ଧୀରେ କହିଲା–‘‘ଲୁସିୟାନୋ....ଗୋଟାଏ ମିଥ୍ୟାବାଦୀ, ମୁଁ ତା’ ସହିତ ଆଉ ଦେଖା କରିବାକୁ ଚାହେଁନା; କିନ୍ତୁ ଏଭଳି ଭାବରେ ସେ ମୋତେ ବୋକା କରି ପାରିବ ନାହିଁ । ତୁମେ କ’ଣ ମନେକର ମୁଁ ଘଟଣାଟି ମୋଟେ ବୁଝିପାରୁ ନାହିଁ ?’’

 

ଲୁସିୟାନୋ ଭଳି ଆଲବିନା ମଧ୍ୟ ବୁଝି ପାରିଥିଲା ତା’ ଉପରେ ସାରଜିଓର ଦୁର୍ବଳତା ରହିଛି । ଅଳ୍ପ ବିରକ୍ତ ହୋଇ ସାରଜିଓ ଉତ୍ତର ଦେଲା–‘‘ମୁଁ କିଛି ନ ଭାବିଲେ ମଧ୍ୟ ଆପଣଙ୍କ ଗ୍ଳୋଭସ ଯୋଡ଼ାକ ଫେରସ୍ତ ଦେବା ପାଇଁ ଆସିଥିଲି ।’’

 

ଆଲବିନା ଧରେଇଦେଇ କହିଲା—‘‘ଆଉ ମୋତେ ନୈଶ୍ୟଭୋଜନ ପାଇଁ ଆମନ୍ତ୍ରଣ ଜଣାଇବାକୁ...ତେବେ କୁହ କେଉଁଠିକି ଯିବା ପାଇଁ ହେବ ?’’

 

ତାହାହେଲେ ସେ ତା’ର ଆମନ୍ତ୍ରଣ ଗ୍ରହଣ କରିଛି । ସାରଜିଓ ଖୁସି ନ ହୋଇ ରହିପାରିଲା ନାହିଁ । ସେ କହିଲା–‘‘ଯେଉଁଠିକି ଆପଣଙ୍କ ଇଚ୍ଛା ।’’

 

ଆଲବିନା ଉତ୍ତର ଦେଲା–‘‘ପାଓଲୋନ୍‌କୁ ଚାଲନ୍ତୁ, ସେଇଠି ଖାଇବା ପିଇବା ଖୁବ୍‌ ଭଲ-।’’ ସେ ହେୟାରବ୍ରଶ୍‌ଟା ଉଠେଇ ନେଇ ସହଳ ପ୍ରସାଧନ ସାରିନେଲା-। —‘‘ଆରେ, ବସୁନା ଏମିତି ପଥର ମୂର୍ତ୍ତି ଭଳି ଠିଆ ହୋଇଛ କାହିଁକି ?’’ କଟାକ୍ଷ ଓ ବାଚନ ଭଙ୍ଗୀରେ ଜଳି ଉଠୁଥିଲା କାମନାର ଉଦରା ଅଗ୍ନିଶିଖା । ସାରଜିଓ ପୋଷାକର ଭାରାରେ ଅସୁବିଧା ଅନୁଭବ କରୁଥିବାରୁ କଦର୍ଯ୍ୟ ଭାବରେ ସୋଫାରେ ବସିପଡ଼ିଲା । ଆଲବିନାର ପୂର୍ବରାଗ ସହିତ ତା’ ମନରେ ମିଶ୍ରିତ ହୋଇପଡ଼ିଲା ପୋଷାକର ବନ୍ଧନରୁ ମୁକ୍ତିଲାଭ କରିବାର ଅତ୍ୟୁଗ୍ର କାମନା । ସେ ଭାବୁଥିଲା ଏହି ଛୋଟ ଘରଟିରେ ସେ ତା’ର ପରିଚ୍ଛଦତକ ତ୍ୟାଗ କରି ପକେଇବ । ଘରଟି ଯଦିଓ ବିଶେଷ ଉତପ୍ତ ନ ଥିଲା ତଥାପି ତା’ର ମନେହେଲା ଆଲବିନାକୁ ପାଇବା ଅପେକ୍ଷା ପୋଷାକପତ୍ର ତ୍ୟାଗ କରି ସେ ବିଶେଷ ଆନନ୍ଦ ପାଇବ । କିନ୍ତୁ ସେହି ଅନାଗତ ଶୁଭମୁହୂର୍ତ୍ତଟି ସେଯାଏଁ ସମାଗତ ହୋଇ ନ ଥିଲା-। ଆଲବିନା ତା’ ଆଡ଼କୁ ଦୃଷ୍ଟିପାତ ନ କରି କହିଲା—‘‘ମୋ ସହିତ ଲୁସିୟାନୋର ସଂପର୍କ ଚ୍ଛିନ୍ନ ହୋଇଯିବାରେ ତୁମେ ଖୁସି ହୋଇଛ ତ ?’’

 

ସାରଜିଓ ଖନେଇ ଖନେଇ କହିଲା–‘‘ସତ କହିବାକୁ ଗଲେ ମୁଁ.... !’’

 

ଆଲବିନା କହିଲା–‘‘ତୁମେ ହୁଏତ ବିଶ୍ୱାସ କରିବ ନାହିଁ, କିନ୍ତୁ ମୁଁ ସବୁକିଛି ବେଶ୍‌ ସ୍ପଷ୍ଟ ଦେଖି ପାରୁଛି.... । ଯେଉଁ ମୁହୂର୍ତ୍ତରେ ଲୁସିୟାନୋ ତୁମକୁ କହିଛି ଯେ ଆମ ଭିତରେ ଆଉ କୌଣସି ସଂପର୍କ ନାହିଁ ତୁମେ ଆନନ୍ଦରେ ଅଧିର ହୋଇ ଏଠିକି ଛୁଟିଆସିଛ । ଭାବିଛ ଏୟା ହିଁ ଚରମ ମୁହୂର୍ତ୍ତ; ସେୟା ନା ?’’

 

ସାରଜିଓ ଅଳ୍ପ ସଂଚୟ କରି କହିଲା—‘‘ମୁଁ ଶପଥ କରି କହିପାରେ ତୁମେ ଭୁଲ କରୁଛ-।’’ କିନ୍ତୁ ଆଲବିନାର ଭୁଲ୍‍ ସଂପର୍କରେ ସେ ନିଜେ ବି ନିଶ୍ଚିତ ହୋଇପାରିଲା ନାହିଁ ।

 

—‘‘ତୁମେ କ’ଣ ଭାବୁଛ ମୁଁ ଲକ୍ଷ୍ୟ କରିନାହିଁ ?’’

 

—‘‘କ’ଣ ଲକ୍ଷ୍ୟ କରିଛ ?’’

 

—‘‘ଯେଉଁଦିନ ଆମର ଶେଷ ଦେଖା ହୋଇଥିଲା ଲୁସିୟାନୋ ବି ଅବଶ୍ୟ ଥିଲା ସେହି ରେସ୍ତୋରାଁରେ, ପ୍ରତ୍ୟେକଟି ମୁହୂର୍ତ୍ତରେ ଟେବୁଲ ତଳେ ମୋର ପାଦରେ ଚାପ ଦେଇଛ । ମୋର ଯୋତାରୁ ପଟେ ସଂପୂର୍ଣ୍ଣ ନଷ୍ଟ କରି ଦେଇଛ । ତୁମେ ଖୁବ ସାଧୁପୁରୁଷ ନୁହେଁ ?’’

 

ସାରଜିଓ କିଛି ସମୟ ନୀରବ ରହିଲା । ପରିଶେଷରେ ବର୍ତ୍ତମାନ ସେ ସ୍ପଷ୍ଟଭାବରେ ସତ୍ୟର ସମ୍ମୁଖୀନ ହୋଇପଡ଼ିଛି । ଦେହଭୋଗର କାମନାରେ ସେ ତା’ର ପାଦରେ ଚାପ ଦେଇଥିଲା । ତା’ର ବେଶ୍‌ ମନେ ପଡ଼ିଛି ଆଲବିନା ଓ ଲୁସିୟାନୋ ସହିତ ସେ ଗୋଟାଏ ରେସ୍ତୋରାଁକୁ ଯାଇଥିଲା; ତା’ର ଆହୁରି ମନେ ପଡ଼ୁଛି ତା’ର ବିପରୀତ ଦିଗରେ ଲୁସିୟାନୋ ଓ ଆଲବିନା କାନ୍ଥପାଖରେ ପଡ଼ିଥିବା ଦୁଇଟି ଚୌକିରେ ବସିଥିଲେ । କିନ୍ତୁ ସେ ନିଶ୍ଚିତ ଯେ ଜାଣିଶୁଣି ଆଲବିନାର ପାଦରେ ସେ ଚାପ ଦେଇନାହିଁ । ହୁଏତ ଉଦ୍ଦେଶ୍ୟହୀନ ଭାବରେ ଟେବୁଲ ତଳେ ଗୋଡ଼ଟା ପ୍ରସାରିତ କରିବାକୁ ଯାଇ ଆଲବିନାର ପାଦରେ ତା’ର ପାଦ ଲାଗିଯାଇଛି । ପ୍ରଥମେ ଯେମିତି ତା’ର ମନେ ହେଲା ଆଲବିନା ଲୁସିୟାନୋ ମନରେ ପ୍ରତିହିଂସା ଜାଗ୍ରତ କରିବାକୁ ସମସ୍ତ ଘଟଣାଟା ସଜେଇଛି । ଏହି ଧରଣର ପରୀକ୍ଷା ନିରୀକ୍ଷା ଫଳରେ ସେ ଧୀରେ ଧୀରେ କହିଲା–‘‘ଆପଣ ଭୁଲ କରିଛନ୍ତି—ମୁଁ ଇଚ୍ଛାକରି ଆପଣଙ୍କ ପାଦ ରେସ୍ତୋରାଁ ରେ ମାଡ଼ି ନାହିଁ, ଏଭଳି କାର୍ଯ୍ୟ ମୁଁ କୌଣସି ଅବସ୍ଥାରେ କରେନା । ଆପଣ ହୁଏତ ଅନ୍ୟ କାହା ସହିତ ମୋତେ ଗୋଳେଇ ପକେଇଛନ୍ତି ।’’ ଆଲବିନା ବେଶ ରୁଷ୍ଟଭାବରେ କହିଲା—‘‘ମରିଯାଏନା ଅନ୍ୟ କାହା ସହିତ ତୁମକୁ ମୁଁ ମୋଟେ ଗୋଳେଇ ପକେଇନି, ଏସବୁ ଘଟଣାରେ ମୋର ଆଦୌ ଭୁଲ ହୁଏ ନାହିଁ ।’’

 

ସାରିଜିଓ ବିରକ୍ତିର ସହିତ ଭାବିଲା—ସ୍ତ୍ରୀ ଲୋକଟି ଏକବାରେ ବାଜେ । କିନ୍ତୁ ସେ ଅନୁଧାବନ କଲା ଯେ ଏହି ଧରଣର ଅସଭ୍ୟତା ସ୍ଥାନ ଓ ପାତ୍ର ସହିତ ବେଶ ଖାପ ଖାଉଛି ଏବଂ ତାହା ପକ୍ଷରେ ଏହା ବେଶ୍‌ ଆନନ୍ଦଦାୟକ । ସେ ଲମ୍ପଟତାର ପଥ ଅନୁସରଣ କରି କହିଲା–‘‘ତୁମେ ଯେତେବେଳେ ଦୃଢ଼ ନିଶ୍ଚିତ, ତେବେ ମୁଁ ସ୍ୱୀକାର କରୁଛି ତୁମ ପାଦରେ ମୁଁ ଜାଣିଶୁଣି ଚାପ ଦେଇ ଥିଲି......ତା’ ପରେ ?’’

 

ଆଲବିନା ବ୍ରଶ୍‌ଟି ନୁଆଁଇ ଆଣି ରଖିଦେଲା ଏବଂ ତା’ର କେଶ ସମ୍ଭାର ପରିଚ୍ଛନ୍ନ ଭାବରେ ପକ୍ଷୀର ଲୋମଶ ପକ୍ଷୀ ଭଳି କାନ୍ଧ ଉପରେ ପ୍ରସାରିତ ହୋଇପଡ଼ିଲା । ସାରଜିଓ ଆଡ଼କୁ ବୁଲିପଡ଼ି ସେ କହିଲା—‘‘ଏଇଠିକି ଆସ ।’’ ସାରଜିଓ ଠିଆ ହୋଇପଡ଼ି ତା’ ଆଡ଼କୁ ପାଦେ ଅଗ୍ରସର ହେଲା । ଆଲବିନା ବେଶ୍‌ ଚିତ୍କାର କରି କହିଲା— ‘‘ତୁମକୁ ଏଠିକି ଆସିବା ପାଇଁ କହୁଛି, ଶୁଣୁଛ !’’ ସାରଜିଓ ଆହୁରି ପାଦେ ଆଗେଇଗଲା । ସ୍ତ୍ରୀ ଲୋକେ ପୋଷାକୁକୁର କାନଙ୍କୁ ଯେମିତି କୌଶଳରେ ଗେଲ କରନ୍ତି ସେହିଭଳି ଆଲବିନା କହିଲା—‘‘ଶୋଇପଡ଼ ।’’

 

— ‘‘ତା’ର ଅର୍ଥ ?’’

 

—‘‘ଶୋଇପଡ଼ ।’’

 

ଆଲବିନା ଆଣ୍ଠୁମାଡ଼ି ସାରଜିଓର ମୁହାଁମୁହିଁ ବସିଲା । ଆଲବିନା ତା’ର ସବଳ ହାତ ଦୁଇଟିରେ ସାରଜିଓର ଗଳାଧରି କହିଲା—‘‘ତୁମକୁ ଯେ ମୁଁ ଭଲପାଏନା ତାହା ନୁହେଁ—ସତରେ ତୁମକୁ ମୁଁ ଖୁବ୍‌ ଭଲପାଏ ।’’ ସାରଜିଓ ଭାବିବାକୁ ଲାଗିଲା, ‘‘ମୁଁ କ’ଣ କରୁଛି ?’’ ସେ କିନ୍ତୁ ଚୁମ୍ୱନ ଦେବା ପାଇଁ ନିଜର ମୁହଁଟି ଆଲବିନାର ମୁହଁ ପାଖକୁ ନେଇ ଆସିଲା । ଆଲବିନା ତତ୍‌କ୍ଷଣାତ୍‌ ତାକୁ ଅପସାରଣ କରିଦେଇ କହିଲା—‘‘ନା......ନା ବର୍ତ୍ତମାନ ସୁନାପିଲାଟି ପରି ରୁହ । ମୁଁ କେବଳ କହିଛି ମୁଁ ତୁମକୁ ଭଲପାଏ.....ସେତିକିରେ.....ଓଃ ଦେଖୁଛି ତୁମେ ଖୁବ୍‌ ଚାଲାକ ।’’ ସେ ଅତି କଦର୍ଯ୍ୟ ଭାବରେ ତା’ର ଧଳାଧଳା ଦାନ୍ତଗୁଡ଼ିକ ବାହାର କରି ହସିଲା ଏବଂ ଗ୍ରାମ୍ୟ ବାଳିକାମାନଙ୍କ ପରି ସାରଜିଓର ଛାତିରେ ଆଘାତ କଲା । ସାରଜିଓ ତା’ର ଭାରସାମ୍ୟ ହରେଇ ମାଟି ଉପରେ ବସିପଡ଼ିଲା ।

 

ନିଜ ଉପରେ ଭୀଷଣ ରାଗିଯାଇ ସେ ପୁନରାୟ ଠିଆ ହୋଇପଡ଼ିଲା । ସେ ବୁଝିପାରିଲା ଆଲବିନା ପାଦରେ ଚାପ ଦେଇ ଥିବାର ସ୍ୱୀକୃତି ଏବଂ ତାକୁ ଚୁମ୍ୱନ ଦେଇ । ପାଇଁ ଯିବା ଫଳରେ ସ୍ପଷ୍ଟତଃ ମାନି ନେଇଛି ଲୁସିୟାନୋ ଠିକ ଏବଂ ଏହି ଦିଆନିଆରେ କୌଣସି ଲାଭ ନ ଦେଖି ବିରକ୍ତ ଭାବରେ ସେ କହିଲା—‘‘ପରିଷ୍କାର କୁହ.....ମୋତେ ତୁମେ ଭଲ ପାଅ କି ନା ?’’

 

ଆଲବିନା ଉତ୍ତର ଦେଲା—‘‘ଆଗେ ମୋ ନିଜକଥାଟି ଶେଷ କରିବାକୁ ଦିଅ । ହଁ ତୁମକୁ ମୁଁ ଭଲପାଏ, କିନ୍ତୁ ମୁଁ ତୁମର ନୁହେଁ....ମୁଁ ଲୁସିୟାନୋର ।’’ ଶେଷୋକ୍ତ କଥା ଗୁଡ଼ିକ ସେ ଚ୍ୟାଲେଞ୍ଜର ଭଙ୍ଗୀମାରେ କହିଲା । ସାରଜିଓ ଭାବିଲା—ଠିକ୍‌ ଅନ୍ଧବିଶ୍ୱସ୍ତ ବସ୍ତିର ନିକୃଷ୍ଟ ସ୍ତ୍ରୀ ମାନଙ୍କ ଭଳି ଆଲବିନା ନିଜ ପ୍ରଣୟୀର ବିଶ୍ୱାସଘାତକତା ବା ଅପମାନର ମଧ୍ୟ କୌଣସି ଆଲୋଚନା କରିବାକୁ ଚାହେଁନା । ସେ ନ କହି ରହିପାରିଲାନି । —‘‘କିନ୍ତୁ ଲୁସିୟାନୋ ତୁମ ସହିତ କୌଣସି ସମ୍ପର୍କ ରଖିବାକୁ ଚାହେଁନା ।’’

 

—‘‘ତହିଁରେ କିଛି ଯାଏଆସେନା, ମୁଁ ଲୁସିୟାନୋର । ଆଉ ତା’ ବ୍ୟତୀତ ତୁମେ ଲୁସିୟାନୋର ବନ୍ଧୁ, ତେଣୁ ତୁମ ପକ୍ଷରେ ତା’ର ପ୍ରଣୟିନୀକୁ ତା’ ନିକଟରୁ ଅପସାରଣ କରି ନେବା ଆଦୌ ଉଚିତ ନୁହେଁ....ତୁମେ ଯାହା କରିବା ପାଇଁ ଚେଷ୍ଟା କରୁଛ ତାହା ଆଦୌ ଭଲ ନୁହେଁ ।’’ ସେ ଅସମର୍ଥନର ଭଙ୍ଗୀରେ ମୁଣ୍ଡ ହଲେଇ ଡ଼୍ରେସିଂ ଟେବୁଲରୁ ଉଠି ଆସିଲା । ଚଟିହଳକ ପାଦରେ ଦେଇ ଠିଆହେବା ମାତ୍ରକେ ତା’ର ଉଚ୍ଚତା ଅପେକ୍ଷା ନୀତମ୍ୱ ଯୋଡ଼ାକ ବେଶ୍‌ ସ୍ଥୂଳ ମନେହେଲା । ସେ ଆଲଣାଟି ପାଖକୁ ଆଗେଇଗଲା । ଟଙ୍ଗା ହୋଇଥିବା ମୋଜାହଳକ ହାତରେ ନେଇଁ ସନ୍‌ଦିଗ୍‌ଧ ଦୃଷ୍ଟିରେ ଚାହିଁ ରହିଲା । ଯେଉଁ ମୋଜାହଳକ ସେ ପିନ୍ଧିଥିଲା ତାହା ଅତିମାତ୍ରାରେ ଜୀର୍ଣ୍ଣ-। ମୋଜା ଯୋଡ଼ିକ ପୁନରାୟ ଆଲଣାରେ ରଖିଦେଇ ସେ ଓ୍ୟାଡ଼୍ରୋବ ଆଗେଇଲା-। ସେତେବେଳେ ଝାଳରେ ଓଦା ଜୁଡ଼ୁ ବୁଡ଼ୁ ହୋଇ ସାରଜିଓ ନିଃଶବ୍ଦରେ ତା’ ନିକଟକୁ ଯାଇ ତାକୁ ଜଡ଼େଇ ଧଇଲା । ଆଲବିନା କୌଣସି ପ୍ରକାର ଗ୍ରାହ୍ୟ ନ କରି ଓ୍ୟାଡ଼୍ରୋବଟି ଖୋଲି ତା’ ଭିତରୁ କେବଳ ମାତ୍ର ଟଙ୍ଗା ହୋଇଥିବା ମଇଳା ବ୍ରାଉନ୍‌ ରଙ୍ଗର କୋଟ୍‌ଟି ବାହାର କଲା ।

 

‘‘ଟିକିଏ ଧର, ମୁଁ ପିନ୍ଧି ନିଏ ।’’

 

ସାରଜିଓ କୋଟ୍‌ଟି ଧଇଲା ଏବଂ ଆଲବିନା ନଇଁପଡ଼ି ଯେତେବେଳେ କୋଟ୍‌ଟି ପିନ୍ଧିଲା ସେତେବେଳେ ସାରଜିଓ ତା’ର ଗଳାରେ ଚୁମ୍ୱନ କଲା । ସେ ଲକ୍ଷ୍ୟକଲା ଯେ ଆଲବିନା ଦେହର ତ୍ୱକ ତୈଳାକ୍ତ ଏବଂ କେଶ ଭିତରେ କେମିତି ଏକ ଶ୍ୱାସରୁଦ୍ଧକାରୀ ଦୁଃର୍ଗନ୍ଧ । ଆଲବିନା କହିଉଠିଲା—‘‘ତମେ ବଡ଼ ଏକଜିଦିଆ ।’’

 

ଆଲବିନା ତା’ର କୋଟ୍‌ର ବୋତାମ ଗୁଡ଼ିକ ଲଗେଇନେଲା । କୋଟ୍‌ଟି ଅଣ୍ଟାଉପରେ ଚାପି ବସିବା ଫଳରେ ତା’ର ଯୁଗ୍ମ ନିତମ୍ୱ ଓ ସ୍ତନଯୁଗ୍ମ ଆହୁରି ସ୍ପଷ୍ଟ ଭାବରେ ବାରି ହୋଇପଡ଼ିଲା-। ତା’ପରେ ଘରର ଗୋଟାଏ କୋଣକୁ ଯାଇ ସେ ହଳେ ତାଳିପକା ଯୋତା ଲଗେଇଲା-। ତା’ପରେ କହିଲା—‘‘ଚାଲ ।’’

 

ସାରଜିଓ ତା’ର ଟୋପି ଓ ଛତାଟି ନେଇ ଆଗ୍ରହହୀନ ଭାବରେ ତା’ର ଅନୁସରଣ କଲା-। କଙ୍କାଳସାର ସ୍ତ୍ରୀଲୋକଟି ଶିଶୁଟିକି କୋଳରେ ନେଇ ରୋଷେଇଘର ଦୁଆର ଆଗରେ ଆସି ଠିଆହେଲା । ଆଲବିନା ତାକୁ କହିଲା—‘‘ସିଷ୍ଟର୍‌ ଲୁସିୟାନୋ ଆସିଲେ ମୋ ଘରେ ତାକୁ ଅପେକ୍ଷା କରିବାପାଇଁ କହିବ ।’’ ସରୁ ସିଡ଼ିଟିରେ ସେମାନେ ପାଖାପାଖି ଓହ୍ଲେଇ ଆସିଲେ । ଓହ୍ଲଉଓହ୍ଲଉ ସେମାନଙ୍କର ଦେହର ପ୍ରାର୍ଥକ୍ୟ ବିଲୁପ୍ତ ହୋଇ ପଡ଼ିଲା । — ‘‘ମୋ ଦେହରେ ଦେହ ଘସୁଛ ?’’ ଆଲବିନା ଏମିତି ଭାବରେ କହିଲା ଯାହାଫଳରେ ସାରଜିଓ ରାଗିଗଲା ।

 

ସାରଜିଓ ରାଗିଯାଇ କହିଲା—‘‘ନର୍କକୁ ଯାଅ ।’’ ଯେମିତି ସ୍ୱାଧୀନ ଇଚ୍ଛାରେ ତା’ର ଗୋଟାଏ ହାତ ଆଲବିନାର କମରଟି ଜଡେଇ ଧରିଲା । କୌଣସି କଥା ନ କହି ସେହି ଅନ୍ଧକାର ଭିତରେ ଆଲବିନା ତା’ର ନିତମ୍ୱ ଦୋହଲେଇ ଏମିତି ଏକ ଧକ୍‌କା ମାଇଲା ଯେ ସାରଜିଓ ପ୍ରାୟ ପଡ଼ିଯିବାର ଉପକ୍ରମ ।

 

ବାହାରେ ସେତେବେଳକୁ ବର୍ଷା ଆରମ୍ଭ ହୋଇ ଯାଇଥିଲା ଏବଂ ପୂର୍ବାପେକ୍ଷା ଆହୁରି ଗରମ ଅନୁଭୂତ ହେଉଥିଲା । ଆଲବିନା ତାକୁ କହିଲା—‘‘ତୁମର ଛତା ଖୋଲ ।’’ ସାରଜିଓ ତା’ର ଆଦେଶ ପାଳନ କଲା ଏବଂ ଆଲବିନା ଏମିତି ଭାବରେ ଛତାଟା ଧଇଲା ଯେମିତି ତାକୁ ସେ ଖୁବ୍‌ ଭଲପାଏ ।

 

ହଠାତ୍‌ ଆଲବିନା ପଚାରିଲା—‘‘ଲୁସିୟାନୋ ସମନ୍ଧରେ ତମର ଧାରଣା କ’ଣ ?’’ କୌଣସି ଚିନ୍ତା ନ କରି ସାରଜିଓ କହିଲା—‘‘ବଡ ଅଳସୁଆ । ପରେ ବିପଦରେ ପଡ଼ିବ ।’’

 

ଆଲବିନା ବେଶ୍‌ ଚିନ୍ତିତ ଭାବରେ ମନ୍ତବ୍ୟକଲା—‘‘ତୁମେ ବି ତ ବିଶେଷ କୌଣସି ସୁବିଧା କରି ପାରୁନା । ମୁଁ ତ ତୁମକୁ ଆଗରୁ କହିଛି.....ଲୁସିୟାନୋର ବଦନାମ କରି ତୁମେ ମୋତେ ଆକର୍ଷଣ କରିପାରିବ ନାହିଁ ।’’

 

ସାରଜିଓ ବିରକ୍ତିଭାବରେ ଉତ୍ତର ଦେଲା—‘‘ସେ ସମ୍ୱନ୍ଧରେ ମୋର ଧାରଣା ଖୁବ୍‌ ଖରାପ । ତା’ ଉପରେ ମୋର ଧାରଣାର ଶତାଂଶରୁ ଏକାଂଶ ମାତ୍ର ତୁମ ନିକଟରେ ପ୍ରକାଶ କରିଛି-।’’ —‘‘ତଥାପି ତୁମେ ନିଜକୁ ତାର ବଂଧୁ ବୋଲି ପରିଚୟ ଦିଅ ?’’

 

ସାରଜିଓ ବେଶ୍‌ ଜୋର ଦେଇ କହିଲା—‘‘ମୁଁ ମୋଟେ ତା’ର ବନ୍ଧୁ ନୁହେଁ । ତୁମେ ଯାହା ବୁଝନା କାହିଁକି, ମୁଁ ତାହା ସମ୍ୱନ୍ଧରେ ଖୁବ୍‌ କମ ଖବର ରଖେ ।’’

 

—‘‘ହୋଇପାରେ, କିନ୍ତୁ ଲୁସିୟାନୋ କୁହେ ତୁମେ କୁଆଡ଼େ ତା’ର ଅନ୍ତରଙ୍ଗ ବନ୍ଧୁ ।’’

 

—‘‘ଆମେ ଏକାସାଙ୍ଗରେ ସ୍କୁଲରେ ପାଠ ପଢ଼ୁଥିଲୁ । ଏହାଛଡ଼ା ଲୁସିୟାନୋ ଭଳି ଲୋକମାନଙ୍କ ସହିତ ମୋର ବନ୍ଧୁତ୍ୱ ହୋଇପାରେନା ।’’

 

—‘‘କାହିଁକି ?’’

 

—‘‘କାରଣ ଲୁସିୟାନୋ ଚରୀତ୍ରର ଲୋକମାନଙ୍କୁ ବିଶ୍ୱାସ କରାଯାଇପାରେନା ।’’

 

—‘‘ତୁମର କଥା ଅନୁସାରେ ହୁଏତ ଲୁସିୟାନୋକୁ ବିଶ୍ୱାସ କରାଯାଇ ନ ପାରେ । ସେ କିନ୍ତୁ ତୁମକୁ ବିଶ୍ୱାସ କରେ, ଅଥଚ ତୁମେ ତା’ର ପ୍ରଣୟିନୀକୁ ତା’ ପାଖରୁ କାଢ଼ିନେବା ପାଇଁ ଚାହୁଁଛ-। ଏୟାତ ?’’

 

—‘‘କିନ୍ତୁ ତୁମ ସହିତ ଯେକେହି ବି ପ୍ରେମ କରିପାରେ ।’’

 

—‘‘ହୁଏତ ସତ; କିନ୍ତୁ ତୁମରି କ୍ଷେତ୍ରରେ ତାହା ସ୍ୱତନ୍ତ୍ର...... । ତୁମେ ଆଉ ଲୁସିୟାନୋ ଦୁହେଁ ବନ୍ଧୁ ।’’

 

ଆଉ କିଛି କହିବାର ନାହିଁ । ଝାଳରେ ଓଦା ସରସର ହୋଇ ରାଗି ଉଠି ସାରଜିଓ ଚୁପ୍‌ କରି ରହିଲା । ସେ ଭାବିଲା ଏହାକୁ ଛାଡ଼ି ଚାଲିଗଲେ ଭଲ ହୁଅନ୍ତା । କିନ୍ତୁ ଆଲବିନା ହାତର ଚାପ ଏବଂ ନିତମ୍ୱର ନରମ ସ୍ପର୍ଶ ତା’ର ମନ ପରିବର୍ତ୍ତନ ପାଇଁ ଯଥେଷ୍ଟ ଥିଲା । ସେମାନେ ଗୋଟାଏ ତିମିରାବୃତ ସ୍କୋୟାରରେ ଆସି ପହଞ୍ଚିଲେ, ସ୍ତୁପିକୃତ ମାଟିରେ ବି ବାଇଗଣୀ ରଙ୍ଗର ନିଅନ ଆଲୁଅ ପ୍ରତିଫଳିତ ହେଉଥିଲା ଏବଂ ଇତସ୍ତତ ଆଲୁଅ ଲଗାହୋଇ ଜଳପୂର୍ଣ୍ଣ ଗର୍ତ୍ତର ବିପଦ ସଂକେତ କରା ହୋଇଥିଲା । ଆଲବିନା କହିଲା—‘‘ଏଠି ଟିକିଏ ଅପେକ୍ଷା କର, ମୁଁ ଏହିକ୍ଷିଣା ପୋଷ୍ଟ ଅଫିସରୁ ଫେରି ଆସୁଛି ।’’

 

ଆଲବିନା ପୋଷ୍ଟଅଫିସ ଭିତରେ ପଶିଗଲା ଏବଂ ସାରଜିଓ ଦରଜା ପାଖରେ ଅପେକ୍ଷା କରି ରହିଲା । ସେତେବେଳ ଯାଏ ବର୍ଷା ହେଉଥିଲା ଏବଂ ଲ୍ୟାମ୍ପପୋଷ୍ଟର ଆଲୋକରେ ବୃଷ୍ଟିର ଧାରା ମନେ ହେଉଥିଲା ଯେମିତି ଧୂଳିର ମେଘ । ଅନେକ ଲୋକ ପୋଷ୍ଟଅଫିସ ଭିତରକୁ ଯାଉଛନ୍ତି ପୁଣି ବାହାରି ଆସୁଛନ୍ତି । ଅଧିକାଂଶ ଆଲବିନା ଭଳି ସାଧାରଣସ୍ତରର ସ୍ତ୍ରୀଲୋକ । ସାରଜିଓ ମନକୁମନ କହିଲା—‘‘ଏହା ହିଁ ପଳାୟନର ପ୍ରକୃଷ୍ଟ ସମୟ ।’’ ସେ ଧୀରେ ଧୀରେ ଗୋଟାଏ ସୁଉଚ୍ଚ ପ୍ରାଚୀର ପାଖେପାଖେ ଆଗେଇବାକୁ ଲାଗିଲା । ଯାଉଯାଉ ତା’ର ମନେ ପଡ଼ିଗଲା ଯେ ତାକୁ ଗୋଟାଏ ଚିଠି ପକେଇବା ପାଇଁ ପଡ଼ିବ; ତେଣୁ ସେ ପୁନରାୟ ଫେରି ଆସିଲା । ଠିକ୍‌ ବାକ୍‌ସରେ ଚିଠିଟା ପକେଇବା ବେଳକୁ ସେ ତା’ର ବାହୁମୂଳରେ ଏକ ସ୍ପର୍ଶ ଅନୁଭବକଲା ।

 

ଆଲବିକା କହିଲା—‘‘ଆସ ।’’

 

ଆଲବିନା ହାତରେ ଗୋଟାଏ ଚିଠି ଧରିଥିଲା ଏବଂ ତାକୁ ସେ ନ ପଢ଼ି ପକେଟ୍‌ରେ ଭର୍ତ୍ତି କରିଦେଲା । ସାରଜିଓ ପଚାରିଲା—‘‘ତୁମେ କ’ଣ ଚିଠିଟି ପଢ଼ିବନି ?’’

 

—‘‘ଏ ଖଣ୍ଡକ ମୋର ସ୍ୱାମୀଙ୍କର ଚିଠି । ସେହି ସୁନ୍ଦର ଅତୀତର..... ।’’

 

—‘‘ତମର ସ୍ୱାମୀ !’’

 

—‘‘ହଁ, ତୁମେ କ’ଣ ଜାଣନା ମୁଁ ବିବାହିତା । ମୋର ସ୍ୱାମୀ ଗୋରେତ୍ତି ଭେରାଇଟି କମ୍ପାନୀରେ କାମ କରନ୍ତି । ସେ ସବୁ ସମୟରେ ବାହାରେ ବାହାରେ ବୁଲନ୍ତି ଓ ମୋତେ ପତ୍ର ଲେଖନ୍ତି । କିଛିଦିନ ତାଙ୍କ ସହିତ ମୁଁ ବି କାମ କରୁଥିଲି । ମୁଁ ଗୀତ ଗାଉଥିଲି ଓ ସେ ଗିଟାର ବଜଉଥିଲେ—ତା’ପରେ ମୋତେ ଆଉ ଭଲ ଲାଗିଲା ନାହିଁ । ଏହି କାମରେ ଗାଁ ଗାଁ ବୁଲିବାକୁ ପଡ଼ୁଥିଲା; କିନ୍ତୁ ମୁଁ ରୋମରେ ରହିବାକୁ ଭଲ ପାଉଥିଲି ।’’ ସେମାନେ ସ୍କୋୟାରଟି ପାରି ହୋଇ ଗୋଟିଏ କର୍ଦମାକ୍ତ ପ୍ରଶସ୍ତ ରାସ୍ତା ଉପରେ ପହଞ୍ଚି ଯାଇଥିଲେ । ସେମାନଙ୍କ ସମ୍ମୁଖରେ ଧାଡ଼ିଧାଡ଼ି ହୋଇ ଫେରିଓ୍ୟାଲାମାନଙ୍କର ଠେଲାଗାଡ଼ି ରଖା ହୋଇଥିଲା ।

 

ଆଲବିନା ଭୋଜନ ପାଇଁ ମୋଟେ ବ୍ୟସ୍ତ ନ ଥିଲା । ସେ ଗାଡିଗୁଡ଼ିକ ଗୋଟାକ ପରେ ଗୋଟାଏ ପରୀକ୍ଷା କରିବାକୁ ଲାଗିଲା । ଏଭଳିକି ଯହିଁରେ ପୁରୁଣା ବହି, ଦାଢ଼ି ପରିଷ୍କାର କରିବାର ଖୁର ଓ ବ୍ଳେଡ଼ ପ୍ରଭୃତି ବିକ୍ରୀ ହୁଏ ସେ ଗୁଡ଼ିକ ବି ମନଯୋଗ ସହକାରେ ଦେଖିଲା । ସାରଜିଓ ତାକୁ ଜଣେ ଭାଗାବଣ୍ଡ ନ ଭାବି ରହି ପାରିଲା ନାହିଁ । ଯେଉଁମାନେ ଗୋଧୂଳିର ଆଲୋକରେ ସେମାନଙ୍କର ଜରାଜୀର୍ଣ୍ଣ ବାସ ସ୍ଥାନରୁ ବାହାରି ଆସି ରାସ୍ତାର ଦୃଶ୍ୟାବଳୀ ପର୍ଯ୍ୟବେକ୍ଷଣ କରନ୍ତି । ଅ୍ୟାସିଟେଲିନ୍‌ ଅନୁଜ୍ଜଳ ଆଲୋକରେ ବି ଯେମିତି ଆଲବିନାର ଦୈହିକ ବର୍ବରୋଚିତ ଆକର୍ଷଣ ପୂର୍ଣ୍ଣ ହେଉ ନ ଥିଲା । ତା’ର ରକ୍ତହୀନ ଗଣ୍ଡଦେଶ ଓ ତା’ର କଳାଆଖି ଯୋଡ଼ିକ ପୀତାଭ ଦେଖାଯାଉଥିଲା । ପୁରୁଷମାନଙ୍କ ପୋଷାକ ଦୋକାନରେ, ଯାହାରି ସାମନାରେ ମୂଲ୍ୟହାସର ବିଜ୍ଞାପନ ଗୋଟାଏ ଦୃଷ୍ଟିଶକ୍ତି କପଡ଼ାରେ ଟଙ୍ଗା ହୋଇଥିଲା । ଆଲବିନା ତା’ ଭିତରକୁ ପଶିବାର ଉପକ୍ରମ କରି ସାରଜିଓକୁ କହିଲା—‘‘ଚାଲ, ଲୁସିୟାନୋ ପାଇଁ ଗୋଟାଏ ଟାଇ କିଣିବି ।’’

 

ସାରଜିଓ ତା’ର ପଛେପଛେ ପଶିଲା । ଦୋକାନଟି ଛୋଟ ଓ ସବୁକିଛି ଅସ୍ତବ୍ୟସ୍ତ ଦେଖି ମନେ ହେଲା କେବଳ ଦରଖସିନି, ଆଲମିରାରୁ ଜିନିଷଗୁଡ଼ିକ ମଧ୍ୟ ତଳକୁ ଖସି ପଡ଼ିଛି । ଦୋକାନୀ କେତେ ଗୁଡ଼ିଏ ଶସ୍ତାଦାମର ଟାଇ ଆଲବିନା ଆଗରେ ଥୋଇଲା । ଆଲବିନା ତା’ ଭିତରୁ ସବୁଠୁ କଦର୍ଯ୍ୟ ରଙ୍ଗର ଟାଇଟା ବାଛିଲା, ତା’ ପରେ ସାରଜିଓକୁ ପଚାରିଲା—‘‘ଏହି ଗୋଟାକ ହିଁ ସବୁଠାରୁ ସୁନ୍ଦର, ନୁହେଁ ?’’

 

—‘‘ହଁ, ଖୁବ୍‌ ସୁନ୍ଦର ।’’

 

ଦୋକାନୀ ପଚାରିଲା—‘‘ଏହି ଭଦ୍ରବ୍ୟକ୍ତିଙ୍କ ପାଇଁ କିଣିବେ ? ଏହି ଗୋଟାକ ଭଦ୍ରବ୍ୟକ୍ତିଙ୍କୁ ବେଶ୍‌ ମାନିବ ।’’ ଆଲବିନା ପର୍ସଟାରେ ହାତ ବୁଲେଇବାକୁ ଲାଗିଲା । ସାରଜିଓ ପ୍ରତିହିଂସା ପରାୟଣ ଶିଷ୍ଟାଚାର ସହିତ କହିଲା— ‘‘ମୁଁ ଦାମଟା ଦେଇ ଦେଉଛି ।’’ ସେମାନେ ଦୋକାନରୁ ବାହାରି ଆସିଲା ପରେ ଆଲବିନା ଧନ୍ୟବାଦ ଜ୍ଞାପନ କରି କହିଲା—‘‘କିନ୍ତୁ ଲୁସିୟାନୋକୁ କହିବନାହିଁ ଯେ ଦାମଟା ତମେ ଦେଇଛ । ’

 

—‘‘ତୁମେ ମୋତେ କ’ଣ ଭାବୁଛ କୁହତ ?’’

 

ସେମାନେ ପୁଣି ଦୋକାନର ସୋକେସ ଗୁଡ଼ିକ ଦେଖିଦେଖି ଆଗେଇ ଗଲେ । ଆଲବିନା ଗୋଟାଏ ଯୋତା ଦୋକାନ ଆଗରେ ଅନେକ ସମୟ ଠିଆ ହୋଇ କହିଲା ‘‘ତୁମେ ଟେବୁଲ ତଳେ ମୋର ପାଦମାଡ଼ି ଯୋତାଟି ଯେତେବେଳେ ନଷ୍ଟ କରି ଦେଇଛ, ସେତେବେଳେ ତୁମେ ମୋତେ ହଳେ ନୂଆଁ ଯୋତା କିଣିଦେବା ଉଚିତ୍‌ । ’ ତା’ର କଣ୍ଠରେ ପରିହାସର ସୂଚନା ଥିଲେ ମଧ୍ୟ ହଳେ ଯୋତା ଆଦାୟ କରିବାର ଇଚ୍ଛା ତା’ର ଥିଲା । ସାରଜିଓ ମୁହୂର୍ତ୍ତକ ପାଇଁ ଇତସ୍ତତ କଲା, ତା’ ପରେ ସ୍ଥିର କଲା ସେ ଆଲବିନାକୁ ହଳେ ଯୋତା କିଣିଦେବ । ଯୋତା କିଣି ଦେଲେ ମଧ୍ୟ ଡିନର ପାଇଁ ତା’ ପାଖରେ ଯଥେଷ୍ଟ ଅର୍ଥ ରହିବ; କିନ୍ତୁ ପ୍ରଣୟ ସମ୍ଭୋଗ ପରେ ଆଉ କୌଣସି ପ୍ରୀତି ଉପହାର ଦେଇ ପାରିବ ନାହିଁ । ସେ ଭାବିଲା ଆଲବିନା ହୁଏତ ଯୋତା ଯୋଡ଼ାକ ପାଇ ଖୁସି ହେବ । ଆଲବିନା ତାକୁ ଆଶାନ୍ୱିତ ଦୃଷ୍ଟିରେ ଚାହିଁ ରହିଲା । ସାରଜିଓ ଧୀରେ ଧୀରେ କହିଲା । ‘‘ମୁଁ ଅବାକ୍‌ ହୋଇଯାଉଛି, ଲୁସିୟାନୋ ତୁମକୁ ଏତେ ଭଲପାଏ ଆଉ ତୁମକୁ ଏମିତି ଯୋତା ପିନ୍ଧି ବୁଲିବାକୁ ପଡ଼େ ।’’

 

—‘‘ମୁଁ ଲୁସିୟାନୋ ପାଖରୁ କିଛି ପାଇବାର ଆଶା ରଖେନା ।’’

 

—‘‘ମୋର ମନେ ହୁଏ ତୁମେ ହିଁ ତାକୁ ଯୋତା କିଣି ଦିଅ ।’’

 

ଆଲବିନା କୌଣସି ଉତ୍ତର ଦେଲା ନାହିଁ ଏବଂ ସାରଜିଓ ଏହି ନିଃସ୍ପତ୍ତିରେ ପହଞ୍ଚିଲା ଯେ ଲୁସିୟାନୋ ତା’ର ରକ୍ଷିତା ପାଖରୁ ଅର୍ଥ ନେବା ପାଇଁ ଇତସ୍ତତ କରେ ନାହିଁ । ଅଳ୍ପ ସମୟ ପରେ ସାରଜିଓ କହିଲା—‘‘ଆସ, ଯୋତା କିଣିବ ଚାଲ ।’’

 

ଆଲବିନା ଯୋତାର ଆଶା ପ୍ରାୟ ତ୍ୟାଗ କରିଥିଲା । ଏଥର ଆନନ୍ଦ ସୂଚକ ଅବାକ ହେବାର ଭଙ୍ଗୀ ସହିତ କହିଲା—‘‘ତୁମେ ସତ କହୁଛ ?’’

 

—‘‘ହଁ ।’’

 

ସେମାନେ ଦୋକାନରେ ପ୍ରବେଶ କଲେ । ମୟୂରପକ୍ଷୀ ଭଳି ନିତମ୍ୱଦ୍ୱୟ ଝୁଲେଇ ଝୁଲେଇ ଦର୍ପଣ ଗୁଡ଼ିକ ଓ ଜମା କରି ରଖା ହୋଇଥିବା ଯୋତାର ବାକ୍‌ସଗୁଡ଼ିକ ପାରେଇ ଗଲା । ତା’ପରେ ଗୋଟାଏ ସିଟ୍‌ ଉପରେ ବସିପଡ଼ି ତା ର ସୁନ୍ଦର ଓ ସୁଗଠିତ ପାଦଯୋଡ଼ିକ ଗୋଟାଏ ବାଚାଳ ସହକାରୀ ଆଡ଼କୁ ବଢ଼େଇ ଦେଲା । ସହକାରୀଟି ନାନା ଧରଣର ଯୋତା ଦେଖେିବା ସତ୍ୱେ ଆଲବିନା ଗୋଟାଏ ହାଲୁକା ରଙ୍ଗର ବଡ଼ଧରଣର ହଳଦିରଙ୍ଗର ତ୍ରେପଥିବା ଯୋତା ପସନ୍ଦ କରିବାରୁ ସାରଜିଓ ଅବାକ୍‌ ହୋଇଗଲା । ତେଣୁ ଆଲବିନାକୁ ପ୍ରଶ୍ନକଲା—‘‘ସହରୀ କଳାଯୋତା କିଣିଲେ ଭଲ ହୁଅନ୍ତା ନାହିଁ ?’’ ଆଲବିନା ଉତ୍ତର ଦେଲା, ‘‘ନା, କାରଣ ଏହି ଯୋତା ଗୁଡ଼ିକ ଟେବୁଲ ତଳେ କେହି ମାଡ଼ିଲେ ମଧ୍ୟ ସହଳ ନଷ୍ଟ ହେବାର ସମ୍ଭାବନା ନାହିଁ ।’’ ଏହିଭଳି ପରିହାସ ଭିତରେ ସେ ତା’ର କୃତଜ୍ଞତା ଜ୍ଞାପନ କଲା । ସାରଜିଓ କିନ୍ତୁ ଲଜ୍ଜାରେ ଲାଲ ପଡ଼ିଗଲା, କାରଣ ସହକାରୀଟି ତା’ ଆଡ଼କୁ ଚାହିଁ ହସିଲା ।

 

ଦୋକାନ ବାହାରକୁ ଆସି ଆଲବିନା ତାକୁ ଆଲିଙ୍ଗନ କରି ତା’ର ଗଣ୍ଡଦେଶରେ ଦୁଇଟି ଚୁମ୍ୱନ ଦେଇ କହିଲା—‘‘ଧନ୍ୟବାଦ, ମୁଁ ତୁମ ପାଖରେ କୃତଜ୍ଞ ।’’ ସାରଜିଓ ଅସନ୍ତୋଷର ଭଙ୍ଗୀରେ କହିଲା—‘‘ତୁମେ ମୋତେ ଏମିତି ଭାବରେ ଚୁମ୍ୱନ କଲ ଯେମିତି ମୁଁ ତୁମର ଗୁରୁଜନ ।’’

 

—‘‘କେବଳ ଲୁସିୟାନୋର ଓଠରେ ମୁଁ ଚୁମ୍ୱନ କରେ ।’’

 

ତା’ର ସେହି ଚକ୍‌ଚକ୍‌ ଓଜନିଆ ଯୋତାରେ, ତା’ର ବ୍ରାଉନ୍‌ ରଙ୍ଗର କୋଟ୍‌ଟା ନିତମ୍ୱ ଉପରେ ଚାପି ହୋଇ ବସିଥିବାରୁ, ପୁରୁଣା ଯୋତାଟା ଗୋଟାଏ ପ୍ୟାକେଟରେ ହାତରେ ଧରିଥିବା ଫଳରେ, ଆନନ୍ଦ ଓ ଗଦ୍‌ଗଦ ହୋଇ ଉଠୁଥିବାରୁ ଏବଂ ତା’ ସହିତ ତା’ର ଦୈନତା ମିଶ୍ରିତ ହୋଇ ପଡ଼ିଥିବାରୁ, ସେ ଅତ୍ୟନ୍ତ ହୃଦୟଗ୍ରାହୀ ହୋଇପଡ଼ିଥିଲା । ତା’ର ଉତ୍ତର ଶୁଣି ସାରଜିଓ ଭାବିଲା, ଯାହାହେଉ ସେ ଗୋଟାଏ ସତ୍‌କାର୍ଯ୍ୟ କରିଛି ।

 

ନୂଆଁ ଯୋତା କିଣିଥିବା ଦୋକାନରୁ ବାହାରି ଆଲବିନା ସିଧା ଗୋଟାଏ ପୁରାତନ ଯୋତା ମରାମତି ଦୋକାନରେ ପଶିଲା । ସେହି ପୁରାତନ ଓ ଚ୍ଛିନ୍ନ ଯୋତାର ସ୍ତୁପ ଭିତରେ ଠିଆ ହୋଇ ଆଲବିନା ମୋଚିକୁ ଯୋତା କେମିତି ମରାମତି ହେବ ତା’ର ନିର୍ଦ୍ଦେଶ ଦେଲା । ତା’ପରେ ଗୋଟାଏ ଯୋତାପାଲିସ୍‌ କିଣି ସେଠାରୁ ବାହାରି ଆସିଲା ।

 

ସେହି ଶ୍ୱାସରୋଧକାରୀ ଅନ୍ଧକାର ଗଳି ରାସ୍ତା ଦେଇ ସେମାନେ ଆଗେଇବାକୁ ଲାଗିଲେ । ସାରଜିଓ ମୁଣ୍ଡଟି ବୁଲେଇ ଦେଖିଲା ରଙ୍ଗୀନ କାଚ ଲାଗିଥିବା ଦରଜା ବିଶିଷ୍ଟ ବେଶ୍ୟାଳୟ ଏବଂ ତା’ ଆଗରେ ଗୋଟାଏ ପରିସ୍ରାଗାର, ତା’ର ଅଳ୍ପଦୂରରେ ଗୋଟାଏ ରେସ୍ତୋରାଁର ଦରଜା । ପାଦତଳେ ରାସ୍ତାଟି କର୍ଦମାକ୍ତ–ପଥର ଗୁଡ଼ିକ ଚକ୍‌ଚକ୍‌ କରୁଛି—ଇତସ୍ତତଃ ପଡ଼ି ରହିଛି କୋବିପତ୍ର । କ୍ଷୁଧାର୍ଥ ବିଲେଇ ଗୁଡ଼ିକ ଚୁପ୍‌ଚାପ୍‌ ବସି ରହିଛନ୍ତି । ତିନିଜଣ ଲୋକ ହସିହସି ଏବଂ ଖୁବ୍‌ ଜୋରରେ କଥାବାର୍ତ୍ତା କରି ବେଶ୍ୟାଳୟରୁ ଆସି ପରିସ୍ରାଗାର ଭିତରେ ପଶିଗଲେ । ସାରଜିଓ ମନ୍ତବ୍ୟ କରି ଉଠିଲା ‘‘ଜାଗାଟା ବେଶ୍‌ ସୁନ୍ଦର ।’’ କିନ୍ତୁ ସେ କଥାଟି ଶେଷ କରିବା ଆଗରୁ ଆଲବିନା ରେସ୍ତୋରାଁ ଆଗରେ ଠିଆ ହୋଇପଡ଼ି କହିଲା—‘‘ଆମେ ପହଞ୍ଚି ଯାଇଛୁ-।’’

 

ଆଲବିନା ରେସ୍ତୋରାଁର ଦରଜାଟି ଖୋଲି ଧଇଲା । ସାରଜିଓ ବିରକ୍ତ ଭାବରେ ଛତାଟି ବନ୍ଦ କରି ଗରମ ଧୂଆଁଳିଆ ପରିବେଶ ଭିତରେ ପ୍ରବେଶ କଲା । ରେସ୍ତୋରାଁରେ ଛୋଟଛୋଟ ଧାଡ଼ିଧାଡ଼ି ଘର । ଅନ୍ୟଗୁଡ଼ିକ ତୁଳନାରେ ବଡ଼ ପ୍ରଥମ ଘରଟି ମଝିରେ ପକାହୋଇଛି ଗୋଟାଏ ବଡ଼ ଟେବୁଲ ତା’ ଉପରେ ଜମା କରି ରଖାହୋଇଛି କମଳାଲେମ୍ୱୁ, ଫେନେଲର କେତୋଟି ଶାଖା ଏବଂ ଚାରିପାଖରେ ଦୁଇଟି ବଡ଼ବଡ଼ ସିଂହ ଲଗା ହୋଇଥିବା ଗୋଟାଏ କାଠର ବରଫ ବାକ୍‌ସ । ରେସ୍ତୋରାଁଟିରେ କୌଣସି ପ୍ରକାର କୃତ୍ରିମତା ନାହିଁ । ସାରଜିଓ ଲକ୍ଷ୍ୟକଲା ଗ୍ରାହକମାନଙ୍କ ଭିତରୁ ଅଧିକାଂଶ ଆଲବିନା କିମ୍ୱା ଲୁସିୟାନୋ ଶ୍ରେଣୀର ଲୋକ । ସ୍ତ୍ରୀଲୋକଗୁଡ଼ିକ ଯୁବତୀ, ମେକ୍‌ଅପ୍‌ର ମାତ୍ରାଧିକ୍ୟ ଓ ଲୋକଦେଖାଣିଆ ସୁନ୍ଦର ପରିଚ୍ଛଦରେ ଆବୃତ । ଆଲବିନା ଗୋଟାଏ ପରେ ଗୋଟାଏ ଘର ପାରି ହୋଇଗଲା, ଆଉ ସେହି କଦର୍ଯ୍ୟ ଲୋକଙ୍କ ଭିତରୁ ଜଣେ ତାକୁ ଅଭିବାଦନ ଜଣାଇଲା, ରେସ୍ତୋରାଁର ଶେଷଭାଗକୁ ପହଞ୍ଚି ସାରଜିଓକୁ କହିଲା—‘‘ମୁଁ ଯାହା ଖୋଜୁଥିଲି ତାହା ପାଇଛି ।’’

 

ସାରଜିଓ ଅଳ୍ପ ଆଗେଇ ଯାଇ ଗୋଟାଏ ଛୋଟଘର ଦେଖିବାକୁ ପାଇଲା । ସେହି ଘରଟିରେ କେବଳ ଦୁଇଟି ଟେବୁଲ ପକା ହୋଇଥିଲା ଏବଂ ଗୋଟାଏ ଟେବୁଲରେ ଲୁସିୟାନୋ ଆଉ ଜଣେ ସ୍ତ୍ରୀ ଲୋକ ବସିଥିଲେ । ଅପର ଟେବୁଲଟି ଖାଲିଥିବାରୁ ଆଲବିନା ଯାଇ ତହିଁରେ ବସି ପଡ଼ିଲା ।

 

ଲୁସିୟାନୋ ମୋଟେ ଅବାକ୍‌ ହେଲା ନାହିଁ । ସେ ବେଶ୍‌ ଶାନ୍ତ କଣ୍ଠରେ କହିଲା–‘‘ହ୍ୟାଲୋ ! ସରଜିଓ !’’ ସାରଜିଓ ଆଲବିନା ପାଖକୁ ଯାଇ ଝୁଙ୍କିପଡ଼ି ନିମ୍ନକଣ୍ଠରେ କହିଲା–‘‘ଚାଲ, ଅନ୍ୟ କେଉଁଠିକି ଯିବା......ଏଠି ଲୁସିୟାନୋ ବସିରହିଛି ।’’

 

ଆଲବିନା ଉତ୍ତର ଦେଲା—‘‘ବେଶ୍‌, ଭଲ ହୋଇଛି ।’’ ସେ ମୁଣ୍ଡପୋତି ମ୍ୟାନୁ ପରୀକ୍ଷା କରିବାର ଛଳନା କଲା ।

 

କୌଣସି ଗୋଟାଏ ଦାମୀ ରେସ୍ତୋରାଁର ନାଁ କହିଲେ ହୁଏତ ଆଲବିନା ଆଉ ଆପତ୍ତି କରିବ ନାହିଁ । ଏହି ଚିନ୍ତା କରି ସେ କହିଲା—‘ଚାଲ, ଏସପ୍ଳେନ୍‌ଡ଼ିଡ଼୍‌କୁ ଯିବା । ’

 

ଆଲବିନା ମୁହଁଟେକି ସାରଜିଓକୁ ଅବାକ୍‌ ଆଖିରେ ଚାହିଁ ପ୍ରଶ୍ନକଲା—‘‘କାହିଁକି ? ଏଇଠି ତ ବେଶ୍‌ ଭଲ ଲାଗୁଛି ।’’

 

ଅଗତ୍ୟା ବସିବାଛଡ଼ା ସାରଜିଓର ଅନ୍ୟ କୌଣସି ଉପାୟ ନ ଥିଲା । ସାରଜିଓ ତା’ର ଓଭରକୋଟ୍‌ଟି ଖୋଲିଦେଇ ଛତା ଓ ହ୍ୟାଟ ସହିତ ଗୋଟିଏ ଚେୟାର ଉପରେ ରଖିଦେଲା । ଟେବୁଲ ଯୋଡ଼ାକ ସାମନାସାମନି ପକା ହୋଇଥିଲା ଏବଂ ଯେଉଁ ଚାରିଜଣ ଏହି ଟେବୁଲରେ ବସିଥିଲେ ପରସ୍ପରକୁ ଚାହିଁବା ବ୍ୟତୀତ ଅନ୍ୟ କୌଣସି ପନ୍ଥା ନ ଥିଲା । ଆଲବିନା ଓ ସାରଜିଓ ଗୋଟାଏ ଦେବାଲ ଆଡ଼କୁ ପିଠି କରି ବସିଥିଲେ, ଅପର ଦେବାଲ ଆଡ଼କୁ ପିଠି କରି ବସିଥିଲେ ଲୁସିୟାନୋ ଓ ତା’ର ସଙ୍ଗିନୀ । ଦରଜା ଉପରେ ଝୁଲୁଥିଲା ଗୋଟାଏ ପରଦା, ଯାହାଫଳରେ ଗୋଟାଏ ଆନ୍ତରିକତା ଓ ସ୍ୱାତନ୍ତ୍ର୍ୟତାର ଅନୁଭୂତି ଜାଗି ଉଠୁଥିଲା ।

 

ସାରଜିଓ ବୁଝିପାରିଲା ଯେ ସେ ଆଲବିନାର ପ୍ରତିହିଂସାର ଗାରା ମାତ୍ର ଏବଂ କେତେ ସମୟ ଧରି ଏ ଅଭିନୟ ଚାଲିବ ସେ ସମ୍ୱନ୍ଧରେ ସେ ସଂପୂର୍ଣ୍ଣ ଅଜ୍ଞ । ତା ସତ୍ତ୍ୱେ ସେ ଆଲବିନାକୁ ଚାହିଁ ବୁଝିପାରିଲା ତାକୁ ହିଁ ସେହି ଚିରନ୍ତନ ଅଭିନୟର ଦର୍ଶକ ଭାବରେ ପ୍ରତିଦ୍ୱନ୍ଦୀମାନଙ୍କ ଅପେକ୍ଷା ବି ବେଶୀ ସୁବିଧା ଆହରଣ କରିବାକୁ ପଡ଼ିବ—ଅନ୍ୟ ଭାଷାରେ ଆଲବିନାକୁ ଲାଭ କରିବାକୁ ସଫଳ ହେବ । ନିଜେ ମନକୁମନ ବିରକ୍ତଭାବରେ କହିଲା—‘‘ମୁଁ ଗୋଟାଏ ବୋକା ।’’ ଯଦିଓ ସେ ଓଭରକୋଟଟି ଖୋଲିପକେଇଲା ତଥାପି ସେ ଅସହ୍ୟ ଗରମ ଅନୁଭବ କରୁଥିଲା, ରେସ୍ତୋରାଁର ଆବହାଓ୍ୱା ଧୂଆଁ ଓ ବ୍ୟଞ୍ଜନର ଗନ୍ଧରେ ଭାରି ହୋଇ ପଡ଼ିଥିଲା । ଏହି ଉତ୍ତାପ ଭିତରେ ଆଲବିନା ସହିତ ଏହି ଆଭିଯାନ, ମୋଜାଯୋଡ଼ିକ ଖୋଲିବା ଭଳି ଆନନ୍ଦଦାୟକ ହେଲା । ଅବରୁଦ୍ଧ ଭଡ଼ାଘରେ ସେ ଯେମିତି ଦେହର ସମସ୍ତ ପୋଷାକ ଖୋଲି ନଗ୍ନ ଦେହରେ ଶୀତଳ ପବନର ସ୍ପର୍ଶ ଅନୁଭବ କରୁଛି । ଆଲବିନା ଇତ୍ୟବସରରେ ଓ୍ୱେଟରକୁ ଡାକିଲା ଏବଂ ସାରଜିଓର ମନେ ହେଲା ଏସବୁ ବିଷୟରେ ଆଲବିନା ବେଶ୍‌ ଭଦ୍ର । ସେ ପ୍ରଚୁର ଖାଦ୍ୟପଦାର୍ଥ ପାଇଁ ଆଦେଶ ଦେଲା । ସାରଜିଓ ତାକୁ ଚାହିଁ କହିଲା—‘‘ତୁମେ ଖୁବ୍‌ କ୍ଷୁଧିତ ହୋଇପଡ଼ିଛ ବୋଧହୁଏ ?’’ ସେ ରାଗିଯାଇ ଉତ୍ତର ଦେଲା—‘‘ହଁ ଖୁବ୍‌ ଭୋକ ହେଉଛି ।’’

 

ଦୁଇଟି ଯୋଡ଼ି ସାମନାସାମନି ବସି ରହିଛନ୍ତି ପରସ୍ପର ଆଡ଼କୁ ନ ଚାହିଁ ଉପାୟ ନାହିଁ । ସାରଜିଓ ଅପର ପାଖକୁ ନ ଚାହିଁବାପାଇଁ ଚେଷ୍ଟା କରି ବିଫଳ ହୋଇ ଭାବିଲା ସେମାନଙ୍କୁ ସେ ଖୁବ୍‌ ସହଜ ଭାବରେ ଦେଖିବ । ଲୁସିୟାନୋ ମୁହଁ ଫେରେଇ ବସି ରହିଥିବାରୁ ସେ କେବଳ ତା’ର ମୁହଁର ପାର୍ଶ୍ୱଭାଗଟି ଦେଖିବାକୁ ପାଉଥିଲା; କିନ୍ତୁ ତରୁଣୀଟି ତା’ର ସାମନାସାମନି ବସି ରହିଥିଲା । ତରୁଣୀଟି କେବଳ ଏକକ ବୈଶିଷ୍ଟଯୁକ୍ତ ଏବଂ ମୁହୂର୍ତ୍ତକ ପାଇଁ ତା’ ପ୍ରତି ସାରଜିଓର କୌତୁହଳ ଜାଗିଉଠିଲା । କୃଷ୍ଣ କୁନ୍ତଳ ଓ ବୁଦ୍ଧିଦୀପ୍ତ ଚକ୍ଷୁ ତଳେ ଲମ୍ୱା ଓ ତାମ୍ର ବର୍ଣ୍ଣର ମୁଖମଣ୍ଡଳ । ସେହି ମୀନନୟନର ଦୃଷ୍ଟି ଅପଲକ, ଠିକ୍‌ ଦୁଇଟି ପଥର ଖୋଦିତ ଆଖିଭଳି ଉନ୍ମୁକ୍ତ ଓ ନିଃଷ୍ପ୍ରାଣ । ମୁହଁରେ ପୁରୁଷୋଚିତ ଭାବର ଲକ୍ଷ୍ୟଣ । ଦେଖିଲେ ମନେହେବ ତରୁଣୀଟି ଲମ୍ୱା, କାନ୍ଧ ଯୋଡ଼ିକ ସରୁ ଏବଂ କଳା ସିଲକ୍‌ ବସ୍ତ୍ରର ଆବରଣତଳେ ତା’ର ସ୍ତନଯୁଗ୍ମ ବେଶ୍‌ ପୀନ । ତରୁଣୀଟିର ମୁହଁର ରକ୍ତିମାଭା ଓ ଭାବହୀନ ଅଭିବ୍ୟକ୍ତି ଫଳରେ ସାରଜିଓ ବିଶେଷ ଭାବରେ ଆକୃଷ୍ଟ ହୋଇପଡ଼ିଲା । ତରୁଣୀଟି ତୁଳନାରେ ଲୁସିୟାନୋ ରୁଗ୍‌ଣ ଓ ଭଙ୍ଗୁର ଦେଖା ଯାଉଥିଲା, ଏଭଳିକି ଆଲବିନା ମଧ୍ୟ ରୁଗ୍‌ଣ ଦେଖା ଯାଉଥିଲା । ପଂଜରାହାଡ଼ରେ ଆଲବିନାର କହୁଣି ଆଘାତ ପାଇଁ ଏହି ଭାବନାରୁ ସେ ହଠାତ୍‌ ଚମକି ଉଠିଲା । ଅଲବିନା ସ୍ୱାଭାବିକ ସ୍ୱରରେ କହିଲା—‘‘ଏହି ତରୁଣୀଟି କିଏ ଜାଣ ?’’ ଯେମିତି ଲୁସିୟାନୋ ଶୁଣିବ ‘‘ଇୟେ ମେକ୍‌ସିକୋର ‘ଥିଏଟ୍ରେନ୍ୟଭୋରେ ଗୀତ ଗାଏ......ଦେଖିବାକୁ କଣ ସୁନ୍ଦର ଦିଶୁଛି ?’’

 

ନିମ୍ନକଣ୍ଠରେ ସାରଜିଓ କହିଲା—‘‘ମୋଟେ ନୁହେଁ ।’’

 

—‘‘କୁତ୍ସିତ......ସେୟା ନା ? ବସିଛି ବୋଲି ଲମ୍ୱା ଦେଖାଯାଉଛି, କିନ୍ତୁ ଯେତେବେଳେ ଠିଆହେବ ଦେଖିବ......ମନେହେବ ଯେମିତି ମାଟିରେ ଅଳ୍ପ ପଶିଯାଇଛି...ଯେମିତି ପାଦର ନିମ୍ନାଂଶ କିଏ କାଟି ନେଇଛି ।’’

 

—‘‘ଏତେ ଜୋରରେ କଥାବାର୍ତ୍ତା କରୁଛ କାହିଁକି ?’’

 

ନିଜର ଦୁଇକାନ୍ଧକୁ ହଲେଇ ଆଲବିନା କହିଲା—‘‘ସେ କିଛି ବୁଝି ପାରେନା.....କାରଣ ସିଏ କେବଳ ସ୍ପେନଶ ଭାଷା ଜାଣେ । ପୁରୁଷମାନଙ୍କ ଭଳି ନିଜର ନାଁ ‘‘କାଉନ୍‌ସଲୋ ବୋଲି କୁହେ-।’’

 

—‘‘ଏହା ପୁରୁଷମାନଙ୍କର ନାଁ ନୁହେଁ, ନାରୀମାନଙ୍କର ହଁ ନାଁ । ଏହାରି ଅର୍ଥହେଉଛି ସହାନୁଭୂତି ।’’ ଆଲବିନା ବେଶ୍‌ ବିଦ୍ୱେଶଭରା କଣ୍ଠରେ କହିଲା—‘‘ଲୁସିୟାନୋ ବର୍ତ୍ତମାନ ତାକୁ ନେଇ ମତ୍ତ, କାରଣ ମୁଁ ତାକୁ ତଡ଼ିଦେଇଛି ।’’

 

ସାରଜିଓ ପୁନରାୟ ବିପରୀତ ଦିଗରେ, ବସିଥିବା ଯୁଗଳପ୍ରେମୀଙ୍କୁ ଚାହିଁଲା ଏବଂ ଲକ୍ଷ୍ୟକଲା ସେ ସେମାନେ ପରସ୍ପର ଭିତରେ ଖୁବ୍‌ କମ କଥାବାର୍ତ୍ତା କରୁଛନ୍ତି । ମେକ୍‌ସିକୋର ସ୍ତ୍ରୀ ଲୋକଟି ବେଶ ଗମ୍ଭୀର ଭାବରେ ଖାଉଛି ଏବଂ ଲୁସିୟାନୋ ମଝିରେ ମଝିରେ ମନ୍ତବ୍ୟ କରି ହାତର ଭଂଗୀମାରେ ତା’ର ଅର୍ଥ ବୁଝେଇଦେଉଛି । କିନ୍ତୁ କଥାଗୁଡ଼ିକ ଅତି ସାଧାରଣ—‘‘କିଛି ପିଇବକି ? .....ଇୟେ କ’ଣ ତୁମେ ଭଲ ପାଅ ? ଆଉ ରୁଟି ଦରକାର କି ?’’ ଓ୍ୱେଟାର ପାସ୍ତା ଆସକୁଇଟା ନେଇ ଆସିଲା ଏବଂ ଆଲବିନା ହିଂସାରେ ଜର୍ଜରିତ ହୋଇପଡ଼ିଥିବା ସତ୍ତ୍ୱେ ଗୋଟାଏ ପ୍ଳେଟ ସାଲାମେ ଖାଇ ପକେଇଲା ଏବଂ ତା’ ସହିତ ପକାହୋଇଥିବା ସ୍ପାଗେଟି କଣ୍ଟାରେ ଉଠେଇ ନେଇ ମେକସିକୋଇ ତରୁଣୀଟି ଉପରୁ ଆଖି ନ ଫେରେଇଦେଲା । ମେକସିକୋର ତରୁଣୀଟି ଲୁସିୟାନୋ ହାତରେ କିଛିଟା ପାନୀୟ ଢଳେଇ ନେଇ ପିଇବାକୁ ଲାଗିଲା ଏବଂ ଗିଲାସ ଉପରେ ପ୍ରାୟ ଭାବପ୍ରଣୋଦିତ ପରିଜ୍ଞାତ ସହିତ ଗମ୍ଭୀର ଓ ପ୍ରାୟ ନିବେଦନର ଇଂଗୀତ ଜଣାଇଲା । ତା’ର ପ୍ରତିଦାନରେ ଲୁସିୟାନୋ ତା ହାତରୁ ଗ୍ଳାସଟି ନେଇ ସେ ଠିକ୍‌ ଯେଉଁ ଜାଗାରେ ମୁହଁ ଲଗେଇ ଥିଲା ସେହି ଜାଗାରେ ଓଠ ଲଗେଇ ପାନକଲା । ମୁହୂର୍ତ୍ତି ସ୍ୱାଗେଟି ସହିତ ଆଲବିନା କ୍ରୋଧୋନ୍ନତ୍ତ କଣ୍ଠରେ କହିଲା–‘‘ଦେଖ, ଦେଖ, ପୁରୁଷ ଗୁଡ଼ାକ କେତେ ବୋକା ।’’ ସେ କିନ୍ତୁ ପ୍ଳେଟଟି ଖାଲି କରିବାକୁ ଛାଡ଼ିଲା ନାହିଁ ଏବଂ ତା’ପରେ ଯେତେ ଝୋଳ ବଳକା ରହିଲା ତହିଁରେ ଖଣ୍ଡେ ରୁଟି ବୁଡ଼େଇ ପରିଷ୍କାର କରି ଖାଇନେଲା । ଖାଲି ପ୍ଳେଟଟି ଠେଲିଦେଇ ସେ ବେଶ୍‌ ଜୋରରେ କହିଲା–‘‘ଏଥର ଚାଲ ଆମେ ଘରକୁ ଫେରିଯିବା ।’’

 

ସାରଜିଓ ବେଶ୍‌ ଭଲଭାବରେ ଜାଣେ ଯେ, ସେ କେବଳ ଅନ୍ୟମାନଙ୍କୁ ଶୁଣାଇବା ପାଇଁ ଏହା କହୁଛି ଏବଂ କ’ଣ କହୁଛି ନିଜେ ବି ଜାଣେନା । ତଥାପି ସେ ଉତ୍ତର ନ ଦେଇ ରହିପାରିଲା ନାହିଁ । —‘‘ତୁମେ କିନ୍ତୁ ଅଳ୍ପ ସମୟ ପୂର୍ବରୁ କହିଛ ଯେ, ତୁମେ ମୋତେ ଚାହଁନା ।’’

 

ଆଲବିନା ବେଶ୍‌ ଚିତ୍କାର କରି କହିଲା....‘‘ମୁଁ ମୋର ମତ ପରିବର୍ତ୍ତନ କରିଛି । ତା’ ବ୍ୟତୀତ ସବୁସମୟ ମୁଁ ତୁମକୁ ଭଲ ପାଏ......ଲୁସିୟାନୋ ଠାରୁ ବି ବେଶୀ । —ଏତେ ପାଟିକରି କଥା କୁହନା ।’’

 

—‘‘ତୁମେ ମୋ ଭଳି ଲମ୍ପଟ ନୁହଁ । ତୁମେ ଯେ ଜଣେ ଭଦ୍ରଲୋକ ତାହା ସମସ୍ତେ ଦେଖି ପାରୁଛନ୍ତି ।’’

 

ମେକ୍‌ସିକୋର ସ୍ତ୍ରୀଲୋକଟି ଲୁସିୟାନୋକୁ ଖୁସିରେ ତା’ର ହାତଟି ଧରିବା ପାଇଁ ସୁଯୋଗ ଦେଲା । ଲୁସିୟାନୋ ତା’ର ହାତଟିକୁ ଓଠ ପାଖକୁ ଉଠେଇ କାମୁଡ଼ି ଦେଲା । ସ୍ତ୍ରୀ ଲୋକଟି ତା’ର ଶୁଭ, ତୀକ୍ଷ୍‌ଣ ଶ୍ୱାପଦମାନଙ୍କ ଭଳି ଦନ୍ତପଂକ୍ତି ବାହାର କରି ହସିଲା । ଯେଉଁଠି ଦଂଶନ କରିଥିଲା ଲୁସିୟାନୋ ସେଠି ଚୁମ୍ୱନ କଲା । ଅପ୍ରତ୍ୟାଶିତ ଆନ୍ତରିକତାରେ ଆଲବିନା ସାରଜିଓକୁ କହିଲା—‘‘ତୁମ ପାଇଁ ଗୋଟାଏ ଟାଇ କିଣିଛି, ଆସ ପିନ୍ଧେଇ ଦେବି ।’’

 

ହଠାତ୍‌ ଏହି କଥାର ରଚନାରେ ସାରଜିଓ ହତବାକ୍‌ ହୋଇଗଲା । ସେ କହିଲା–‘‘କିନ୍ତୁ....କିନ୍ତୁ ଆସ, ଏଥିରେ ଲଜ୍ଜା କରିବାର କିଛି ନାହିଁ ।’’

 

ଆଲବିନା ଟାଇର ପାର୍ସଲଟା ତା’ର ବ୍ୟାଗ ଭିତରୁ ବେଶ୍‌ ପ୍ରତିହିଂସା ପରାୟଣ ଗର୍ବର ସହିତ ବାହାରକଲା । ସାରଜିଓ ଭାବିଲା ଆଲବିନା ପାଖରୁ ଲୁସିୟାନୋ ଯେଉଁ ଟାଇଟା ପାଇଥାନ୍ତା ତାକୁ ଜଘନ୍ୟ ମନେକରିଥିବାରୁ ତାକୁ ଏ ଶାସ୍ତି ଭୋଗକରିବା ପାଇଁ ପଡ଼ୁଛି । କେବଳ ସେୟା ନୁହେଁ, ସେହି ସିଲ୍‌ କିନ୍‌ ଟାଇଟା ଲୁସିୟାନୋ ପରିବର୍ତ୍ତେ ତାକୁ ହିଁ ଗଳାରେ ଜଡ଼େଇବା ପାଇଁ ପଡ଼ିବ । ତା’ଛଡ଼ା ତା’ର ମୂଲ୍ୟ ମଧ୍ୟ ସେ ନିଜ ପକେଟରୁ ଦେଇଛି । ବେଶ୍‌ ବ୍ୟଙ୍ଗ ସହକାରେ ମୁହଁରେ ଆବାଜ୍‌ ସୃଷ୍ଟି କରି ଆଲବିନା ସାରଜିଓର କଲାରଟି ଲୋଉଟାଇ ଦେଲା ଓ ପୁରାତନ ଟାଇଟା ଖୋଲି ନୂତନ ଟାଇଟା ବାନ୍ଧିଦେଲା । ଅଳ୍ପ ପଛେଇ ଯାଇ ସପ୍ରଶଂସ ସ୍ୱରରେ କହିଲା–‘‘ତୁମକୁ ସୁନ୍ଦର ମାନୁଛି ।’’

 

ସାରଜିଓ ଟାଇର ବନ୍ଧନଟା ଶକ୍ତ କରିନେଇ କହିଲା—‘‘ମୋର ପୁରାତନ ଟାଇଟା ଅନ୍ତତଃ ଫେରସ୍ତ ଦିଅ ।’’

 

ଲୁସିୟାନୋ ମେକ୍‌ସିକୋର ସ୍ତ୍ରୀଲୋକଟିକୁ ଆଲିଙ୍ଗନ କରି ହସିଲା ଏବଂ ପରିହାସ କରି ନିମ୍ନ କଣ୍ଠରେ କିଛି କହିଲା । ମେକ୍‌ସିକୋର ସ୍ତ୍ରୀଲୋକଟି ଦୁର୍ବଳଭାବରେ ଭଙ୍ଗାଗଳାରେ ଗୋଟାଏ ଶବ୍ଦାଡ଼ମ୍ୱରପୂର୍ଣ୍ଣ ମନ୍ତବ୍ୟ କରି ତାକୁ ବାଧାଦେଲା । ତା’ପରେ ଲୁସିୟାନୋ ତା’ ଉପରେ ନଇଁପଡ଼ି ତା’ର ଶଂଖମର୍ମର ଗଳାରେ ଗୋଟାଏ ସୁଦୀର୍ଘ ଚୁମ୍ୱନ ଆଙ୍କିଦେଲା । ଲୁସିୟାନୋ ଠିକ୍‌ ତା’ର କାନତଳକୁ ଗଳାଟାକୁ ଯେମିତି ଶୋଷିନେବାରେ ଲାଗିଥାଏ, ଆଉ ସ୍ତ୍ରୀଟି ସ୍ଥିରଭାବରେ ବଡ଼ବଡ଼ ଆଖି କରି ବସି ରହିଥାଏ । ତା’ପରେ ଲୁସିୟାନୋ ଯେତେବେଳେ ତା’ର ମୁହଁଟି ଅପସାରଣ କରିନେଲା ସେ ମୁଣ୍ଡ ଟୁଙ୍ଗେଇ ଅବିନ୍ୟସ୍ତ କେଶରାଶିକୁ ଠିକ୍‌ କରିନେଲା ଠିକ୍‌ ଯେମିତି ମାଇକୁକୁଡ଼ା ଗଞ୍ଜାର ଆକ୍ରମଣରେ ଯାହାକରେ । ଓ୍ୱେଟରଟି ଆଲବିନାର ଅର୍ଡ଼ର ଅନୁସାରେ ମାଂସର ରୋଷ୍ଟ ଓ ଆଉ ଗୋଟାଏ ଟ୍ରେରେ ଲୁସିୟାନୋର ଖାଦ୍ୟପଦାର୍ଥ ନେଇ ଆସିଲା । ଆଲବିନା ପଚାରିଲା—ଏଇଟା କ’ଣ ଲୁସିୟାନୋ ପାଇଁ ?’’

 

—‘‘ହଁ ।’’

 

—‘‘ଟିକିଏ ରୁହ ।’’ ଆଲବିନା ଲଙ୍କାମରିଚର ପଟ୍‌ଟାଏ ଉଠେଇ ତା’ର ମୁହଁ ଖୋଲି ସବୁଯାକ ଲଙ୍କାଗୁଣ୍ଡ ତା’ର ଖାଦ୍ୟପଦାର୍ଥ ଉପରେ ଢାଳିଦେଲା । ଓ୍ୱେଟରଟି ଘାବୁରେଇ ଯାଇ ପଚାରିଲା—‘‘ଆପଣ କ’ଣ କରୁଛନ୍ତି ?’’

 

—‘‘କିଛି ଚିନ୍ତା କରନାହିଁ । ମୁଁ ବୁଝିବି ।’’ ସାରଜିଓ କିନ୍ତୁ ଭୟଭୀତ ହୋଇପଡ଼ିଲା, ଆଲବିନା କିନ୍ତୁ ଲୁସିୟାନୋ ଉପରେ ଦୃଷ୍ଟି ନିବଦ୍ଧ କରି ମାଂସର ରୋଷ୍ଟଟି ଖାଇବାକୁ ଲାଗିଲା । ଲୁସିୟାନୋ ଆଲବିନାର ଲଙ୍କାଗୁଣ୍ଡ ଢାଳିବା ଘଟଣାଟି ଦେଖି ନ ଥିବାରୁ ବିଶେଷ ଭଙ୍ଗୀରେ ଖଣ୍ଡେ ମାଂସନେଇ ମୁହଁରେ ଭର୍ତ୍ତିକଲା । ଆଲବିନା ମୃଦୁ ହସ ସହିତ ସାରଜିଓର ପଞ୍ଜରାରେ କହୁଣୀମାଡ଼ ଦେଇ କହିଲା—‘‘ଏଥର ଦେଖ.......କ’ଣ ଘଟୁଛି । ସେ ଖାଇବା ବ୍ୟାପାରରେ ବିଶେଷ ଯତ୍ନଶିଳ-।’’

 

ଲୁସିୟାନୋ କିନ୍ତୁ ସେଭଳି କୌଣସି ପ୍ରତିକ୍ରିୟା ପ୍ରକାଶ କଲାନାହିଁ । ପ୍ରଥମଥର ପାଇଁ ଖାଇ ଛୁରି ଓ ଚାମଚଟି ନୁଆଁଇ ରଖିଦେଲା । ଅଧଗ୍ଳାସ ମଦ ପିଇନେଇ ଗୋଟାଏ ସିଗାରେଟ୍‌ରେ ଅଗ୍ନିସଂଯୋଗ କଲା । ଆଲବିନା ଆଉ ଗୋଟାଏ ହସର ଉଲ୍ଲାସକୁ ଚାପିନେଇ କହିଲା–‘‘ଭାବିଦେଖ ତ.....ତା’ର ମୁହଁଟା କେମିତି ଜଳୁଥିବ । ଏତେ ଗର୍ବ ଯେ ପୋଡ଼ି ଯାଉଥିଲେ ବି ପ୍ରକାଶ କରିବ ନାହିଁ ।’’

 

ଜଣେ ଜୀର୍ଣ୍ଣବସ୍ତ୍ର ପରିହିତ ଯୁବକ ହାତରେ ଛୋଟ ଗୋଟାଏ ଫାଇବରର ସୁଟକେଶ ନେଇ ପ୍ରବେଶ କଲା । ସେ ସୁଟ୍‌ କେଶ୍‌ଟା ଖୋଲିଲା ଏବଂ କୌଣସି କଥା ନ କହି ଲୁସିୟାନୋର ଟେବୁଲ ଉପରେ କେତେଗୁଡ଼ିଏ ପ୍ଳାଷ୍ଟରର ପ୍ରତି ମୂର୍ତ୍ତି ସଜେଇ ରଖିଦେଲା । ସତ କହିବାକୁ ଗଲେ ମେକ୍‌ସିକୋର ସ୍ତ୍ରୀଲୋକଟି ସେ ଗୁଡ଼ିକ ନେଇ ବିଶେଷ ଆଗ୍ରହ ପ୍ରକାଶ କଲା ନାହିଁ । ଲୁସିୟାନୋ କିନ୍ତୁ ତାକୁ ଗୋଟାଏ କଳାରଙ୍ଗର କଣ୍ଢେଇ ନେବା ପାଇଁ ବାଧ୍ୟ କଲା । ସାରଜିଓ ହଠାତ୍‌ ଟେବୁଲ ତଳେ ଆଲବିନା ହାତଟି ଖୋଜିବାକୁ ଲାଗିଲା । ଆଲବିନା ତା’ର ହାତଟି ଧରି ଚିତ୍କାର କରି କହିଲା–‘‘ଓଃ....ତୁମେ ବଡ଼ ଅଧୈର୍ଯ୍ୟ । ତୁମେ କ’ଣ ଘରକୁ ଫେରିବାଯାଏ ଅପେକ୍ଷା କରି ପାରୁନ-?’’ ସାରଜିଓ ଘାବୁରେଇଗଲା ଏବଂ ତା’ର ହାତଟି ଛଡ଼େଇ ନେବା ପାଇଁ ଚେଷ୍ଟାକଲା । ଆଲବିନା କିନ୍ତୁ ଜୋରରେ ହାତଟି ଧରି ରଖିଲା । ସେ କହିଲା—‘‘ଛାଡ଼ିଦିଅ......ଦେବନି ?’’ ଏବଂ ସାରଜିଓର ଦେହ ଉପରେ ଢଳିପଡ଼ି ଛଳନାକଲା ଯେମିତି ସେ ହାତଟା ମୁକ୍ତ କରିବାର ଆପ୍ରାଣ ଚେଷ୍ଟା କରୁଛି-। ସାରଜିଓ ଏହି ଅବସରରେ ଅଳ୍ପ ମଉଜ କରିବା ପାଇଁ ତାକୁ ବାହୁ ବନ୍ଧନରେ ଆବଦ୍ଧ କରିନେଲା-। ଆଲବିନା ତା’ର ହାତଟି ଠେଲି ସରେଇଦେଲା । ଲୁସିୟାନୋ ବେଶ୍‌ ବଡ଼ପାଟିରେ ମେକ୍‌ସିକୋର ସ୍ତ୍ରୀଲୋକଟିକୁ ପଚାରିଲା—‘‘କଣ ଖାଇବ କହ ? ଫଳ ? ମିଠା ?’’

 

‘‘ମିଠା ?’’

 

ଆଲବିନା କୃଧିତ କଣ୍ଠରେ କହି ଉଠିଲା—‘‘ମୁଁ ବି ମିଠା ଖାଇବି ।’’ ମୁହୂର୍ତ୍ତକପରେ ଓ୍ୱେଟରଟି ଉଭୟ ସ୍ତ୍ରୀଲୋକଙ୍କ ପାଇଁ ମିଠାନେଇ ଆସିଲା । ଅନ୍ୟପକ୍ଷରେ ଲୁସିୟାନୋ ଓ ସାରଜିଓ ଫଳ ଖାଇବାକୁ ଲାଗିଲେ । ମିଠାଟା ଥିଲା କ୍ରୀମରକମର; ସେକ୍‌ସିକୋର ସ୍ତ୍ରୀଲୋକଟି ଅଳ୍ପଖାଇ ଭୁକ୍ତାବଶିଷ୍ଟରେ ସିଗାରେଟ୍‌ର ଶେଷାଂଶ ଗେଞ୍ଜିଦେଲା । ଆଲବିନା କିନ୍ତୁ ମୁଣ୍ଡ ନୁଆଇଁ ସ୍ୱଭାବସିଦ୍ଧ ପଶୁଭଳି ଆଗ୍ରହରେ ସବୁତକ ଖାଇନେଇ ପେଟରେ ହାତ ବୁଲେଇ କହିଲା—‘‘ଓଃ ପ୍ରଚୁର ଭୋଜନ କରାଗଲା । ଏହି ସ୍କାର୍ଟଟା ବଡ଼ ଚିପା ।’’ ନିଜ ସିଟ୍‌ ଉପରେ ଆଉଜି ବସି ସ୍କାର୍ଟର ଜୀପ୍‌ଟିର ଛୋଟ ହୁକ୍‌ ଧରି ଟାଣିବାକୁ ଚେଷ୍ଟା କଲା । କିନ୍ତୁ ସ୍କାର୍ଟଟି ଏମିତି ଚିପି ହୋଇ ବସିଥିଲା ଯେ ସେ ଖୋଲି ପାରିଲା ନାହିଁ । ସାରଜିଓକୁ କହିଲା–‘‘ଦେଖ, ଜୀପ୍‌ଟା ଟିକିଏ ଟାଣି ଖୋଲିଦିଅ-।’’ ସାରଜିଓ ନଇଁପଡ଼ି ଛୋଟ ହୁକ୍‌ଟା ଧରି ଟାଣି ନୁଆଁଇ ଦେଲା । ତତ୍‌କ୍ଷଣାତ ଆଲବିନାର ଗୋଲ ପରିପୁଷ୍ଟ ଉଦରର ନିମ୍ନାଂଶ ବାହାରି ପଡ଼ିଲା । ଏବଂ ତା’ର ସବୁଜ ପତଳା ଅନ୍ତର୍ବାସ ଭିତରୁ ତା’ର ନାଭିମଣ୍ଡଳ ପର୍ଯ୍ୟନ୍ତ ଦୃଷ୍ଟିଗୋଚର ହେଲା । ମେକ୍‌ସିକୋର ସ୍ତ୍ରୀଲୋକଟିକୁ ଲୁସିୟାନୋ ପଚାରିଲା–‘‘କଫି ଖାଇବ ?’’

 

—‘‘ହଁ.....ଖାଇବି ।’’

 

ଆଲବିନା ଏଥର ପ୍ରାୟ ଉଦରର ଅର୍ଦ୍ଧାଂଶ ବାହାର କରି ବସି ରହିଲା ଏବଂ ତା’ର ମେସିଜ୍‌ର ଗୋଟାଏ ପାଖରେ ମୁକ୍ତ ବ୍ରାଉନ୍‌ ଓ ଉତପ୍ତ ରଙ୍ଗର ନିମ୍ନାଂଶ ଦୃଷ୍ଟିଗୋଚର ହେଲା ।

 

ଏତିକିବେଳେ ଜଣେ ଭ୍ରାମ୍ୟମାଣ ସଙ୍ଗୀତଜ୍ଞ ଆସି ପହଞ୍ଚିଲା; ଜଣେ ସ୍ତ୍ରୀ ଓ ପୁରୁଷ । ପୁରୁଷଟି ବୃଦ୍ଧ, ରୁଗ୍‌ଣ ଓ କୁଚ୍ଛ ଏବଂ ତା’ର ମୁହଁଟି ଲମ୍ୱା ଧରଣର । ତା’ର କଳା ଓଭରକୋଟଟି ପାଦପର୍ଯ୍ୟନ୍ତ ଓ ବଡ଼ ଟୋପିଟା କାନ ଯାଏ ଓହଳି ପଡ଼ିଥିଲା । ସ୍ତ୍ରୀଲୋକଟିର ବୟସ ପ୍ରାୟ ପଚାଶ ପାଖାପାଖି, ବେଶ୍‌ ଦୀର୍ଘାକୃତି ଓ ସୁନ୍ଦରୀ, ସମଗ୍ର ଦେହଟି କଳା ପୋଷାକରେ ଆବୃତ ଓ ମୁହଁଟି ବିଷାଦ କ୍ଳିଷ୍ଟ । ସେମାନେ ନିଜର ବାଦ୍ୟଯନ୍ତ୍ର ବାକ୍‌ସରୁ ବାହାର କରି ଗୋଟାଏ ପୁରାତନ ଗୀତର ସ୍ୱର ବଜେଇବାକୁ ଲାଗିଲେ । ଆଲବିନା ଉଚ୍ଚସ୍ୱରରେ ମନ୍ତବ୍ୟ କଲା—‘‘ଏହି ମେକସିକୋର ସ୍ତ୍ରୀଲୋକଟି ଥୟେଟରକୁ ଯାଇ ଏ ଦୁହିଁଙ୍କ ଭଳି ଗୀତ ଗାଇ ବୁଲିବା ଉଚିତ, ଏତେ ବେସୁରା କଣ୍ଠ ଯେ କହିଲେ ନ ସରେ ।’’

 

ସାରଜିଓ ଜିଜ୍ଞାସା କଲା—‘‘ଇୟେ କ’ଣ ସ୍ପେନିଶ ଭାଷାର ଗୀତ ଗାଇପାରେ ?’’

 

—‘‘ନିଶ୍ଚୟ । ତେବେ ମୁଁ ତୁମକୁ କହୁଛି ଇୟେ ସ୍ପେନିଶ ଭାଷାର କିଛି ଜାଣେନା ।’’

 

ସଙ୍ଗୀତଜ୍ଞ ଦୁହେଁ ଗୀତ ଶେଷ କରିବାପରେ ଲୁସିୟାନୋ ସେମାନଙ୍କୁ ପାଖକୁ ଡାକିଲା । ସେମାନେ ଲୁସିୟାନୋର ଟେବୁଲ ପାଖକୁ ଗଲେ । ପୁରୁଷଟି ମୁଣ୍ଡରୁ ଟୋପି ଖୋଲି ଅଭିବାଦନ ଜଣାଇଲା । ଲୁସିୟାନୋ ସେମାନଙ୍କ ସହିତ କଥାବାର୍ତ୍ତା କରି ମେକ୍‌ସିକୋର ସ୍ତ୍ରୀଲୋକଟିକୁ ଯେମିତି କିଛି କହିଲା । ସେ ପ୍ରଥମେ ପ୍ରତିବାଦ କରି ପରେ ସମ୍ମତ ହୋଇଗଲା । ଉଭୟ ସଙ୍ଗୀତଜ୍ଞ ଲୁସିୟାନୋର ଟେବୁଲ ଦୁଇପାଖରେ ଠିଆ ହୋଇ ନିଜର ବାଦ୍ୟଯନ୍ତ୍ର ଦୁଇଟିରେ ଗୋଟିଏ ଅତି ପରିଚିତ ସ୍ପାନିଶ ଗୀତ ବଜେଇଲେ । ମେକ୍‌ସିକୋର ସ୍ତ୍ରୀଲୋକଟି ଅଦ୍ଭୂତ ଭାବରେ ବିସ୍ମୟ ବିଷ୍ପାରିତ ଦୃଷ୍ଟିରେ କେତୋଟି ମୁହୂର୍ତ୍ତ ଶୂନ୍ୟକୁ ଚାହିଁରହି ବସି ରହିଲା । ତା’ ପରେ ସେ ଗାଇବାକୁ ଆରମ୍ଭ କଲା । ତା’ର କଣ୍ଠସ୍ୱର କର୍କଶ ହେଲେ ମଧ୍ୟ ପ୍ରାଣବନ୍ତ ଓ ଭାବପ୍ରବଣ । ଆରୋହରେ ଅଳ୍ପ ବଣ୍ୟ ଭାବ ମିଶ୍ରିତ ହୋଇଥିଲେ ହେଁ ବେଶ୍‌ କରୁଣ ଶୁଣା ଯାଉଥିଲା । ମନେ ହେଲା ହଠାତ୍‌ ବନ୍ଦ ହୋଇଯିବାରୁ ବେସୁରା ଓ କ୍ଷୁବ୍‌ଧ ହୋଇପଡ଼ିଲା । ସାରଜିଓ ପ୍ରଥମେ ଅବାକ ହୋଇପଡ଼ିଲା, ତା’ପରେ ପ୍ରଶଂସା କଲା ଓ ଶେଷରେ ଆଲୋଡ଼ିତ ହୋଇପଡ଼ିଲା । ସେ ଭାବିଲା ଏହା ହୁଏତ ସନ୍ଧ୍ୟା ସମୟର ଦୁଃର୍ଘଟଣା ପାଇଁ କିମ୍ୱା ତା’ର ମନ ଭିତରେ ଯେଉଁ ନମନୀୟତା ଆବଦ୍ଧ ଥିଲା ଏବଂ ସାମାନ୍ୟ ଅଭ୍ୟାସ ସକାଶେ ସେଇଠି ଆନ୍ତରିକତାର କୌଣସି ସ୍ଥାନ ନ ଥିଲା । ମେକ୍‌ସିକୋର ସ୍ତ୍ରୀଲୋକଟି ଗାଇବା ସମୟରେ ବାଦ୍ୟକାରମାନଙ୍କୁ ଚାହିଁ ଆରୋହଣ ଓ ଅବରୋହଣର ଇଙ୍ଗୀତ ଦେଉଥିଲା । ସେମାନଙ୍କର କେବିନ ଆଗରେ କେତେଜଣ ଖରୀଦଦାର ଭିଡ଼କରି ଚୁପଚାପ୍‍ ଗୀତ ଶୁଣୁଥିଲେ । ଲୁସିୟାନୋକୁ ଦେଖି ମନେ ହେଲା ନାହିଁ ଯେ, ସେ ସଙ୍ଗୀତର ମାଧୁରୀ ସମ୍ୱନ୍ଧରେ ବିଶେଷ ପରିଜ୍ଞାତ । ଅଶ୍ୱସ୍ତି ଓ ସଂଶୟର ଏକ ମିଶ୍ରିତ ଭାବନେଇ ସେ ବସି ରହିଲା ଏବଂ ସ୍ପଷ୍ଟ ବୁଝାପଡ଼ିଲା ମେକ୍‌ସିକୋର ସ୍ତ୍ରୀଲୋକଟିକୁ ଗୀତ ଗୁଆଇବାର ଉଦ୍ଦେଶ୍ୟ ଆଲବିନାକୁ ପ୍ରତିହିଂସା ପରାୟଣ କରି ତୋଳିବା । ଗାୟିକା ତା’ର ଗୀତ ଶେଷ କରି କୋଳ ଉପରେ ହାତ ଦୁଇଟି ରଖି ବସି ରହିଲା । ଦରଜା ପାଖରେ ଭୀଡ଼ କରିଥିବା ଦର୍ଶକମାନଙ୍କ ପାଖରୁ ଅଭିନନ୍ଦନ ଆସିବାକୁ ଲାଗିଲା । ଲୁସିୟାନୋ ନିଜ ମୁହଁରୁ ସିଗାରେଟଟି ବାହାର ନ କରି ଶିଷ୍ଟାଚାର ସହିତ ଅଭିନନ୍ଦନ ଜ୍ଞାପନକଲା । ସାରଜିଓ ବେଶ୍‌ ଜୋରରେ ହାତତାଳି ଦେଲା । ଆଲବିନା ରାସ୍ତାକଡ଼ର ପିଲାଙ୍କ ଭଳି ମୁହଁ ଭିତରେ ଆଙ୍ଗୁଠି ଭର୍ତ୍ତିକରି ସୁସୁରି ମାଇଲା ।

 

ଦୀର୍ଘ ସୁସୁରିପରେ ଗୋଟାଏ ନିସ୍ତବ୍‌ଧତା ନଇଁ ଆସିଲା । ମେକ୍‌ସିକୋର ସ୍ତ୍ରୀଲୋକଟି ତାକୁ ଏମିତି ଭାବରେ ଚାହିଁଲା ଯେମିତି ଏଇ ତାକୁ ସେ ପ୍ରଥମ ଦେଖୁଛି, ତା’ପରେ ଉଠିପଡ଼ି ସେ ସାରଜିଓର ଟେବୁଲ ପାଖକୁ ଆଗେଇ ଆସିଲା । ସାରଜିଓ ଭାବିଲା ଆଲବିନା ସତ କହିଥିଲା । ଯେତେବେଳେ ମେକ୍‌ସିକୋର ସ୍ତ୍ରୀ ଲୋକଟି ଉଠି ଠିଆ ହେଲା ସାରଜିଓ ଦେଖିଲା ସେ ନିହାତି ବାଙ୍ଗରୀ, ଯଦିଓ ତା’ର କାନ୍ଧ ଯୋଡ଼ାକ ପ୍ରଶସ୍ତ ଓ ବୁକୁ ନିଟୋଳ । ସେ ଆଲବିନା ଆଗରେ ଠିଆ ହୋଇ ଆବୋଧ୍ୟ ସ୍ପାନିଶ ଭାଷାରେ ଗୁଡ଼ାଏ ବକିଲୋ । ବେଶ୍‌ କୃଦ୍ଧ ଭାବରେ କହିଲେ ମଧ୍ୟ ତା’ର ଆଖିଯୋଡ଼ିକ ଓ ମୁହଁଟି ନିଶ୍ଚଳ ରହିଥିଲା । ଆଲବିନା କହିଲା—‘‘ମୁଁ ପଦେହେଲେ ବୁଝିପାରୁ ନାହିଁ, ଆଉ ଏଥିରେ ମୋର କିଛି ଯାଏଆସେନା । ଲୋକମାନେ ଥିୟେଟରରେ କ’ଣ ସୁସୁରି ଦିଅନ୍ତି ନାହିଁ-? ମୋର ମଧ୍ୟ ସୁସୁରି ମାରିବାର ଅଧିକାର ଅଛି ।’’

 

ମେକ୍‌ସିକୋର ସ୍ତ୍ରୀ ଲୋକଟି ସାରଜିଓର ମଦ ଭର୍ତ୍ତି ଗ୍ଳାସଟି ଆଲବିନାର ମୁହଁ ଉପରକୁ ଫିଙ୍ଗି ଦେଲା ।

 

ତା’ପରେ ଗୋଟାଏ ଗଣ୍ଡଗୋଳର ସୃଷ୍ଟିହେଲା । ମୁହଁ ଓ ଗଳାଦେଇ ମଦ ଗଡ଼ୁଥିବା ଅବସ୍ଥାରେ ଆଲବିନା ମେକ୍‌ସିକୋର ସ୍ତ୍ରୀ ଲୋକଟିକୁ ଧରିବା ପାଇଁ ଲମ୍ପ ପ୍ରଦାନ କଲା । ସେ ଯେ କେବଳ ସାରଜିଓ କର୍ତ୍ତୃକ ବାଧାପ୍ରାପ୍ତ ହେଲା ଏମିତି ନୁହେଁ, ତା’ର ଜୀପ୍‌ ଖୋଲା ସ୍କାର୍ଟଟି ଖୋଲିଯିବା ଫଳରେ ସେ ନିବୃତ୍ତ ହୋଇପଡ଼ିଲା ଏବଂ ଚିତ୍କାର କରି କହିଲା—‘‘ଛାଡ଼ ଛାଡ଼ିଦିଅ, ମୁଁ ଏହି ପାତିମାଙ୍କଡ଼ିର ଆଖିଯୋଡ଼ାକ ଓପାଡ଼ି ନେବି ।’’ ଲୁସିୟାନୋ ଯୁକ୍ତିପୂର୍ଣ୍ଣ ଅମନୋଯୋଗିତା ସହକାରେ ବସି ବସି ଧୂମ୍ରପାନ କରିବାକୁ ଲାଗିଲା ।

 

ମେକ୍‌ସିକୋର ସ୍ତ୍ରୀ ଲୋକଟି କ୍ରମେକ୍ରମେ ପଛେଇଯାଇ ନିଜ ଟେବୁଲ ପାଖରେ ନିଶ୍ଚଳ ନୀରବରେ ଆଲବିନାକୁ ଚାହିଁ ରହିଲା । କେତେଜଣ କ୍ରେତା ସେମାନଙ୍କର ରେସ୍ତୋରାଁକୁ ପ୍ରବେଶ କଲେ ଏବଂ କେତେଜଣ ଦରଜା ପାଖରେ ଠିଆହୋଇ ଘଟଣା ସମ୍ୱନ୍ଧରେ ପ୍ରଶ୍ନ କରିବାକୁ ଲାଗିଲେ । ଶେଷରେ ଲୁସିୟାନୋ ଓ୍ୱେଟରକୁ ଡାକି ବିଲ୍‌ ପେମେଣ୍ଟ କରିଦେଇ ମେକ୍‌ସିକୋର ସ୍ତ୍ରୀଟିକୁ ସଙ୍ଗରେ ନେଇ ବାହାରିଗଲା ।

 

ଓ୍ୱେଟର ଓ ସଙ୍ଗୀତଜ୍ଞ ଦୁହେଁ ମଧ୍ୟ ବାହାରିଗଲେ । ଆଲବିନା ଶେଷରେ ଶାନ୍ତହୋଇ ବସିପଡ଼ିଲା ଏବଂ ନ୍ୟାପ୍‌କିନରେ ମୁହଁର ଓ ଦେହର ମଦତକ ପୋଛି ପକେଇଲା । ଅଳ୍ପ ମଦ ତା’ର ପେଟଉପରେ ପଡ଼ିଥିବାରୁ ଅନ୍ତର୍ବାସଟି ଓଦା ହୋଇଯାଇ ତା’ର ଦେହରେ ଲାଗିଯିବା ଫଳରେ ଶିଶୁସୁଲଭ ଉଦରଟି ସ୍ପଷ୍ଟ ହୋଇପଡ଼ିଲା । ସାରଜିଓ କହିଲା—‘‘ମୁଁ ତ ତୁମକୁ ଆଗରୁ କହିଥିଲି, ଏଠି ନ ବସିବା ଭଲ ।’’

 

ସାରଜିଓ ଅବାକ୍‌ ହୋଇ ଦେଖିଲା ଆଲବିନା ଏକବାରେ ଶାନ୍ତ ହୋଇପଡ଼ିଛି । ଆଲବିନା ତାକୁ ପଚାରିଲା—‘‘ତୁମେ କ’ଣ ମୋତେ ଭଲପାଅ ?’’

 

ବିରକ୍ତି ମିଶ୍ରିତ କଣ୍ଠରେ ସାରଜିଓ କହିଲା—‘‘ହଁ ।’’

 

—‘‘ମୋ ସହିତ ସଂଯୋଗ କାମନା କର ?’’

 

—‘‘ନିଶ୍ଚୟ ।’’

 

—‘‘ତାହାହେଲେ ତା’ ବ୍ୟତୀତ ଆଉ କୌଣସି ବିଷୟରେ ମୁଣ୍ଡ ଘୂରାଅ ନାହିଁ ।’’

 

ବର୍ତ୍ତମାନ ସାରଜିଓ ନିଶ୍ଚିନ୍ତ ହୋଇପଡ଼ିଲା, ଅନ୍ତତଃ ଲୁସିୟାନୋ ଉପରେ ସେ ପ୍ରତିହିଂସା ନେଇ ପାରିବ । କେବିନ୍‌ଟି ଖାଲି ହୋଇଯିବାରୁ ଏବଂ ପାଖ ଘରୁ ସେମାନଙ୍କୁ କେହି ଦେଖିବାର ସମ୍ଭାବନା ନ ଥିବାରୁ ସାରଜିଓ ଆଲବିନାକୁ ଆଲିଙ୍ଗନ କରି ଚୁମ୍ୱନ କରିବାକୁ ପାଖକୁ ଟାଣିଆଣିଲା । ଏଥର ଆଲବିନା ତାକୁ ଚୁମ୍ୱନ କରିବାକୁ ସୁଯୋଗ ଦେଲା ଏବଂ ଶେଷରେ ଉତ୍ତେଜିତ ହୋଇପଡ଼ିବାରୁ ସାରଜିଓର ଚୁମ୍ୱନର ପ୍ରତିଦାନ ଦେଲା ଅତି ଉନ୍ନତ୍ତ ଭାବରେ । ଆଲବିନାର ମୁହଁରେ ମଦର ଗନ୍ଧ, ତଥାପି ତାହା ଅସହ୍ୟ ମନେ ନ ହୋଇ ମନେହେଲା ସରଳ ଓ ଅସହାୟ । ସେମାନେ ପୁଣି ଛଡ଼ାଛଡ଼ି ହୋଇଯିବାପରେ ଆଲବିନା ନିଜର ସ୍କାର୍ଟଟି ସଜେଇ ନେଇ ପଚାରିଲା–—‘‘ବର୍ତ୍ତମାନ ଯିବ ତ ?’’

 

ସାରଜିଓ ଦାମ ଚୁକ୍ତି କରିଦେଲା ଏବଂ ସେମାନେ ବାହାରି ଆସିଲେ । ସେତେବେଳକୁ ବର୍ଷା ବନ୍ଦ ହୋଇ ଯାଇଥିଲା । ରାସ୍ତାର ଢିମା ପଥର ଗୁଡ଼ିକ ଆଲୁଅରେ ଚକ୍‌ଚକ୍‌ କରୁଥିଲା; କିନ୍ତୁ ପୂର୍ବାପେକ୍ଷା ବି ଅତ୍ୟଧିକ ଗରମ ବୋଧ ହେଉଥିଲା । ପୁନରାୟ ସାରଜିଓ ସେହି ମୁହୂର୍ତ୍ତଟିର କଥା ଚିନ୍ତାକଲା, ଯେତେବେଳେ ଆଲବିନାର ଘରକୁ ଯାଇ ସକଳ ପରିଚ୍ଛଦ ପରିତ୍ୟାଗ କରି ସ୍ୱସ୍ତିଲାଭ କରିବ । ଆଲବିନା ତା’ର ଆଗେ ଆଗେ ଚାଲିବାକୁ ଲାଗିଲା ଯେମିତି ସେ ଏକାକୀ ଯାଉଛି । ହାତ ଦୁଇଟି କୋଟ୍‌ ପକେଟରେ ଭରି ସେ ଚିନ୍ତା କରୁଥିଲା । ତା’ର ନୂତନ ହାଇହିଲ ଯୋତାଟା ପିନ୍ଧିଥିବାରୁ ସେ ବେଶ୍‌ ଛୋଟ ଓ ମୋଟା ଦେଖାଯାଉଥିଲା । ସାରଜିଓ ପଚାରିଲା—‘‘ଟିକିଏ କଫି ଖାଇଲେ କେମିତି ହୁଅନ୍ତା ?’’

 

ଆଲବିନା ତା’ ପାଖକୁ ଆସି ତା’ର ଅଣ୍ଟାରେ ହାତ ଗୁଡ଼େଇ ଶାନ୍ତ ଭାବରେ କହିଲା–‘‘ନା...ଘରକୁ ଚାଲ..... । ତୁମେ ରାତିସାରା ମୋ ପାଖରେ ରହିବ ତ ?’’ କଥାଗୁଡ଼ିକ ସେ ଖୁବ୍‌ ଦୁଃଖର ସହିତ କହିଲା ଯେମିତି ସେ କାନ୍ଦୁଛି ।

 

ସାରଜିଓ ତାକୁ ଆଲିଙ୍ଗନ କରି କହିଲା—‘‘ନିଶ୍ଚୟ ।’’

 

ଆଲବିନା କହିଲା—‘‘ଆମେ ସାଥିହୋଇ ଶୋଇବା, ଆଉ କାଲି ସକାଳେ ତୁମେ ତୁମର ଇଚ୍ଛାନୁସାରେ ଚାଲି ଯାଇପାର.....ଇଚ୍ଛାହେଲେ ଦ୍ୱି’ପ୍ରହର ଯାଏ ବି ଶୋଇ ରହିପାର ।’’

 

ସେମାନେ ଅନେକ ଗଳି ଓ ରାସ୍ତା ପାରିହୋଇ ଶେଷରେ ଆଲବିନାର ବାସସ୍ଥଳରେ ପହଞ୍ଚିଲେ । ପାହାଚ ଦେଇ ସେମାନେ ଯେତେବେଳେ ପ୍ରଥମ ଫ୍ଳୋର୍‌ରେ ପହଞ୍ଚିଲେ, ସାରଜିଓ ଆଲବିନାର ଗଳାରେ ଗୋଟାଏ ଚୁମ୍ୱନ ଆଙ୍କିଦେଲା । ଆଲବିନା କୌଣସି କଥା କହିଲା ନାହିଁ ।

 

ସେମାନେ ତା’ର ଫ୍ଳାଟ୍‌ର କଳାରଙ୍ଗର ଦରଜା ଆଗରେ ଆସି ପହଞ୍ଚିଲେ । ଆଲବିନା ନିଜ ଚାବିରେ ତାକୁ ଖୋଲିନେଲା ଏବଂ ସଂକୀର୍ଣ୍ଣ ପ୍ୟାସେଜ୍‌ଟିରେ ସେମାନେ ଆଗେଇଗଲେ । ପୂର୍ବପରି ନିଜର ଓଭରକୋଟ ଓ ଛତା ପାଇଁ ଅଶ୍ୱସ୍ତି ଅନୁଭବ କରି ସାରଜିଓ ତା’ର ପଛରେ ପଶିଲା । ଆଲବିନା ତା’ର କୋଠରୀର ଦରଜା ଖୋଲି ଚିତ୍କାର କରି ଉଠିଲା–‘‘ଆରେ ତୁମେ ଏଠି କ’ଣ କରୁଛ ?’’

 

ତା’ର କଣ୍ଠସ୍ୱର ଆନନ୍ଦରେ ଉଦ୍‌ବେଳିତ ହୋଇପଡ଼ିଲା । ସାରଜିଓ ଗୃହ ମଧ୍ୟରେ ପ୍ରବେଶ କରି ପ୍ରଥମେ ମେକ୍‌ସିକୋର ସ୍ତ୍ରୀ ଲୋକଟିକୁ ଦେଖିବାକୁ ପାଇଲା; ରୁକ୍ଷ ମିଜାଜ୍‌ରେ ସେ ସୋଫା ଉପରେ ବସିଥିଲା । ତା’ପରେ ଦେଖିଲା ଡ଼୍ରେସିଂ ଟେବୁଲ ଟିରେ ଦରଜାଆଡ଼କୁ ମୁହଁ କରି ଲୁସିୟାନୋ ବସିଛି ।

 

ଲୁସିୟାନୋର ବସିବା ଭଙ୍ଗୀଟି ରୀତିଗତ ହେଲେ ହେଁ ଅଶିଷ୍ଟ ମୁହଁରେ ତା’ର ସଂଶୟାକୂଳ ନିର୍ଲ୍ଲଜ ହସ ଏବଂ ହାତରେ ଗୋଟାଏ ସିଗାରେଟ । ସାରଜିଓର ମନେହେଲା ଏଭଳି ଏକ ଦୃଶ୍ୟ ସେ କୌଣସି ଚଳଚିତ୍ରରେ ଦେଖିଛି । ଭୀଷଣ ଭାବରେ ବିରକ୍ତ ହୋଇପଡ଼ି ନିଜକୁନିଜେ କହିଲା–‘‘ଠିକ୍‌ ହୋଇଛି ।’’

 

ଆଲବିନା ସିଧା ଲୁସିୟାନୋ ନିକଟକୁ ଯାଇ ତା’ର କାନ୍ଧ ଉପରେ ଗୋଟାଏ ହାତରଖି ଠିଆହୋଇ ସାରଜିଓ ଓ ମେକ୍‌ସିକୋର ସ୍ତ୍ରୀ ଲୋକଟିକୁ ଆଗ୍ରହ ସହକାରେ ଚାହିଁଲା । ଚଳଚିତ୍ରର ଖଳଚରୀତ୍ରାଭୀନେତ୍ରୀ ଭଳି ଲୁସିୟାନୋ ତା’ର ସିଗାରେଟ୍‌ର ଗୋଟାଏ ଲମ୍ୱାଟାଣ ଦେଇ ମେଘଭଳି ପୁଳାଏ ଧୂଆଁ ଉଦ୍‌ଗିରଣ କରି ଜଡ଼ିତ କଣ୍ଠରେ କହିଲା–‘‘ସୁନ୍ଦର....ସୁନ୍ଦର.....ସତରେ ସୁନ୍ଦର । ମୁଁ ଠିକ୍‌ କହିଥିଲି ନୁହେଁ ? ତୁମେ ଏଇଥିପାଇଁ ଆଗ୍ରହରେ ଅପେକ୍ଷା କରି ରହିଥିଲେ ପ୍ରକୃତ ବନ୍ଧୁ....... ।’’

 

ସାରଜିଓ ଲଜ୍ଜାରେ ଲାଲ ହୋଇଉଠିଲା, ହାତେ ହାତେ ଧରା ପଡ଼ିଛି ବୋଲି ନୁହେଁ, ନିଜେ ଘୃଣା କରୁଥିବା ବ୍ୟକ୍ତି ଅପେକ୍ଷା ହୀନମନ୍ୟତାରେ । ଏହି ଅବସ୍ଥାରେ କାହାରି ମଙ୍ଗଳ ହେବ ନାହିଁ ଭାବି ସେ ସ୍ଥିରକଲା ତାଙ୍କରି ବନ୍ଧୁତ୍ୱରେ ପୂର୍ଣ୍ଣଛେଦ ଟାଣିବା ଏହା ହିଁ ଚରମ ମୁହୂର୍ତ୍ତ । ତେଣୁ ବେଶ୍‌ କୃଦ୍ଧ ସ୍ୱରରେ କହିଲା—‘‘ମୁଁ କୌଣସି ଦିନ ତୁମର ବନ୍ଧୁ ନ ଥିଲି ।’’

 

ଲୁସିୟାନୋ ନାଟକୀୟ ଭାବରେ କହିଲା—‘‘ତାହାହେଲେ ?’’

 

—‘‘ତା’ ବ୍ୟତୀତ ଆଲବିନା ତୁମର ବିବାହିତା ସ୍ତ୍ରୀ ମଧ୍ୟ ନୁହେଁ । ଯାହା ସାଥିରେ ଇଚ୍ଛା ଚଲାବୁଲା କରିପାରେ । ସେ ମୋତେ ଏଠିକି ଆସିବାକୁ ଆମନ୍ତ୍ରଣ କରିବାରୁ ମୁଁ ଆସିଛି ।’’

 

ଲୁସିୟାନୋ ଆଲବିନା ଆଡ଼କୁ ଚାହିଁ କହିଲା–‘‘ସତରେ ?’’

 

କଥାଚିତ୍ରର କାହାଣୀ ଭଳି ଘଟଣାର ପଟ୍ଟ ପରିବର୍ତ୍ତନ ହୋଇଗଲା । ଆଲବିନା ଭୀଷଣ ଭାବରେ ପ୍ରତିବାଦ କରି କହି ଉଠିଲା—‘‘ନା, ମୁଁ ମୋଟେ କହିନି, ହୟେ ଭୀଷଣ ମିଥ୍ୟାବାଦୀ । ସେ ବରଂ ଆସିବା ପାଇଁ ଚାହେଁ । ମୁଁ ତାକୁ ମୋଟେ ପ୍ରଶ୍ରୟ ଦେବାକୁ ଚାହେଁନା......ଇୟେ ଜୋର କରି ଆସିଛି ।’’ ସେ ଲୁସିୟାନୋର ହାତରେ ଉନ୍ମତ୍ତ ଭଳି ଚୁମ୍ୱନ କରିବାକୁ ଲାଗିଲା ।

 

ଲୁସିୟାନୋ ଶାଣିତବ୍ୟଙ୍ଗର ବିଷାକ୍ତ ଶର ନିକ୍ଷେପ କଲା । ହସିହସି କହିଲା–‘‘ତାହାହେଲେ ତୁମେ ମିଥ୍ୟାବାଦୀ ।’’

 

ସାରଜିଓ ଚିତ୍କାରକରି ଉଠିଲା—‘‘ତୁମେ ସବୁ ଚୁଲିକି ଯାଅ ।’’ ମେକ୍‌ସିକୋର ସ୍ତ୍ରୀ ଲୋକଟି ସୋଫାରୁ ଉଠିଆସି ସାରଜିଓର କାନ୍ଧ ଉପରେ ହାତ ରଖି କିଛି କହିଲା । ସାରଜିଓ ବୁଝି ନ ପାରିଲେ ହେଁ ବ୍ୟାଖ୍ୟାଟି ଏହିଭଳି, ‘‘ଏମାନଙ୍କୁ ରହିବାକୁ ଦିଅ......ତୁମେ ଚାଲି ଆସ ।’’ ସାରଜିଓ ତା’ର ହାତଟି ଅପସାରଣ କରିଦେଇ କୃଦ୍ଧିତ କଣ୍ଠରେ କହିଲା—‘‘ମନେରଖ, ଆଜିଠୁ ତୁମର ଆଉ ମୋ ଭିତରେ ସମସ୍ତ ସମ୍ପର୍କ ଶେଷ ହୋଇଗଲା । ମୋ ସହିତ ଯଦି କେବେ ତୁମର ଦେଖାହୁଏ ତେବେ ମନାକରି ଦେଉଛି ମୋତେ ଡାକିବ ନାହିଁ କିମ୍ୱା ମୋ ସହିତ କଥା କହିବ ନାହିଁ-।’’

 

ସାରଜିଓକୁ ଦରଜା ଆଡ଼କୁ ଟାଣି ନେଉନେଉ ମେକ୍‌ସିକୋର ସ୍ତ୍ରୀ ଲୋକଟି କହିଲା–‘‘ଭାମୋସ ।’’ ଅପ୍ରତ୍ୟାଶିତ ଶାନ୍ତକଣ୍ଠରେ ଲୁସିୟାନୋ ଉତ୍ତର ଦେଲା—‘‘ରାଗି ଯାଅନା...ଏହା ଏମିତି କିଛି ଗୁରୁତର ଅପରାଧ ନୁହେଁ । ପୂର୍ବଭଳି ଆମର ବନ୍ଧୁତ୍ୱ ଅତୁଟ ରହିବ । ଯାହାହେଉ ଏହା ଖୁବ୍‌ ସ୍ୱଭାବିକ ସ୍ୱାଭାବିକ । ଆଲବିନା ପ୍ରତି ତୁମେ ଆକୃଷ୍ଟ ହୋଇପଡ଼ିଥିଲ....ବର୍ତ୍ତମାନ ତୁମେ କାଉନ୍‌ସେଲ ସହିତ ଯାଇପାରେ । ତାକୁ ତୁମ ବିଷୟରେ କହୁଥିଲ । ତୁମର ଆଖି ଯୋଡ଼ିକ କୁଆଡ଼େ ତା’ର ଖୁବ୍‌ ପସନ୍ଦ.... । କାଉନ୍‌ସେଲ ଯାଅ, ଦୁହେଁ ଉପଭୋଗ କର ।’’ ମେକ୍‌ସିକୋର ସ୍ତ୍ରୀ ଲୋକଟି ଏମିତି ଗୋଟାଏ ମନ୍ତବ୍ୟ କଲା, ଯାହା ଅତୀବ ଘୃଣ୍ୟ ଓ ତା’ର ସ୍ୱର ବିକୃତ ଘଟିଲା । ସେ ଯେମିତି ଲୁସିୟାନୋକୁ ବୁଝେଇ ଦେଲା ଯେ ସେ ତା’ର କୌଣସି ଉପଦେଶ ଶୁଣିବାକୁ ରାଜିନୁହେଁ । ଯାହା କରିବି ମୋର ଇଚ୍ଛାନୁସାରେ କରିବି । ଲୁସିୟାନୋ ହସିବାକୁ ଲାଗିଲା ଏବଂ ଆଲବିନା ନିଶ୍ଚିନ୍ତ ଭାବରେ ନିଜ ଦେହର କୋଟଟି ଖୋଲିବାକୁ ଲାଗିଲା । ମେକ୍‌ସିକୋର ସ୍ତ୍ରୀ ଲୋକଟି ସାରଜିଓର ହାତଧରି ତାକୁ ବାହାରକୁ ନେଇଯାଇ ଦରଜାଟି ବନ୍ଦ କରିଦେଲା ।

 

ସେ ସ୍ପାନିଶ ଭାଷାରେ କେତୋଟି କଥା କହିଲା, ଯେମିତି ବିଦାୟ ଜଣାଇଲା ଏବଂ ତା’ର ହାତଟି ବଢ଼େଇଦେଲା । ସ୍ୱାଭାବିକ ଭାବରେ ସାରଜିଓ କରମର୍ଦ୍ଦନ କଲା । ସ୍ତ୍ରୀ ଲୋକଟି ପଛକୁ ଫେରି ନିଜ କୋଠରୀ ଆଡ଼କୁ ଆଗେଇଗଲା । ଆଲବିନା ସହିତ ଏକା ଫ୍ଳାଟରେ ସେ ବାସ କରୁଥିଲା । ହଠାତ୍‌ ସାରଜିଓ ଅନୁଭବ କଲା ତା’ର ମୁହଁ ଓ କାନଟି ଯେମିତି ଜଳୁଛି ଏବଂ ଯେଉଁ ପ୍ରଚଣ୍ଡ କାମନାର ସେ ଅନୁଗମନ କରୁଥିଲା ତା’ର ତାଡ଼ନାରେ ସେ ପୋଷାକ ଖୋଲି ପକେଇଲା-। ମେକ୍‌ସିକୋର ସ୍ତ୍ରୀ ଲୋକଟିର ପଛେ ପଛେ ସେ ଆଗେଇଗଲା । ସେ ତା’ର ନିଜ ପ୍ରକୋଷ୍ଠକୁ ପଶିବାବେଳକୁ ସାରଜିଓ ପକେଟରୁ ସିଗାରେଟଟିଏ କାଢ଼ି ତା’ ଆଡ଼କୁ ବଢ଼େଇ ଦେଲା-। ମେକ୍‌ସିକୋର ସ୍ତ୍ରୀ ଲୋକଟି ଗୋଟାଏ ସିଗାରେଟ ନେଇ ତାକୁ ଭିତରକୁ ଡାକିଲା ଓ ଦରଜାଟି ବନ୍ଦ କରିଦେଲା ।

 

ଘରଟି ଚତୁଷ୍କୋଣ ନୀଚା ଓ ଛୋଟ, ଆଲବିନାର ଘରଭଳି ପୁରାତନ ଆସବାବ ପତ୍ରରେ ସଜ୍ଜିତ । ଏଠି ସୋଫା ବଦଳରେ ଦୁଇଜଣଙ୍କ ଶୋଇପାରିବା ଭଳି ଗୋଟାଏ ଖଟ ପଡ଼ିଥିଲା । ଖଟଉପରେ ଢଙ୍କା ହୋଇଥିଲା ଖଣ୍ଡେ ପରିଷ୍କାର ଚାଦର, ତଥାପି ଖଟଟିର ବଙ୍କିମ କଳା, ଲୁହାଗୁଡ଼ିକ ଦେଖା ଯାଉଥିଲା । ଲମ୍ୱା ସରୁ ଝରକାଦେଇ ପ୍ରତିଫଳିତ ହେଉଥିଲା ସ୍ପନ୍ଦିତ ନିଅନ୍‌ ଆଲୁଅ । ମେକ୍‌ସିକାନ୍‌ ସ୍ତ୍ରୀ ଲୋକଟି ଘରର ଏ ପାଖରୁ ସେପାଖ ପଦଚାରଣ କରିବାକୁ ଲାଗିଲା ଏବଂ ମାତୃସୁଲଭ ଭଙ୍ଗୀରେ ଅନର୍ଗଳ ବକିଯିବାକୁ ଲାଗିଲା । ତା’ର ସେହି ଆନ୍ତରିକତା ପୂର୍ଣ୍ଣ ତଡ଼ିତ ଓ ପ୍ରାଞ୍ଜଳ ଭାଷାରେ ଯେମିତି ସାରଜିଓକୁ କହିଲା—‘‘ସତରେ ତୁମେ ବିଡ଼ ବୋକା ଓ ଶିଶୁ । ତୁମେ କ’ଣ ବୁଝିପାରିଲନି ଆଲବିନା ସବୁ ସମୟରେ ଲୁସିୟାନୋର କଥା ଚିନ୍ତାକରେ । ବର୍ତ୍ତମାନ ଯେତେବେଳେ ମୋ ପାଖକୁ ଆସିଛ ମୁଁ ନିଶ୍ଚୟ ଖୁସି କରିବି ।’’ ସାରଜିଓ ତା’ର ପଦେହେଲେ କଥା ବୁଝିପାରିଲା ନାହିଁ ତଥାପି ତା’ର କଣ୍ଠସ୍ୱର ଉତପ୍ତ ହୋଇପଡ଼ିଲା । ତା’ର କେବଳ ମନେପଡ଼ିଲା ରେସ୍ତୋରାଁରେ ଗାଇଥିବା ଗୀତଟିର କଥା । ପୁଣି ଗୀତ ଶୁଣିବାକୁ ତା’ର ପ୍ରବଳ ଇଚ୍ଛାହେଲା । ଏହାରି ଭିତରେ ସ୍ତ୍ରୀଟି ଗୋଟାଏ ପର୍ଦ୍ଧା ଆଢ଼ୁଆଳରେ ଅଦୃଶ୍ୟ ହୋଇଗଲା ।

 

ସାରଜିଓ ଅସୀମ ପରିତୃପ୍ତିରେ ନିଜର ପୋଷାକ ଖୋଲିବାକୁ ଲାଗିଲା । ଶେଷରେ ଯୋତା ଓ ମୋଜା ଯୋଡ଼ାକ ମଧ୍ୟ ଖୋଲି ପକେଇଲା । ତା’ର ସେହି ନାଲି ଓ ଫୁଲ ଉଠିଥିବା ପାଦ ଦୁଇଟିରୁ ଗୋଟିଏ ଶୀତଳ ଶିହରଣ ମୁଣ୍ଡ ପର୍ଯ୍ୟନ୍ତ ଉଠିଗଲା ଏବଂ କେତେ ମୁହୂର୍ତ୍ତ ପର୍ଯ୍ୟନ୍ତ ବସି ବସି ନିଜର ପାଦ ଦୁଇଟିକୁ ଚାହିଁ ରହିଲା ଓ ପାଦର ଅଙ୍ଗୁଠି ଗୁଡ଼ିକ ହଲେଇବାକୁ ଲାଗିଲା । ସେ ତା’ର ସୁଟ, ସାର୍ଟ ଓ ଅର୍ନ୍ତବାସ ଗୁଡ଼ିକ ଖୋଲି ପକେଇଲା । ସମ୍ପୂର୍ଣ୍ଣ ଉଲଗ୍ନ ହୋଇପଡ଼ି ଗୋଡ଼ ଉପରେ ଗୋଡ଼ଥୋଇ ବସି ଗୋଟାଏ ସିଗାରେଟ ଲଗେଇଲା ଏବଂ ସଂଧ୍ୟାପରେ ଏହି ପ୍ରଥମ ଥର ପାଇଁ ସେ ପରିତୃପ୍ତ ହୋଇ ପଡ଼ିଲା ।

 

ସାରଜିଓର କିନ୍ତୁ ସମ୍ଭୋଗର ଇଚ୍ଛା ଜାଗ୍ରତ ହେଲା ନାହିଁ । ତା’ର ଇଚ୍ଛା ହେଲା ସ୍ପେନିଶ ଭାଷାରେ ସେ ସ୍ତ୍ରୀ ଲୋକଟିକୁ କୁହନ୍ତା ଯେ ସେ ତା’ର ଗୀତ ଶୁଣିବାକୁ ଚାହେ । ସେ ପର୍ଦା ଆଡ଼କୁ ଚାହିଁଲା ଏବଂ ଦେଖିଲା ଯେ ପର୍ଦା ଉପରେ ସ୍ତ୍ରୀ ଲୋକଟିର ପୋଷାକ ପରିଚ୍ଛଦ ଜମା ହୋଇଛି । ତା’ପରେ ସ୍ତ୍ରୀ ଲୋକଟି ପର୍ଦାର ଆଡ଼ୁଆଳରୁ ବାହାରି ଆସିଲା ।

 

ବର୍ତ୍ତମାନ ସେ ସଂପୂର୍ଣ୍ଣ ନଗ୍ନ, ତା’ର ଭିନ୍ନଦେଶୀୟ ରୂପଟି ବେଶ୍‌ ସ୍ପଷ୍ଟ ହୋଇଉଠିଛି । ତାକୁ ଆଗେଇ ଆସୁଥିବାର ଦେଖି ତା’ର ମନେପଡ଼ିଲା କିଛି ଦିନ ପୂର୍ବେ ମ୍ୟୁଜିୟମରେ ଦେଖିଥିବା ଅ୍ୟାଜେଟେକ ମୂର୍ତ୍ତିର କଥା । ସେହି ମୂର୍ତ୍ତିଭଳି ସ୍ତ୍ରୀ ଲୋକଟିର ପାଦ ଯୋଡ଼ାକ ମୋଟା ଓ ଛୋଟ; ଏତେ ଛୋଟ ଓ ମୋଟା ଯେ ମନେହେବ ସଂପୂର୍ଣ୍ଣ ପାଦ ଯୋଡ଼ାକ ଆଣ୍ଠୁ ପାଖରୁ ଖଞ୍ଜା । ପାଦର ଊର୍ଦ୍ଧାଂଶ ଅସ୍ୱାଭାବିକ ଭାବରେ ଅନୁପାତବିହୀନ ଲମ୍ୱା । ତା’ର ନିତମ୍ୱ ଯୁଗ୍ମ ଚେପ୍‌ଟା ଓ ଉଦର ପୃଥୁଳ । ନାଭିଦେଶ ମାଂସଭିତରେ ସଂପୂର୍ଣ୍ଣ ଲୁପ୍ତ । ସ୍ତନଯୋଡ଼ାକ ଇଶତ୍‌ ଲମ୍ୱା, କଠିଣ ଓ ପୁଷ୍ଟ । ତା’ର ଲମ୍ୱା ଗଳା ଉପରେ ବେଣୀଟି ସଯତ୍ନ ଗୁଂଫିତ । ମୁଖମଣ୍ଡଳ ଭାବ ଲେଶହୀନ । ଝରକାଦେଇ ଗଲାବେଳକୁ ତା’ର ମୁହଁ ଓ ବୁକୁରେ ନିଅନ୍‌ ଆଲୋକ ପ୍ରତିଫଳିତ ହୋଇପଡ଼ିଲା । ପରଦାଟି ଆଡ଼କୁ ଇଙ୍ଗିତ କରି ସେ ସାରଜିଓକୁ ମୁହଁ ହାତ ଧୋଇ ଆସିବା ପାଇଁ ଅନୁରୋଧ କରି ଖଣ୍ଡେ ଟାଓୟେଲ ବଢ଼େଇ ଦେଲା । ସାରଜିଓ ଟାଓୟେଲଟି ନ ନେଇ କହିଲା.....ନା....ନା.....ସମ୍ଭୋଗ ନୁହେଁ.......ଗୀତ, ଗୀତ ଏବଂ ଟାଓ୍ୱେଲ ଖୋଲି ବୁକୁ ଉପରେ ଥୋଇଲା ।

 

ସ୍ତ୍ରୀଲୋକଟି ତତ୍‌କ୍ଷଣାତ ବୁଝିପାରି ପେସାଦାରୀ ପରିତୃପ୍ତିର ସହିତ ଟାଓ୍ୱେଲଟି ବିଛଣା ଉପରେ ଫିଙ୍ଗିଦେଇ ସାରଜିଓ ଉପରେ ନଇଁପଡ଼ି ହାତରେ ତା’ର ଚିବୁକ ସ୍ପର୍ଶକଲା । ଲୋକେ ଶିଶୁଙ୍କୁ ଆଦର କଲାଭଳି ବେଶ୍‌ ଗୋଟାଏ ପ୍ରାଣବନ୍ତ କଣ୍ଠରେ ଆଦର କରି ତା’ର ଗଣ୍ଡରେ ମୃଦୁ ଆଘାତ କଲା । ସାରଜିଓ ତା’ ଆଡ଼କୁ ଚାହିଁ କୃତଜ୍ଞତାର ହସ ହସିଲା । ସାରଜିଓ ପାଖରୁ ଅଳ୍ପ ଦୂରରେ ବିଛଣା ଉପରେ ସ୍ତ୍ରୀ ଲୋକଟି ବସିଲା ଏବଂ ତା’ର ଗୋଟାଏ ହାତ ଉଠେଇ ନେଲା । ସ୍ତ୍ରୀ ଲୋକଟିର ହାତ ଲମ୍ୱା, ରୁକ୍ଷ ଓ ଶୀତଳ । ସେ ସାରଜିଓର ହାତଟି ଚାପି ଧଇଲା, ନିଜର ଛୋଟ ଛୋଟ ପାଦଯୋଡ଼ିକ ଗୋଟେଇନେଇ ତା’ର କଳା କଳା ଆଖିରେ କିଛି ସମୟ ଚାହିଁ ରହିଲା । ଯେମିତି ଏକ ଅନ୍ଧ ଅନୁପ୍ରେରଣାରେ ତା’ର ବୁକୁଟି ଫୁଲିଉଠିଲା । ତା’ପରେ ଆରମ୍ଭ କଲା ଗୀତ, ଠିକ୍‌ ଶିଶୁଙ୍କୁ ଶୁଆଇବାର ଲୋରୀ ।

Image

 

ଅନୁବାଦ କାହାଣୀ

ସେଇ ସେବିକାଟି

 

ସହରର ଅଦୂରରେ ମୋର ନିଜର ଗୋଟାଏ ନର୍ସରୀ ଥିଲା । ପ୍ରତିଦିନ ସକାଳେ ଭିୟା ନୋମେଣ୍ଟାନେ ଦେଇ ବସ୍‌ରେ ସେଣ୍ଟ ଆଗନିସ ନିକଟରେ ଗଲାବେଳକୁ ଗୋଟାଏ ନିର୍ଦ୍ଦିଷ୍ଟ ଭିଲାର ଲୌହନିର୍ମିତ ଗେଟ୍‌କୁ ଚାହିଁବାର ଲୋଭ ସମ୍ୱରଣ କରି ପାରୁ ନ ଥିଲି । କାରଣ କିଛିଦିନ ପୂର୍ବେ ମୁଁ ସେହି ଭିଲାର ଉଦ୍ୟାନପାଳକର କାର୍ଯ୍ୟ କରୁଥିଲି ଏବଂ ମୁଁ ନିଜ ହାତରେ ପାଚେରୀ କଡ଼େ କଡ଼େ ଜେସମିନ ରୋପଣ କରିଥିଲି । ଦରଜା ଆଗରେ ଥିବା ଖୋଲା ଜାଗାରେ ବଡ଼ ବଡ଼ ଗାମଲା ଦେହରେ ସଜେଇଥିଲି କ୍ୟାମେଲିୟ ଏବଂ ଭିଲାର ପ୍ରତ୍ୟେକଟି କାନ୍ଥରେ ସଜେଇଥିଲି ଓ୍ୱେଷ୍ଟେରିଆ-। ସେଗୁଡ଼ିକ ଇତ୍ୟବସରରେ ଯଦି ମରିଯାଇ ନ ଥାଏ, ତେବେ ଘରର ସେକେଣ୍ଡଫ୍ଳୋରକୁ ପହଞ୍ଚି ସାରିଥିବଣି । ଭିଲାର ମାଲିକଙ୍କ ଅସୁସ୍ଥତା ଯୋଗୁ ଉଦ୍ୟାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇ ମରୁପ୍ରାନ୍ତର ଭଳି ଦେଖା ଯାଉଥିଲା । ରଙ୍ଗିନ ଫୁଲ ଆଉ ଲତା ପରିବର୍ତ୍ତେ ଜମା ହୋଇଥିଲା ଆବର୍ଜନାର ସ୍ତୁପ-। କିନ୍ତୁ ଦିନେ ସେହି ଭଦ୍ରଲୋକଙ୍କ ସେବାରେ ନିଯୁକ୍ତ ଥିବା ନର୍ସକୁ ମୁଁ ଭଲ ପାଉଥିବାରୁ ସେଠି ଗଢ଼ି ତୋଲିଥିଲି ଏକ ସବୁଜ ଓ ମନୋରମ ଉଦ୍ୟାନ । ସୁରକିଦିଆ ରାସ୍ତାର ଦୁଇ ପାଖରେ ସବୁଜ ଘାସର ଲନ୍‌, ତା’ରି କେଡ଼େ କେଡ଼େ ଲିଲାକ ବୁଦା । ମୋର ମନେ ପଡ଼ୁଛି ମଝିରେ ଠିକ୍‌ ନେଲାର ଝରକା ପାଖରେ ମୁଁ ରୋପଣ କରିଥିଲି ଗୋଟାଏ ବିରାଟ ମ୍ୟାଗନୋଲିଆ, ଯାହା ବସନ୍ତରେ ମୋର ତରୁଣୀ ପ୍ରେମିକାର ପ୍ରକୋଷ୍ଠଟିକୁ ମଧୁର ସୁରଭିରେ ସୁରଭିତ କରି ତୋଳୁଥିଲା-। ଝରକାର ରେଲିଂ ଦେହରେ ଲତେଇ ଲତେଇ ମାଡ଼ି ଯାଇଥିଲା ଏକ ମନୋହର ଜାପୋନିକା-। ତା’ର କଳାକଳା ଶାଖା ପ୍ରଶାଖା ଏବଂ ରକ୍ତିମ ପୁଷ୍ପସ୍ତବକ ମନରେ ଭରି ଦେଉଥିଲା ନିଶା-। ନର୍ସଟିର ନା ଥିଲା ନେଲା, ଯାହାକୁ ମୁଁ ଆପ୍ରାଣ ଭଲ ପାଉଥିଲି । ନେଲା ମୋଟେ ଦୀର୍ଘାଙ୍ଗୀ ନ ଥିଲା; କିନ୍ତୁ ତା’ର ସୁଦୀର୍ଘ କେଶରାଶି, ଓସାରିଆ ପ୍ରଫୁଲ୍ଲ ମୁହଁ ଓ ସର୍ବୋପରି ତା’ର ଉନ୍ନତ ଓ ବିଳିଷ୍ଠ ଦେହପାଇଁ ହଠାତ୍‌ ଦିନେ ମୁଁ ତା’ ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲି ।

 

ନେଲାର ଆଖିରେ ଥିଲା ଅନନ୍ତ ନୀଳ ସାଗରର ଗଭୀରତା । ସେହି ଆଖି ଯୋଡ଼ିକର ମଧୁକରୀ ପ୍ରାଣପ୍ରାଚୁର୍ଯ୍ୟ ମୋର ସକଳ ସତ୍ତାକୁ ଅବଶ କରି ଦେଇଥିଲା । ତା’ର ବଳିଷ୍ଠ ଦେହ–ବଲ୍ଲରୀ ଉନ୍ନତ ଯୁଗ୍ମ ସ୍ତନ, ଶୁଭ୍ର ପରିଧାନ ଭେଦ କରି ଯେମିତି ଉଛୁଳି ଉଠୁଥିଲା ବନ୍ୟାଚଞ୍ଚଳ ନଦୀର ଉଦ୍ଦାମତାରେ । ନେଲା ଆଖିରେ ଚଷମା ବ୍ୟବହାର କରୁଥିବାରୁ ନର୍ସ ପରିବର୍ତ୍ତେ ଲେଡ଼ି ଡ଼ାକ୍ତର ଭଳି ଦେଖା ଯାଉଥିଲା ।

 

ସେ ସମୟରେ ମୋ ଅପେକ୍ଷା ମୋର ଗୃହସ୍ୱାମୀଙ୍କର ସ୍ୱାସ୍ଥ୍ୟ ହିଁ ଥିଲା ମୋ ନିକଟରେ ବିଶେଷ ଗୁରୁତ୍ୱପୂର୍ଣ୍ଣ, କାରଣ ମୁଁ ଜାଣିଥିଲି ଭଦ୍ରଲୋକ ସୁସ୍ଥ ହୋଇ ଉଠିଲେ କିମ୍ୱା ମୃତ୍ୟୁବରଣ କଲେ ନେଲା ବିଦାୟ ନେବ ଏବଂ ମୁଁ ତାକୁ ଆଉ ଏତେ ସହଜରେ ଦେଖିପାରିବ ନାହିଁ । ତେଣୁ ବସନ୍ତର ପ୍ରତିଟି ସକାଳରେ ନେଲା ଯେତେବେଳେ ରୋଗୀର ଝରକା ଖୋଲି ବଗିଚାକୁ ଚାହୁଁଥିଲା, ମୁଁ କୌଣସି ନା କୌଣସି କାମର ବାହାନାରେ ଝରକା ପାଖକୁ ଯାଇ ପଚାରୁଥିଲି—‘‘ସେ କେମିତି ଅଛନ୍ତି ?’’ ସେ ଏକ ବିଶେଷ ଭଙ୍ଗିରେ ଉତ୍ତର ଦେଉଥିଲା—‘‘ପୂର୍ବପରି..... ।’’ କାରଣ ମୋର ଏହି ପ୍ରଶ୍ନର ଉଦ୍ଦେଶ୍ୟ ସେ ବୁଝି ପାରିଥିଲା । ତା’ପରେ ନେଲା ପ୍ରାୟ ସକାଳେ ଖୋଲା ଝରକା ଆରପଟେ ଠିଆହୋଇ ଔଷଧ ଢାଳୁଥିଲା, କିମ୍ୱା ସିରିଞ୍ଜିର ସୁଞ୍ଚି ପରିଷ୍କାର କରୁଥିଲା । ମୁଁ ନେଲାକୁ ଇସାରାରେ ଡାକୁଥିଲି, ସେ ମୁଣ୍ଡ ହଲେଇ ଯେମିତି କହୁଥିଲା—‘‘ଦେଖୁନା, ମୁଁ ରୋଗୀର ପ୍ରକୋଷ୍ଠରେ ରହିଛି ?’’ ସେ ତା’ର କାମ ନେଇ ବ୍ୟସ୍ତ ରହୁଥିଲା । ମୁଁ ଦୁଃଖରେ ଦୀର୍ଘଶ୍ୱାସ ତ୍ୟାଗ କରୁଥିଲି ।

 

ସକାଳେ ସାଧାରଣତଃ ମୁଁ ବଗିଚାର ଖୋଲା ସ୍ଥାନରେ ମୋର ସମୟତକ ଅତିବାହିତ କରୁଥିଲି । କାରଣ ରୋଗୀ ଶୋଉଥିବା ଘରର ଝରକାଟି ସେ ସ୍ଥାନରୁ ସ୍ପଷ୍ଟ ଭାବରୁ ଦେଖାଯାଉଥିଲା । ଅନ୍ୟପକ୍ଷରେ ମଧ୍ୟାହ୍ନରେ ରୋଗୀ ଯେତେବେଳେ ବିଶ୍ରାମ କରୁଥିଲେ ଏବଂ ନେଲା ମୋ ସହିତ ମିଳିତ ହେବାର ସୁଯୋଗ ପାଉଥିଲା, ସେତେବେଳେ ବଗିଚାଟିର ଶେଷ ପ୍ରାନ୍ତରେ ଥିବା ଝରଣା ପାଖରେ ଗହଳିଆ ଲତାର ଅଭ୍ୟନ୍ତରକୁ ମୁଁ କାମ କରିବା ପାଇଁ ଚାଲି ଯାଉଥିଲି ।

 

ପ୍ରାୟ ସବୁବେଳେ ଦି’ଟା କିମ୍ୱା ତିନିଟାବେଳକୁ ମୋ ପାଖକୁ ସେ ଆସୁଥିଲା ଏବଂ ଆମେ ଅଧଘଣ୍ଟା ବା ଘଣ୍ଟାଏ ଏକତ୍ର କଟାଉଥିଲୁ । ମୁଁ ତା’ ପାଇଁ ଗୋଟାଏ ଗୋଲାପ ବା କ୍ୟାମେଲିୟା ତୋଳି ଦେଉଥିଲି ଏବଂ ସେ ମୋତେ ଖୁସି କରିବା ପାଇଁ ତା’ ପରିଧେୟରେ ତାକୁ ଲଗାଉଥିଲା । ତା’ପରେ ନେଲା ଝରଣା କୂଳରେ ବସୁଥିଲା ଏବଂ ମୁଁ ତାକୁ ମୋର ପ୍ରେମ ନିବେଦନ କରୁଥିଲି—ମୁଁ ତାକୁ ପ୍ରକୃତରେ ଭଲ ପାଉଥିଲି ଏବଂ ତାକୁ କହି ରଖିଥିଲି ଯେ—‘‘ମୁଁ ତୁମକୁ ବିବାହ କରିବାକୁ ଚାହେଁ ।’’ ସେ ତା’ର ଭାବପ୍ରବଣ ଆଖିରେ ମୋତେ ଚାହିଁ ରହି ନୀରବରେ ମୋ କଥା ଶୁଣୁଥିଲା । ମୁଁ ତାକୁ କହୁଥିଲି—‘‘ନେଲା ! ମୁଁ ଚାହେଁ ଆମେ ବିବାହ କରି ଅନେକ ସନ୍ତାନ ସନ୍ତତି ଜନ୍ମ କରିବା; ଅନ୍ତତଃ ବର୍ଷକୁ ଗୋଟାଏ ଲେଖାଏଁ.....ତୁମେ ଜାଣ, ସେମାନେ କେଡ଼େ ସୁନ୍ଦର ହେବେ....କାରଣ ମୁଁ ନିଜେ ଅସୁନ୍ଦର ନୁହେଁ ।’’ ନେଲା ହସିହସି କହୁଥିଲା—‘‘ଆଉ ସେମାନଙ୍କୁ କେମିତି ପାଳିବା ପୋଷିବା ?’’ ‘‘ମୁଁ କାମ କରିବି’’ ମୁଁ ଉତ୍ତର ଦେଉଥିଲି—‘‘ମୁଁ ଗୋଟାଏ ନର୍ସରୀ ଆରମ୍ଭ କରିବାକୁ ଚାହେଁ ।’’ ନେଲା କହୁଥିଲା—‘‘ମୁଁ କିନ୍ତୁ ନର୍ସ ହୋଇ ରହିବାକୁ ଚାହେଁ ।’’

 

—‘‘ପ୍ରକୃତ ସେବିକା’’, ମୁଁ ତାକୁ ଚିଡ଼ଉଥିଲି, ତୁମେ ସୁଗୃହିଣୀ ହେବ । ନେଲା କହୁଥିଲା–‘‘ମୁଁ ସନ୍ତାନସନ୍ତତି ଚାହେଁନା ବା ନର୍ସ ହେବାକୁ ଚାହେଁନା ରୁଗ୍‌ଣ ଲୋକେ ମୋର ସନ୍ତାନ-।’’ ନେଲା ହସୁଥିଲା ଏବଂ ମୁଁ ତା’ର ହାତ ଉଠେଇ ନେଇ ଧରୁଥିଲି; କିନ୍ତୁ ପରେ ଚୁମ୍ୱନ କଲାବେଳକୁ ସେ ମୋତେ ଠେଲିଦେଇ ହଠାତ୍‌ ଉଠିପଡ଼ି କହୁଥିଲା—‘‘ମୋର ଏଥର ତାଙ୍କ ପାଖକୁ ଯିବା ଉଚିତ-।’’

 

—‘‘କିନ୍ତୁ ସେ ବର୍ତ୍ତମାନ ଶୋଇଥିବେ ।’’

 

‘‘ହଁ, ହୁଏତ ହୋଇପାରେ । କିନ୍ତ ସେ ନିଦରୁ ଉଠି ମୋତେ ନ ଦେଖିଲେ ହୁଏତ ନିଜକୁ ହତ୍ୟା ବି କରି ପାରନ୍ତି । କାରଣ ମୋ ବ୍ୟତୀତ ଅନ୍ୟ କାହାକୁ ସେ ତାଙ୍କର ଶଯ୍ୟା ପାଖରେ ଚାହାନ୍ତି ନାହିଁ ।’’ ସେହି ମୁହୂର୍ତ୍ତକ ପାଇଁ ମୁଁ ସେ ପଙ୍ଗୁ ଲୋକଟିକୁ ଘୃଣା କରୁଥିଲି, ଯଦିଓ ତାହାରି ପାଇଁ ମୁଁ ନେଲାକୁ ପାଇବାର ସୁଯୋଗ ପାଇଥିଲି । ସେ ମୋତେ ଉପେକ୍ଷା କରି ବାହାରି ଯାଉଥିଲା ଏବଂ ମୁଁ ଗୋଟାଏ କୋଦାଳ ନେଇ ଏମିତି ଭାବରେ ମାଟି ହାଣୁଥିଲି ଯେ, ମାଟି ସହିତ ନିମ୍ନାଂଶରେ ଥିବା ପଥରଖଣ୍ଡମାନ ମଧ୍ୟ ଉଠି ଆସୁଥିଲା ।

 

ସେ ମୋତେ କେବେହେଲେ ଚୁମ୍ୱନ କରିନାହିଁ; କିନ୍ତୁ ସମୟ ସମୟରେ ସେ ତା’ର ଗହନ କେଶରାଶିକୁ ସ୍ପର୍ଶ କରିବାକୁ ଏବଂ ତା’ର ଗଭୀର ନୀଳ ଆଖି ଓ ଉନ୍ନତ ବୁକୁର ଅସମ ଗଠଣକୁ ଅନୁଭବ କରିବା ପାଇଁ ମୋତେ ସୁଯୋଗ ଦେଇଛି । ମୁଁ ନେଲାକୁ କହୁଥିଲି—‘‘ନେଲା, ମୁଁ ତୁମର ନିବିଡ଼ କେଶରାଶିକୁ ଉପଭୋଗ କରେ । ତକେ ସତରେ କେତେ ଅପରୂପା ।’’ ନେଲା ପ୍ରଥମେ ନମ୍ର ପ୍ରତିବାଦ କଲେ ମଧ୍ୟ ମୋତେ ତା’ର ମୁଣ୍ଡରୁ ରୁମାଲ ଓ ଗୋଟାକ ପରେ ଗୋଟାଏ ହେୟାରପିନ୍‌ ଖୋଲିବା ପାଇଁ ସୁଯୋଗ ଦେଉଥିଲା । କିଛି ସମୟ ପାଇଁ ତା’ର ଧୂସର ନିବିଡ଼ କେଶରାଶି ନେଲାର ମୁଣ୍ଡ ଉପରେ ଗୋଟାଏ ତାମ୍ର ମୁକୁଟ ଭଳି ରହୁଥିଲା ଏବଂ ଅଳ୍ପ ଆନ୍ଦୋଳିତ କଲା ମାତ୍ରକେ ତରଙ୍ଗ ଭଳି ତା’ର କାନ୍ଧ ଏବଂ ଗ୍ରୀବା ଦେଇ ନିତମ୍ୱ ପର୍ଯ୍ୟନ୍ତ ଝୁଲି ପଡ଼ୁଥିଲା ଏବଂ ନେଲା ନୀରବରେ ସେ କେଶର ଅରଣ୍ୟ ଭିତରୁ ଏକ କ୍ଷୁଧିତ ବ୍ୟାଘ୍ରୀ ଭଳି ମୋତେ ସ୍ଥିର ଦୃଷ୍ଟିରେ ଚାହିଁ ରହୁଥିଲା ।

 

ତା’ ପରେ ମୁଁ ଧୀରେ ଧୀରେ ନେଲାର ଆଖି ଉପରୁ ଚଷମାଟି ଖୋଲି ଆଣୁଥିଲି । ବିନା ଚଷମାରେ ସେ ସୁନ୍ଦର ଦେଖା ଯାଉଥିଲା । ବିନା ଚଷମାରେ ତା’ର ବଡ଼ ବଡ଼ ତରଳ ଆଖି ଯୋଡ଼ିକ ମୁହଁ ଉପରେ ଅଦ୍ଭୁତ ଭଙ୍ଗୀ ସୃଷ୍ଟି କରୁଥିଲା ଏବଂ ମୁଁ ତାକୁ ସ୍ପର୍ଶ ନ କରି ଚାହିଁ ରହୁଥିଲି । ନେଲା ଅପ୍ରସ୍ତୁତ ଭାବରେ ତରତର ହୋଇ ମୁଣ୍ଡରେ ରୁମାଲଟି ବାନ୍ଧିନେଇ ପୁଣି ଚଷମା ହଳକ ଲଗେଇ ନେଉଥିଲା ।

 

ମୁଁ ନେଲା ସହିତ ଏମିତି ଭାବରେ ପ୍ରେମରେ ପଡ଼ି ଯାଇଥିଲି ଯେ, ମୋର ମନେ ପଡ଼ୁଛି, ଦିନେ ମୁଁ ତାକୁ କହିଥିଲି—‘‘ମୁଁ ମଧ୍ୟ ରୁଗ୍‌ଣ ହୋଇଯିବା ପାଇଁ ଇଚ୍ଛା କରୁଛି......ତାହାହେଲେ ତୁମେ ମୋର ଯତ୍ନ ନେଇ ପାରନ୍ତ ।’’ ନେଲା ହସି ହସି କହୁଥିଲା–‘‘ତୁମେ ବଡ଼ ଦୁଷ୍ଟ । ତୁମେ ସୁସ୍ଥ ଅଛ; କିନ୍ତୁ ରୁଗ୍‌ଣ ହେବା ପାଇଁ ଚାହୁଛ ।’’

 

ହଁ ମୁଁ କହୁଥିଲି, ‘‘ମୁଁ ରୁଗ୍‌ଣ ହେବାକୁ ଚାହେଁ । ମୁଁ ଯଦି କେବେ ଶଯ୍ୟାଶାୟୀ ହୁଏ, ତେବେ ତୁମେ ତୁମର କୋମଳ ହାତ ମୋର ଦେହର ଉତ୍ତାପ ଅନୁଭବ କରିବାପାଇଁ ପ୍ରତିକ୍ଷଣରେ ବୁଲେଇବ....ଏବଂ ପ୍ରତ୍ୟେହ ସକାଳରେ ମୋର ମୁହଁ ଧୋଇଦେବ ।’’ ନେଲା ନୀରବରେ ହସୁଥିଲା ଏବଂ କହୁଥିଲା—‘‘ତୁମେ କ’ଣ ଜାଣନା, ଆମେ ଏ ସବୁ କରିବା ପାଇଁ ଖୁବ୍‌ ଭଲପାଉ ।’’

 

‘‘ନା’’ ଉତ୍ତର ଦେଉଥିଲି, ‘‘ମୁଁ ମନେ କରୁନାହିଁ ଏହି କାମ ତୁମ ପକ୍ଷରେ କିମ୍ୱା ରୋଗୀ ପକ୍ଷରେ ଆନନ୍ଦଦାୟକ, କିନ୍ତୁ ତଥାପି ନାହିଁ ମାମୁଁଠାରୁ କଣା ମାମୁଁ ଶ୍ରେୟସ୍କର ।’’

 

ପ୍ରେମାସକ୍ତ ବ୍ୟକ୍ତିର ଆଖିରେ ଛୋଟ ଛୋଟ ଘଟଣା ବି ଗୁରୁତ୍ୱପୂର୍ଣ୍ଣ ମନେହୁଏ । ଶେଷରେ ମୁଁ ଶୁଣିବାକୁ ପାଇଲି ଯେ ଭଦ୍ରଲୋକଙ୍କ ସ୍ୱାସ୍ଥ୍ୟ କ୍ରମେ କ୍ରମେ ଉନ୍ନତି ଲାଭ କରୁଛି ଏବଂ ସେ ସହଳ ବିଛଣାରୁ ଉଠି ଚଲାବୁଲା କରିବା ପାଇଁ ସକ୍ଷମ ହେବେ । ତେଣୁ ମୁଁ ବିବାହ ପ୍ରଶ୍ନ ଉପରେ ଯୋର ଦେବାକୁ ଲାଗିଲି । କିନ୍ତୁ ନେଲା ସବୁବେଳେ ମୋତେ ଏକ ଅନିଶ୍ଚିତ ଉତ୍ତର ଦେଉଥିଲା । ପ୍ରଥମେ ସେ ମୋତେ କହିଲା ଯେ ମୋର ବ୍ୟବହାରରେ ସେ ଆଦୌ ଅସନ୍ତୁଷ୍ଟ ନୁହେଁ ଏବଂ ପରେ କହିଲା ଯେ ସେ ମୋତେ ଗଭୀର ଭାବରେ ଭଲ ପାଏନା । ବିରାଟ ମହୀରୁହ ଭୂପତିତ ହେବା ପୂର୍ବରୁ ଯେମିତି କମ୍ପି ଉଠେ, ମୋର ମନେହେଲା, ଠିକ୍‌ ସେହିପରି ମୋ ପାଖରେ ସେ ସମ୍ପୂର୍ଣ୍ଣ ଭାବରେ ଆତ୍ମସମର୍ପଣ କରିବା ପୂର୍ବରୁ ଅଳ୍ପ ଇତସ୍ତତଃ କରୁଛି । ପରିଶେଷରେ ଏକ ଅପରାହ୍ନରେ ନେଲା ଧୀର ଭାବରେ କହିଲା—‘‘ଆଜି ରାତିରେ ମୋ ଝରକା ତଳକୁ ଆସୁନା—ମଧ୍ୟରାତ୍ରି ପରେ ଆମେ କଥାବାର୍ତ୍ତା କରିବା ।’’

 

‘‘ସେଦିନ ସନ୍ଧ୍ୟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ବଗିଚାରେ ଝରଣା କୂଳରେ ଥିବା କୁଣ୍ଡ ପଛପଟରେ ଲୁଚି ରହିଲି । ନିର୍ଦ୍ଧାରିତ ସମୟରେ ମୁଁ ନେଲାର ଝରକା ତଳକୁ ଯାଇ ପୂର୍ବ ସମ୍ମତି ଅନୁସାରେ ସାଙ୍କେତିକ ହୁଇସିଲ୍‌ ଦେଲି । ତତ୍‌କ୍ଷଣାତ୍‌ ଝରକାଟି ଖୋଲିଗଲା ଏବଂ ଝରକାର କଳାଫ୍ରେମରେ ତା’ର ଧଳା ପ୍ରତିମୂର୍ତ୍ତି ଆବିର୍ଭାବ ହେଲା । ସେ ମୋତେ ଧୀରେ ଧୀରେ କହିଲା–‘‘ସହଳ ଗୋଟାଏ ହାତ ମୋ ଆଡ଼କୁ ବଢ଼ାଅ ।’’ ମୁଁ ପ୍ରସ୍ତୁତ ହେବାପୂର୍ବରୁ ନେଲା ଝରକାରେ ଚଢ଼ି ମୋ ବାହୁ ଭିତରକୁ ଡ଼େଇଁ ପଡ଼ିଲା । ନେଲାର ଶରୀର ଭାରା ସମ୍ଭାଳି ନ ପାରି ଆମେ ଦୁହେଁ ଭୁଇଁରେ ଗଡ଼ି ପଡ଼ିଲୁ । ଶେଷରେ ଆମେ ପରସ୍ପରଠାରୁ ଅଲଗା ହୋଇ ପଡ଼ି ଘରର କାନ୍ଥ କଡ଼େ କଡ଼େ ଯାଇ ଗୋଟାଏ ନିରାପଦ ସ୍ଥାନରେ ପହଞ୍ଚିଲୁ । ନେଲା ତା’ପରେ ମୋତେ ଖୁବ୍‌ କୋମଳ କଣ୍ଠରେ କହିଲା–‘‘ବର୍ତ୍ତମାନ କୁହ, ସତରେ କ’ଣ ତୁମେ ମୋତେ ବିବାହ କରିବାପାଇଁ ଦୃଢ଼ ପ୍ରତିଜ୍ଞ ?’’ ମୁଁ ସେହି କୋମଳ କଣ୍ଠସ୍ୱରରେ ଦ୍ରବିଭୂତ ହୋଇପଡ଼ି ତା’ର ଆଣ୍ଠୁ ସନ୍ଧିରେ ମୁହଁ ଲୁଚେଇ ଦୁଇହାତରେ ତା’ର କଟିଦେଶ ବେଷ୍ଟନ କରିଦେଇ ସ୍ୱଗତୋକ୍ତି କଲାପରି କହିଲି–‘‘ଆମେ ବର୍ତ୍ତମାନ ଏଠି ରହିଛୁଁ, ସେୟା ହିଁ ଯଥେଷ୍ଟ ।’’ ମୁଁ ତା’ର ଆପ୍ରନର ମସୃଣତା ମୋ ମୁହଁରେ ଅନୁଭବ କରୁଥିଲି । ଠିକ୍‌ ସେହି ମୁହୂର୍ତ୍ତରେ ତା’ କୋଠରୀ ମଧ୍ୟରେ ଘଣ୍ଟିର ଶବ୍ଦ ଶୁଣାଗଲା । ପ୍ରେମିକର ଡାକରେ ପ୍ରେମିକା ଯେମିତି ଚଞ୍ଚଳ ହୋଇ ପଡ଼େ ଠିକ୍‌ ସେହିପରି ଚଞ୍ଚଳ ହୋଇପଡ଼ି ସେ କହିଲା, ‘‘ସହଳ......ସହଳ ।’’ ନେଲା ମୋତେ ତା’ ଆଣ୍ଠୁ ଉପରୁ ଠେଲିଦେଲା ଏବଂ ମୁଁ ତଳେ ପଡ଼ିଗଲି......‘‘ସହଳ ସେ ମୋତେ ଡାକୁଛନ୍ତି......ଝରକା ଦେଇ ଚାଲିଯିବା ପାଇଁ ମୋତେ ଯେତେ ଶୀଘ୍ରପାର ସାହାଯ୍ୟ କର ।’’ ସେହି ଘଣ୍ଟିଟି ସେଯାଏଁ ବାଜୁଥାଏ । ମୁଁ ନେଲାକୁ ଝରକା ଉପରକୁ ଚଢ଼ିବାପାଇଁ ସାହାଯ୍ୟ କଲି ଏବଂ ନିମିଷକ ମଧ୍ୟରେ ସେ ଅଦୃଶ୍ୟ ହୋଇଗଲା । ଅଳ୍ପ ସମୟ ପରେ ମୁଁ ରୋଗୀର କକ୍ଷରେ ଆଲୋକ ଦେଖିବାକୁ ପାଇଲି, ଏବଂ ଦେଖିଲି ନେଲା ତାଙ୍କ ପାଖରେ ଅଛି । ପ୍ରଥମଥର ପାଇଁ ମୋ ମନରେ ହିଂସାର ଉଦ୍ରେକ ହେଲା ।

 

ସେଦିନ ରାତିରେ ରୋଗୀର ଶୟନକକ୍ଷରେ କ’ଣ ଘଟିଲା ମୁଁ ଜାଣିନାହିଁ; କିନ୍ତୁ ତା’ ଆରଦିନ ସକାଳେ ମୁଁ ନେଲାକୁ ଆଉ ଝରକା ପାଖରେ ଦେଖିବାକୁ ପାଇଲି ନାହିଁ କିମ୍ୱା ମଧ୍ୟାହ୍ନ ଭୋଜନ ପରେ ସେ ଆଉ ଆମର ଗୁପ୍ତ ମିଳନ ସ୍ଥଳକୁ ଆସିଲା ନାହିଁ । ଏଭଳି ଭାବରେ ତିନି ଚାରିଦିନ ବିତିଗଲା । ତା’ପରେ ଗୋଟାଏ ମଧ୍ୟାହ୍ନରେ ମୁଁ ନେଲାକୁ ଦେଖିବାକୁ ପାଇଲି; କିନ୍ତୁ ଏକାକୀ ନୁହେଁ, ସେ ଘର ଆଗରେ ଥିବା ଖୋଲାଜାଗାରେ ରୋଗୀଟିକୁ ସାହାଯ୍ୟ କରିବାପାଇଁ ତାଙ୍କର ଦେହକୁ ଲାଗି ଚାଲୁଥିଲା । ମଧ୍ୟବୟସ୍କ ରୋଗୀଜଣକ ଖଣ୍ଡେ ପାଇଜାମା ପିନ୍ଧି ନେଲାର କାନ୍ଧ ଉପରେ ଭରାଦେଇ ଚାଲୁଥିଲେ । ମୁଁ ସେମାନଙ୍କୁ ଦେଖିବା ମାତ୍ରକେ ଆଶ୍ଚର୍ଯ୍ୟ ହୋଇଗଲି । ତା’ପରେ ଗୃହର ଅପର ପାର୍ଶ୍ୱରେ ସେମାନେ ଅନ୍ତର୍ହିତ ହୋଇଯିବା ପରେ ସେଠି ଠିଆହୋଇ ସେମାନଙ୍କୁ ଲକ୍ଷ୍ୟ କରୁଥିବା ଗୋଟାଏ ଚାକର ଆଡ଼କୁ ବୁଲି ପଡ଼ିଲି, ଯିଏ ମୋତେ ଇଙ୍ଗୀତରେ କହିବାପାଇଁ ଚାହୁଁଥିଲା—ସେମାନେ ପରସ୍ପର ପ୍ରେମରେ ପଡ଼ିଯାଇଛନ୍ତି । ସେଥିପ୍ରତି ନିଃସ୍ପୃହତା ପ୍ରକାଶ କରି ମୁଁ ପଚାରିଲି ଏବଂ ଜାଣିପାରିଲି ଯେ ନେଲା ଓ ଗୃହସ୍ୱାମୀଙ୍କର ବିବାହ ସମ୍ପର୍କରେ ଚାକର ବାକରମାନଙ୍କ ମଧ୍ୟରେ ଏକ ଗୁଞ୍ଜନ ଚାଲିଛି । ସତ କହିବାକୁ ଗଲେ, ମୁଁ ଏ ସମ୍ୱନ୍ଧରେ ଆଉ ବିଶେଷ ଅନୁସନ୍ଧାନ କଲିନାହିଁ । ମୁଁ ନିଷ୍ପତ୍ତି କରିନେଲି ଯେ ଅନ୍ୟ ହଜାର ହଜାର ସ୍ତ୍ରୀ ଲୋକମାନଙ୍କ ପରି ନେଲା ଜଣେ, ଯା ପାଖରେ ପ୍ରେମ ଅପେକ୍ଷା ଅର୍ଥର ମୂଲ୍ୟ ହିଁ ବେଶୀ । ମୁଁ ଅନେକ ସମୟ ଧରି ଚିନ୍ତା କରିବା ଅପେକ୍ଷା ମୁହୂର୍ତ୍ତର ଉତ୍ତେଜନାରେ କୌଣସି ଏକ ନିଷ୍ପତ୍ତି ଗ୍ରହଣ କରି ନେଉଥିଲି । ଶେଷରେ ମୁଁ ମୋର ଜିନିଷପତ୍ର ବନ୍ଧାବନ୍ଧି କରି ଚିରଦିନ ପାଇଁ ଭଲ ପରିତ୍ୟାଗ କରି ଚାଲିଗଲି ।

 

ଅନେକଦିନ ପର୍ଯ୍ୟନ୍ତ ପ୍ରତିଥର ମୁଁ ନେଲା ସମ୍ୱନ୍ଧରେ ଚିନ୍ତା କରୁଥିଲି ଏବଂ ଭଦ୍ରଲୋକଙ୍କ ପତ୍ନୀ ହିସାବରେ କଳ୍ପନା କରି ଭାବୁଥିଲି, ସେ ଆଉ ସେବିକା ହିସାବରେ ନ ରହି ଗୃହକର୍ତ୍ତୀ ହିସାବରେ ବାସ କରୁଥିବ । ମୁଁ କଳ୍ପନା କରୁଥିଲି ଯେ ସେ ଏଥର ରୋଗରେ ପଡ଼ିଲେ ଆଉ ଏତେ ସ୍ନେହରେ ନେଲା ତାଙ୍କର ପରିଚର୍ଯ୍ୟା କରିବ ନାହିଁ କାରଣ ଯେଉଁ ଅର୍ଥ ପାଇଁ ସେ ବିବାହ କରିଛି, ବିଧବା ହେଲେ ଉତ୍ତରାଧିକାର ସୂତ୍ରରେ ସମସ୍ତ ଲାଭ କରିବ । କିନ୍ତୁ ସମୟ ସମୟରେ ମଣିଷର ଏହି ଚିନ୍ତା ଓ ଅନୁଭୂତି, ଯାହା ତାକୁ ବଞ୍ଚେଇ ରଖିଛି, ସଂପୂର୍ଣ୍ଣ ମିଥ୍ୟା ପ୍ରତିପାଦିତ ହୁଏ । ପୃଥିବୀରେ ଏମିତି କେତେ ଲୋକ ଅଛନ୍ତି, ଯେଉଁମାନେ ଚିନ୍ତା ବା ଅନୁଭୂତି ଦ୍ୱାରା ପରିଚାଳିତ ନ ହୋଇ ଆଉ ଏକ ସଂପୂର୍ଣ୍ଣ ଅଜଣା ଇଚ୍ଛା ଦ୍ୱାରା ପରିଚାଳିତ ହୁଅନ୍ତି । ନେଲା ଥିଲା ସେମାନଙ୍କ ମଧ୍ୟରୁ ଜଣେ ।

 

ଦୁଇବର୍ଷ ପରେ ଜାନିକୁଲମର ଗୋଟାଏ ଭିଲାରେ ମୁଁ ଉପସ୍ଥିତ ହେଲି । କାରଣ ବିଦେଶୀ ଲତାରେ ଗୋଟାଏ ସବୁଜ କୁଞ୍ଜ ପ୍ରସ୍ତୁତ କରିବା ପାଇଁ ମୋତେ ଡକା ଯାଇଥିଲା । ମୁଁ ଡ଼୍ରଇଂରୁମ୍‌ର ଅପେକ୍ଷମାଣ ଅବସ୍ଥାରେ ଚାରିଦିଗର ଅଶ୍ୱସ୍ତିକର ପରିସ୍ଥିତିକୁ ଲକ୍ଷ୍ୟ କରୁଥିଲି । ମୃତ୍ୟୁର ଏକ ବିଷାଦମୟୀ ଛାୟା ସମଗ୍ର ପରିବେଶକୁ କରୁଣ କରି ପକେଇଥିଲା । ସବୁଗୁଡ଼ିକ ଝରକା ମଧ୍ୟ ବନ୍ଦ ଥିଲା । ଲୋକେ ଯାତାୟାତ କରି ଧୀରେ ଧୀରେ କଥାବାର୍ତ୍ତା କରୁଥିଲେ । ତା’ପରେ ହଠାତ୍‌ ସିଡ଼ିର ଉପର ପାହାଚରେ ମୁଁ ନେଲାକୁ ଦେଖିଲି । ଗତଥର ତାକୁ ମୁଁ ଯେମିତି ଦେଖିଥିଲି, ଠିକ୍‌ ସେମିତି ଦେହର ତା’ର ସେବିକାର ପୋଷାକ । ମୁଣ୍ଡରେ ରୁମାଲ, ଆଖିରେ ଚଷମା, ହାତରେ ଟ୍ରେ । ସେ ତଳକୁ ଓହ୍ଲଉଥିଲା ଏବଂ ମୋ ସହିତ ମୁହାଁମୁହିଁ ହୋଇପଡ଼ିଲା । ସେ ମୋ ନିକଟକୁ ଆସିବା ମାତ୍ରକେ ଠିଆହୋଇ ପଡ଼ିଲା ଏବଂ ମୁଁ ତାକୁ ବିଷାଦଭରା କଣ୍ଠରେ କହିଲି......‘‘ତୁମେ ଏ ଯାଏ ସେବିକା ରହିଛ ? ......ତମେ କ’ଣ ବିବାହ କରିନ ?’’ ତା’ ଓଠରେ ଭାସିଉଠିଲା ସେହି ହସ, ଯାହା ଦିନେ ମୋତେ ପାଗଳ କରି ତୋଳୁଥିଲା ।

 

—‘‘ସେ ଗଳ୍ପ ତୁମକୁ କିଏ କହିଲା ?’’ ନେଲା ପଚାରିଲା—‘‘ମୁଁ କ’ଣ ତୁମକୁ ପୁନରାୟ କହିବି ଯେ ମୁଁ ବିବାହ କରିବାକୁ ଚାହେଁନା ଏବଂ ସାରା ଜୀବନ ସେବିକା ହୋଇ ରହିବି ?’’ ଉତ୍ତର ଦେଲି—‘‘ଅଙ୍ଗୁରଟା ସବୁବେଳେ ଖଟା । ତୁମେ ବୋଧହୁଏ ଏହା ବିଶ୍ୱାସ କରିବ ନେଲା !’’ ସେ ମୋତେ କିଛି ସମୟ ପାଇଁ ଚାହିଁଲା ତା’ପରେ ମୁଣ୍ଡ ହଲେଇ କହିଲା—‘‘ତୁମେ କ’ଣ ଜାଣ ଯେ ଉପସ୍ଥିତ ରୋଗୀଟି ମଧ୍ୟ ମୋର ପ୍ରେମରେ ପଡ଼ିଛି ? କିନ୍ତୁ ବର୍ତ୍ତମାନ ଏ ସମ୍ୱନ୍ଧରେ କିଛି କହି ପାରିବି ନାହିଁ । ତୁମେ ଯଦି ଏଠିକି କାମ କରିବା ପାଇଁ ଆସ, ମୁଁ ତୁମ ସହିତ ପରେ କଥାବର୍ତ୍ତା କରିବି.....ବଗିଚାକୁ ଲାଗି ତଳ ମହଲାରେ ମୋ ନିଜ କୋଠରୀର ଝରକା ରହିଛି ।’’ ସେ ଚାଲିଗଲା । ଯିବା ଆଗରୁ ଏମିତି ଗୋଟାଏ ଦୃଷ୍ଟିରେ ଚାହିଁଲା, ଯେମିତି ସେ ପଚାରିଗଲା—‘‘ରାଜି ତ.....ନୁହେଁ !’’ ମୁଁ ଶେଷରେ ଏକ ସିଦ୍ଧାନ୍ତରେ ପହଞ୍ଚିଲି ଯେ ସେ ବୋଧହୁଏ ଅତିମାତ୍ରାରେ ସ୍ୱାସ୍ଥ୍ୟବତୀ ହୋଇଥିବାରୁ ରୋଗୀମାନଙ୍କ ସହିତ ପ୍ରେମ କରିବାରେ ତା’ର ଏକ ସ୍ୱତନ୍ତ୍ର ଆନନ୍ଦ ରହିଛି । ମୁଁ ନିଜେ ସ୍ୱାସ୍ଥ୍ୟବାନ ଥିବାରୁ ମୋ ଉପରେ ତା’ର ଆସ୍ଥା ଖୁବ୍‌ କମ୍‌ । ମୁଁ ତତ୍‌କ୍ଷଣାତ୍‌ କାମଟି ନେବା ପାଇଁ ମନା କରିଦେଇ ଧୀରେ ଧୀରେ ବାହାରି ଆସିଲି ।

Image

 

ରମଣୀର ମନ

 

ଲୋକେ ମୋ ସମ୍ୱନ୍ଧରେ ଆଦୌ ଚିନ୍ତା କରୁ ନ ଥିଲେ କିମ୍ୱା କୌତୂହଳ ପ୍ରକାଶ କରୁ ନ ଥିଲେ ଏବଂ ମୋର ଯେତେଦୂର ମନେପଡ଼ୁଛି ମୁଁ ନିଜକୁ ସବୁଠାରୁ ହୀନ ଏବଂ ତୁଚ୍ଛ ମଣୁଥିଲି । ଅବଶ୍ୟ ଏକଥା ସତ ଯେ ମୋର ଦେହ ଇସ୍ପାତ ଭଳି କଠିନ କିମ୍ୱା ମାଟିର ପାତ୍ର ଭଳି ଭଙ୍ଗୁର ନ ଥିଲା ତଥାପି ମୁଁ ନିଜକୁ ପତଳା କାଚ ଅପେକ୍ଷା ବି ଦୁର୍ବଳ ମନେ କରୁଥିଲି । ପ୍ରକାରାନ୍ତରେ ଏହି ହୀନମନ୍ୟତା ମୋର ସାଂସାରିକ ମୂଲ୍ୟ ବହୁ ପରିମାଣରେ କମେଇ ଦେଇଥିଲା ଏବଂ ମୁଁ ମନେ ମନେ ତା’ର ହିସାବ ନିକାଶ କରୁଥିଲି ।

 

ମୋର ଶାରୀରିକ ଶକ୍ତି ଥିଲା ଅତି କ୍ଷୀଣ । ବାହୁ ଏବଂ ପାଦ ଯୋଡ଼ିକ ଥିଲା କାଠିଭଳି ସରୁ ସରୁ ଓ ଲମ୍ୱା । ଦେହ ଗଠଣରେ କୌଣସି ବିଶେଷତ୍ୱ ନ ଥିଲା । ଆଖିର ରଙ୍ଗ ଥିଲା ମଳିନ ଏବଂ ନାକଟି ଚୌଡ଼ାହେବା ପରିବର୍ତ୍ତେ ଥିଲା ମୋଟା ଓ ଲମ୍ୱା । ମନେ ହେଉଥିଲା ଯେମିତି ମୁହଁରୁ ତଳକୁ ଝୁଲି ପଡ଼ିଛି । ମୁଁ ହୋଟେଲରେ ବାସନ କୁସନ ମଜାମଜି କରିବା କାମରେ ନିଯୁକ୍ତି ପାଇଥିଲି କାରଣ ଅନ୍ୟକାର୍ଯ୍ୟ କରିବା ପାଇଁ ଯେତିକି ସାଧାରଣ ଜ୍ଞାନ ଆବଶ୍ୟକ ସେତକ ବି ମୋ ପାଖରେ ନ ଥିଲା । ଅନ୍ୟାନ୍ୟ ଗୁଣ ଯଥା ସାହସ, ହୁସିଆରୀ ସମ୍ୱନ୍ଧରେ ନ କହିବା ହିଁ ଭଲ । ଏଥିପାଇଁ ମୁଁ ସ୍ତ୍ରୀ ଲୋକମାନଙ୍କଠାରୁ ସଦାସର୍ବଦା ଦୂରେଇ ରହୁଥିଲି । ମନେଅଛି ଥରେ ହୋଟେଲର ଚାକରାଣୀ ସହିତ ପରିହାସ କରିବା ଫଳରେ ସେ ମୋତେ ଟେକିନେଇ ହୋଟେଲର ଗୋଟାଏ ଅପରିଷ୍କୃତ ଅନ୍ଧକାର କୋଣକୁ ଠେଲି ଦେଇଥିଲା । ସେୟା ହିଁ ଥିଲା ମୋ ପକ୍ଷରେ ସମୁଚିତ ଦଣ୍ଡ । ମୁଁ କୌଣସି କାର୍ଯ୍ୟ ପାଇଁ ସେ ଯୋଗ୍ୟ ନୁହେଁ ଏହି ଧାରଣା ମୋ ନିଜ ମନରେ କ୍ରମଶଃ ଦୃଢ଼ ହେବାକୁ ଲାଗିଲା ଏବଂ ମୁଁ ନିଜ ଚିନ୍ତାରେ ନିମଗ୍ନ ରହି ଅନ୍ୟ କାହାରି ସମ୍ୱନ୍ଧରେ ମୋଟେ ଭାବୁ ନ ଥିଲି କାରଣ ଅପର ବ୍ୟକ୍ତିମାନଙ୍କ ସମ୍ୱନ୍ଧରେ କୌଣସି ଅହେତୁକୀ କୌତୂହଳ ପ୍ରକାଶ କରିବା ମୋ ପକ୍ଷରେ ହିତକର ନ ଥିଲା ।

 

ରୋମ ହୋଟେଲ (ଯେଉଁଠି ମୁଁ କାମ କରୁଥିଲି)ର ପଛପଟେ ତଳମହଲାର ଝରକା ନିକଟରେ ଅପରିଷ୍କାର ଓ ଅଇଁଠା ବାସନକୁସନ ସବୁ ଜମା କରାଯାଉଥିଲା ଏବଂ ତହିଁରୁ ଏକ ବିକୃତ ଗନ୍ଧ ଉଦ୍‌ଗତ ହେଉଥିଲା । ପ୍ଳେଟ୍‌ସସର ସଫା କରିବା ଆବାଜ ଉପର ମହଲାଯାଏ ଶୁଣା ଯାଉଥିଲା । ଏହି ସ୍ଥାନଟି ହିଁ ମୋ ପାଇଁ ଉଦ୍ଦିଷ୍ଟ ଥିଲା—ସେହି ଏକାନ୍ତ ନିର୍ଜନ ସ୍ଥାନକୁ ମୁଁ ମଧ୍ୟ ମୋର ଗୁପ୍ତ ନିବାସ ଭାବରେ ବାଛି ନେଇଥିଲି । କିନ୍ତୁ ବିଧିର ବିଧାନ ବିଚିତ୍ର.....ହଠାତ୍‌ ଦିନେ ଏକ ଅଶ୍ଳୀଳ ଘଟଣା ଘଟିଲା ଯାହା ମୁଁ ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ନ ଥିଲି । ସେହି ପ୍ରାୟାନ୍ଧକାର କୋଣରେ ବାସନକୁସନ ପରିଷ୍କାର କରି ବିଶ୍ରାମ କରୁଛି ଜଣେ କିଏ ପଛପଟରୁ ଆସି ମୋତେ ଆଲିଙ୍ଗନ ଓ ଚୁମ୍ୱନ କରିବାକୁ ଲାଗିଲା । ପଛରୁ ଫେରିଚାହିଁ ଆଶ୍ଚର୍ଯ୍ୟ ହୋଇଗଲି । ହୋଟେଲର ନବନିଯୁକ୍ତା ପରିଚାରୀକା ଇଡ଼ା ମୋ ଦେହରେ ସଂପୂର୍ଣ୍ଣ ଭାବରେ ଢଳି ପଡ଼ିଥିଲା । ଇଡ଼ା ବି ମୋ ସହିତ ବେଳେବେଳେ ବାସନ କୁସନ ପରିଷ୍କାର କରୁଥିଲା । ମୋ ଭଳି ଭଡ଼ା ବି ଥିଲା ଅସୁନ୍ଦରୀ । ନାରୀଜନୋଚିତ ଲାଳିତ୍ୟ ଓ ମାଧୁର୍ଯ୍ୟ ଇଡ଼ା ପାଖରେ ତିଳେହେଲେ ନ ଥିଲା । ମୋ ଭଳି ସିଏ ବି ଥିଲା ଦୟନୀୟ । ଦୁର୍ବଳ, କ୍ଷୀଣା ଓ ରୁଗ୍‌ଣା । ତଥାପି ମୁଁ ଲକ୍ଷ୍ୟ କରିଛି ସେ ଥିଲା ଅତିମାତ୍ରାରେ ଚଂଚଳା ଓ କାମାତୁରା । ଖୁବ୍‌ ଶୀଘ୍ର ଆମ ଭିତରେ ଗଭୀର ବନ୍ଧୁତ୍ୱ ହୋଇଗଲା, ବୋଧହୁଏ ତା’ର ଏକମାତ୍ର କାରଣ ଥିଲା ଯେ ଆମେ ଦୁହେଁ ଏକା ପରିସ୍ଥିତିରେ, ଏକା ସ୍ଥାନରେ କାମ କରୁଥିଲୁ । ତା’ପରେ ଅଜସ୍ର ପ୍ରେମାଳାପ, ହସଖୁସି, ପରସ୍ପର ପ୍ରତି ସ୍ନେହ, ଆକର୍ଷଣ, ମାନଅଭିମାନ । ସେ ମୋ ଉପରେ ପଡ଼ି ଦିନେ ରବିବାରରେ ଏକାସାଙ୍ଗରେ ସିନେମା ଦେଖିଯିବାର ପ୍ରତିଶ୍ରୁତି ଆଦାୟ କରି ନେଇଗଲା । ମୁଁ ଭଦ୍ରତା ଖାତିରରେ ତାକୁ ନିମନ୍ତ୍ରଣ କଲି । ସିନେମା ହଲରେ ଦୁହେଁ ପାଖାପାଖି ଦିଓଟି ସିଟ୍‌ରେ ବସିଲୁ । ସିନେମା ଆରମ୍ଭ ହେବା ମାତ୍ରକେ ମୋର ହାତ ଉପରେ ଇଡ଼ାର ସ୍ପର୍ଶ ଅନୁଭବ କଲି । ଶେଷରେ ଯେତେବେଳେ ସେ ମୋର ହାତରେ ଚୁମ୍ୱନ କରିବାକୁ ଲାଗିଲା ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ମୁଁ ଭାବିଲି ବୋଧହୁଏ ଅସାବଧାନତା ବଶତ ମୋର କୌଣସି ଆଚରଣରେ ଇଡ଼ା ପ୍ରତି ମୋର ଦୁର୍ବଳତା ପ୍ରକାଶ ପାଇ ଯାଇଛି । ମୋର ହାତଟିକି ଅପସାରଣ କରିନେବାର ଚେଷ୍ଟାକଲି; କିନ୍ତ ସେ ମୋର କାନପାଖରେ ଧିରେ ଧିରେ କହିଲା, ମୋତେ ବେଶ୍‌ ଖୁସି ଲାଗୁଛି, ଟିକିଏ ପାଖକୁ ଘୁଂଚି ଆସନା ।

 

ସିନେମା ଶେଷରେ ଆମେ ଯେତେବେଳେ ଫେରିଲୁ ସେ ମୋତେ କହିଲା ଯେ ‘‘ହୋଟେଲକୁ ଆସିବା ଦିନଠାରୁ ସେ କେବଳ ମୋତେ ଦେଖିଛି ଏବଂ ମୋ କଥା ଚିନ୍ତା କରିବା ବ୍ୟତୀତ ଆଉ କୌଣସି କାମ କରିନାହିଁ । ସେ ଆଶା କରୁଥିଲା ଯେ ତା’ ପ୍ରତି ଯେମିତି ମୋର ନଜର ରୁହେ କାରଣ ମୋ ବ୍ୟତୀତ ସେ ବଂଚିରହି ପାରିବ ନାହିଁ । ଏଭଳି କଥା ପୂର୍ବରୁ ମୁଁ ଆଉ କୌଣସି ସ୍ତ୍ରୀଲୋକ ପାଖରୁ ଶୁଣି ନ ଥିଲି ତେଣୁ ଇଡ଼ାର କଥାରେ ମୁଁ ସଂପୂର୍ଣ୍ଣ ଭାବରେ ଆତ୍ମବିସ୍ମୃତ ହୋଇପଡ଼ିଲି । ଏଥର ତାକୁ ପାଖକୁ ଟାଣିଆଣି ଚୁମ୍ୱନ କଲି । ଆମ ଭିତରେ ବହୁ ସମୟ ଧରି କଥାବାର୍ତ୍ତା ହେଲା । ମୋତେ ସେ ଅନେକ ପ୍ରଶ୍ନକଲା ଏବଂ ମୁଁ ତା’ର ଉତ୍ତର ଦେଲି । ତଥାପି ମୁଁ ଶଙ୍କିତ ହୋଇ ପଡ଼ିଥିଲି କାହିଁକି ନା ସେ ମୋତେ ବାରମ୍ୱାର କହୁଥିଲା ଯେ ‘‘ମୋତେ ନ ପାଇଲେ ସେ ପାଗଳ ହୋଇଯିବ ।’’

 

ମୁଁ ସଦାସର୍ବଦା ନିଜକୁ ଅତି ଦୀନହୀନ ମନେ କରୁଥିଲି ଏବଂ ସୁଯୋଗ ପାଇଲେ ଆମେ ଯେତେବେଳେ ବାହାରକୁ ଯାଉଥିଲୁ ସେତେବେଳେ ସେ ବିଷୟରେ କଥାବାର୍ତ୍ତା କରିବାକୁ ଚାହୁଁଥିଲି କାରଣ ଇଡ଼ା ମୁହଁରେ ମୋର ପୌରୁଷର ପ୍ରଶଂସା ଶୁଣିଲେ ମୁଁ ଖୁସି ହେଉଥିଲି ଯଦିଓ ଏଥିରେ ଆଦୌ ବିଶ୍ୱାସ ନ ଥିଲା ।

 

‘‘ମୋ ରାଣ କୁହନା ତୁମେ କ’ଣ ଦେଖି ମୋତେ ଭଲ ପାଇଲ ।’’ ମୁଁ ପ୍ରଶ୍ନ କରୁଥିଲି ।

 

ଆଉ ଆପଣ ବିଶ୍ୱାସ କରି ପାରିବେ ନାହିଁ ସେ ମୋର ବୁକୁ ଉପରେ ଶୋଇ ତା’ର ବାହୁ ବଲ୍ଲରୀରେ ମୋତେ ଆଲିଙ୍ଗନ କରି କହୁଥିଲା.....‘‘ମୁଁ ତୁମକୁ କାହିଁକି ଭଲପାଏ ଜାଣ ? ତୁମେ ଗୁଣବାନ, ତୁମେ ରୂପବାନ, ତୁମେ ସୁ–ପୁରୁଷ ।’’

 

ମୁଁ ଅବିଶ୍ୱାସରେ ପୁନରାୟ ପ୍ରଶ୍ନ କରୁଥିଲି—‘‘ମୋର ଯେ ଏତେ ରୂପ ଓ ଗୁଣ ରହିଛି ଏକଥା ତ ଆଗରୁ ଜଣା ନ ଥିଲା ।’’

 

ଉଡ଼ା ଲୋଟଣି ପାରାଭଳି ମୋ ଦେହରେ ଲୋଟିପଡ଼ି କହୁଥିଲା ‘‘ତମେ କାମଦେବଠାରୁ ବି ସୁନ୍ଦର ।’’

 

ମୁଁ ନ ହସି ରହି ପାରୁ ନ ଥିଲି ଆଉ କହୁଥିଲି—‘‘କାହିଁ ରାଣୀ କାହିଁ ଚନ୍ଦ୍ରକାଣି । ତୁମେ କେବେ ମୋତେ ଭଲ ଭାବରେ ଚାହିଁ ଦେଖିଛ ?’’

 

‘‘ନିଶ୍ଚୟ, ତୁମକୁ ମୁଁ ଆଖି ପୂରେଇ ବହୁବାର ଦେଖିଛି ।’’ ଇଡ଼ା ଉତ୍ତର ଦେଲା ।

 

କିନ୍ତୁ କେବେ କ’ଣ ମୋ ନାକ ଉପରେ ତୁମର ଦୃଷ୍ଟି ପଡ଼ିଛି ?

 

ଏମିତି ଖଣ୍ଡାଧାର ନାକ ତ ମୋର ପସନ୍ଦ ! ସେ ଉତ୍ତର ଦେଲା ଏବଂ ଦୁଇ ଆଙ୍ଗୁଠିରେ ମୋର ନାକକୁ ଟାଣିଧରି କହିଥିଲା—‘‘ଏ ନାକ ପାଇଁ ତ ମୁଁ ପାଗଳ । ତା’ ଛଡ଼ା ତୁମେ ଅତ୍ୟନ୍ତ ବୁଦ୍ଧିମାନ ।’’

 

ମୁଁ ବୁଦ୍ଧିମାନ ? ଲୋକେ ତ କହନ୍ତି ମୁଁ ବୋକା, ମୁଁ ମୂର୍ଖ ।

 

ସେ ସ୍ତ୍ରୀଜନୋଚିତ କାରଣ ନିର୍ଣ୍ଣୟ କରି କହୁଥିଲା—‘‘ସେମାନେ ଈର୍ଷାରେ ଏମିତି କହନ୍ତି । ତୁମେ ଖୁବ୍‌ ବିବେକୀ ବ୍ୟକ୍ତି । ତୁମର କଣ୍ଠ ଏତେ ମଧୁର ଯେ ତୁମେ ଯେତେବେଳେ କଥାବାର୍ତ୍ତା କର ମୁଁ ଚକିତ ଓ ମୁଗ୍‌ଧ ହୋଇ ଶୁଣେ । ସତରେ ତୁମଭଳି ବୁଦ୍ଧିମାନ ଲୋକ ମୁଁ ମୋ ଜୀବନରେ ଦେଖିନାହିଁ ।’’

 

ମୁଁ କହୁଥିଲି—‘‘ତୁମେ କିନ୍ତୁ ମୋତେ ସ୍ୱାସ୍ଥ୍ୟବାନ ବୋଲି କହିପାରିବ ନାହିଁ ।’’

 

ସେ ଆବେଗଭରା କଣ୍ଠରେ କହୁଥିଲା—‘‘ତୁମେ ଖୁବ୍‌ ସ୍ୱାସ୍ଥ୍ୟବାନ ଏବଂ ବଳବାନ୍‌ ମଧ୍ୟ-।’’

 

ମୁଁ ଅବାକ୍‌ ହୋଇ ଇଡ଼ାକୁ ଚାହିଁ ରହୁଥିଲି । ସେ ପୁନରାୟ କହିବା ପାଇଁ ଆରମ୍ଭ କରୁଥିଲା ଯେ ‘‘ତୁମେ ଯଦି ଜାଣିବାପାଇଁ ଚାହୁଁଛ, ଏହା ବ୍ୟତୀତ ବି ତୁମର ଏଭଳି କିଛି ସଦ୍‌ଗୁଣ ଅଛି ଯାହାକୁ ମୁଁ ଭଲପାଏ, ପ୍ରେମକରେ ।’’

 

‘‘ଇଡ଼ା ! ସତରେ ତୁମେ ଅପୂର୍ବ ମୋହମୟୀ । କିନ୍ତୁ ମୋ ନିଜ ଗୁଣ ମୁଁ ଯେତେବେଳେ ନିଜେ ଜାଣେନା, ସେତେବେଳେ କହିଲେ କ’ଣ କ୍ଷତି ଅଛି ।’’

 

ଇଡ଼ା କହୁଥିଲା—‘‘ପ୍ରିୟତମ ! ଏମିତି ଗୁଡ଼ାଏ ଜିନିଷ ରହିଛି ଯାହା ଇଚ୍ଛା କଲେ ବି ବୁଝେଇ ହୁଏନାହିଁ; କିନ୍ତୁ ନିଶ୍ଚିତ ଭାବରେ କହିପାରେ ତୁମର ମଧୁର କଣ୍ଠ, କଥା କହିବାର ଭଙ୍ଗୀ, ଚାଲିଚଳଣ ଅନ୍ୟଲୋକ ପାଖରେ ଦୁର୍ଲଭ ।’’

 

ଏ କଥାରେ ମୋର ଆଦୌ ବିଶ୍ୱାସ ନ ଥିଲା ତଥାପି ଏ ଶ୍ରୁତିମଧୁର ମିଥ୍ୟା ଗୁଡ଼ିକ ମୁଁ ତାକୁ ବାରମ୍ୱାର କହିବାପାଇଁ ବାଧ୍ୟ କରୁଥିଲି । ତା’ର ଏକମାତ୍ର କାରଣ ଥିଲା ମୋର ହୀନମନ୍ୟତା-। ମୋ ନିଜ ମନଭିତରେ ମୋ ସମ୍ୱନ୍ଧରେ ଯେଉଁ ଧାରଣା ଥିଲା ତା’ ସହିତ ମୁଁ ଇଡ଼ାର କଥାବାର୍ତ୍ତାକୁ ତୁଳନା କରୁଥିଲି ଏବଂ ଖୁସି ହେଉଥିଲି ।

 

କିନ୍ତୁ ସମୟ ଯେତେ ଗଡ଼ିବାକୁ ଲାଗିଲା ମୋ ମନରେ ଇଡ଼ାର ପ୍ରଶଂସା ତକ ବଦ୍ଧମୂଳ ହୋଇପଡ଼ିଲା । ଧରି ନିଆଯାଉ ଇଡ଼ା ସତ କହୁଥିଲା ।

 

କେବେକେବେ ମୁଁ ମନକୁ ମନ କହୁଥିଲି—‘‘ମୁଁ ନିଶ୍ଚୟ କିଛି ସଦ୍‌ଗୁଣର ଅଧିକାରୀ । ମୋର ବିଶ୍ୱାସ ହୋଇଯାଇଥିଲା ଯେ ମୋ ସମ୍ୱନ୍ଧରେ ମୋର ଯେଉଁ ଧାରଣା ରହିଛି ତା’ଠାରୁ ମୁଁ କିଛିଟା ଭିନ୍ନ; କିନ୍ତୁ ଇଡ଼ାର ଏହି ଆଉ କିଛି ମୋତେ ସଂଶୟରେ ପକେଇ ଦେଇଥିଲା । ମୋର କ୍ରମେ ଧାରଣା ହେଲା ଯେ ତା’ର ଏହି ଉକ୍ତିରେ ଅନେକ ରହସ୍ୟ ଲୁକ୍‌କାୟିତ ହୋଇରହିଛି । ମୁଁ ଅନୁଭବ କରୁଥିଲି ଯେ, ଏହି ଆଉ କିଛି ପାଇଁ ହିଁ ନାରୀମାନେ ପଂଗୁ, ଖଂଜ, ବୃଦ୍ଧ ଓ ରାକ୍ଷସମାନଙ୍କୁ ବି ପ୍ରେମ କରନ୍ତି । ମୋତେ ବା ଇଡ଼ା କାହିଁକି ପ୍ରେମ ନ କରିବ ?

 

ଦିନେ ମୁଁ ଏବଂ ଇଡ଼ା ସର୍କସ ଦେଖି ଯିବାପାଇଁ ସ୍ଥିର କଲୁ । ଇଡ଼ାକୁ ସାଥି ଭାବରେ ପାଇ ମୋର ମନଟା ଖୁସିରେ ଭରିଗଲା । ସର୍କସର ବିଶାଳ ତମ୍ୱୁ ଭିତରେ ପାଖାପାଖି ଦୁଇଟି ସିଟ୍‌ରେ ଆମେ ଦୁହେଁ ଲଗାଲଗି ହୋଇ ବସିଲୁ । ମୋ ଆରପାଖରେ ଥିବା ସିଟ୍‌ରେ ଜଣେ ଦୀର୍ଘାଙ୍ଗୀ, ରୂପବତୀ, ଯୁବତୀ ବସିଥିଲେ ଏବଂ ସ୍ତ୍ରୀଲୋକଟିର ଦେହରେ ଦେହ ଲଗେଇ ବସିଥିଲା ଜଣେ ସ୍ୱାସ୍ଥ୍ୟବାନ ଯୁବକ । ତାଙ୍କୁ ଦେଖି ମନେହେଲା ପୃଥିବୀରେ ବୋଧହୁଏ ସେଇମାନେ ହିଁ ଥିଲେ ସବୁଠାରୁ ଚମତ୍କାର ଯୋଡ଼ି । କିଛିସମୟ ପରେ ମୁଁ ସେମାନଙ୍କର ଚିନ୍ତା ମନରୁ ଅପସାରଣ କରି ସର୍କସରେ ମନଦେଲି । ସର୍କସର ମଧ୍ୟଭାଗରେ ସରୁବାଲି ପକା ଯାଇଥିଲା । ତା’ର କିଛି ଦୂରରେ ଥିବା ଗୋଟାଏ କୋଣରେ ଗୋଟାଏ ଉଚ୍ଚ ପ୍ଳାଟଫର୍ମ ଉପରେ ସୁନ୍ଦର ପୋଷାକ ପିନ୍ଧି ବ୍ୟାଣ୍ଡବାଦକମାନେ ସୈନିକମାନଙ୍କର ମାର୍ଚ୍ଚିଂ ଧୂନ ବଜାଉଥିଲେ । ଶେଷରେ ଚାରିଜଣ କ୍ଳାଉନ୍‌ ଆସି ପହଞ୍ଚିଲେ । ସେମାନଙ୍କ ଭିତରୁ ଦୁଇଜଣ ଥିଲେ ଖୁବ୍‌ ଲମ୍ୱା, ଅପର ଦୁଇଜଣ ଥିଲେ ଗେଡ଼ା । ଚୁନକାଳି ଦେଇ ସେମାନଙ୍କର ମୁହଁକୁ ବିଚିତ୍ର ଭାବରେ ପେନ୍‌ଟିଙ୍ଗ କରାଯାଇଥିଲା । ଆସିବା ମାତ୍ରକେ ସେମାନେ ଡିଆଁ ଡେଇଁ, ଥଟ୍ଟାତାମସା ଆରମ୍ଭ କରିଦେଲେ । ଇଡ଼ା ହସି ହସି ବେଦମ ହୋଇପଡ଼ିଲା । ସେତେବେଳକୁ ବ୍ୟାଣ୍ଡବାଦକମାନେ ଏକ ଉତ୍ତେଜକ ଧୂନ୍‌ ବଜେଇବା ଆରମ୍ଭ କରି ଦେଇଥିଲେ । ରିଂ ଭିତରକୁ ଛ’ଟି ଘୋଡ଼ା ଆସି ଘୂରିବାକୁ ଲାଗିଲେ । ସେମାନଙ୍କର ଟ୍ରେନର୍‌ ସୁନେଲି ରଙ୍ଗର ପୋଷାକ ପିନ୍ଧି ଆଖଡ଼ା ମଝିରେ ଠିଆହୋଇ ଲମ୍ୱା ଚାବୁକଟି ହଲେଇବାକୁ ଲାଗିଲା । ଖୁବ୍‌ ପତଳା ଜାଲି ରେଶମି କୁର୍ତ୍ତା ଆଉ ସଂକ୍ଷିପ୍ତ ଅର୍ନ୍ତବାସ ପିନ୍ଧିଥିବା ଜଣେ ସ୍ତ୍ରୀଲୋକ ଆସି ପ୍ରଥମେ ଘୋଡ଼ାମାନଙ୍କ ସାଥିରେ ଦୌଡ଼ିବାକୁ ଲାଗିଲା ଏବଂ ପରେ ଘୋଡ଼ାମାନଙ୍କ ପିଠିରେ ଚଢ଼ିବା ଉତୁରିବା ଆରମ୍ଭ କଲା । ବିଭିନ୍ନ ଭଙ୍ଗୀ ଓ ଚାଲରେ ଘୋଡ଼ାମାନେ ବୁଲିବାକୁ ଲାଗିଲେ । ତା’ପରେ ଘୋଡ଼ାମାନଙ୍କ ଖେଳ ଶେଷ ହେଲା ଏବଂ ଦର୍ଶକମାନଙ୍କୁ ସଲାମ ବଜେଇ ସେମାନେ ବାହାରି ଗଲେ । ଜୋକରମାନେ ସେମାନଙ୍କୁ ଅନୁକରଣ କରି ହସର ଜୁଆର ସୃଷ୍ଟି କଲେ ଆଉ ଠିକ୍‌ ସେତିକିବେଳେ କସରତ ଝୁଲାରେ ଝୁଲିବାପାଇଁ ବାପ ମା’ ଓ ପୁଅ ଆସି ପହଞ୍ଚିଲେ । ସମସ୍ତଙ୍କର ଶରୀର ଥିଲା ସୁଗଠିତ; କିନ୍ତୁ ପୁଅର ଶାରୀରିକ କଠନ ଥିଲା ସବୁଠାରୁ ଆକର୍ଷକ । ସେମାନେ ନୀଳ ରେଶମର ଅଣ୍ଡରଓ୍ୱାର ପିନ୍ଧିଥିଲେ । ପ୍ରଥମେ ଦର୍ଶକମାନଙ୍କୁ ଅଭିବାଦନ ଜଣେଇ ତିନିହେଁ ତାଳି ବଜେଇଲେ ଏବଂ ଦଉଡ଼ିର ସିଡ଼ିରେ ଚଢ଼ି ତମ୍ୱୁର ଛାତପାଖରେ ଥିବା ଝୁଲାକୁ ଆଗକୁ ପଛକୁ ଫିଙ୍ଗିବାକୁ ଲାଗିଲେ । ଶେଷରେ ବାପ ଓ ମା’ ଦୁଇଟି ଝୁଲାରେ ଗୋଡ଼ ଛନ୍ଦି ତଳକୁ ଦେହ ଝୁଲେଇ ପିଲାଟିକୁ ଗୋଟିଏ ଝୁଲାରୁ ଆଉ ଗୋଟାଏ ଝୁଲାକୁ ଫିଙ୍ଗିବାକୁ ଲାଗିଲେ । ମୁଁ ବିସ୍ମୟଭରା କଣ୍ଠରେ ସେମାନଙ୍କର ପ୍ରଶଂସା କରି ଇଡ଼ାକୁ କହିଲି—‘‘ଦେଖୁଛ, ମୁଁ ମଧ୍ୟ ଏହି ଝୁଲାରେ ଝୁଲୁଥିବା ଲୋକଭଳି ନିଜକୁ ଶୂନ୍ୟରେ ଫିଙ୍ଗି ଝୁଲାକୁ ପାଦରେ ବା ହାତରେ ଧରିନେଇ ପାରିବ ।’’

 

ଇଡ଼ା ମୋ ଦେହରେ ଆଉଜେଇ ପଡ଼ି କହିଲା—‘‘ଇୟେ ତ ଅଭ୍ୟାସର କଥା । ଅଭ୍ୟାସ କଲେ ତୁମେ ବି ଏହାଠୁ ଆହୁରି ଚମତ୍କାର ଖେଳ ଦେଖେଇ ପାରିବ ।’’

 

ସୁନ୍ଦରୀ ମହିଳା ଜଣକ ଆମ କଥାବାର୍ତ୍ତା ଶୁଣି ତା’ ସାଙ୍ଗରେ ଥିବା ଯୁବକଟି କାନରେ କିଛି କହିଲା ଏବଂ ସେ ଦୁହେଁ ହସିବା ଆରମ୍ଭ କରିଦେଲେ ।

 

ସେତେବେଳକୁ ଆରମ୍ଭ ହେଲା ସର୍କସର ସବୁଠାରୁ ବଡ଼ ଆକର୍ଷଣ ସିଂହମାନଙ୍କର ଖେଳ । ଲାଲରଙ୍ଗର ଟେଲକୋର୍ଟ ପିନ୍ଧିଥିବା ଦଳେ ଯୁବକ ଆସି ଝୁଲାବାଲାଙ୍କ ପାଇଁ ତଳେ ଦିଆ ହୋଇଥିବା ବଡ଼ ଜାଲଖଣ୍ଡକ ଗୋଟାଇବାକୁ ଲାଗିଲେ ଏବଂ ତାକୁ ଉଠେଇନେବାବେଳେ ଦେଖାଗଲା ଯେ ଗୋଟାଏ ଗେଡ଼ା ଜୋକର ତା’ ଭିତରେ ପଡ଼ିଯାଇଛି । ଇଡ଼ା ହସି ହସି ଚୌକିର ପ୍ରାୟ ଗଡ଼ି ଯାଇଥାନ୍ତା; କିନ୍ତୁ ଅଳ୍ପକେ ରକ୍ଷା ପାଇଗଲା । ଜାଲଟି ନେଇଯିବା ପରେ ଖୁବ୍‌ ଚଞ୍ଚଳ ଓ ସାବଧାନତା ସହକାରେ ଯୁବକମାନେ ଗୋଟାଏ ବଡ଼ ପିଞ୍ଜରା ଆଣି ଆଖଡ଼ା ମଝିରେ ଥୋଇଦେଲେ । ଡ୍ରମର ଆବାଜ ସହିତ ସୁନେଲି କେଶର ଥିବା ଗୋଟାଏ ସିଂହ ଛୋଟ ଗୋଟାଏ ରାସ୍ତାରେ ବାହାରି ଆସିଲା । ତା’ ପଛକୁ ସର୍ବମୋଟ ପାଞ୍ଚଟି ସିଂହ ଏବଂ ଗୋଟାଏ ସିଂହୀ ଆସି ଦଉଡ଼ିବାକୁ ଲାଗିଲେ । ସିଂହୀଟି ଖୁବ୍‌ କ୍ରୋଧାନ୍ୱିତା ମନେ ହେଉଥିଲା । ସବା ଶେଷରେ ସିଂହମାନଙ୍କ ମାଷ୍ଟର ସୁନେଲି ଫିତା ଲାଗିଥିବା ସବୁଜ କୋଟ ପିନ୍ଧି ଆସି ଜନତାକୁ ଅଭିବାଦନ ଜଣାଇ ଠିଆହେଲା । ତା’ର ଗୋଟାଏ ହାତରେ ଥିଲା ଚାବୁକ୍‌ ଏବଂ ଆର ହାତରେ ହୁକ୍‌ଲଗା ଖଣ୍ଡେ ଲୁହାଛଡ଼ । ସିଂହମାନେ ତା’ର ଚାରିପଟେ ଦୌଡ଼ିବାକୁ ଲାଗିଲେ ଏବଂ ସେ ହସିହସି ସଲାମ କରିବାକୁ ଲାଗିଲା । ପୁଣି ସେ ସିଂହମାନଙ୍କ ଆଡ଼କୁ ମୁହଁ ବୁଲେଇ ହୁକ୍‌ରେ ସେମାନଙ୍କର ପିଠି ଛୁଇଁବାକୁ ଲାଗିଲା ଏବଂ ସବୁଯାକ ସିଂହ ପିଞ୍ଜରା ପଛପଟେ ରଖା ହୋଇଥିବା ଛୋଟ ଛୋଟ ଟୁଲ ଉପରେ ଗୋଟାକ ପରେ ଗୋଟାଏ ଧାଡ଼ି ହୋଇ ଚଢ଼ିଗଲେ ଏବଂ ଗର୍ଜନ କରିବାକୁ ଲାଗିଲେ । ଇଡ଼ା ଭୟରେ ମୋ ପାଖକୁ ଲାଗିଆସି କହିଲା—‘‘ଯଦି ଲୋକଟିକି ସେମାନେ ଖାଇଯିବେ ?’’

 

ପୁଣି ଡ୍ରମ ବାଜିଲା । ମାଷ୍ଟର ଗର୍ଜନ କରିସାରି ବସି ରହିଥିବା ଗୋଟାଏ ବୁଢ଼ା ସିଂହ ପାଖକୁ ଯାଇ ତିନିଥର ନିଜର ମୁଣ୍ଡ ପୂରେଇ ପୁଣି ବାହାର କରି ଆଣିଲା । ତାଳି ମାଡ଼ରେ ତମ୍ୱୁସାରା କମ୍ପିଗଲା ଏବଂ ତା’ ମଝିରେ ମୁଁ ଇଡ଼ାକୁ କହିଲି—‘‘ତମେ ହୁଏତ ବିଶ୍ୱାସ କରିବନି; କିନ୍ତୁ ମୁଁ ପିଞ୍ଜରା ଭିତରକୁ ଯାଇ ସିଂହ ମୁହଁରେ ନିଜର ମୁଣ୍ଡ ପୂରେଇ ଦେଇ ପାରିବି ।’’ ମୋ ପାଖରେ ନିଜକୁ ସମର୍ପଣ କରିବା ଭଙ୍ଗୀରେ ଇଡ଼ା କହିଲା—‘‘ମୁଁ ଜାଣେ ତମ ପକ୍ଷରେ ଏଭଳି ଖେଳ କିଛି ନୁହେଁ ।’’

 

ଏତକ ଶୁଣି ସୁନ୍ଦରୀ ସ୍ତ୍ରୀ ଆଉ ଯୁବକ ଜଣକ ହସି ହସି ଗଡ଼ିଗଲେ ଏବଂ ଆମକୁ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରହିଲେ । ଆମେ ସେତେବେଳେ ବୁଝିପାରିଲୁ ନାହିଁ ଯେ ସେମାନେ ଆମକୁ ହିଁ ଳକ୍ଷ୍ୟକରି ହସୁଥିଲେ । ଇଡ଼ା ରାଗିଯାଇ ମୋତେ କହିଲା—‘‘ସେମାନେ ଆମକୁ ପରିହାସ କରୁଛନ୍ତି ତୁମେ ତା’ର ପ୍ରତିବାଦ କରୁନାହିଁ କାହିଁକି ?’’

 

ଠିକ୍‌ ସେତିକିବେଳେ ଘଣ୍ଟି ବାଜି ଉଠିଲା । ସମସ୍ତେ ଉଠିପଡ଼ି ଠିଆହେଲେ । ସିଂହମାନେ ମୁଣ୍ଡ ନୁଆଁଇ ଛୋଟ ଛୋଟ ଦରଜା ଦେଇ ଭିତରକୁ ଚାଲିଗଲେ । ଖେଳର ପ୍ରଥମାର୍ଦ୍ଧ ଶେଷ ହୋଇଯାଇଥିଲା ।

 

ଆମେ ତମ୍ୱୁରୁ ବାହାରି ଆସିବା ବେଳକୁ ସେମାନେ ଆମର ଆଗେ ଆଗେ ଚାଲୁଥିଲେ-। ଇଡ଼ା ମୋତେ ସେହି ସ୍ତ୍ରୀ ଲୋକ ବିରୁଦ୍ଧରେ ଉତ୍ତେଜିତ କରିବାକୁ ଲାଗିଲା । କହିଲା, ତୁମେ ବି ସେମାନଙ୍କୁ ଅପମାନ କରିବାକୁ ପଡ଼ିବ ନ ହେଲେ ଜଣା ପଡ଼ିଯିବ ତୁମେ ଭୀରୁ, କାପୁରୁଷ-

 

ଇଡ଼ାର ଏହି ବାକ୍ୟବାଣରେ ମୋର ଆତ୍ମାଭିମାନ ଉପରେ ଆଘାତ ଲାଗିଲା ଏବଂ ମୁଁ ଯୁବକଟିର ମୁକାବିଲା କରିବାପାଇଁ ପ୍ରସ୍ତୁତ ହେଲି । ବଡ଼ ତମ୍ୱୁର ବାହାରପଟେ ଗୋଟାଏ ବିରାଟ ସେଡ଼ରେ ସର୍କସର ପୋଷା ପଶୁପକ୍ଷୀମାନଙ୍କ ରଖା ଯାଇଥିଲା, ବଡ଼ ବଡ଼ ପିଂଜରାମାନଙ୍କରେ ଥିଲେ ବିଭିନ୍ନ ପ୍ରକାରର ହିଂସ୍ରଜନ୍ତୁ । ସେଡ଼ର ଆରପାଖରେ ଥିବା ଖୋଲା ପଡ଼ିଆରେ ହାତୀ, ଘୋଡ଼ା ପ୍ରଭୃତି ଧାଡ଼ି ଧାଡ଼ି ହୋଇ ବନ୍ଧା ହୋଇଥିଲେ । ଶେଡ଼ ଭିତରଟା ଅନ୍ଧକାର ଦେଖା ଯାଉଥିଲା । ସେ ଦୁହେଁ ଗୋଟାଏ ଭାଲୁ ପିଂଜରା ପାଖରେ ଠିଆ ହୋଇଥିଲେ । ମୁଁ ସିଧା ଯୁବକଟି ପାଖକୁ ଯାଇ ପ୍ରଶ୍ନକଲି—‘‘ଆପଣ ଆମକୁ ପରିହାସ କରୁଥିଲେ କାହିଁକି ?’’

 

ସେ ମୋ ଆଡ଼କୁ ବୁଲିପଡ଼ି ନିଃସଂକୋଚରେ କହିଲା—‘‘ଗଧ ଯଦି ନିଜକୁ ସିଂହ ମନେକରେ ତେବେ ନ ହସି ଉପାୟ କ’ଣ ଅଛି କୁହନ୍ତୁ ?’’

 

ଆପଣ ତାହାହେଲେ କହିବାକୁ ଚାହାଁନ୍ତି ଯେ ମୁଁ ଗୋଟାଏ ଗଧ ।

 

ତୁମେ ଯଦି ନିଜକୁ ସେୟା ଭାବୁଥାଅ ଭାବ ।

 

ଇଡ଼ା ମୋତେ ତା’ର ହାତରେ ଠେଲୁଥିଲା । ମୁଁ କଠିନ ସ୍ୱରରେ ଚିତ୍କାର କରି କହିଲି–‘‘ତୁମେ ମୂର୍ଖ, ଗାଉଁଲି, ବୋକା ।’’

 

‘‘ଗଧ ତାହାହେଲେ ଏଥର ବୋବେଇବାକୁ ଆରମ୍ଭ କରିଛି ।’’ ପୁରୁଷର ଏକଥା ଶୁଣି ସ୍ତ୍ରୀ ଲୋକଟି ହସିବାକୁ ଲାଗିଲା ।

 

ଇଡ଼ା କ୍ରୋଧରେ ନାଗୁଣୀ ଭଳି ଫୁତ୍କାର କରିଉଠି କହିଲା—‘‘ଏଥିରେ ହସିବାର କ’ଣ ଅଛି । ତୁମେ ଜଣେ ନଷ୍ଟଚରିତ୍ରା, ପର ପୁରୁଷ ପ୍ରତି ତୁମର ଆଶକ୍ତି ମୁଁ ସ୍ୱଚକ୍ଷୁରେ ଦେଖିଛି, କିନ୍ତୁ ତୁମେ ମନେକରିଛ ମୁଁ କିଛି ଦେଖିନାହିଁ । ତୁମେ ମୋ ସ୍ୱାମୀଙ୍କ ବାହୁରେ ତୁମର ବାହୁ ଘଷୁଥିଲ କାହିଁକି ?’’ ଇଡ଼ାର ଏତାଦୃଶ ଅଭିଯୋଗରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଯଦିଓ, ସୁନ୍ଦରୀ ସ୍ତ୍ରୀ ଲୋକଟି ମୋ ପାଖକୁ ଲାଗି ବସିଥିଲା ତଥାପି ତା’ର ସ୍ପର୍ଶ ମୁଁ କେବେହେଲେ ଅନୁଭବ କରି ନ ଥିଲି । ହୁଏତ ଅସାବଧାନତାବଶତଃ ତା’ର ହାତ ମୋ ଦେହରେ ଥରେ ଅଧେ ବାଜିଥିଲେ ବାଜିଥିବ ।

 

ସୁନ୍ଦରୀ ସ୍ତ୍ରୀ ଲୋକଟି କହିଲା—‘‘ତୁମେ ନିଜେ ଅସତୀ ମିଥ୍ୟାବାଦିନୀ ।’’

 

‘‘ନା ମୁଁ ମିଥ୍ୟାବାଦିନୀ ନୁହେଁ, ମୁଁ ତୁମର କୀର୍ତ୍ତିକଳାପ ସ୍ୱଚକ୍ଷୁରେ ଦେଖିଛଇ ।’’ ଇଡ଼ା ଉତ୍ତର ଦେଲା ।

 

ଅପର ସ୍ତ୍ରୀ ଲୋକଟି ଘୃଣାରେ ନାସିକା କୁଞ୍ଚନ କରି କହିଲା—‘‘ତୁମର ଏ କନ୍ଦର୍ପକାନ୍ତୀ ପୁରୁଷକୁ ଦେଖିଲେ କିଏ ବା ଆକୃଷ୍ଟ ନ ହେବ ?’’ ମୋତେ ଯଦି କାହା ସହିତ ହାତ ମିଳେଇବାକୁ ପଡ଼େ ତେବେ ନିଶ୍ଚୟ ଏହି ଗଧ ଅପେକ୍ଷା ଶତଗୁଣରେ ସୁନ୍ଦର । ଏତିକି କହି ସେ ସାଥି ଯୁବକର ବାହୁରେ ନିଜକୁ ସମର୍ପଣ କରିଦେଲା ।

 

ଯୁବକ ଜଣକ ମୋ ପାଖକୁ ଲାଗିଆସି କହିଲା—‘‘ଏଠୁ ତୁମେ ଚାଲିଯାଅ’’ । ‘‘କାହିଁକି’’ ମୁଁ । ଚିତ୍କାର କରି କହିଲି ।

 

ତା’ ପରବର୍ତ୍ତୀ ଦୃଶ୍ୟ ମୁଁ ଜୀବନସାରା ଭୁଲି ପାରିବି ନାହିଁ । ଯୁବକଟି ମୋ କଥାର କୌଣସି ଜବାବ ନ ଦେଇ ମୋତେ ଉଠେଇ ଫିଙ୍ଗିଦେଲା । ମୁଁ ଆଗରୁ କହିଛି ପିଂଜରା ଆରପାଖରେ ଥିଲା ଖୋଲା ମଇଦାନରେ ଅଦରକାରୀ ପଶୁମାନେ ରହୁଥିଲେ । ଆମ ପଛରେ ଥିଲେ ହାତୀର ପରିବାର । ପିତାମାତା ଆଉ ସନ୍ତାନ । ଛୋଟ ହାତୀଟି ମା’ ପାଖକୁ ଲାଗି ଠିଆ ହୋଇଥିଲା । ସେହି ଗୁଣ୍ଡାଜଣକ ମୋତେ ଛୋଟ ହାତୀଟିର ପିଠି ଉପରେ ଫିଙ୍ଗିଦେଲା । ପଶୁଟି ଭାବିଲା ବୋଧହୁଏ ସର୍କସକୁ ଯିବାର ସମୟ ହୋଇଗଲା । ତେଣୁ ସେ ଲୁହା ଶିକୁଳୀ ଛିଣ୍ଡେଇ ଦୌଡ଼ିବାକୁ ଲାଗିଲା । ମୁଁ ନିଃସହାୟ ଭାବରେ ହାତୀର କାନ ଧରିବାକୁ ଯାଇ ବିଫଳ ହେଲି । ଇଡ଼ା ହାତୀଟିର ପଛରେ ପଛରେ ଚିତ୍କାର କରି ଦୌଡ଼ିବାକୁ ଲାଗିଲା । ଶେଷରେ ମୁଁ ମାଟିରେ ପଡ଼ିଗଲି ଏବଂ ମୋର ମୁଣ୍ଡରେ ପ୍ରଚଣ୍ଡ ଆଘାତ ଲାଗିଲା । ତା’ପରେ କ’ଣ ହେଲା ଆଉ ମୋର ସ୍ମରଣ ନାହିଁ । ଯେତେବେଳେ ଫାଷ୍ଟଏଡ଼ ପୋଷ୍ଟର ମୋର ଜ୍ଞାନ ଫେରିଆସିଲା ଦେଖିଲି ଇଡ଼ା ତା’ ହାତରେ ମୋ ହାତଟି ରଖି ବସି ରହିଛି । କିଛି ସମୟ ପରେ ଯେତେବେଳେ ସୁସ୍ଥ ଅନୁଭବ କଲି ସେତେବେଳେ ଘରକୁ ଫେରି ଆସିଲି ।

 

ପରଦିନ ମୁଁ ଇଡ଼ାକୁ କହିଲି ଏ ଘଟଣା ପାଇଁ ତୁମେ ଦାୟୀ, କାରଣ ତୁମେ ହିଁ ମୋ ମନରେ ଏମିତି ଏକ ଭାବନା ଭର୍ତ୍ତି କରିଦେଲ ଯାହା ଫଳରେ ନିଜକୁ ମୁଁ ଖୁବ୍‌ ବଳବାନ ମନେକଲି-। କିନ୍ତୁ ସେ ସ୍ତ୍ରୀ ଲୋକଟି ଠିକ୍‌ କହୁଥିଲା ଯେ ମୁଁ ଏକ ଦୟନୀୟ ପୁରୁଷ, ତା’ ଛଡ଼ା ଆଉ କିଛି ନୁହେଁ-

 

କିନ୍ତୁ ଇଡ଼ା ମୋର ବାହୁ ଟାଣିନେଇ କହିଲା—‘‘ତୁମର ସେତେବେଳର ଚେହେରା ଦେଖି ଯୁବକଟି କିନ୍ତୁ ଡରି ଯାଇଥିଲା । ସେଥିପାଇଁ ତୁମକୁ ହାତୀ ଉପରେ ବସେଇଦେଲା । ଦୁଃଖର କଥା ଯେ ତୁମେ ଗଡ଼ିପଡ଼ିଲ । ଇଡ଼ା ପାଇଁ ମୋର ରୂପ ଥିଲା ଭିନ୍ନ । ଆପଣ ମୋଟେ କହି ପାରିବେ ନାହିଁ ସ୍ତ୍ରୀ ଲୋକେ ପୁରୁଷମାନଙ୍କର କେଉଁ ଗୁଣ ଦେଖି ମନ ହଜେଇ ଦିଅନ୍ତି ।

Image